Unknown

 

 

 

 

 

 

 

 

 

 

 

ସାରସ୍ୱତ ସାଧିକା ସୀତାଦେବୀ ଖାଡ଼ଙ୍ଗା

କୃଷ୍ଣଚନ୍ଦ୍ର ପ୍ରଧାନ

 

ଅଗ୍ରଲେଖ

 

ସୀତାଦେବୀ ଖାଡ଼ଙ୍ଗା (୧୯୦୨/୦୪–୨୧-୬-୧୯୮୩) ଏକାଧାରରେ ଜଣେ ଗାଳ୍ପିକା, କବୀ, ଔପନ୍ୟାସିକା, ନାଟ୍ୟକାର, ଅନୁସୃଜନ ସ୍ରଷ୍ଟା ତଥା ଜୀବନୀକାର ଭାବରେ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ଗଞ୍ଜାମ ଜିଲ୍ଲାର ଘୁମୁସର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ପିତା ହରିହର ପଣ୍ଡା ଏବଂ ମାତା ସତ୍ୟଭାମା ପଣ୍ଡାଙ୍କ ଔରସରୁ ଜନ୍ମଲାଭ କରିଥିଲେ। ବିଂଶ ଶତାବ୍ଦୀର ଆଦ୍ୟକାଳରେ ଓଡ଼ିଶାର ରାଜନୈତିକ ପଟ୍ଟଭୂମି, ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା। ଦାରିଦ୍ର୍ୟ, ଜାତିଭେଦ ପ୍ରଥା, କୁସଂସ୍କାର, ନିରକ୍ଷରତା ଓ ଅନ୍ଧବିଶ୍ୱାସ ଆଦି ସମାଜକୁ ନାନାଭାବରେ କବଳିତ କରି ରଖିଥିଲା । ଏହିଭଳି ପରିସ୍ଥିତିରେ ଯେଉଁଠି ଶିକ୍ଷାର ଚିହ୍ନବର୍ଣ୍ଣ ନଥିଲା, ସେଠି ନାରୀ ଶିକ୍ଷାର ସତ୍ତା କେତେ ଅବାସ୍ତବ ତାହା ସହଜରେ ଅନୁମେୟ କରାଯାଇପାରେ। ପ୍ରତିକୂଳ ପରିସ୍ଥିତିରେ କୌଣସି ବିଦ୍ୟାଳୟରୁ ଆନୁଷ୍ଠାନିକ ଶିକ୍ଷାଗ୍ରହଣ ନକରି ମଧ୍ୟ ସୀତାଦେବୀ ଲେଖନୀଚାଳନା ଆରମ୍ଭ କରିଥିଲେ ଓଡ଼ିଆ କଥା ସାହିତ୍ୟରୁ । ୧୯୩୯ ମସିହାରେ ତାଙ୍କର ପ୍ରଥମ ଗଳ୍ପ ‘ଅଜଣାରୋଗ’ ସେତେବେଳର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରକାଶିତ ହୋଇ ସେକାଳର ସାହିତ୍ୟିକମାନଙ୍କ ଦୃଷ୍ଟି ଆକର୍ଷିତ କରିପାରିଥିଲା । ଜଣେ ପ୍ରଗତିଶୀଳ ନାରୀ ଲେଖିକା ଭାବରେ ତତ୍‌କାଳୀନ ସମାଜର ସାମାଜିକ ସମସ୍ୟା, ନାରୀ ଜାତିର ସ୍ୱାଭିମାନ ସମ୍ପର୍କରେ ସେ ଲେଖନୀଚାଳନା କରି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ । ବିଭିନ୍ନ ପ୍ରତିକୂଳ ପରିବେଶ ମଧ୍ୟଦେଇ ସୀତାଦେବୀ ଯେଉଁଭଳି ଭାବରେ ନାରୀର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ତା’ର ପଟ୍ଟାନ୍ତର ନାହିଁ । ତାଙ୍କର ସାରସ୍ୱତ ସୃଷ୍ଟି ଓଡ଼ିଆ ବାଣୀଭଣ୍ଡାରକୁ ବହୁ ଭାବରେ ୠଦ୍ଧିମନ୍ତ କରିଛି । ଏହିଭଳି ଜଣେ ସାହିତ୍ୟିକାଙ୍କ ଜୀବନ, ସାରସ୍ୱତ ସୃଷ୍ଟି ସମ୍ପଦକୁ ସଂକ୍ଷିପ୍ତ ଭାବରେ ଗୋଟିଏ କ୍ଷୁଦ୍ର ପୁସ୍ତିକା ଆକାରରେ ପ୍ରକାଶ କରି ଆଗାମୀ ପିଢ଼ିର ଲେଖକମାନଙ୍କ ନିକଟରେ ପହଞ୍ଚାଇବାର ନୈତିକ ଦାୟିତ୍ୱ ଏକାଡେମୀର ରହିଥିବା ଦୃଷ୍ଟିରୁ ଏ ଦିଗରେ ଗତ କିଛିବର୍ଷ ତଳୁ ଉଦ୍ୟମ ଆରମ୍ଭ ହୋଇଥିଲା ।

 

ଓଡ଼ିଆ ସାହିତ୍ୟର ଲବ୍ଧପ୍ରତିଷ୍ଠ ବରେଣ୍ୟ ସାରସ୍ୱତ ସାଧକମାନଙ୍କ ଜୀବନୀ- ଓ କୃତିସଂବଳିତ କ୍ଷୁଦ୍ରପୁସ୍ତିକା ପ୍ରକାଶନ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ଲୋକପ୍ରିୟ ପ୍ରକାଶନ କାର୍ଯ୍ୟକ୍ରମରୂପେ ଗୃହୀତ ଏବଂ ସେହି କ୍ରମରେ ‘ସୀତାଦେବୀ ଖାଡ଼ଙ୍ଗା’ ଶୀର୍ଷକ ପୁସ୍ତିକାଟି ପ୍ରସ୍ତୁତ ନିମନ୍ତେ ଏକାଡେମୀ ପକ୍ଷରୁ ପ୍ରୟାସ କରାଯାଇଥିଲା । ଏହି କ୍ଷୁଦ୍ର ପୁସ୍ତିକାଟିର ପ୍ରଣୟନ ଦାୟିତ୍ୱ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଅର୍ପଣ କରାଯାଇଥିଲା । ସେ ମହାଶୟ ଏକାଡେମୀର ସାଗ୍ରହ ଅନୁରୋଧକୁ ସାଦରରେ ଗ୍ରହଣ କରି ଏହି ଅନନ୍ୟ ସାଧିକା ସୀତାଦେବୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ଉକ୍ତ ପାଣ୍ଡୁଲିପିରେ ଲେଖକଙ୍କୁ ସେ ଯେଉଁଭଳି ଭାବରେ ଆକଳନ କରି ଓଡ଼ିଆ ପାଠକ-ପାଠିକାମାନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି, ସେଥିପାଇଁ ତାଙ୍କୁ ସାଧୁବାଦ ଅର୍ପଣ କରୁଅଛି । ସୀତାଦେବୀଙ୍କ ପରି ଜଣେ ପ୍ରଗତିଶୀଳ ନାରୀ ଲେଖିକାଙ୍କ ସାହିତ୍ୟ ସମ୍ପର୍କରେ ଏହା ଏକ କ୍ଷୁଦ୍ରପୁସ୍ତିକା ହୋଇଥିଲେ ସୁଦ୍ଧା ଏହା ଏକ ପୂର୍ଣ୍ଣାଙ୍ଗ ସମୀକ୍ଷା ଗ୍ରନ୍ଥଭାବେ ଆଗାମୀ ଦିନମାନଙ୍କରେ ଆଦୃତ ହେବ ଏହି ବିଶ୍ୱାସ ମୋର ରହିଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବକାଶରେ ଏହି ମନୋଗ୍ରାଫ୍‌ଟି ପ୍ରକାଶ ପାଉଥିବା ଅତି ଆନନ୍ଦର ବିଷୟ । ଉକ୍ତ କ୍ଷୁଦ୍ର ପୁସ୍ତିକାଟି ଆମ ସାହିତ୍ୟର ଅନନ୍ୟ ସାଧିକା ସୀତାଦେବୀଙ୍କ ସମ୍ପର୍କରେ କେତେକ ନିର୍ଭରଯୋଗ୍ୟ ତଥ୍ୟ ଜାଣିବାରେ ଲେଖକ, ପାଠକ ଓ ଗବେଷକମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଏ । ଓଡ଼ିଆ ସାହିତ୍ୟରେ ରୁଚି ରଖିଥିବା ଲେଖକ, ଗବେଷକ, ପାଠକ ଓ ପାଠିକାମାନଙ୍କଦ୍ୱାରା ଏକାଡେମୀର ଅନ୍ୟାନ୍ୟ ଗ୍ରନ୍ଥମାନଙ୍କ ଭଳି ଏହି ଗ୍ରନ୍ଥଟି ଆଦର ଲାଭ କଲେ ଏକାଡେମୀର ଶ୍ରମ ସାର୍ଥକ ହେବ ବୋଲି ଆଶା କରୁଅଛି ।

 

ତା ୧୪/୬/୨୦୦୮

ହରପ୍ରସାଦ ପରିଛା ପଟନାୟକ

ଭୁବନେଶ୍ୱର

ସଚିବ

Image

 

ମୁଖବନ୍ଧ

 

ସୀତାଦେବୀ ଖାଡ଼ଙ୍ଗା ଓଡ଼ିଆ ସାହିତ୍ୟ ଜଗତର ଅନିର୍ବାଣ ଦୀପଶିଖା । ଓଡ଼ିଶାର ସମାଜ, ସଂସ୍କୃତି, ସାହିତ୍ୟ ଓ ରାଜନୀତି ସହିତ ଥିଲା ତାଙ୍କର ଗଭୀର ସଂପୃକ୍ତି । ପ୍ରତିକୂଳ ପରିବେଶରେ କିପରି ପ୍ରତିଷ୍ଠା ଅର୍ଜନ କରାଯାଇପାରେ, ସୀତାଦେବୀଙ୍କ ଜୀବନୀ ହେଉଛି ତା’ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ଦୁଃଖର କଥା ଓଡ଼ିଶାର ସାହିତ୍ୟ ଓ ସମାଜ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ହୋଇଥିଲେହେଁ, ସୀତାଦେବୀଙ୍କ ସଂପର୍କରେ ଓଡ଼ିଆ ସାହିତ୍ୟ ସମାଜରେ ଯେତିକି ଚର୍ଚ୍ଚା ହେବା କଥା, ଏଯାବତ୍‌ ତାହା ହୋଇପାରିନାହିଁ । ଏହା ନିଶ୍ଚିତ ଭାବରେ ସମଗ୍ର ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଜାତି ପାଇଁ ଗଭୀର ପରିତାପର ବିଷୟ ।

 

‘ସାରସ୍ୱତ ସାଧିକା ସୀତାଦେବୀ ଖାଡ଼ଙ୍ଗା’ ପୁସ୍ତକରେ ସୀତାଦେବୀଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ବିହଙ୍ଗାବଲୋକନ କରାଯାଇଛି । ଓଡ଼ିଆ ସାହିତ୍ୟ ଓ ଓଡ଼ିଶାର ସାମାଜିକ ଜୀବନ ପ୍ରତି ତାଙ୍କର ଅବଦାନକୁ ସୂଚନାତ୍ମକ ଭାବରେ ପ୍ରକାଶ କରାଯାଇଛି । ଆଶା, ସୀତାଦେବୀଙ୍କ ସଂପର୍କରେ ସାମଗ୍ରିକ ପରିଚୟଟି ସୃଷ୍ଟି କରିବାକୁ ଏହି ଗ୍ରନ୍ଥଟି ସମର୍ଥ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସଂବନ୍ଧରେ ଅଧିକ ଆଲୋଚନା, ଗବେଷଣା ନିମିତ୍ତ ଓଡ଼ିଶାର ବରେଣ୍ୟ ଆଲୋଚକଙ୍କୁ ଏହା ପ୍ରେରଣା ଦେଇପାରିବ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଏପରି ଏକ ଜାତୀୟ କାର୍ଯ୍ୟ ସଂପାଦନ ନିମିତ୍ତ ମୋ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ଏକାଡେମୀର ସଭାପତି, ସଚିବ ଓ ଅନ୍ୟାନ୍ୟ ବରେଣ୍ୟ କର୍ମକର୍ତ୍ତାଙ୍କୁ ମୋର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ଏବଂ ଏକାଡେମୀର ଏହି ସାଧୁ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରୁଛି । ଏହି କ୍ଷୁଦ୍ର ପୁସ୍ତକଟିରୁ ଓଡ଼ିଆ ଭାଷା ଓ ସାହିତ୍ୟର ବିଦଗ୍ଧ ପାଠକ, ଆଲୋଚକ ଓ ଗବେଷକମାନେ କିଛି ପରିମାଣରେ ଉପକୃତ ହୋଇପାରିଲେ, ନିଜକୁ ଧନ୍ୟ ମନେକରିବି । ଶେଷରେ ଗବେଷିକା ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ଗବେଷଣା ନିବନ୍ଧ ମୋତେ ଏହି କାର୍ଯ୍ୟରେ ବହୁ ପରିମାଣର ସହାୟତା କରିପାରିଥିବାରୁ ତାଙ୍କ ନିକଟରେ ମୁଁ କୃତଜ୍ଞ ।

 

କୃଷ୍ଣଚନ୍ଦ୍ର ପ୍ରଧାନ,

ଲେଖକ

Image

 

ପ୍ରଥମ ପରିଚ୍ଛେଦ

 

ସୀତାଦେବୀ : ଜନ୍ମ, ଜୀବନୀ ଓ ସାଧନା

 

ବିଂଶ ଶତାବ୍ଦୀ ବହୁ ଦୃଷ୍ଟିକୋଣରୁ ସମଗ୍ର ବିଶ୍ୱପାଇଁ ଅଭୂତପୂର୍ବ । ଏହି ଶତାବ୍ଦୀରେ ବିଜ୍ଞାନ ଜ୍ଞାନର ଅତଳ ଗହ୍ୱରକୁ ସ୍ପର୍ଶ କରିଛି । ମଣିଷ ପାଇଁ ସୃଷ୍ଟି କରିଛି ବହୁ ସମ୍ଭାବନା, ପୁଣି ଆତଙ୍କ । ବିଜ୍ଞାନର ନୂତନ ଉଦ୍ଭାବନ ମଣିଷର ଜୀବନକୁ ଯେପରି କରିଛି ବିଳାସମୟ, ସେହିପରି ତା’ର ଧ୍ୱଂସକାରୀ ରୂପ ପ୍ରଦର୍ଶନ କରି ସମଗ୍ର ମାନବସଭ୍ୟତା ପାଇଁ ସୃଷ୍ଟି କରିଛି ଅସଂଖ୍ୟ ପ୍ରଶ୍ନବାଚୀ । ବିଜ୍ଞାନ, ସମାଜତତ୍ତ୍ୱ, ମନସ୍ତତ୍ତ୍ୱ ଆଦି ଜ୍ଞାନର ବିଭିନ୍ନ ଦିଗନ୍ତକୁ ସ୍ପର୍ଶ କରିଛି । ସାହିତ୍ୟ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିଯାଇନାହିଁ । ସମୟ ସହିତ ପାଦ ମିଳାଇ ନିଜ ରୂପ ଓ ରଙ୍ଗରେ ଆଣିଛି ପରିବର୍ତ୍ତନ । ବିଶ୍ୱକବି ରବୀନ୍ଦ୍ରନାଥ ‘ଗୀତାଞ୍ଜଳି’ ନିମିତ୍ତ ନୋବେଲ ପୁରସ୍କାର ପାଇବାଦ୍ୱାରା ଭାରତୀୟ ସାହିତ୍ୟର ମର୍ଯ୍ୟାଦା ବିଶ୍ୱ ଦରବାରରେ ବୃଦ୍ଧି ପାଇଛି । ଜୀବନ ଓ ଜଗତ ପ୍ରତି ଏକ ବିସ୍ତାରିତ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଛି ସ୍ରଷ୍ଟାର ଏହି ଶତକରେ । ସବୁ ଦୃଷ୍ଟିରୁ ଦେଖିଲେ ବିଂଶ ଶତାବ୍ଦୀ ସମଗ୍ର ମାନବସମାଜ ପାଇଁ ଆତ୍ମ-ପ୍ରତ୍ୟୟ, ଆତ୍ମ-ବିଶ୍ଳେଷଣ ଓ ଆତ୍ମ-ପ୍ରଚାରର ସମୟ ।

 

ବିଜ୍ଞାନର କ୍ରାନ୍ତିକାରିତା ସତ୍ତ୍ୱେ ତଥାପି ଭାରତୀୟ ଜନମାନସ ପାରଂପରିକ ମୂଲ୍ୟବୋଧ ଓ ବିଶ୍ୱାସଠାରୁ ଦୂରେଇ ଯାଇପାରିନାହିଁ । କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ ତଥାପି ଅବଶିଷ୍ଟ ରହିଯାଇଛି ତା’ର ରକ୍ତ ଓ ମାଂସରେ । କେବଳ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ନୁହଁନ୍ତି, ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି କୁସଂସ୍କାରରୁ ମୁକ୍ତ ହୋଇପାରିନାହାନ୍ତି । ବାସ୍ତବରେ କହିଲେ ବିଂଶ ଶତାବ୍ଦୀ ହେଉଛି ଭାରତୀୟମାନଙ୍କ ପ୍ରତି ସତେଯେପରି ପ୍ରାଚୀନତା ଓ ଆଧୁନିକତାର ଏକ ସଂଘର୍ଷମୟ ସମୟ ।

 

ସର୍ବ ଭାରତୀୟ ସ୍ତରରେ ଯେଉଁ ମାନସିକ ସଂଘର୍ଷ ଦେଖା ଦେଇଥିଲା ଏହି ଶତକରେ, ଓଡ଼ିଶା ମଧ୍ୟ ସେଥିରୁ ମୁକ୍ତି ପାଇପାରିନଥିଲା । ଏହିପରି ଏକ ସନ୍ଧିକ୍ଷଣରେ ଜନ୍ମଲାଭ କରନ୍ତି ସୀତାଦେବୀ ଖାଡ଼ଙ୍ଗା । ସୀତାଦେବୀଙ୍କ ଗ୍ରନ୍ଥାବଳୀରେ ତାଙ୍କର ଜନ୍ମ ବର୍ଷ ୧୯୦୨ ମସିହା ବୋଲି ସୂଚିତ ହୋଇଥିବା ସମୟରେ ଅନ୍ୟ କେହି, ୧୯୦୪ ମସିହା ବୋଲି ମତ ଦେଇଥାନ୍ତି । ଏହି କାରଣରୁ ତାଙ୍କ ଜନ୍ମର ସଠିକ୍‌ ତିଥି ଏଯାବତ୍‌ ନିର୍ଦ୍ଦିଷ୍ଟ ହୋଇପାରିନାହିଁ । ବିଂଶ ଶତକର ଆଦ୍ୟ ଦଶକରେ ଯେ ସେ ଜନ୍ମଲାଭ କରିଥିଲେ, ଏ ସଂପର୍କରେ ପ୍ରାୟ ସମସ୍ତେ ଏକମତ । ସୀତାଦେବୀଙ୍କ ଜନ୍ମ ସମୟକୁ ଓଡ଼ିଶା ତଥାପି ଥିଲା ବିଭିନ୍ନ କୁସଂସ୍କାର ଓ ଅନ୍ଧ ବିଶ୍ୱାସରେ ପରିପୂର୍ଣ୍ଣ । ନାରୀର ସ୍ଥିତି ପ୍ରତି ସମାଜ ବିଶେଷ ଗୁରୁତ୍ୱ ଦେଉନଥିଲା । ନାରୀର ଦୁଃସ୍ଥିତି ପ୍ରତି ମଧ୍ୟ ପୁରୁଷ ସମାଜ ନଥିଲେ ସମ୍ବେଦନଶୀଳ । ନାରୀମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ବିଶେଷ କିଛି ପରିବର୍ତ୍ତନ ଆସିନଥିଲା । ଗୃହର ଚତୁଷ୍କୋଣ ମଧ୍ୟରେ ଆବଦ୍ଧ ରହି ‘ଗୃହାଙ୍ଗନା’ ଶବ୍ଦଟିର ଆଳଂକାରିକ ମହତ୍ତ୍ୱ ବଢ଼ାଇଚାଲିଥିଲା । ସୀତାଦେବୀ ସ୍ୱୟଂ ଥିଲେ ଏହିପରି ସାମାଜିକ ବିଚାରଧାରର ଶିକାର ।

 

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଅନ୍ତର୍ଗତ ଘୁମୁସର ତାଲୁକର ମନ୍ଦାର ଗ୍ରାମରେ ହରିହର ପଣ୍ଡା ଏବଂ ସତ୍ୟଭାମାଙ୍କ ଔରସରୁ ସୀତାଦେବୀଙ୍କର ଜନ୍ମ । ସେ ସମୟରେ ହରିହର ପଣ୍ଡା ଥିଲେ ଉଚ୍ଚ ଶିକ୍ଷିତ । କୃତିତ୍ଵର ସହିତ ସ୍ନାତକ ଶିକ୍ଷାଲାଭ ପରେ ମାନ୍ଦ୍ରାଜରୁ ଆଇନ୍‌ ଉପାଧି ପ୍ରାପ୍ତ ହୋଇଥିଲେ । ଦେଶ ମିଶ୍ରଣ ଆନ୍ଦୋଳନରେ ତାଙ୍କର ରହିଥିଲା ପ୍ରତ୍ୟକ୍ଷ ଭୂମିକା । ଜଣେ ଖ୍ୟାତନାମା ଓକିଲ ଭାବରେ ସମଗ୍ର ଗଞ୍ଜାମ ଅଞ୍ଚଳରେ ହରିହରଙ୍କର ସୁଖ୍ୟାତି ରହିଥିଲା । ନିଜ ଅଞ୍ଚଳରେ ଶିକ୍ଷାର ପ୍ରସାର ନିମିତ୍ତ ବହୁବିଧ ପଦକ୍ଷେପ ଗ୍ରହଣ କରି ପ୍ରଶଂସାର ପାତ୍ର ହୋଇଥିଲେ । ଏହା ସତ୍ତ୍ୱେ ସେ ଥିଲେ ସଂପୂର୍ଣ୍ଣ ରୂଢ଼ିବାଦୀ । ପ୍ରାଚୀନ ଚିନ୍ତାଧାରର ବଶବର୍ତ୍ତୀ ହୋଇଥିବାରୁ ନାରୀଶିକ୍ଷା ପ୍ରତି ସେ ଆଦୌ ସମ୍ବେଦନଶୀଳ ନଥିଲେ । ନାରୀଶିକ୍ଷା, ନାରୀ ସ୍ୱାଧୀନତା, ନାରୀ ଜାଗରଣ, ବିଧବା ବିବାହ ପ୍ରତି ସେ କେବଳ ଉଦାସୀନ ନଥିଲେ, ତା’ର ସଂପୂର୍ଣ୍ଣ ବିରୋଧ କରୁଥିଲେ । ବଙ୍ଗ ଦେଶରେ ରାଜା ରାମମୋହନ ରାୟ ବିଧବା ବିବାହ ସପକ୍ଷରେ ଆନ୍ଦୋଳନ କରି ସଫଳ ହୋଇଥିଲେହେଁ ଓଡ଼ିଶାରେ ତା’ର ସାମାନ୍ୟତମ ପ୍ରଭାବ ଅନୁଭୂତ ହେଉନଥିଲା । ଉଚ୍ଚ ଶିକ୍ଷିତ ହରିହରଙ୍କର ଚାରି ଭଉଣୀ–ସମସ୍ତେ ଥିଲେ ବିଧବା । ଏହି କାରଣରୁ ନିଜ କନ୍ୟା ସୀତାଦେବୀଙ୍କ ଶିକ୍ଷା ପ୍ରତି ସେ ସଂପୂର୍ଣ୍ଣ ଭାବରେ ଥିଲେ ବୀତସ୍ପୃହ । ଗୋଟିଏ ମାତ୍ର କନ୍ୟା ହୋଇଥିଲେ ହେଁ ବିଦ୍ୟାଳୟ ଯାଇ ପାଠ ପଢ଼ିବାର ସୁଯୋଗ ତାଙ୍କ ପାଇଁ ନଥିଲା । କାରଣ ଉଚ୍ଚ ଶିକ୍ଷିତ ହରିହର ପ୍ରଥମରୁହିଁ ନାରୀଶିକ୍ଷାର ବିରୋଧ କରୁଥିଲେ । ପ୍ରଚୁର ସଂପତ୍ତିର ଅଧିକାରୀ ହୋଇଥିଲେହେଁ ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତା ପାଇଁ ସାମାନ୍ୟ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ଥିଲେ । ତେଣୁ ସୀତାଦେବୀ ବାଲ୍ୟକାଳରୁ ହିଁ ପ୍ରତିକୂଳ ପରିବେଶ ମଧ୍ୟ ଦେଇ ଗତି କରିବାକୁ ବାଧ୍ୟ ହୋଇଥିଲେ ।

 

ସୀତାଦେବୀ ବାଲ୍ୟକାଳରୁ ପ୍ରତ୍ୟକ୍ଷ କରିଥିଲେ ସାମସମୟିକ ସମାଜରେ ନାରୀର ସ୍ଥିତି ଓ ଦୁଃସ୍ଥିତି । ତାଙ୍କର ଚାରି ପିଉସୀଙ୍କର ବୈଧବ୍ୟ ଜୀବନର ଦୁଃଖକୁ ସେ ପିଲାଟିବେଳୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ। ପିଉସୀମାନଙ୍କର ମାନସିକ ଯନ୍ତ୍ରଣା ତାଙ୍କ କୋମଳ ହୃଦୟକୁ ଗଭୀର ଭାବରେ ବ୍ୟଥିତ କରିଥିଲା । ଏକ ରକ୍ଷଣଶୀଳ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ସେ ତାଙ୍କର ରୁଦ୍ଧ ଆବେଗ ଓ ଅସନ୍ତୋଷକୁ ହୃଦୟ ଭିତରେ ଚାପି ରଖିବାକୁ ବାଧ୍ୟ ହେଉଥିଲେ । ପ୍ରତିଭାଧାରିଣୀ ସୀତାଦେବୀ ନିଜର ପରିବାରଠାରୁ କୌଣସି ସହଯୋଗ ପାଇପାରିନଥିଲେ । ପ୍ରାଚୁର୍ଯ୍ୟ ଭିତରେ ବି ସେ ଥିଲେ ନିଃସଙ୍ଗ । ନାରୀର ପରାଧୀନ ଜୀବନ ଓ ଚାରିକାନ୍ଥର ବନ୍ଦିନୀ ଜୀବନରେ ସେ ଅନେକବାର ଅଣନିଃଶ୍ୱାସୀ ହୋଇପଡ଼ୁଥିଲେ । ପାରିବାରିକ ସ୍ନେହ, ପିତା ମାତାଙ୍କର ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟ ପାଇବା ସତେ ଯେପରି ତାଙ୍କ ଭାଗ୍ୟରେ ନଥିଲା ।

 

ବିଧବା ପିଉସୀମାନେ ଯେଉଁ ନିର୍ଯ୍ୟାତୀତା ଜୀବନ ଅତିବାହିତ କରୁଥିଲେ ତା’ର ଚମତ୍କାର ବର୍ଣ୍ଣନା ଅନେକତ୍ର ଦେଇଛନ୍ତି ସୀତାଦେବୀ ତାଙ୍କର ‘ମୋର ଜୀବନ ସ୍ମୃତି’ରେ । କେବଳ ସୀତାଦେବୀଙ୍କ ପିଉସୀ ନୁହନ୍ତି, ସେ ସମୟରେ ଅଧିକାଂଶ ନାରୀଙ୍କ ଜୀବନ ଥିଲା ସମାଜରେ ଅବହେଳିତା । ସୀତାଦେବୀଙ୍କ ମତରେ–‘‘ସେ ଯୁଗରେ ସ୍ତ୍ରୀମାନେ ଯେଉଁ ଅବସ୍ଥାରେ ଥିଲେ, ବର୍ତ୍ତମାନ ବଡ଼ ବଡ଼ ଧନୀ ସମ୍ଭ୍ରାନ୍ତ ଘରମାନଙ୍କର ଜର୍ସି, ହରିୟାନା ଗାଈମାନଙ୍କୁ ସେମାନଙ୍କଠାରୁ ଅଧିକ ଯତ୍ନ, ସେବା ଶୁଶ୍ରୂଷା ଇତ୍ୟାଦି କରାଯାଉଛି ।’’ (ପୃ-୭) ପାଶ୍ଚାତ୍ୟ ଶିକ୍ଷା-ଦୀକ୍ଷାର ପ୍ରଚାର ସତ୍ତ୍ୱେ ତଥାପି ସମାଜରୁ ରୂଢ଼ିବାଦୀ ଚିନ୍ତାଧାରର ବିଲୋପ ଘଟିନଥିଲା । ବିଶେଷଭାବରେ ପୁରୁଷସମାଜ ଥିଲେ ନାରୀ ସ୍ୱାଧୀନତାର ସଂପୂର୍ଣ୍ଣ ପରିପନ୍ଥୀ ।

 

ଏହା ସତ୍ତ୍ୱେ ସେତେବେଳେ ସମାଜରେ ଜଣେ ଜଣେ ପ୍ରଗତିବାଦୀ ଓ ଦୂରଦୃଷ୍ଟିସଂପନ୍ନ ପୁରୁଷ ଯେ ଜନ୍ମ ହୋଇନଥିଲେ, ତା’ ନୁହେଁ । ମାତ୍ର ଏମାନଙ୍କର ସଂଖ୍ୟା ଥିଲା ଅତ୍ୟନ୍ତ ସ୍ୱଳ୍ପ । ଏହିପରି ଜଣେ ବ୍ୟତିକ୍ରମ ପୁରୁଷ ଥିଲେ ସୀତାଦେବୀଙ୍କ କକେଇ ଶ୍ରୀବତ୍ସ ପଣ୍ଡା । ପରବର୍ତ୍ତୀ ସମୟରେ ସେ ‘ସଂସ୍କାରକ ଶ୍ରୀବତ୍ସ ପଣ୍ଡା’ ନାମରେ ପରିଚିତ ହୋଇଥିଲେ । ନାରୀ ସ୍ୱାଧୀନତା, ନାରୀଶିକ୍ଷା ଏବଂ ବିଧବା ବିବାହକୁ ସେ ସଂପୂର୍ଣ୍ଣଭାବରେ ସମର୍ଥନ କରୁଥିଲେ । କକେଇ ଶ୍ରୀବତ୍ସ ପଣ୍ଡାଙ୍କ ଚରିତ୍ର ଥିଲା ସୀତାଦେବୀଙ୍କ ପିତା ହରିହର ପଣ୍ଡାଙ୍କ ଚରିତ୍ରର ବିପରୀତଧର୍ମୀ । ଶ୍ରୀବତ୍ସ ପଣ୍ଡାଙ୍କ ସଂପର୍କରେ ସୀତାଦେବୀ ‘ମୋର ଜୀବନ ସ୍ମୃତି’ରେ ଲେଖିଛନ୍ତି–‘‘ଶୁଣିଛି ଶ୍ରୀବତ୍ସ କକେଇ ବାଲ୍ୟକାଳରୁ ସମାଜ ସଂସ୍କାର ପ୍ରୟାସୀ । କର୍ମକ୍ଷେତ୍ରରେ ପ୍ରବେଶ କରି ଘରର ଏବଂ ଗାଁର ସ୍ତ୍ରୀମାନଙ୍କର ଜୀବନଯାପନ ସମ୍ବନ୍ଧରେ ସେ ଗଭୀର ସହାନୁଭୂତିର ସହିତ ନାଟକ, ସଙ୍ଗୀତ, ପ୍ରବନ୍ଧ ଲେଖି ପ୍ରଚାର କରୁଥିଲେ । ଓଡ଼ିଶା ବାହାରେ ଅଧ୍ୟୟନ କରି ସେ ପ୍ରଦେଶର ନାରୀମାନଙ୍କର ଜୀବନଯାପନର ଧରଣ ଧାରଣ ସମ୍ବନ୍ଧରେ ତାଙ୍କର ଉଚ୍ଚ ଅଭିମତ ପ୍ରକାଶ କରନ୍ତି ।’’ (ପୃ-୧୨) । ଶ୍ରୀବତ୍ସ ପଣ୍ଡାଙ୍କ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ସେ ଅନ୍ୟତ୍ର କହିଛନ୍ତି–‘‘ଆହୁରି ମଧ୍ୟ ଘରେ ଘରେ ନାରୀମାନେ ଯେଉଁ ସବୁ କୁସଂସ୍କାରର ବଶବର୍ତ୍ତିନୀ ହୋଇ ଆପଣା ଜନ୍ମ ଏବଂ ଜୀବନକୁ ତୁଚ୍ଛ ଜ୍ଞାନ କରୁଥିଲେ, ସେମାନଙ୍କୁ ଶିକ୍ଷା ଦୀକ୍ଷା ଦେଇ ଉନ୍ନତି ପଥରେ ଗତି କରାଇବାକୁ ଅନବରତ କର୍ମ କରୁଥିଲେ । ସେ ସମୟରେ ବ୍ରାହ୍ମଣସମାଜରେ ବାଲ୍ୟ-ବିବାହ ବାଧ୍ୟତାମୂଳକ ଥିବା ଯୋଗୁଁ ବିବାହ କ’ଣ ଆଉ କାହିଁକି କରାଯାଉଛି ଜାଣିବା ଆଗରୁ ଶତ ଶତ ବାଳିକା ବିଧବା ହୋଇ ବୈଧବ୍ୟ ବ୍ରତ ପାଳନ କରିବାକୁ ବାଧ୍ୟ ହେଉଥିଲେ । ଏହି ବାଲ୍ୟବିବାହର ବୟସ ବୃଦ୍ଧି କରିବା ଏବଂ ବିଧବାମାନଙ୍କୁ ବିବାହ କରାଇବା ବିଷୟରେ ସେ ପ୍ରାଚୀନ ପ୍ରଥା ଏବଂ ଶାସ୍ତ୍ର ପୁରାଣମାନଙ୍କରୁ ନିଦର୍ଶନଗୁଡ଼ିକ ଦର୍ଶାଉଥିଲେ । ବାଳ ବିଧବାମାନଙ୍କୁ ବିବାହ କରାଇବା ଔଚିତ୍ୟ ଏବଂ ଆବଶ୍ୟକତା ନେଇ ସେ ‘ଶଶିକଳା ପରିଣୟ’ ନାମକ ଗୋଟିଏ ନାଟକ ଲେଖି ଅଭିନୟ କରାଇ ସମାଜ-ପତିମାନଙ୍କ ହୃଦୟ ପରିବର୍ତ୍ତନ ସକାଶେ ପ୍ରୟାସ କରିଥିଲେ । ସେ ସମୟ ସମାଜର ରକ୍ଷଣଶୀଳ ଅବସ୍ଥାରେ ସେ ସ୍ୱୟଂ ଉଦ୍ୟମ କରି ଜଣେ ବାଳବିଧବାର ବିବାହ କରାଇଥିଲେ । ସେ ସମୟର ଜନ-ସମାଜର ମାନସିକ ଅବସ୍ଥା ଯାହା ଥିଲା, ସେଥିରେ ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଶ୍ରୀବତ୍ସ କକେଇଙ୍କର ସମାଜ ସଂସ୍କାର ଚିନ୍ତାକୁ ଉଚ୍ଚସ୍ଥାନ ଦେଉନଥିଲେ । ନାରୀ ଜାତି ପ୍ରତି ଶ୍ରୀବତ୍ସ କକେଇଙ୍କର ଏକାନ୍ତ ଶ୍ରଦ୍ଧା ସହାନୁଭୂତି ଦୁଇଭାଇଙ୍କ ଭିତରେ ବ୍ୟବଧାନ ସୃଷ୍ଟି କରିଥିଲା । ଦୁହିଁଙ୍କର ବିଚାରଧାରା ସଂପୂର୍ଣ୍ଣ ସ୍ୱତନ୍ତ୍ର ଥିଲା’’ (ମୋର ଜୀବନ ସ୍ମୃତି–ସୀତାଦେବୀ ଗ୍ରନ୍ଥାବଳୀ ପ୍ରଥମ ଖଣ୍ଡ–ପୃ. ୧୨-୧୩) । ଶ୍ରୀବତ୍ସ ପଣ୍ଡା ତାଙ୍କର ଏକମାତ୍ର କନ୍ୟା ମାଳତୀ ପାଇଁ ଶିକ୍ଷାର ସମସ୍ତ ସୁବନ୍ଦୋବସ୍ତ କରିଥିଲେ । ତାଙ୍କ ଦୃଷ୍ଟିରେ ପୁତ୍ର-କନ୍ୟା ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା । ଏଥିପାଇଁ କୌଣସି ସାମାଜିକ କଟକଣାକୁ ସେ ଭ୍ରୂକ୍ଷେପ କରୁନଥିଲେ । ମାତ୍ର ସୀତାଦେବୀଙ୍କ ପରିବାରରେ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ମଧ୍ୟରେ ପାର୍ଥକ୍ୟ ରେଖା ସ୍ପଷ୍ଟ ଥିଲା । ପୁତ୍ରମାନେ ପାଠ ପଢ଼ିବାର ସମସ୍ତ ସୁଯୋଗ ପାଉଥିବା ସମୟରେ କନ୍ୟାମାନେ ଥିଲେ ଏଥିରୁ ବଞ୍ଚିତ । ଶ୍ରୀବତ୍ସ ପଣ୍ଡାଙ୍କ କନ୍ୟାର ପାଠପଢ଼ା ଦେଖି ସୀତାଦେବୀଙ୍କ ମାତା ସତ୍ୟଭାମା ଦେବୀ ନିଜ କନ୍ୟାକୁ ଅକ୍ଷର ଶିକ୍ଷା, ଗୋପୀଭାଷା ଓ ଗୁଣସାଗର ଆଦି ପଢ଼ାଇ ଦେଇଥିଲେ । ଏହା ବ୍ୟତୀତ ସୀତାଦେବୀ ନିଜ ଚେଷ୍ଟାରେ ପଣିକିଆ, ବାଳବୋଧ, ବର୍ଣ୍ଣବୋଧ, ଶିଶୁବୋଧ ଓ ଅଳ୍ପ କିଛି ଗଣିତ ଶିକ୍ଷାଲାଭ କରିବାକୁ ସମର୍ଥା ହୋଇଥିଲେ । ପାଠ ପଢ଼ିବା ପାଇଁ ପିଲାଟି ଦିନରୁ ତାଙ୍କର ବିଶେଷ ରୁଚି ରହିଥିବାରୁ ଯେତେବେଳେ ଯେଉଁ ଓଡ଼ିଆ ବହି ବା ପତ୍ରପତ୍ରିକା ହାତରେ ପାଉଥିଲେ, ତାହାକୁ ସେ ଆଗ୍ରହର ସହିତ ପଢ଼ୁଥିଲେ । କୌଣସି ଆନୁଷ୍ଠାନିକ ଶିକ୍ଷା ପାଇବାରେ ସେ ବଞ୍ଚିତା ହୋଇଥିଲେ କେବଳ ନିଜ ପରିବାରର ପ୍ରତିକୂଳ ପରିବେଶପାଇଁ। କୁହାଯାଏ ପ୍ରତିଭା ଦୈବୀ ଦତ୍ତ । ଏହାର ସତ୍ୟତା ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଥିଲା ସୀତାଦେବୀଙ୍କ ଜୀବନରେ । ପିତା ହରିହର ପଣ୍ଡା ଶିକ୍ଷାର ବିକାଶ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଥିଲେହେଁ ନିଜ କନ୍ୟାର ଶିକ୍ଷା ପାଇଁ ଆଦୌ ଦୃଷ୍ଟି ଦେଇନଥିଲେ । ନିଜ ଅଞ୍ଚଳରେ ମେକ୍‌ ମାଇକେଲ ସଂସ୍କୃତ ଟୋଲ ପ୍ରତିଷ୍ଠା କରି ତା’ର ସେକ୍ରେଟାରୀ ଥିଲେ । ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଛାତ୍ରମାନଙ୍କୁ ଇଂରାଜୀ ଶିକ୍ଷା ଦେଉଥିଲେ । ତାଙ୍କ ଘରକୁ ବିଭିନ୍ନ ପତ୍ରପତ୍ରିକା ଆସୁଥିଲା । ସେତେବେଳେ ପ୍ରତିଷ୍ଠା ଅର୍ଜନ କରିଥିବା ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ଆଦି ପତ୍ରିକାଗୁଡ଼ିକ ତାଙ୍କ ଘରକୁ ନିୟମିତ ଭାବରେ ଆସୁଥିବାରୁ ସୀତାଦେବୀ ବେଶ୍‌ ଧ୍ୟାନର ସହିତ ସେଗୁଡ଼ିକୁ ପାଠ କରୁଥିଲେ । ତାଙ୍କ ବଡ଼ ଭାଇଙ୍କ ଓଡ଼ିଆ ବହିଗୁଡ଼ିକୁ ଗଭୀର ମନୋନିବେଶର ସହିତ ଅଧ୍ୟୟନ କରୁଥିଲେ । ଉତ୍କଳ ପ୍ରଦେଶ ଗଠନ ତଥା ସ୍ୱାଧୀନତା ଆନ୍ଦୋଳନ କ୍ଷେତ୍ରରେ ତାଙ୍କ ପରିବାରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା । ତତ୍‌କାଳୀନ ଓଡ଼ିଶାର ବହୁ ବିଦ୍ୱାନ, ପଣ୍ଡିତ, ଦେଶସେବକ, ସ୍ୱାଧୀନତା ସଂଗ୍ରାମୀ ସେଠାକୁ ଯିବାଆସିବା କରୁଥିଲେ । ତନ୍ମଧ୍ୟରୁ ଅନେକ ନାରୀଶିକ୍ଷା ଓ ବିଧବା ବିବାହର ସମର୍ଥକ ହୋଇଥିଲେହେଁ ହରିହର ପଣ୍ଡା ସେପରି ଚିନ୍ତାଧାରାର ଥିଲେ ସଂପୂର୍ଣ୍ଣ ବିରୋଧୀ । ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ସୀତାଦେବୀ ମାନସିକ ସ୍ତରରେ ଥିଲେ ବେଶ୍‌ ଦୃଢ଼-। କୌଣସି ଅନ୍ୟାୟ ବା ନାରୀବିରୋଧୀ ଭାବଧାରର ପ୍ରତିବାଦ କରୁନଥିଲେହେଁ ନିଜ ଚେଷ୍ଟାରେ ସେ ନିଜର ଅନ୍ତର୍ନିହିତ ଶକ୍ତିକୁ ଉଦ୍‌ବୋଧିତ କରିପାରିଥିଲେ । ତାଙ୍କର ଏହି ପଠନ ସ୍ପୃହା ମୃତ୍ୟୁ ପର୍ଯ୍ୟନ୍ତ ଅପ୍ରତିହତ ରହିପାରିଥିଲା । ଆଶାପୂର୍ଣ୍ଣା ଦେବୀଙ୍କ ପରି ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇଥିଲେହେଁ ନିଜ ଚେଷ୍ଟାରେ ଜ୍ଞାନର ବିଭିନ୍ନ ଦିଗନ୍ତକୁ ସ୍ପର୍ଶ କରିପାରିଥିଲେ-। କେବଳ ଓଡ଼ିଆ ନୁହେଁ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଆଦି ବହୁଭାଷାର ପୁସ୍ତକ ପାଠ କରି ତା’ର ରସ ଆସ୍ୱାଦନ କରିପାରୁଥିଲେ । ବାସ୍ତବରେ ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ଜଣେ ନାରୀର ଏପରି ମାନସିକ ଦୃଢ଼ତା ଦେଖିଲେ ବିସ୍ମିତ ନହୋଇ ରହିହୁଏ ନାହିଁ ।

 

ବୈବାହିକ ଜୀବନ

 

ବିଂଶ ଶତକର ଆଦ୍ୟ ପାଦର ଓଡ଼ିଶାରେ ବାଲ୍ୟବିବାହ ପ୍ରଥାର ବିଶେଷ ପ୍ରଚଳନ ଥିଲା । ବିଶେଷକରି ବ୍ରାହ୍ମଣ ପରିବାରମାନଙ୍କରେ ଏହା ଥିଲା ଏକ ସାଧାରଣ ପ୍ରଥା । ମାତ୍ର ସେତେବେଳେ ଏହି ବିବାହ କ୍ଷେତ୍ରରେ କନ୍ୟାର ବୟସ ଓ ମତାମତ ଉପରେ କୌଣସି ଗୁରୁତ୍ୱ ଦିଆଯାଉନଥିଲା । ଯେକୌଣସି ବୃଦ୍ଧ ହାତରେ କମ୍‌ବୟସର କନ୍ୟାଟିକୁ ମଧ୍ୟ ତୋଳିଦିଆଯାଉଥିଲା । ଏହି କାରଣରୁ ସମାଜରେ ବାଲ୍ୟ ବିଧବାମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । ପିତାଙ୍କ ଘରେ କନ୍ୟା ରଜସ୍ୱଳା ହେବା ଏକ ପାପ କାର୍ଯ୍ୟ ରୂପେ ପରିଗଣିତ ହେଉଥିଲା । ଯେକୌଣସି ଉପାୟରେ ଦଶବର୍ଷ ହେବା ପୂର୍ବରୁ କନ୍ୟାଟିର ବିବାହ କାର୍ଯ୍ୟ ସଂଶାଧିତ ହେଉଥିଲା । ଶ୍ରୀବତ୍ସ ପଣ୍ଡାଙ୍କ ପରି ସଂସ୍କାରକ ଓ ବାଲ୍ୟବିବାହ-ବିରୋଧୀ ବ୍ୟକ୍ତି ମଧ୍ୟ ତାଙ୍କ କନ୍ୟାକୁ ବାଲ୍ୟବିବାହ କରାଇବାକୁ ବାଧ୍ୟ ହୋଇଥିଲେ ।

 

ସୀତାଦେବୀ ଆଠବର୍ଷ ବୟସରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ମା’ ବିବାହ ପାଇଁ ବ୍ୟସ୍ତ ହୋଇପଡ଼ିଲେ । ନିଜର ବନ୍ଧୁ-ବାନ୍ଧବ, ଆତ୍ମୀୟସ୍ୱଜନଙ୍କ ମାଧ୍ୟମରେ ବରପାତ୍ର ଅନ୍ୱେଷଣ କରିବାକୁ ଲାଗିଲେ । ସୀତାଦେବୀଙ୍କୁ ଦଶବର୍ଷ ବୟସ ହୋଇଥିବା ସମୟରେ ତାଙ୍କର ବିବାହ ଗଞ୍ଜାମ ଜିଲ୍ଲାର ସୋରଡ଼ା ନିକଟସ୍ଥ ଗୋପାଳପୁର ଶାସନର ବାଞ୍ଛାନିଧି ଖାଡ଼ଙ୍ଗାଙ୍କ ସହିତ ଠିକ୍‌ ହୋଇଗଲା । ଆଷାଢ଼ ମାସରେ ବିବାହ ତିଥି ସ୍ଥିର ହୋଇଥିଲା । ବିବାହ ଲଗ୍ନର ମାତ୍ର ତିନିଦିନ ପୂର୍ବରୁ ଖବର ଆସି ପହଞ୍ଚିଲା ଯେ ବର ବଂଶର କାହାଘରେ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି । ଅଶୌଚ ଦୋଷରେ ବିବାହ କାର୍ଯ୍ୟ ସମ୍ଭବ ନୁହେଁ। ଆଷାଢ଼ ପରେ ବର୍ଷା କାଳ, ଚତୁର୍ମାସ୍ୟା; ଶୁଭକାର୍ଯ୍ୟ ନିଷେଧ । ତେଣୁ ମାର୍ଗଶିର ମାସରେ ବିବାହ କାର୍ଯ୍ୟ ହେବ । ଏଣୁ ପ୍ରାୟ ୫/୬ ମାସ ବିବାହ ଘୁଞ୍ଚିଯିବାରୁ ସମସ୍ତଙ୍କର ମନ ଦୁଃଖ । ଇତି ମଧ୍ୟରେ କନ୍ୟା ଗୃହଯୋଗ୍ୟ ହୋଇଗଲେ ଅସୁବିଧା । ମାଉସୀ, ପିଉସୀମାନଙ୍କର ପରାମର୍ଶକ୍ରମେ ସୀତାଦେବୀଙ୍କର ଖାଦ୍ୟ ଉପରେ ଅଙ୍କୁଶ ଲଗାଇଦିଆଗଲା । ସୀତାଦେବୀ ଏ ସଂପର୍କରେ ‘ମୋର ଜୀବନ ସ୍ମୃତି’ରେ ଲେଖିଛନ୍ତି–‘‘ସେ ସମୟରେ କୌଣସି ପିତାମାତା ଆପଣା ଅବିବାହିତା କନ୍ୟାର ରଜୋଦର୍ଶନରେ ତାକୁ ସମୁଦ୍ରରେ ଫିଙ୍ଗିଦେବା କଥାଟି କେବଳ ମୋ ମାଉସୀ ପିଉସୀଙ୍କ ମୁହଁର କଥା ହୋଇଥାଇପାରେ । ଯେହେତୁ ଅବିବାହିତା କନ୍ୟାର ୠତୁ ହୋଇଗଲେ ସାତ ପୁରୁଷ ନର୍କରେ ପଡ଼ିଯାଆନ୍ତି । ନର୍କରେ ପଡ଼ିବା ଭୟରେହିଁ ସେମାନେ କ୍ଷୁଧା, ତୃଷା ସହ୍ୟ କରି ଉପବାସ, ବ୍ରତ ପାଳନ କରନ୍ତି । ନର୍କ ଭୟରେ ବୋଉ ମୋର ସକାଳ ଖିଆଟା ବନ୍ଦ କରିଦେଲା । ମୋତେ ଶୁଖି, ପାଚି ହାଡ଼ ଦି’ଖଣ୍ଡ ହୋଇ ରହିବାକୁ ହେବ ।’’ (ପୃ-୨୧) ଯେଉଁଥିପାଇଁ ଭୟ ଥିଲା, ସେପରି କିଛି ହେଲା ନାହିଁ । ପୁଣି ଶୁଭଦିନ ଧାର୍ଯ୍ୟ କରାଯାଇ ବାଞ୍ଛାନିଧି ବାବୁଙ୍କ ସହିତ ବିବାହ କାର୍ଯ୍ୟ ସମାପନ ହୋଇଗଲା । ବିବାହ ସମୟରେ ସୀତାଦେବୀଙ୍କ ସ୍ୱାମୀ ରସୁଲକୋଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିଲେ । ମାଟ୍ରିକ ପରୀକ୍ଷାରେ ବାଞ୍ଛାନିଧିବାବୁ ଅକୃତକାର୍ଯ୍ୟ ହେବାପରେ କଟକ ଯାଇ ଭିକ୍ଟୋରିଆ ସ୍କୁଲରେ ପଢ଼ିଲେ । ସେଠାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ରେଭେନ୍‌ସା କଲେଜରେ ଆଇ.ଏସ୍‌ସି.ପଢ଼ିଲେ । ସ୍ୱାମୀଙ୍କର ମଙ୍ଗଳ ଉଦ୍ଦେଶ୍ୟର ସୀତାଦେବୀ ତେତିଶକୋଟି ଦେବତାଙ୍କୁ ପୂଜାର୍ଚ୍ଚନା କରୁଥିଲେ । ରେଭେନ୍‌ସା କଲେଜରେ ପଢ଼ୁଥିବା ସମୟରେ ବାଞ୍ଛାନିଧିବାବୁ ରୋଗଗ୍ରସ୍ତ ହୋଇପଡ଼ିଲେ । ତାଙ୍କ ରୋଗ ସମ୍ବନ୍ଧରେ ହରିହର ବାବୁ କେଉଁଠାରୁ କ’ଣ ଶୁଣି ଆସି ଘରେ ବିରକ୍ତି ହୁଅନ୍ତି । ସୀତାଦେବୀଙ୍କୁ ଏହା ଆଘାତ ଦେଉଥିଲେହେଁ ନୀରବରେ ସବୁ କିଛି ସହିଯିବାକୁ ବାଧ୍ୟ ହେଉଥିଲେ । ପରେ ତାହା ବାତରୋଗ ବୋଲି ଜଣାପଡ଼ିବାରୁ ସେ ଆଶ୍ୱସ୍ତ ହୋଇଥିଲେ । ହରିହର ବାବୁ ନିଜ ଜ୍ୱାଇଁଙ୍କୁ ନିଜ ଘରେ ନରଖି ବିରକ୍ତରେ ସଂସ୍କୃତ ଟୋଲରେ ରଖାଇଥିଲେ । ସୀତାଦେବୀ ପଥ୍ୟ ସହିତ ବୈଦ୍ୟ ଦେଇଥିବା ଚେରମୂଳିକା ସିଝାଇ ପାଚନ କରି ପଠାନ୍ତି ।

 

ନିଜ ପତ୍ନୀଙ୍କ ଅଧ୍ୟୟନ ସ୍ପୃହା ଜାଣି ବାଞ୍ଛାନିଧିବାବୁ ତାଙ୍କ ନିକଟକୁ ଖଣ୍ଡିଏ ତ୍ରିଭାଷୀ ବହି ପଠାଇଦେଇଥିଲେ । ସୀତାଦେବୀ ନିଜ ଚେଷ୍ଟାରେ ତ୍ରିଭାଷୀ ଆୟତ୍ତ କରିଥିଲେ । ବଙ୍ଗଳା ଭାଷାକୁ ଆୟତ୍ତ କରିବାପରେ ସଂସ୍କୃତ ଭାଷା ମଧ୍ୟ ଶିଖିଥିଲେ । ବଙ୍ଗଳା ଅକ୍ଷର ଶିଖି କବିରାଜ ସେନ୍‌ଗୁପ୍ତଙ୍କ ‘ପାଚନ ଓ ମୁଷ୍ଟିଯୋଗ’ ବହି ପଢ଼ି ବିଭିନ୍ନ ରୋଗର ନିଦାନ, ଲକ୍ଷଣ, ଔଷଧ ଓ ପାଚନ ବିଧି ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ବଡ଼ ଭାଇ ରଘୁନାଥ ବ୍ରହ୍ମପୁର କଲେଜରେ ଏଫ୍‌.ଏ. ପଢ଼ୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଲେ । ଆଙ୍ଗ୍ଲୋ ସଂସ୍କୃତ ସ୍କୁଲର ପ୍ରଧାନ ଶିକ୍ଷକ ସେତେବେଳେ ଥିଲେ ପଣ୍ଡିତ ବ୍ରଜବନ୍ଧୁ ତ୍ରିପାଠୀ । ଆୟୁର୍ବେଦରେ ତାଙ୍କର ରହିଥିଲା ଉତ୍ତମ ଧାରଣା । କିନ୍ତୁ ଚିକିତ୍ସା କରନ୍ତି ଅତ୍ୟନ୍ତ ତୀବ୍ର ଔଷଧ ଦେଇ । ସେହି ଚିକିତ୍ସାଦ୍ୱାରା ରଘୁନାଥଙ୍କ ଯନ୍ତ୍ରଣା ବଢ଼ିବାରୁ ସୀତାଦେବୀ ନିଜେ ‘‘ପାଚନ ଓ ମୁଷ୍ଟିଯୋଗ’’ ବହି ଦେଖି ପାଚନ ପ୍ରସ୍ତୁତ କରି ଦେବାରୁ ଭାଇଙ୍କର ଯନ୍ତ୍ରଣା ଉପଶମ ହୋଇଥିଲା । ବାପଘରେ ଥିବା ସମୟରେ ସୀତାଦେବୀଙ୍କ ପଠନ ସ୍ପୃହା ଦେଖି ଭାଇ ରଘୁନାଥ ଅନେକ ବହି କିଣିଦେଇଥିଲେ । ଏହି ସମୟରେ ବାଲ୍ମୀକି ରାମାୟଣ, ଭାଗବତ ଆଦି ଅନେକ ବହି ପଢ଼ିବାର ସୁଯୋଗ ପାଇଥିଲେ ।

 

ବିବାହ ପରେ ସୀତାଦେବୀଙ୍କ ଜୀବନର ଗତି ସଂପୂର୍ଣ୍ଣ ବଦଳିଯାଇଥିଲା । ନିଜ ଘରେ ସେ ଯେଉଁ ଟିକେ ସ୍ନେହ ଓ ଶ୍ରଦ୍ଧା ଖୋଜି ଖୋଜି ହତାଶ ହୋଇପଡ଼ିଥିଲେ, ଶଶୁର ଘରେ ତାଙ୍କ ପାଇଁ ସ୍ନେହ-ଶ୍ରଦ୍ଧାର ଆଦୌ ଅଭାବ ନଥିଲା । ପତିଙ୍କ ସାହଚର୍ଯ୍ୟ ଓ ଉତ୍ସାହ ପାଇ ସେ ତାଙ୍କ ଜୀବନର ବହୁ ମହତ୍‌ ଉଦ୍ଦେଶ୍ୟ ସାର୍ଥକ କରିବାକୁ ସମର୍ଥା ହୋଇଥିଲେ । ଘରଯୋଗ୍ୟା ହେବାପରେ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଦ୍ୱିତୀୟ ପର୍ଯ୍ୟାୟ । ଶ୍ଵଶୁର ଘରେ ସେ ତାଙ୍କ ପ୍ରତିଭା ବିକାଶର ଯଥାର୍ଥ ସୁଯୋଗ ଓ ସ୍ଵାଧୀନତା ପାଇଲେ । ନିଜ ପିତା ଘରେ ସେ ପାରିବାରିକ ସ୍ନେହ-ସୌହାର୍ଦ୍ଦ୍ୟରୁ ବଞ୍ଚିତ ହୋଇଥିଲେ । ମାତ୍ର ଶ୍ୱଶୁର ଘର ସାଧାରଣ ଗରିବ ମଧ୍ୟବିତ୍ତ ପରିବାରର ହୋଇଥିଲେହେଁ ସ୍ନେହ, ପ୍ରେମ, ସୌହାର୍ଦ୍ଦ୍ୟର ବାତାବରଣର ଅଭାବ ନଥିଲା । ସେ ତାଙ୍କ ସମସ୍ତ ସ୍ୱପ୍ନକୁ ସାକାର କରିଥିଲେ ପତି ଘରର ମଧୁମୟ ବାତାବରଣ ମଧ୍ୟରେ । ସେଠାକାର ସଂସ୍କାର ମନୋବୃତ୍ତି ତାଙ୍କ ପ୍ରତିଭାର ବିକାଶ ନିମିତ୍ତ ଉପଯୁକ୍ତ ସୁଯୋଗ ଯୋଗାଇଦେଇଥିଲା ।

 

ଶାଶୁ ଘରର ସ୍ନେହ-ପ୍ରେମ ସୀତାଦେବୀଙ୍କୁ ନିଜ ବାପଘରର ତିକ୍ତତାକୁ ଭୁଲାଇଦେଇଥିଲା । ଏ ସଂପର୍କରେ ସେ ତାଙ୍କର ‘‘ମୋର ଜୀବନ ସ୍ମୃତି’ରେ ଲେଖିଛନ୍ତି–‘‘ଶାଶୁଙ୍କ ଘରକୁ ଯାଇ ସବୁ ଦୁଃଖ ବିଷାଦ ଭୁଲିଗଲି । ନବବଧୂ ହୋଇ କେବଳ ବସି ବସି ଶୋଇ ଶୋଇ ଦିନ କଟିଯାଉଥାଏ । ସେଇ ଶୋଇବା ଭିତରେ ମୁଁ ଗୋଟିଏ ଧ୍ୱନି ଶୁଣିବାକୁ ପାଏ । ନୂଆବୋହୂ ଖାଇ ପିଇ ଶୋଇବ । ପ୍ରଥମଥର କୌଣସି କାର୍ଯ୍ୟରେ ଲାଗିବ ନାହିଁ । ମୁଁ ସକାଳ ଭୋଜନ କରି ଶୋଇ ପଡ଼େ । x x x ସେ ଘରେ ଶିକ୍ଷା-ସଂସ୍କୃତିମୂଳକ ଚିନ୍ତାଧାରା କଳ କଳ ଧ୍ୱନି କରି ବହିଯାଉଥିଲା ପରି ମୋର ମନେହୁଏ । ମୋ ସ୍ୱାମୀ ଥିଲେ ସଂପୂର୍ଣ୍ଣ ସଂସ୍କାର ମନୋବୃତ୍ତିର ବ୍ୟକ୍ତି-।’’ (ପୃ-୩୫)

 

ବି.ଏସ୍‌ସି. ପରେ ବାଞ୍ଛାନିଧିବାବୁ ବ୍ରହ୍ମପୁର ଖଲିକୋଟ କଲେଜର ଫୋର୍ଥ ଫାରମର ଶିକ୍ଷକ ହେବା ସହିତ ଆଇ.ଏ.ର ଓଡ଼ିଆ ଛାତ୍ରଙ୍କୁ ଓଡ଼ିଆ ପଢାଉଥିଲେ । ସେଠାରେ ସେ ଗୋଟିଏ ବର୍ଷ ରହିଥିଲେ । ସୀତାଦେବୀ ପ୍ରାୟ ୮/୯ ମାସ ସ୍ୱାମୀଙ୍କ ସହିତ ରହିଥିଲେ । ବ୍ରହ୍ମପୁରରେ ଅବସ୍ଥାନ କାଳରେ ସେ ବିଭିନ୍ନ ପୁସ୍ତକ ଓ ପତ୍ର-ପତ୍ରିକା ପଢ଼ିବାର ସୁଯୋଗ ପାଇଥିଲେ । ଏହାଦ୍ୱାରା ଅନୁପ୍ରେରିତ ହୋଇ ସେ ଗୋଟିଏ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ଗ୍ରୀଷ୍ମ ଛୁଟି ପରେ ବାଞ୍ଛାନିଧିବାବୁ ସୋରଡ଼ା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦେବାରୁ ସୀତାଦେବୀଙ୍କୁ ଗୋପାଳପୁର ଶାସନକୁ ଲେଉଟିଯିବାକୁ ହେଲା । ଇତିମଧ୍ୟରେ ତାଙ୍କର ପ୍ରଥମ କନ୍ୟାସନ୍ତାନ କମଳା ଜନ୍ମଲାଭ କରିସାରିଥିଲା । ଗୋପାଳପୁର ଶାସନରେ ଅବସ୍ଥାନ ସମୟରେ ମ୍ୟାଲେରିଆରେ ପୀଡ଼ିତ ହେବାରୁ ରଘୁନାଥଙ୍କ ପରାମର୍ଶକ୍ରମେ ବ୍ୟବସାୟ ଉଦ୍ଦେଶ୍ୟରେ ସେମାନେ ଆସିକାରେ ରହିବାକୁ ମନସ୍ଥ କଲେ । ଏହିଠାରୁ ଆରମ୍ଭ ହେଲା ସେମାନଙ୍କର ସ୍ୱତନ୍ତ୍ର ପାରିବାରିକ ଜୀବନ ।

 

ବିଭିନ୍ନ କ୍ଷେତ୍ରରେ ସ୍ୱାମୀଙ୍କର ଉତ୍ସାହ ଓ ପ୍ରେରଣା, ସଦିଚ୍ଛାମୟ ପାରିବାରିକ ବାତାବରଣ ମଧ୍ୟରେ ସୀତାଦେବୀଙ୍କ ସୁପ୍ତ ପ୍ରତିଭା ଜାଗ୍ରତ ହେବାକୁ ଲାଗିଲା । ପ୍ରଥମ କନ୍ୟାସନ୍ତାନ ଜନ୍ମର ପାଞ୍ଚ ବର୍ଷ ପରେ ତାଙ୍କର ପୁତ୍ରସନ୍ତାନଟିଏ ଜନ୍ମ ହୋଇଥିଲା । ଶ୍ରଦ୍ଧାରେ ତାର ନାମକରଣ କରାଯାଇଥିଲା ମଧୁ । ଏହି ସମୟ ମଧ୍ୟରେ ସୀତାଦେବୀ ବିଭିନ୍ନ ରୋଗରେ ପୀଡ଼ିତା ହୋଇଥିଲେହେଁ ପୁସ୍ତକ ପଠନ କାର୍ଯ୍ୟ ରୀତିମତ ଚାଲିଥିଲା। ସନ୍ତାନମାନଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ଉପଯୁକ୍ତ ମଣିଷ ପରି ମଣିଷ କରି ଗଢ଼ିତୋଳିବାରେ ଆଦୌ କାର୍ପଣ୍ୟ କରିନଥିଲେ । ଅନେକ ସମୟରେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିଲେହେଁ ସେ କେବେ ସ୍ୱଚ୍ଛନ୍ଦ ଓ ପ୍ରାଚୁର୍ଯ୍ୟମୟ ଜୀବନ ଅତିବାହିତ କରୁଥିବା ବାପ-ଭାଇଙ୍କ ନିକଟରେ ହାତ ପତାଇନଥିଲେ । ନିଜର ସ୍ୱାଭିମାନ ନେଇ ବଞ୍ଚିବାକୁ ସେ ପସନ୍ଦ କରୁଥିଲେ । ଦାରିଦ୍ର୍ୟ ବରଣ କରିଥିଲେ, ମାତ୍ର କଦାପି ନିଜର ସ୍ୱାଭିମାନକୁ ବଳି ଦେଇନଥିଲେ ।

 

ପ୍ରତିଭାର ଆଦ୍ୟ ଉନ୍ମେଷ

 

ପ୍ରତିଭା ସର୍ବଦା ଜନ୍ମଗତ । ପରିବେଶ ପ୍ରତିଭାର ବିକାଶରେ ସହାୟତା କରିଥାଏ । ସୀତାଦେବୀ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଛିତ ହୋଇଥିଲେହେଁ ସେ ଥିଲେ ପ୍ରତିଭାଶାଳିନୀ । ସ୍ୱାମୀଙ୍କ ଘରର ପରିବେଶ ଓ ସର୍ବୋପରି ପତି ବାଞ୍ଛାନିଧିବାବୁଙ୍କ ଉତ୍ସାହ ଏବଂ ପ୍ରେରଣା ତାଙ୍କ ସୁପ୍ତ ପ୍ରତିଭାର ବିକାଶରେ ସହାୟତା ପ୍ରଦାନ କରିଥିଲା । ଅଭାବ ଓ ଅନଟନ ମଧ୍ୟରେ ଅନେକ ସମୟରେ ସେ ରୁନ୍ଧି ହୋଇପଡ଼ୁଥିଲେହେଁ କୌଣସି ସମୟରେ ନିଜ ପିଲାଙ୍କ ଉପରେ ଏହାର ଛାପ ପଡ଼ିବାକୁ ଦେଇନାହାନ୍ତି । ଜଣେ ସନ୍ତାନବତ୍ସଳା ଜନନୀ ଭାବରେ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ସୀମିତ ସମ୍ବଳ ମଧ୍ୟରେ ପିଲାମାନଙ୍କର ଅଭାବ ପୂରଣ ପାଇଁ । ନିଜେ ଅଭାବ ମଧ୍ୟରେ ରହିଥିଲେହେଁ କନ୍ୟା କମଳାକୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେ ତାକୁ କଟକରେ ଛାଡ଼ିଥିଲେ । ସ୍ନେହର କନ୍ୟା କମଳାର ଅନ୍ୟତ୍ର ଅବସ୍ଥାନ ତାଙ୍କ ମାତୃ-ହୃଦୟକୁ ବ୍ୟଥିତ କରିଥିଲା । ଏକ ବର୍ଷଣମୁଖର ରାତ୍ରି । ଚାରିଆଡ଼ ଖାଁ ଖାଁ ଲାଗୁଥାଏ । ସେହିପରି ନିର୍ଜନ ପରିବେଶରେ ଦୂରରେ ରହିଥିବା କନ୍ୟା କମଳାର ସ୍ମୃତି ବାରମ୍ବାର ତାଙ୍କୁ ଅଥୟ କଲା । ଭାବାବେଗରେ ରୁନ୍ଧି ହୋଇଯାଉଥିଲା ପ୍ରାଣ । ସେଦିନ କୃଷ୍ଣଙ୍କର ବିଚ୍ଛେଦରେ ମାତା ଯଶୋଦାଙ୍କ ପ୍ରାଣରେ ଯେଉଁ ବ୍ୟଥା ସୃଷ୍ଟି ହୋଇଥିଲା, ମାର୍କଣ୍ଡ ଦାସ ‘କେଶବ କୋଇଲି’ରେ ତାର ଚମତ୍କାର ପରିପ୍ରକାଶ ଘଟାଇଥିଲେ-। ସୀତାଦେବୀ ଅନୁରୂପ ଭାବରେ ନିଜ କନ୍ୟା ବିଚ୍ଛେଦରେ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଅକ୍ଷର ନିୟମରେ ଲେଖିଥିଲେ ‘ବିରହ କୋଇଲି’ । ସେହି କବିତାଟିର ପ୍ରଥମ ପଦ ହେଉଛି–

 

‘‘କୋଇଲି ! କଟକକୁ ଯିବି କି ମୁଁ ଧାଇଁ

କୋଳ କରି କମଳାକୁ ଆଣିବି ଫେରାଇ

ଲୋ କୋଇଲି ।’’

 

ନିଜ ଜୀବନର ଏହି ବିଚିତ୍ର ଅନୁଭବ ସଂପର୍କରେ ସୀତାଦେବୀ କୁହନ୍ତି–‘‘ବର୍ଷାୠତୁ, ଶ୍ରାବଣ ମାସ । ଆକାଶରୁ ଝରିପଡ଼ୁଥିବା ପାଣି, ପବନକୁ କମଳା ବଡ଼ ଭଲପାଏ । ଶୋଇବା ଘର ଝରକା ପଥରେ ଜଳ ମିଶା ସମୀରଣ ଆସି ମୋର ବିରହ-ପୀଡ଼ିତ ଦେହରେ ସ୍ପର୍ଶ ଦେଇଯାଉଥାଏ ବାରମ୍ବାର । ସେଇ ଅଭାବବୋଧରୁ ହେଲା ଭାବର ସଞ୍ଚାର । କେଉଁ ଯୁଗରେ, କେତେ ଶହ ବର୍ଷପୂର୍ବେ ମାର୍କଣ୍ଡ ଦାସ ଯେଉଁ ସ୍ୱରରେ କୋଇଲିକୁ ଡାକି ଡାକି ପୁତ୍ରବିଚ୍ଛେଦ ଦୁଃଖ ସ୍ୱରଧରି ଗାଇଥିଲେ, ମୋ କଣ୍ଠରୁ ପୁଣି ସେଇ ସ୍ୱର ଉଠିଲା ବହୁ ଯୁଗ ପରେ । x x x ମାର୍କଣ୍ଡ ଦାସ କବି ଆସି ମୋ ହୃଦୟ ପଦ୍ମରେ ବସିଯାଇଥିଲେ ସେଦିନ । ତାଙ୍କ ପରି କୋଇଲି ପକ୍ଷୀକୁ ଡାକି ଡାକି ଲେଖିଗଲି ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ।’’ (ମୋର ଜୀବନ ସ୍ମୃତି–ପୃ-୪୫) କବି ହେବା ପ୍ରୟାସରେ ସେ କେବେ କବିତା ରଚନା କରିନଥିଲେ । ନିଜ ହୃଦୟାବେଗକୁ ସେ ଏଥିରେ ଢାଳିଦେଇଥିଲେ । ମାତ୍ର ସୌଭାଗ୍ୟକୁ ସେହି କାଗଜ ଖଣ୍ଡିକ ପଡ଼ିଗଲା ତତ୍‌କାଳୀନ ଆସିକାର ତହସିଲଦାର, ଗୁଣଗ୍ରାହୀ ସୁ-ସାହିତ୍ୟିକ ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡାଙ୍କ ହାତରେ । କବିତାର ଭାବଧାରାଦ୍ୱାରା ଅଭିଭୂତ ହୋଇ ‘ବଣର ମାଳତୀ’ ଶୀର୍ଷକ ଏକ ଲେଖା ସହିତ ସେହି କବିତାଟିକୁ ‘ନବୀନ’ ପତ୍ରିକାରେ ପ୍ରକାଶ କରାଇଦେଇଥିଲେ । ୧୯୩୯ ମସିହା ଅକ୍ଟୋବର ମାସ ୨୪ ତାରିଖ ଦିନ ଏହି କବିତାଟି ସଂପୃକ୍ତ ପତ୍ରିକାରେ ପ୍ରକାଶ ପାଇଥିଲା । ଜୀବନର ପ୍ରଥମ ମାନସ-ସନ୍ତାନଙ୍କର ଛାପାରୂପ ଦେଖି ସୀତାଦେବୀ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ । ସାହିତ୍ୟିକ ଅନନ୍ତ ପ୍ରସାଦ ପଣ୍ଡାଙ୍କ ପ୍ରେରଣା ଓ ଉତ୍ସାହ ପାଇ ସେ କ୍ଷୁଦ୍ରଗଳ୍ପ ରଚନା କରିବାକୁ ଲାଗିଲେ । ତାଙ୍କ ଗଳ୍ପ ପାଠ କରି ଅନନ୍ତବାବୁ ‘ନିପୁଣ ହାତର ନିଖୁଣ ଛବି’ ବୋଲି ଚିଠି ଖଣ୍ଡିଏ ଲେଖି ପଠାଇଦିଅନ୍ତି । ସୀତାଦେବୀଙ୍କ ପ୍ରାଥମିକ ଲେଖାଗୁଡ଼ିକୁ ଶ୍ରୀଯୁକ୍ତ ପଣ୍ଡା ସେତେବେଳେ ପ୍ରକାଶ ପାଉଥିବା ‘ନବୀନ’ ଓ ‘ସହକାର’ ପତ୍ରିକାରେ ପ୍ରକାଶ କରାଇଦେଇଥିଲେ । ଏତଦ୍‌ବ୍ୟତୀତ ତାଙ୍କ ସହିତ ସାହିତ୍ୟିକ ଆଳାପଦ୍ୱାରା ସୀତାଦେବୀ ବିଶେଷ ଭାବରେ ଉତ୍ସାହିତ ହୋଇଥିଲେ ।

 

ସୀତାଦେବୀଙ୍କ ପ୍ରତିଭା ଧୀରେ ଧୀରେ ବିକଶିତ ହେବାକୁ ଲାଗିଲା । ସନ୍ଧ୍ୟା ସମୟରେ ତାଙ୍କ ଗୃହରେ ସାହିତ୍ୟର ଆସର ବସିଲା । ସେହି ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ଆସରରେ ଯୋଗଦେଇ ସାହିତ୍ୟ ସଂପର୍କରେ ଆଲୋଚନା କରିବାକୁ ଲାଗିଲେ । ସାହିତ୍ୟ ସମ୍ବନ୍ଧରେ ସୀତାଦେବୀଙ୍କ ଧାରଣା ପରିପୁଷ୍ଟ ହେବାକୁ ଲାଗିଲା । ବାଞ୍ଛାନିଧିବାବୁ ନିଜେ ଜଣେ ସାହିତ୍ୟିକ ବା ଲେଖକ ନ ହେଲେହେଁ, ସାହିତ୍ୟ ପ୍ରତି ରହିଥିଲା ତାଙ୍କର ଗଭୀର ଶ୍ରଦ୍ଧା । ଆଲୋଚନାକୁ ସେ ମନୋନିବେଶପୂର୍ବକ ଶୁଣୁଥିଲେ ଓ ସୀତାଦେବୀଙ୍କୁ ଲେଖାଲେଖି କରିବାକୁ ଉତ୍ସାହିତ କରୁଥିଲେ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୀତାଦେବୀଙ୍କ ବହୁତ ରଚନା ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇବାରୁ ଓଡ଼ିଶାର ସୁଧୀମଣ୍ଡଳୀ ତାଙ୍କର ପରିଚୟ ଲାଭ କରିବାକୁ ସମର୍ଥ ହେଲେ । ତାଙ୍କ ପ୍ରେରଣାର ଉତ୍ସ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ପଣ୍ଡାଙ୍କର ହଠାତ୍‌ ବରଗଡ଼ ବଦଳି ହୋଇଯିବାରୁ ସେ ଭରସାଶୂନ୍ୟ ହୋଇପଡ଼ିଲେ । ଗଳ୍ପ ଲେଖିବାର ପରିମାଣ ମଧ୍ୟ ଧୀରେ ଧୀରେ କମିଆସିଲା ।

 

୧୯୪୨ ମସିହା ବେଳକୁ ସେ ନାଟକ ରଚନା ଦିଗରେ ମନୋନିବେଶ କଲେ । ସେତେବେଳେ ତାଙ୍କର ସନ୍ତାନ ଦୁଇଜଣ ଦୂର ପ୍ରବାସରେ ରହି ପାଠ ପଢ଼ୁଥିଲେ । ହାତରେ ପ୍ରଚୁର ସମୟ ରହିଥିଲା । ଏହି ସମୟକୁ ନାଟକ ରଚନା ଦିଗରେ ଉପଯୋଗ କରିବାକୁ ସ୍ଥିର କରି ‘ସହୋଦର’ ରଚନା କରିଥିଲେ । ଏହି ନାଟକରେ ତାଙ୍କ ଜୀବନର ଛାପ ରହିଛି ବୋଲି ଲେଖିବା ନିଜେ ‘ମୋର ଜୀବନ ସ୍ମୃତି’ରେ ସ୍ୱୀକାର କରିଛନ୍ତି । ତାଙ୍କଦ୍ୱାରା ରଚିତ ‘ନାରୀ’ ନାଟକର ଅଭିନୟ ଦେଖି ହରେକୃଷ୍ଣ ମହତାବ ଉଚ୍ଚ ପ୍ରଶଂସା କରିଥିଲେ । ଏହାପରେ ସେ ‘ପୋଷ୍ୟପୁତ୍ର’. ‘ନୈଷ୍ଠିକ’, ‘ନିଷ୍ପତ୍ତି’, ‘ପ୍ରାଚୀନପନ୍ଥୀ’, ‘କ୍ଷୁଧାର ପୀଡ଼ା’, ‘ମାତୃହୀନା’ ଆଦି ନାଟକ ରଚନା କରିଥିବା ବିଷୟ ନିଜ ଜୀବନୀରେ ଲେଖିଛନ୍ତି । ନାଟକ ସଦାବେଳେ ମଞ୍ଚକୁ ଅପେକ୍ଷା ରଖେ । ନିଜ ନାଟକକୁ ମଞ୍ଚସ୍ଥ କରାଇବା ପାଇଁ ଗଢ଼ାଯାଇଥିଲା ‘ହରିହର ନାଟ୍ୟ ମନ୍ଦିର’ । ଏ କ୍ଷେତ୍ରରେ ସ୍ୱାମୀ ବାଞ୍ଛାନିଧିବାବୁ ତାଙ୍କୁ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ । ନିଜ ନାଟକର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ବ୍ରହ୍ମପୁର ଯାଇଥିଲେ । ସେଠାରେ ଆଶାନୁରୂପ ସଫଳତା ନପାଇବାରୁ ହତାଶ ହୋଇପଡ଼ିଥିଲେ । ମାତ୍ର ସ୍ୱାମୀଙ୍କର ପ୍ରେରଣା ତାଙ୍କୁ ପୁଣି ନବ ଉତ୍ସାହରେ ଉତ୍ସାହିତ କରିଥିଲା । ଏହାପରେ ଭଞ୍ଜନଗର (ରସୁଲକୋଣ୍ଡା) ଯାଇ ସେ ନାଟକଗୁଡ଼ିକୁ ଅଭିନୀତ କରାଇ ଉଚ୍ଚ ପ୍ରଶଂସିତା ହୋଇଥିଲେ । ସେଠାକାର ଅନୁଭବ ସଂପର୍କରେ ଜୀବନୀରେ ଲେଖିଛନ୍ତି–‘‘ଶେଷଦିନ ସେଠାରେ ବିଦ୍ୱାନ ବ୍ୟକ୍ତିବୃନ୍ଦ ସଭା କରି ମୋତେ ଗୋଟିଏ ଅଭିନନ୍ଦନପତ୍ର ଦେଇଥିଲେ । ଏଡ଼େ ସୁନ୍ଦର କରି ସହଜ ହୃଦୟସ୍ପର୍ଶୀ ଭାଷାରେ ସେ ମାନପତ୍ର ଲେଖା ହୋଇଥିଲା, ତାକୁ ଛାପାଯାଇ ବନ୍ଧେଇ କରାଯାଇଥିଲା । ସେ ଅଭିନନ୍ଦନର ଉତ୍ତର ଦେବା ସମୟରେ ଆବେଗ ଉଲ୍ଲାସର ସୀମା ନଥିଲା ।’’ (ପୃ-୫୮) । ଭଞ୍ଜନଗର ପରେ ସୋରଡ଼ା ଯାଇ ନିଜ ନାଟକ ମଞ୍ଚସ୍ଥ କରି ପ୍ରଶଂସା ଅର୍ଜନ କରିଥିଲେ । ସୀତାଦେବୀଙ୍କ ନାଟକ ରଚନା, ମଞ୍ଚନିର୍ମାଣ ଓ ପରିଚାଳନା କ୍ଷେତ୍ରରେ ସ୍ୱାମୀ ବାଞ୍ଛାନିଧିବାବୁ, ତାଙ୍କର ଦୁଇ ଭାଇ ରଘୁନାଥ ଓ ରାମନାଥ, ଏଲିମେଣ୍ଟାରି ସ୍କୁଲର ଶିକ୍ଷକ କଳାକାର, ଆସିକା ବୋର୍ଡ଼ ହାଇସ୍କୁଲର ସଙ୍ଗୀତ ଶିକ୍ଷକ ଓ ଅନେକ ଉତ୍ସାହୀ ଯୁବ କଳାକାର ବିଶେଷ ଭାବରେ ସହାୟତା କରିଥିଲେ ।

 

ଅନନ୍ୟ ଅନୁଭୂତି

 

ସୀତାଦେବୀଙ୍କ ଜୀବନ କେବଳ ଗୃହର ଚତୁଷ୍କୋଣ ମଧ୍ୟରେ ଆବଦ୍ଧ ନଥିଲା । ଜନହିତକର କାର୍ଯ୍ୟ ଉଦ୍ଦେଶ୍ୟରେ ସେ ବିଭିନ୍ନ ସାମାଜିକ କ୍ରିୟା-କଳାପ ସହିତ ଜଡ଼ିତ ହୋଇପଡ଼ିବାରୁ ତାଙ୍କ ନାଟ୍ୟଦଳ ଭାଙ୍ଗିପଡ଼ିଲା । ଅବଶ୍ୟ ଏହା ତାଙ୍କୁ କମ୍‌ ମାନସିକ ଆଘାତ ଦେଇନଥିଲା । ଏହି ସମୟରେ ବାଞ୍ଛାନିଧିବାବୁ ତାଙ୍କୁ ଅନ୍ୟ କିଛି ରଚନାରେ ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାମୀଙ୍କ ଉତ୍ସାହ ଓ ପ୍ରେରଣା ଲାଭ କରି ନାଟକ ପରିବର୍ତ୍ତେ ସୀତାଦେବୀ ପୁଣି ଗଳ୍ପ ରଚନା କରିବାକୁ ମନସ୍ଥ କରିଥିଲେ । ସେ ସମୟରେ ନାରୀ ଲେଖିକା ଓ ସମାଜସେବୀ ସରଳାଦେବୀ ସୀତାଦେବୀଙ୍କ ସଂପର୍କରେ ବେଶ୍‌ ପ୍ରଶଂସାମୂଳକ ବାକ୍ୟ ବ୍ୟବହାର କରିଥିଲେ । ତାଙ୍କ ପ୍ରଶଂସାଦ୍ୱାରା ସୀତାଦେବୀ ଉତ୍ସାହିତ ହୋଇପଡ଼ିଥିଲେ । ଏହି ସମୟରେ ଆସିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରିହର ପଣ୍ଡା, ଆର.ଆଇ. ଶ୍ରୀ କୁଞ୍ଜବିହାରୀ ନାୟକ ଏବଂ ଆସିକାର ଜଣେ ଓକିଲ ନାରାୟଣ ସାମଲଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ‘କୃଷ୍ଣ ସିଂହ ସାହିତ୍ୟ ପରିଷଦ’ ଗଠନ କରାଯାଇଥିଲା । ଏହି ସାହିତ୍ୟ ପରିଷଦର ବିଭିନ୍ନ ବୈଠକରେ ବିଶିଷ୍ଟ ଲେଖକମାନେ ଯୋଗଦେଉଥିଲେ । ପରିଷଦର ଚତୁର୍ଥ ବୈଠକରେ ଯୋଗଦେବାପାଇଁ କୁଞ୍ଜବାବୁ ଏବଂ ହରିହରବାବୁ ସୀତାଦେବୀଙ୍କୁ ଅନୁରୋଧ କଲେ । ସୀତାଦେବୀଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ବୈଠକରେ ଯୋଗ ଦେଇଥିଲେ । ପରିଷଦର ସ୍ୱତନ୍ତ୍ର ଗୃହ ନଥିବାରୁ ବିଭିନ୍ନ ସ୍ଥାନରେ ଏହାର ବୈଠକ ବସୁଥିଲା । ‘କୃଷ୍ଣ ସିଂହ ସାହିତ୍ୟ ପରିଷଦ’ ନିମିତ୍ତ ସ୍ୱତନ୍ତ୍ର ଗୃହଟିଏ ନିର୍ମାଣ ପାଇଁ ସୀତଦେବୀ ସ୍ୱାମୀଙ୍କ ସହିତ ପରାମର୍ଶ କଲେ । ବାଞ୍ଛାନିଧିବାବୁ ଏଥିପାଇଁ ବିଭିନ୍ନ ବ୍ୟକ୍ତିଙ୍କ ସହିତ ପରାମର୍ଶ କରିବାକୁ ଲାଗିଲେ । ସେତେବେଳର ମୁନସିଫ୍‌ ବାଳକୃଷ୍ଣ ପାତ୍ର ଓ ରାଜା ପଦ୍ମନାଭ ସିଂହ ଦେବଙ୍କ ଗୃହ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ସେମାନେ ଧରାକୋଟର ରାଜାଙ୍କୁ ସାକ୍ଷାତ କଲେ । ସୀତାଦେବୀଙ୍କ ଅନୁରୋଧକ୍ରମେ ପଦ୍ମନାଭ ସିଂହ ଦେବ ପାଞ୍ଚ ହଜାର ଟଙ୍କା ସହିତ କୃଷ୍ଣ ସିଂହ ପାଠଗାର ନିକଟରେ ରହିଥିବା ଜମି ଦେବାକୁ ସମ୍ମତି ପ୍ରଦାନ କରିଥିଲେ ।

 

ରାଜାଙ୍କଦ୍ୱାରା ପ୍ରଦତ୍ତ ଅର୍ଥରେ ବାଞ୍ଛାନିଧିବାବୁ ତଥା ଅନ୍ୟମାନଙ୍କ ସକ୍ରିୟ ସହଯୋଗରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଜଣେ ସାଧାରଣ ସ୍ତ୍ରୀ ଲୋକଟିଏ ଏପରି କାର୍ଯ୍ୟ କରିପାରୁଥିବାରୁ ସୀତାଦେବୀ ଈର୍ଷାର ପାତ୍ରୀ ହେବା ସଙ୍ଗେ ସଙ୍ଗେ ଅସହଯୋଗର ସାମ୍‍ନା କରିଥିଲେ । ଅନ୍ୟମାନଙ୍କର ଅସହଯୋଗ ମନୋବୃତ୍ତିକୁ ଖାତିର ନକରି ନିଜ ଗଠନାତ୍ମକ କାର୍ଯ୍ୟରେ ଆଗେଇଚାଲିଥିଲେ । କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଅଧ୍ୟୟନ ପିପାସା କମିନଥିଲା । ଅନ୍ୟାନ୍ୟ ଭାଷା ସଂପର୍କରେ ଅଧିକ ଜ୍ଞାନଲାଭ କରିବା ଉଦ୍ଦେଶ୍ୟରେ ସେ ଶ୍ରୀ ସତ୍ୟବାଦୀ ଗନ୍ତାୟତଙ୍କଠାରୁ ଇଂରାଜୀ ଏବଂ ଶ୍ରୀ ଦେବରାଜ ପାଠୀଙ୍କଠାରୁ ସଂସ୍କୃତ ଶିକ୍ଷା କରିବାକୁ ଲାଗିଲେ । ସୌଭାଗ୍ୟକୁ ଏହି ସମୟରେ ତାଙ୍କର ‘ମନ୍ଦିର ପ୍ରବେଶ’ ନାଟକ ଏବଂ ‘ପୋଷ୍ୟପୁତ୍ର’ ଉପନ୍ୟାସ ପ୍ରକାଶ ପାଇବାରୁ ତାଙ୍କର ଖ୍ୟାତି ଧୀରେ ଧୀରେ ବ୍ୟାପିବାକୁ ଲାଗିଲା ।

 

ସୌଭାଗ୍ୟକ୍ରମେ ଶେରଗଡ଼ ଉଚ୍ଚ ବିଦ୍ୟାଳୟ ଉଦ୍‌ଘାଟନ ଉଦ୍ଦେଶ୍ୟରେ ସେଦିନ ଆସିଥିଲେ ତତ୍‌କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ଶ୍ରୀ ହରେକୃଷ୍ଣ ମହତାବ । ଅପୂର୍ଣ୍ଣ ରହିଥିବା ସାହିତ୍ୟ ସଦନ ସମ୍ବନ୍ଧରେ ସୀତାଦେବୀ ତାଙ୍କୁ ଅବଗତ କରାଇବାରୁ ସେ ଓଡ଼ିଶା ସରକାରଙ୍କ ତରଫରୁ ତିନି ହଜାର ଟଙ୍କା ପ୍ରଦାନ କରିଥିଲେ । ସେହି ଅର୍ଥରେ ଗୃହ କାର୍ଯ୍ୟ ସମାପନ ହୋଇ ତା. ୨୩.୧.୧୯୪୯ରେ ଉଦ୍‌ଘାଟିତ ହୋଇଥିଲା । ଗୃହ ନିର୍ମାଣ ଏବଂ ଉଦ୍‌ଘାଟନ କାର୍ଯ୍ୟ ଶେଷ ହେବାପରେ ସେଠାରେ ବିଭିନ୍ନ ଲେଖକମାନଙ୍କର ଜୟନ୍ତୀ ଓ ସାହିତ୍ୟ ଚର୍ଚ୍ଚା ଚାଲିଲା । କିଛି ବ୍ୟକ୍ତି ଏହାଦ୍ୱାରା ଈର୍ଷା ପରାୟଣ ହୋଇ ସୀତାଦେବୀଙ୍କର ସାହିତ୍ୟିକ ରୁଚିଜ୍ଞାନ ନାହିଁ ବୋଲି କୁତ୍ସାରଟନା କଲେ । ଏହାଦ୍ୱାରା ସେ ଗଭୀର ବ୍ୟଥିତା ହୋଇଥିଲେ । ଠିକ୍‌ଏହି ସମୟରେ ବାଞ୍ଛାନିଧିବାବୁଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ସାହିତ୍ୟ ଚର୍ଚ୍ଚା ଅପେକ୍ଷା ପତିଙ୍କ ସେବା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରି ନିଜକୁ ସେଥିରୁ ଦୂରେଇଆଣିଲେ ।

 

ସମାଜ ସେବା ଓ ରାଜନୀତିକ ଜୀବନ

 

ସୀତାଦେବୀ କୌଣସି ଆନୁଷ୍ଠାନିକ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିନଥିଲେହେଁ ସେ ନିଜ ଜୀବନରୁ ଯାହା ଶିକ୍ଷାଲାଭ କରିଥିଲେ ତାହା ତାଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟପାଇଁ ପ୍ରେରିତ କରିଥିଲା । ସେ ଥିଲେ ଜଣେ ଦୂରଦୃଷ୍ଟିସଂପନ୍ନା ନାରୀ । ସମାଜକୁ ପ୍ରକୃତ ନେତୃତ୍ୱ ଦେବାର କ୍ଷମତା ତାଙ୍କର ଆସିଯାଇଥିଲା । ସେତେବେଳକୁ ତାଙ୍କର ପ୍ରତିଭା ସମଗ୍ର ଓଡ଼ିଶାରେ ପ୍ରସାରିତ ହୋଇଯାଇଥିବାରୁ ଅନେକ ଲୋକ ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ ପରିଚୟ ପାଇସାରିଥିଲେ । ତାଙ୍କର ଉତ୍ସର୍ଗିତ ଜୀବନ, କର୍ତ୍ତବ୍ୟନିଷ୍ଠା, ମହାନୁଭବତାଦ୍ୱାରା ଅନେକ ଅନୁପ୍ରାଣିତ ହୋଇଥିଲେ । ସମାଜସେବାପାଇଁ ତାଙ୍କ ପରି ଜଣେ ବ୍ୟକ୍ତିତ୍ୱଙ୍କର ଆବଶ୍ୟକତା ରହିଛି ବୋଲି ଅନ୍ୟମାନେ ଖୋଲାଖୋଲି ମତପ୍ରକାଶ କରୁଥିଲେ । ଭାଷଣ ଦେବାର କଳା ସେ ଏପରି ଆୟତ୍ତ କରିଥିଲେ ଯେ, ଥରେ ଯିଏ ତାଙ୍କ ଭାଷଣ ଶୁଣୁଥିଲା ସେ ପ୍ରଭାବିତ ନହୋଇ ରହିପାରୁନଥିଲା । ବିଭିନ୍ନ ସଭା ସମିତିରେ ସେ ଅକୁଣ୍ଠ ଜନ ସମର୍ଥନ ଲାଭ କରୁଥିଲେ । ଏହି ଲୋକପ୍ରିୟତାକୁ ପାଥେୟ କରି ସେ ଜିଲ୍ଲା ବୋର୍ଡ଼ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ୧୯୪୫ ଓ ୧୯୫୪ ମସିହାରେ ଜୟଯୁକ୍ତ ହୋଇଥିଲେ । ସୀତାଦେବୀଙ୍କ ରାଜନୀତିକ ଆଦର୍ଶ ଥିଲେ ମହାତ୍ମା ଗାନ୍ଧୀ । ଜନସେବା ହିଁ ପ୍ରକୃତ ସେବା–ଏହି ମହାନ୍‌ ଆଦର୍ଶ ସେ ଶିକ୍ଷା କରିଥିଲେ ମହାତ୍ମା ଗାନ୍ଧୀଙ୍କ ଜୀବନରୁ । ୧୯୫୭ ମସିହାରେ ସେ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ତାଙ୍କଦ୍ୱାରା ରଚିତ କେତେଗୁଡ଼ିଏ କବିତା ବିଭିନ୍ନ ନିର୍ବାଚନ ସଭାରେ ଗାନ କରାଯାଉଥିଲା । ସେହି କବିତାଗୁଡ଼ିକର ଭାବଧାରାଦ୍ୱାରା ବହୁ ଲୋକ ଆକୃଷ୍ଟ ହୋଇ ପଡ଼ିଥିଲେ ।

 

ପାରିବାରିକ ଜୀବନରେ କେତେକ ସମସ୍ୟା

 

ସୀତାଦେବୀଙ୍କ ଜୀବନରେ ଅନେକ ସମସ୍ୟା ଆସିଛି । ମାତ୍ର କୌଣସି ସମସ୍ୟାକୁ ସେ ବିଶେଷ ଗୁରୁତ୍ୱ ଦେଇନାହାନ୍ତି । ଜନ୍ମ ହେବାଠାରୁ ସେ ବିଭିନ୍ନ ସମସ୍ୟାର ମୁକାବିଲା କରିଥିଲେ । ସେ ନିଜେ ବାଲ୍ୟ ବିବାହର ବିରୋଧୀ ଥିଲେହେଁ ସାମାଜିକ ନୀତି ନିୟମକୁ ଭାଙ୍ଗିବା ତାଙ୍କ ସାମର୍ଥ୍ୟର ବାହାରେ ଥିଲା । ସେଥିପାଇଁ ନିଜ କନ୍ୟା କମଳାକୁ ସାମାଜିକ ଆଚାର ଅନୁଯାୟୀ ବାଲ୍ୟ ବିବାହ ଦେଇଥିଲେ । ଡାକ୍ତରୀ ପଢ଼ିବା ପାଇଁ ପାଟନା ଯିବାରୁ ବରପାତ୍ର ଅନ୍ୟତ୍ର ବିବାହ କରିଯାଇଥିଲେ । ପାଟନାର ଶିକ୍ଷା ସମାପ୍ତି ପରେ ଏମ୍‌.ଆର. ସି.ଓ.ଜି. କରିଥିଲେ । ପି.ଏସ୍‌.ସି. ପାଇ ପାଟନା ସରକାରୀ ଡାକ୍ତରଖାନାରେ ଯୋଗଦେଇଥିଲେ। ପୁନରାୟ ବିବାହ କରିବାକୁ ସେ ସଂପୂର୍ଣ୍ଣ ଅରାଜି ଥିଲେ । ଶେଷରେ ବାଧ୍ୟ ବାଧକତାରେ ସେହି ମେଡ଼ିକାଲ କଲେଜର ପ୍ରଫେସର ଡଃ ଗୋବିନ୍ଦ ଆଚାରିକୁ ବିବାହ କରିଥିଲେ ଏବଂ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ପୁତ୍ର ମଧୁସୂଦନ ଖାଡ଼ଙ୍ଗା ୧୯୫୪ ମସିହାରେ ବିଲାତରୁ ଡାକ୍ତରୀ ପଢ଼ି ଫେରିବା ପରେ ସରକାରୀ ଡାକ୍ତର ଭାବରେ ଯୋଗଦେଇଥିଲେ ଓ ଜଣେ ଅଣଓଡ଼ିଆ ଝିଅକୁ ବିବାହ କରିଥିଲେ । ୧୯୫୮ ମସିହାରେ ଶ୍ରୀରାମ ଚନ୍ଦ୍ର ମେଡ଼ିକାଲ କଲେଜ, କଟକରେ ଯୋଗଦେବା ପରେ ପିତାମାତାଙ୍କୁ ଅନୁରୋଧ କରିଥିଲେ ନିଜ ପାଖରେ ରହିବାକୁ । ତେଣୁ ବାଞ୍ଛାନିଧିବାବୁ ଏବଂ ସୀତାଦେବୀ ଆସିକାର ସମସ୍ତ ସଂପତ୍ତି ବିକ୍ରୟ କରି ସେହି ଅର୍ଥରେ କଟକର ତୁଳସୀପୁରଠାରେ ଗୋଟିଏ କୋଠା ସହିତ ବଡ଼ ଜାଗାଟିଏ କ୍ରୟ କରିଥିଲେ । ପ୍ରଥମେ ସେମାନେ ପୁଅର ସରକାରୀ ବାସଭବନରେ ରହିଥିଲେ । ମାତ୍ର ବୋହୂ (ରାଣୀ ନାମ୍ନୀ ଶିଖ୍‌କନ୍ୟା)ର ଅଶୋଭନୀୟ ବ୍ୟବହାରରେ କ୍ଷୁବ୍ଧ ହୋଇ କନ୍ୟା କମଳା ନିକଟକୁ ପାଟନା ଚାଲିଯାଇଥିଲେ । ଅବଶ୍ୟ ଏହି କାରଣରୁ ପୁତ୍ର ଓ ପୁତ୍ରବଧୂଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା।

 

ଏହିପରି କେତେକ କାରଣରୁ ସୀତାଦେବୀ ଆଉ ସାହିତ୍ୟ ଚର୍ଚ୍ଚା ପ୍ରତି ମନୋନିବେଶ କରିପାରିନଥିଲେ । ବାଞ୍ଛାନିଧିବାବୁ ଚାହୁଁନଥିଲେ ସୀତାଦେବୀ ନିଜକୁ ସାହିତ୍ୟ ଚର୍ଚ୍ଚାଠାରୁ ସଂପୂର୍ଣ୍ଣ ଦୂରେଇନିଅନ୍ତୁ । ତେଣୁ ସ୍ୱାମୀଙ୍କ ପ୍ରୋତ୍ସାହନରେ ସେ ‘ଜନ୍ମତିଥି’ ନାଟକ ଏବଂ ତାଙ୍କର ସବୁଠାରୁ ପ୍ରିୟ କବି ରବୀନ୍ଦ୍ରନାଥ ଠାକୁରଙ୍କର କିଛି ସୃଷ୍ଟିକୁ ଓଡ଼ିଆରେ ଅନୁବାଦ କରିଥିଲେ । ପାଟନାରେ ନାତିର ଦାୟିତ୍ୱ ନେଉଥିବାବେଳେ କେତେକ ଶିଶୁକବିତା ରଚନା କରିଥିଲେ ଏବଂ ‘ଅଗ୍ରଜ’ ଓ ‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସ ତଥା ରବୀନ୍ଦ୍ରନାଥଙ୍କ ‘ଘର ବାଇରେ’ ଉପନ୍ୟାସ ଏବଂ ‘ଶେଷେର କବିତା’ ଅନୁବାଦ କରିଥିଲେ । ଏହିଠାରେ ସେ ନିଜର ଆତ୍ମଜୀବନୀ ଲେଖିବାକୁ ଆରମ୍ଭ କରିଥିଲେ । ଶେଷବେଳକୁ ସେ ଗଭୀର ଆଧ୍ୟାତ୍ମିକବାଦୀ ହୋଇପଡ଼ିଥିଲେ । ସୀତାଦେବୀଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବାଞ୍ଛାନିଧିବାବୁ ହଠାତ୍‌ ପକ୍ଷାଘାତ ରୋଗରେ ପୀଡ଼ିତ ହେବାରୁ ସେ ନିଜର ସମସ୍ତ କାର୍ଯ୍ୟ ତ୍ୟାଗ କରି ତାଙ୍କର ସେବା କରିବାକୁ ଲାଗିଲେ । ମାତ୍ର ତାଙ୍କର ସମସ୍ତ ସେବା ବିଫଳ ହୋଇଥିଲା-। ୧୯୮୦ ମସିହା ଡିସେମ୍ବର ମାସ ୧୬ ତାରିଖରେ ସେ ଇହଲୀଳା ସମ୍ବରଣ କଲେ-। ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କର ସମସ୍ତ ଆଶା-ଭରସା ତୁଟିଗଲା । ଜୀବନ ମନେହେଲା ତାଙ୍କର ନିଃସଙ୍ଗ । ଶେଷରେ ୧୯୮୩ ମସିହା ଜୁନ୍‌୨୧ ତାରିଖରେ କନ୍ୟା କମଳାର ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ବିଭିନ୍ନ ପ୍ରତିକୂଳ ପରିବେଶ ମଧ୍ୟଦେଇ ସେ ଯେପରି ନାରୀ ଜାତିର ସ୍ୱାଭିମାନକୁ ବଞ୍ଚାଇ ରଖିପାରିଥିଲେ, ସେଥିପାଇଁ ସେ ସ୍ମରଣୀୟ ରହିବେ । ତାଙ୍କର ବିୟୋଗ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

 

ସାହିତ୍ୟ କୃତି

 

ସୀତାଦେବୀଙ୍କ ସୃଷ୍ଟିଜଗତ ବୈଚିତ୍ର୍ୟମୟ । ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା, ଶିଶୁକବିତା, ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସିଦ୍ଧହସ୍ତତାର ପରିଚୟ ପ୍ରଦାନ କରିପାରିଛନ୍ତି । ତାଙ୍କର ଅନେକ ସୃଷ୍ଟି ଏବେ ମଧ୍ୟ ପ୍ରକାଶନର ଆଲୋକ ଦେଖିପାରିନାହିଁ । ନିମ୍ନରେ ତାଙ୍କ ସୃଷ୍ଟିଗୁଡ଼ିକ (ପ୍ରକାଶିତ ଓ ଅପ୍ରକାଶିତ) ସଂପର୍କରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରାଗଲା :–

 

ପ୍ରକାଶିତ ରଚନାବଳୀ

 

 

ଗଳ୍ପର ନାମ

ପତ୍ରିକା

ପ୍ରକାଶିତ ସମୟ

କ୍ଷୁଦ୍ର ଗଳ୍ପ :

୧.

ଅଜଣା ରୋଗ

ସହକାର

ନଭେମ୍ବର ୧୯୩୯

ଦାସୀର ଭାଗ୍ୟ

ନବୀନ

ତା ୫/୧୨/୧୯୩୯

୩.

ରତନୀର ସ୍ନେହ

ନବୀନ

ତା. ୧୯/୧୨/୧୯୩୯

୪.

କାର୍ତ୍ତିକ ଫଳ

ନବୀନ

ତା. ୧୬/୧/୧୯୪୦

୫.

ସଂସ୍କାରକ

ସହକାର

ଫେବୃଆରୀ ୧୯୪୦

୬.

ବୃଥା ଗର୍ବ

ନବୀନ

ତା. ୨୭/୨/୧୯୪୦

୭.

ଭୁଲ

ସହକାର

ଅଗଷ୍ଟ ୧୯୪୦

୮.

ଅନୁତପ୍ତା

ସହକାର

ଅକ୍ଟୋବର, ୧୯୪୦

୯.

ଦୁଃଖୀ

ନବୀନ

ତା. ୨୯/୧୦/୧୯୪୦

୧୦.

ନିଷ୍ଫଳ

ନବୀନ

ତା. ୪/୨/୧୯୪୧

୧୧.

ସନ୍ନ୍ୟାସୀର ସ୍ୱପ୍ନ

ନବୀନ

ତା. ୧୨/୧/୧୯୪୩

୧୨.

ବେସୁରା ବେହେଲା

ନବୀନ

ତା. ୨୯/୬/୧୯୪୩

୧୩.

ଗୋଟିଏ ସନ୍ଧ୍ୟାର ସ୍ମୃତି

ନବୀନ

ତା. ୨/୧୧/୧୯୪୩

୧୪.

ସାଗର ତଳେ

ନବୀନ

ତା. ୧୫/୨/୧୯୪୪

୧୫.

ଅପରାଜିତା

ନବୀନ

ତା. ୧୩/୬/୧୯୪୪

୧୬.

ନିରାଶ୍ରିତ

ନବୀନ

ତା. ୨୨/୧୧/୧୯୪୪

୧୭.

ଦୁଇଟି ଦିନର ମୋହ

ନବୀନ

ତା.୧୪/୧/୧୯୪୭

୧୮.

ବର୍ଷକରେ ଦିନେ

ନବୀନ

ତା. ୨/୧୨/୧୯୪୭

୧୯.

ଶ୍ୱଶୁରଙ୍କ ଶ୍ରାଦ୍ଧ

ନବୀନ

ତା. ୨୪/୨/୧୯୪୮

୨୦.

ଶ୍ରାଦ୍ଧ ଦିବସ

ଆଲୋକ

ଜୁନ୍‌, ୧୯୬୭

୨୧.

ଅସମାପ୍ତ

ଆଲୋକ

ସେପ୍ଟେମ୍ବର, ୧୯୬୮

କବିତା :

୧.

ବିରହ କୋଇଲି

ନବୀନ

ତା. ୨୪/୧୦/୧୯୩୯

୨.

ଯାତ୍ରା ପଥେ

ନବୀନ

ତା. ୨୭/୧/୧୯୪୮

୩.

ଆଦିକବି

ନବୀନ

ତା. ୬/୯/୧୯୪୮

୪.

ପଚିଶି ବୈଶାଖ

ପ୍ରଜାତନ୍ତ୍ର

ତା. ୮/୫/୧୯୬୯

୫.

ସମର୍ପଣ

ବଂଶଧାରା ସାହିତ୍ୟ ସମାଜ

୧୯୭୫/୭୬

୬.

ନିଃସଂଶୟ

ଆଲୋକ

ଅକ୍ଟୋବର/ନଭେମ୍ବର–

୧୯୬୭

୭.

ରାଷ୍ଟ୍ରପତି ରାଧାକୃଷ୍ଣନ୍‌ଙ୍କ ବିଦାୟ ଅବସରରେ

ଆଲୋକ

ମେ, ୧୯୬୭

ନାଟକ :

୧.

ମନ୍ଦିର ପ୍ରବେଶ

ଷ୍ଟୁଡେଣ୍ଟ୍‍ସ ଷ୍ଟୋର, ବ୍ରହ୍ମପୁର, କଟକ

୧୯୪୭

୨.

ଜନ୍ମତିଥି

ଦାସ ବ୍ରଦର୍ସ, ବ୍ରହ୍ମପୁର, କଟକ

୧୯୬୪

୩.

ନିଷ୍ପତ୍ତି

ସ୍ନେହ ପ୍ରିଣ୍ଟିଂ ପ୍ରେସ୍‌, କଟକ

୧୯୭୧

ଏକାଙ୍କିକା :

୧.

ଏଇତ ସଂସାର

ଆଲୋକ

୧ମଭାଗ, ୫ମ ସଂଖ୍ୟା–୧୯୫୩

ଉପନ୍ୟାସ :

୧.

ପୋଷ୍ୟପୁତ୍ର

ଓଡ଼ିଆ ପ୍ରିଣ୍ଟିଂ ଓ୍ୱାର୍କ୍‍ସ, ବ୍ରହ୍ମପୁର

୧୯୪୮

୨.

ଅଗ୍ରଜ

ଦାସ ବ୍ରଦର୍ସ, ବ୍ରହ୍ମପୁର, କଟକ

୧୯୬୭

୩.

ଘରେ ବାହାରେ (ଅନୁ)

ଦାସ ବ୍ରଦର୍ସ, ବ୍ରହ୍ମପୁର, କଟକ

୧୯୬୮

୪.

ପ୍ରତ୍ୟାବର୍ତ୍ତନ

ଊର୍ଜ୍ୱନି ପ୍ରେସ, କଟକ

୧୯୬୯

୫.

ଶେଷେର କବିତା (ଅନୁ)

ଷ୍ଟୁଡେଣ୍ଟ୍‍ସ ଷ୍ଟୋର, କଟକ

୧୯୭୪

ପ୍ରବନ୍ଧ :

୧.

ଭିକ୍ଷୁକର ସମସ୍ୟା

ନବୀନ

ତା. ୧୧/୧/୧୯୪୪

ସମାଲୋଚନା :

୧.

ସମାଲୋଚନା

ନବୀନ

ତା. ୧୬/୧୧/୧୯୪୮

ଅଭିଭାଷଣ :

୧.

ଗଞ୍ଜାମ ସାହିତ୍ୟ ସମ୍ମେଳନରେ ଦେଇଥିବା ଭାଷଣର ସାରାଂଶ

ଆଲୋକ

ଜୁଲାଇ, ଅଗଷ୍ଟ–୧୯୬୭

ଆତ୍ମଜୀବନୀ :

୧.

ମୋର ଜୀବନ ସ୍ମୃତି ସୀତାଦେବୀ ଗ୍ରନ୍ଥାବଳୀ,

ଷ୍ଟୁଡେଣ୍ଟସ୍‌ଷ୍ଟୋର, କଟକ

୧୯୭୮

ଅପ୍ରକାଶିତ ରଚନାବଳୀ :

କବିତା :

ଶାନ୍ତି ନିକେତନ :

 

ପ୍ରଥମ କବିତା, ଦ୍ୱିତୀୟ କବିତା, ତୃତୀୟ କବିତା

ତ୍ରୈଲୋକ୍ୟନାଥ ମନ୍ଦିର :

 

ପାନ୍ଥଶାଳା :

 

ପାନ୍ଥଶାଳା, ଅର୍ପଣ, ସାନ୍ତ୍ୱନା, ନିଶିଥ ଚିନ୍ତା, ବୈଶାଖ ପୂର୍ଣ୍ଣିମା, କାଳର ବାର୍ତ୍ତା, ଅନନ୍ତ ଇଙ୍ଗିତ, ମହାତ୍ମା ସ୍ମରଣେ, ବର୍ଷଣ ସନ୍ଧ୍ୟା, ଆହୁରି କିଛି ଦିଅ, ପୂଜା ହେଲେ ସମାପନ, ଧନ୍ୟ ହେଲା ଜନମ ମୋର, ମହା କବି କାଳିଦାସ, କେବେ କେଉଁଦିନ, ପଦତଳ ଧୂଳି ନେବି କେବେ ମୁଁ ଉଠାଇ, ଆସିଅଛି ଆଜି ଦୂର ପ୍ରବାସରୁ, ହେ ବଂଧୁ ଆଜିକ ପାଇଁ ନକର ଛଳନା, ବିନିଦ୍ର ରଜନୀ ମୋର, ଭାଦ୍ର ମାସର ସକାଳ ଆଜି, ପ୍ରଭୁ ତୁମେ ମୋର, ଆରାଧ୍ୟ ମୋହର ଆସିଛନ୍ତି ଆଜି, କାହିଁକି କବି ହେ ବସିଛ ବିଷାଦେ, ଭିକ୍ଷା, ଦୁଃସହ ଦୁଃଖର ନିବିଡ଼ ଜାଲରେ, ଦାରୁଣ ରୂପରେ ପରିତାପ ଯଦି, ବିରହ ଦୁଃଖ ଭାରରେ ମୋର, କୃଷ୍ଣ ଜନ୍ମ, ଭାଦ୍ର ମାସର ଦିନ ଦିପହର, ନିବେଦନ, ଯିବା ପଛେ ଆମେ ମରି ।

ନୈବେଦ୍ୟ :

 

(ମୂଳରଚନା–ରବୀନ୍ଦ୍ର ନାଥ ଠାକୁର) ୧୦୦ଟି ଅନୁଦିତ କବିତା ।

ଆଠଟି କବିତା :

 

ଆଗମନୀ, ଅର୍ଚ୍ଚନା, ନିବେଦନ, ଗୋପନ ଆବାହନ, ଅମୃତ ସନ୍ତାନ, ମାନସ ହଂସ, ମୁଗ୍‌ଧ କବି, ବସନ୍ତ ।

ରାମ ଚରିତ : ଶିଶୁ କବିତା

ବିନିଦ୍ର ରାତ୍ରିର ଚିନ୍ତା :

ଅନ୍ୟାନ୍ୟ କବିତା :

ଦୁଃଖର ମାଧୁର୍ଯ୍ୟ, ଦାରୁଣ ରୂପରେ ପରିତାପ, କାହୁଁ ଆସିଲା ଅଳୀକ, ପ୍ରଭାତରୁ ଏକ ଅପରୂପ, ଗୀତାମନ୍ତ୍ର ଧ୍ୱିନି, ଏ ସଂପଦ କେହ୍ନେ ଲଭିଲି, ଥରକୁ ଥର ଦୁଆରେ ମୋର, ଭାବରସ ପାନ କରି ନିଶିଦିନ, ଆନନ୍ଦମୟ ଭୁବନ, ଉଠିବି ନାହିଁ ମୁଁ ପୂଜାର ଆସନୁ, ଉଠୁଅଛି କେତେ ବିଳାପ ସଂଗୀତ, ଅସୀମ ଆନନ୍ଦେ ଅନ୍ତର ମୋହର, ତୁମେ ଥିବ ପ୍ରଭୁ ସମ୍ମୁଖ ଆସନେ, ଏ ଦୁଃସହ ଦୁଃଖ ଦେଇଅଛ ତୁମେ, ସମ୍ମୁଖକୁ ତବ ଆସି, ଆସ ଶ୍ୟାମଘନ ଆସ ପ୍ରିୟତମ, ଅଳପ ଧନରେ ଚଳୁନାହିଁ ପ୍ରଭୁ, ପୋଷିଥିଲି ଶ୍ୱାନଟିଏ, କିଏ ତୁମେ, ବାଲ୍ୟ କାଳରେ ବୁଢ଼ୀ ପିୟୁସୀ, ପ୍ରଭାତ ଅରୁଣ ଆନନ୍ଦ କିରଣ, ଆଜି ନବବର୍ଷେ ନଭ ଭକ୍ତି ଭାରେ, ସଖୀ ଗୋ ମୋର ତୋର ଯାତନା, ଉତ୍‌ଥାନ ପତନ କେତେ, କାହିଁ ରହିଅଛ, ହେ ଜଗତ ବ୍ୟାପୀ, ଅରୂପ ମୋର, ଜ୍ଞାନର ଅଞ୍ଜନ, ହେ ମହାବୈରାଗୀ, କରୁଣାମୟୀ ଗୋ, ଭକ୍ତର ବାସନା, ଜୀବନ ଚିନ୍ତା, ଜ୍ଞାନର ଅର୍ଚ୍ଚନା, ବିଭୁ ପ୍ରସାଦ, ମହାଜନୋ ଯେନ ଗତଃ ସ ପନ୍ଥା, କବି ପ୍ରତି, ଭକ୍ତର ଭାବନା, ଅଶ୍ରୁ, କବିର କାମନା, ବାଣୀ ସ୍ମରଣେ, ସଂସ୍କାରକ ଶ୍ରୀବତ୍ସ ପଣ୍ଡା, ମୁଠାଏ ପଦଧୂଳି, ଭାବନା, କୃତଜ୍ଞତା, କବି କଳ୍ପନା, ଅଭାବ, ସ୍ମୃତି, ମହାମାନବ ମହାତ୍ମା ଗାନ୍ଧୀ, ବେଦନା, ବିଶ୍ୱାସ, କଥାକାର କମଳାକାନ୍ତ, ବିଶ୍ୱରୂପ, ଆଶିଷମୟୀ ପ୍ରତିମା, ଶ୍ରୀ ବ୍ରଜମୋହନ ପାଢ଼ିଙ୍କ କନ୍ୟା ପ୍ରତିମାର ବିବାହ ଉପଲକ୍ଷ୍ୟରେ, ବନ୍ଧୁ ଦର୍ଶନ, ହେ ମୋର ପରମଶାନ୍ତି, ବାଳକ ବନ୍ଧୁ ଦୁଃଖିଶ୍ୟାମ, ଅନ୍ଧକାର ଭେଦ କରି, ବାଗ୍ମୀ ପ୍ରବର ଗୌରୀ କୁମାର, ମାତୃଭାବନା, ବିଭାବନା, ଅନନ୍ତ ଇଙ୍ଗିତ, ପ୍ରାର୍ଥନା, ମୋ କାମନା, ଭଞ୍ଜ ସ୍ମୃତି, ମଥାଟି ଦେଲ ସ୍ପର୍ଶି, ବିରହ ବେଦନା, ହେ ଅନ୍ଧ ମନୁଷ୍ୟ, ଅସୀମ, ଜୀବନୀ, ବିଶ୍ୱର ସୌନ୍ଦର୍ଯ୍ୟ, ବଢ଼ାଇ ଦିଅ ପୟର, ମାନବ ଜୀବନ, ଗୁରୁ ସ୍ମରଣେ, ଧାରଣା, ସତ୍କାର, ଆଚାର୍ଯ୍ୟ ଶଙ୍କର, ହେ ! ଜଗତନାଥ, ଶଙ୍କର ସ୍ମରଣେ, ପଚିଶ ବୈଶାଖ, ମୋର ପ୍ରାଣନାଥ, ବିଭୂତି ଯୋଗ, ସ୍ମୃତି, ହେ ଉପେନ୍ଦ୍ର ଭଞ୍ଜ, ଅଭ୍ୟର୍ଥନା, କବି କୃଷ୍ଣ ଦ୍ୱୈପାୟନ, ଜୀବନ ସନ୍ଧ୍ୟା, ଦୃଷ୍ଟି, ନାଟ୍ୟକାର ମୋହନ ଗୋସ୍ୱାମୀ, ଅନ୍ୱେଷଣ, ବିଳାପ, ଚିନ୍ତନ, ମହିମାମୟ, କବି ଗୋକୁଳ ଚନ୍ଦ୍ର ଶତପଥି, ମୋ ବିଶ୍ୱାସ, ଉତ୍କଳ ମଣିଙ୍କ ସ୍ମରଣେ, ବିଭୁପ୍ରେମ, ଉପହାର, ସ୍ୱପ୍ନରେ ଗୁରୁଦର୍ଶନ, କହ ଗୋ ପ୍ରଭୁ କହ, ଜୀବନ ଦର୍ଶନ, ଭକ୍ତ ଶବର ବନିତା, ନିତ୍ୟ ଶୁଦ୍ଧ ବୁଦ୍ଧ, ଜୀବନିକା, ପ୍ରଭାତୀ, ସ୍ୱପ୍ନପ୍ରାୟେ ଏକ ବର୍ଷ ହୋଇଗଲା ଗତ, ସମୟ ସ୍ରୋତ, ମିଥ୍ୟା ଏ ସଂସାର, କଥା ମଜାଗପ, ସାରଥି ବିଲେଇ, ଆଈର ଆଶୀର୍ବାଦ, ଶିଶୁର କଳ୍ପନା, ଯୋଗନିଦ୍ରା, ନିଦ୍ରା ଆହ୍ୱାନ, ବିଚ୍ଛେଦ, ବିଜନ ଭବନେ, ରାତ୍ରିଶେଷ, ବିରହ ବୋଲି, ସ୍ମରଣ, ନବୀନ ପ୍ରଭାତ, ସ୍ୱାର୍ଥ, ପୂଜା ଆସନ, ପ୍ରତୀକ୍ଷା, ପ୍ରତ୍ୟକ୍ଷ ଦର୍ଶନ, ମହାତ୍ମାଙ୍କ ଇଚ୍ଛା, ଏଇ ମୋର ଆନନ୍ଦ, ମୋ ଜନ୍ମଭୂମି, ସ୍ୱପ୍ନସମ ଲାଗୁଅଛି ଶାସ୍ତ୍ରୀଙ୍କ ବିୟୋଗ, ପରିବର୍ତ୍ତନ, ୧୯୬୬ ଜାନୁଆରୀ ୨୬, ଧନ୍ୟ କାମରାଜ, ଅର୍ଚ୍ଚନା, ବିଜୟୀ, ବାପୁ ସ୍ମରଣେ, ବିଭୁ ଚିନ୍ତନେ, ଜରା ଇତ୍ୟାଦି ।

ନାଟକର ପାଣ୍ଡୁଲିପି :

 

ପୁନରାବୃତ୍ତି, ଶେଷ ଆଶ୍ରୟ, କୈଳାସଙ୍କ କାବ୍ୟ, ସପନୀଙ୍କ ସାହିତ୍ୟ

ବିଲୁପ୍ତ ଏକାଙ୍କିକା :

 

ବ୍ୟବଧାନ (ସୀତାଦେବୀଙ୍କ ଉପରୋକ୍ତ ରଚନାବଳୀର ବିବରଣୀ ଗବେଷିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ଅପ୍ରକାଶିତ ଗବେଷଣା ନିବନ୍ଧ ‘‘ନାରୀକବି ସୀତାଦେବୀ ଖାଡ଼ଙ୍ଗା : ସୃଷ୍ଟି ସମ୍ଭାର ଓ ସ୍ରଷ୍ଟା ମାନସ’’ରୁ ସଂଗ୍ରହ କରାଯାଇଛି) ।

 

ଉପସଂହାର

 

ପରିମାଣାତ୍ମକ ଦୃଷ୍ଟିରୁ ବିଚାର କଲେ ସୀତାଦେବୀଙ୍କ ରଚନା ବିପୁଳକାୟ । ବହୁ ସୃଷ୍ଟିର ଗୁଣାତ୍ମକମାନ ମଧ୍ୟ ବେଶ୍‌ ଉଚ୍ଚକୋଟୀର । ବିଂଶ ଶତକର ଆଦ୍ୟ ପାଦରେ ଆନୁଷ୍ଠାନିକ-ଶିକ୍ଷାବର୍ଜିତ ଜଣେ ନାରୀ କିପରି ଏପରି ସୃଷ୍ଟି ସମ୍ଭବ କରିପାରିଲେ, ଭାବିଲେ ବିସ୍ମିତ ଲାଗେ । ସଂସାର ଜଞ୍ଜାଳ ସହିତ ସାହିତ୍ୟ ସୃଷ୍ଟି, ସଂଗଠନାତ୍ମକ କ୍ରିୟା, ରାଜନୀତିକ ଜୀବନ ଓ ସାମାଜିକ ସେବାକୁ ଏକ ସଙ୍ଗରେ ସୁଚାରୁରୂପେ ସଂପାଦନ କରିବା କମ୍‌ ଆୟାସର ଅପେକ୍ଷା ରଖେ ନାହିଁ । ‘‘ବାସ୍ତବରେ ପ୍ରତିକୂଳ ପରିବେଶରେ ହିଁ ବ୍ୟକ୍ତିତ୍ୱର ଉଜ୍ଜ୍ୱଳତମ ଦିଗ ଭାସ୍ୱର ହୋଇଉଠେ–ସୀତାଦେବୀଙ୍କ ଆତ୍ମଜୀବନୀ ପଠନ କଲେ ଏହି ସତ୍ୟର ଯଥାର୍ଥ ପ୍ରମାଣ ମିଳିଥାଏ । ଆଜି ସୀତାଦେବୀ ଆମ ନିକଟରେ ନାହାନ୍ତି, ମାତ୍ର ତାଙ୍କର ନିଷ୍ଠା, ସାହିତ୍ୟ ଓ ସମାଜସେବା, ସଂଗଠନାତ୍ମକ ବ୍ୟକ୍ତିତ୍ୱ, କର୍ତ୍ତବ୍ୟ ପରାୟଣତା, ଆଦର୍ଶ ଜୀବନ ଧାରା ଓ ମଧୁର ବ୍ୟବହାର ପାଇଁ ସେ ଚିରଦିନ ସ୍ମରଣୀୟ ହୋଇ ରହିବେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଗାଳ୍ପିକା ସୀତାଦେବୀ :–

 

ସୀତାଦେବୀଙ୍କ ଗଳ୍ପର ସାମଗ୍ରିକ ପରିଚୟ

 

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ଫକୀରମୋହନ ଓଡ଼ିଆ ଗଳ୍ପକୁ ଯେଉଁ ବଳିଷ୍ଠ ଭିତ୍ତିଭୂମି ପ୍ରଦାନ କରିଥିଲେ, ତାରି ଉପରେ ପରବର୍ତ୍ତୀ ସମୟରେ ଠିଆ ହୋଇଥିଲା ଓଡ଼ିଆ ଗଳ୍ପ କୋଣାର୍କ । ୧୮୯୮ ମସିହାରେ ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ପ୍ରକାଶ ପାଏ । ତା’ ପୂର୍ବରୁ କିଛି ଓଡ଼ିଆ ଗଳ୍ପ ରଚିତ ହୋଇଥିଲେହେଁ, ‘ରେବତୀ’ହିଁ ଥିଲା ଗଳ୍ପ କଳା ଦୃଷ୍ଟିରୁ ପ୍ରଥମ ସାର୍ଥକ ଗଳ୍ପ । ଫକୀରମୋହନଙ୍କ କୋଡ଼ିଏଟି ଗଳ୍ପ ବାସ୍ତବରେ ଭବିଷ୍ୟତ ଓଡ଼ିଆ ଗଳ୍ପ ପାଇଁ ସୃଷ୍ଟି କରିଥିଲା ସମ୍ଭାବନାମୟ ପ୍ରତିଶ୍ରୁତି । ଫକୀରମୋହନ ସେନାପତିଙ୍କ ପରେ ଓଡ଼ିଆ ସାହିତ୍ୟରେ ବହୁ ଗାଳ୍ପିକ ଓ ଗାଳ୍ପିକାଙ୍କର ଆବିର୍ଭାବ ଘଟିଛି । ସେମାନଙ୍କର ସାରସ୍ୱତ ସାଧନାରେ ଓଡ଼ିଆ ଗଳ୍ପାକାଶ ବହୁବିଧ ରଙ୍ଗରେ ରଞ୍ଜିତ ହୋଇଉଠିଛି । ସୀତାଦେବୀଙ୍କ ପ୍ରଥମ ଗଳ୍ପ ‘ଅଜଣା ରୋଗ’ ପ୍ରଥମେ ପ୍ରକାଶ ପାଏ ‘ସହକାର’ ପତ୍ରିକାରେ ନଭେମ୍ବର ମାସ ୧୯୩୯ ମସିହାରେ । ମାତ୍ର ଦୁଃଖର ବିଷୟ ତାଙ୍କର ସେହି ଗଳ୍ପଟି ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ସୀତାଦେବୀ ଗଳ୍ପରଚନା କରିବା ସମୟକୁ ବହୁ ଓଡ଼ିଆ ଗାଳ୍ପିକ ଓ ଗାଳ୍ପିକା ଓଡ଼ିଆ ଗଳ୍ପକୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ସମୃଦ୍ଧ କରିସାରିଥିଲେ । ସେହିପରି କଥାସ୍ରଷ୍ଟାମାନେ ହେଉଛନ୍ତି, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ଅନନ୍ତ ପ୍ରସାଦ ପଣ୍ଡା, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ଜନାଥନ ମହାନ୍ତି, ଜଳନ୍ଧର ଦେବ, ରାମ ପ୍ରସାଦ ସିଂହ, ଜନାର୍ଦ୍ଦନ ପୂଜାରୀ ଇତ୍ୟାଦି । ଏହି ସମୟରେ କେତେଜଣ ନାରୀ ପ୍ରତିଭାଙ୍କ ସାରସ୍ୱତ ସାଧନାରେ ଓଡ଼ିଆ ଗଳ୍ପ ମଧ୍ୟ ସମୃଦ୍ଧିଶାଳୀ ହୋଇଛି । ଏହିପରି ନାରୀ ପ୍ରତିଭାଗଣ ହେଉଛନ୍ତି ଦେବହୂତି ଦେଈ, କିଶୋରୀମଣି ଦେଈ, ସରଳା ଦେଈ, ସୁପ୍ରଭା କର, ନର୍ମଦା କର ଇତ୍ୟାଦି ।

 

ପୂର୍ବରୁ ସୂଚନା ପ୍ରସଙ୍ଗରେ କୁହାଯାଇଛି ଯେ, ଅନନ୍ତ ପ୍ରସାଦ ପଣ୍ଡାଙ୍କ ଉତ୍ସାହ ଓ ପ୍ରେରଣାଦ୍ୱାରା ସୀତାଦେବୀ ସାରସ୍ୱତ ସାଧନାରେ ପ୍ରବୃତ୍ତ ହୋଇଥିଲେ । ସେତେବେଳକୁ ଶ୍ରୀ ପଣ୍ଡା ଜଣେ ପ୍ରତିଷ୍ଠିତ ଗାଳ୍ପିକ ଭାବରେ ସ୍ୱୀକୃତି ଲାଭ କରିସାରିଥିଲେ । ‘ଗୁଣୀ ଚିହ୍ନେ ଗୁଣିଆ’ ନ୍ୟାୟରେ ଶ୍ରୀପଣ୍ଡା ସୀତାଦେବୀଙ୍କ ପ୍ରତିଭାର ପରିଚୟ ପାଇ ତାଙ୍କର ପ୍ରଥମ କବିତାଟିର ଉଚ୍ଚ ପ୍ରଶଂସା କରିବା ସହିତ ତାକୁ ‘ନବୀନ’ ପତ୍ରିକାରେ ପ୍ରକାଶ କରାଇଥିଲେ । ତାଙ୍କ ପ୍ରେରଣା ବାକ୍ୟ ଓ ଅଯାଚିତ ସ୍ନେହଦ୍ୱାରା ଉଦ୍‌ବୁଦ୍ଧ ହୋଇ ସୀତାଦେବୀ ଗଳ୍ପ କ୍ଷେତ୍ରରେ ଲେଖନୀ ଚାଳନା କରିଥିଲେ । କହିବା ବାହୁଲ୍ୟମାତ୍ର ଯେ, ସୀତାଦେବୀଙ୍କ ପ୍ରାଥମିକ ସୃଷ୍ଟିଗୁଡ଼ିକ ପାଠକୀୟ ଆଦୃତି ଲାଭ କରିବାରୁ ସେ ବିଶେଷ ଉତ୍ସାହିତ ହୋଇପଡ଼ିଥିଲେ । ସ୍ୱାମୀ ବାଞ୍ଛାନିଧିବାବୁ ନିଜେ ଜଣେ ସାହିତ୍ୟ ସ୍ରଷ୍ଟା ନଥିଲେହେଁ, ସାହିତ୍ୟକୁ ପ୍ରାଣଭରି ଭଲ ପାଉଥିବା ବ୍ୟକ୍ତିଟିଏ ଥିଲେ । ସ୍ୱାମୀଙ୍କର ପ୍ରେରଣା ଓ ସହଯୋଗଦ୍ୱାରା ସୀତାଦେବୀ ବହୁ ପରିମାଣରେ ଉଦ୍‌ବୁଦ୍ଧ ହୋଇଥିଲେ ।

 

ସୀତାଦେବୀ ଥିଲେ କର୍ମୀ । ତେଣୁ କଳ୍ପନା ଅପେକ୍ଷା ବାସ୍ତବତା ତାଙ୍କ ଗଳ୍ପର ପ୍ରତି ଛତ୍ରରେ ପରିଲକ୍ଷିତ ହୋଇଥାଏ । ନିଜେ ପ୍ରତିକୂଳ ପରିବେଶରେ ଜୀବନଯାପନ କରିଥିବାରୁ ଜୀବନ ଓ ଜଗତକୁ ଦେଖିବାର ଏକ ସ୍ୱତନ୍ତ୍ର ଦୃଷ୍ଟି ସେ ଲାଭ କରିଥିଲେ । ତେଣୁ ତାଙ୍କ ଗଳ୍ପର ଚରିତ୍ର, ଘଟଣା ଓ ପରିବେଶ ସମସାମୟିକ ସମାଜରୁ ସଂଗୃହୀତ । ସାମାଜିକ ବାସ୍ତବତା ସହିତ ଆବେଗାନୁଭୂତିର ଛଳ ଛଳ ରୂପ ତାଙ୍କ ଗଳ୍ପଗୁଡ଼ିକୁ କରିଛି ଚିରନ୍ତନ ମୂଲ୍ୟବୋଧରେ ଦୀକ୍ଷିତ । ତାଙ୍କ ଗଳ୍ପର କଳାତ୍ମକ ଦିଗ ଅପେକ୍ଷା ଭାବଗତ ଦିଗ ଅଧିକ ଐଶ୍ୱର୍ଯ୍ୟମୟ । ତାଙ୍କ ଗଳ୍ପ ମୁଖ୍ୟତଃ ଘଟଣାପ୍ରଧାନ । ସାମାଜିକ କ୍ରିୟା-କଳାପର ବିଭିନ୍ନ ଦିଗ ମଧ୍ୟରେ ସେ ରୂପ ଦେଇଛନ୍ତି ପ୍ରତି ମୁହୂର୍ତ୍ତରେ ମଣିଷ ସମ୍ମୁଖୀନ ହେଉଥିବା ସମାଜର ବିବିଧ ସମସ୍ୟାକୁ । କଳାଧର୍ମୀ ଗଳ୍ପ ଅପେକ୍ଷା ସମାଜଧର୍ମୀ ଗଳ୍ପରଚନା ପ୍ରତି ସେ ଅଧିକ ପ୍ରବଣତା ପ୍ରକାଶ କରିଛନ୍ତି । ଏହି କାରଣୁ ସମୟେ ସମୟେ ତାଙ୍କ ଗଳ୍ପଗୁଡ଼ିକ କଳାଧର୍ମ ପରିତ୍ୟାଗ କରି ଦୀର୍ଘାୟତନ ବିଶିଷ୍ଟ ହୋଇପଡ଼ିଛି । ଗଳ୍ପର ତାତ୍ତ୍ୱିକ ଦିଗ ଅପେକ୍ଷା ସାମାଜିକ ଦିଗ ହୋଇଛି ତାଙ୍କ ଗଳ୍ପଗୁଡ଼ିକର ବିଶିଷ୍ଟ ବିଭାବ ।

 

ତାଙ୍କର ଅଧିକାଂଶ ଗଳ୍ପରେ ସମାଜରେ ନାରୀର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ନିଜେ ପ୍ରତ୍ୟକ୍ଷ କରିଥିଲେ ନାରୀର ଅସହାୟତା ଓ ନିଃସଙ୍ଗପଣିଆକୁ । ପୁରୁଷପ୍ରଧାନ ସାମଜରେ ନାରୀ ତାର ସର୍ବନିମ୍ନ ଅଧିକାରଟିଏ ପାଇବାରୁ ବଞ୍ଚିତ । ସତେ ଯେପରି ନାରୀର ଭାଗ୍ୟ ପୁରୁଷର ଖିଆଲଦ୍ୱାରା ପରିଚାଳିତ । ପୁରୁଷଟିଏ ନାରୀକୁ ଯେପରି ଚାହିଁବ ନଚାଇପାରିବ । ଏ ସଂପର୍କରେ ନିଜ ଘରେ ସୀତାଦେବୀଙ୍କର ତିକ୍ତ ଅନୁଭୂତି ରହିଥିଲା । ଭାଇମାନଙ୍କ ପାଇଁ ଆନୁଷ୍ଠାନିକ ଶିକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଥିଲେହେଁ, ସୀତାଦେବୀ ସେଥିରୁ ଥିଲେ ବଞ୍ଚିତା । ନିଜ ପିଉସୀମାନଙ୍କର ବିଡ଼ମ୍ବିତ ଜୀବନକୁ ଖୁବ୍‌ନିକଟରୁ ଅନୁଭବ କରିଥିଲେ । କେବଳ ତାଙ୍କ ଘରେ ନୁହେଁ, ସମସାମୟିକ ସମାଜରେ ସବୁ ନାରୀଙ୍କ ଭାଗ୍ୟରେ ଅଳ୍ପେ ବହୁତେ ତାହା ଘଟିଚାଲିଥିଲା । ପୁରୁଷର ନାରୀ ପ୍ରତି ମାନସିକ ନିର୍ଯ୍ୟାତନା ଅନେକ ସମୟରେ ତାଙ୍କୁ ପ୍ରତିକ୍ରିୟାଶୀଳା କରିଥିଲେ ହେଁ, ପ୍ରତିବାଦ କରିବାର ଶକ୍ତି ତାଙ୍କର ନଥିଲା । ସମାଜର ଏହି ରକ୍ଷଣଶୀଳ ମନୋଭାବକୁ ଗ୍ରହଣ କରିବାକୁ ତାଙ୍କ ବିବେକ ବାଧା ଦେଉଥିଲା । ସେ ଦେଖୁଥିଲେ ତାଙ୍କ ଚାରିପଟରେ ଘୂରିବୁଲୁଥିବା ଅବହେଳିତା ନାରୀମାନଙ୍କର ଅସହାୟ ରୂପକୁ । ମ୍ରିୟମାଣ ହୋଇପଡ଼ୁଥିଲେ ନାରୀ ପ୍ରତି ପୁରୁଷସମାଜର ନେତିବାଚକ ଦୃଷ୍ଟିଭଙ୍ଗୀ ପ୍ରତ୍ୟକ୍ଷ କରି । ତେଣୁ ସେ ତାଙ୍କର ସେହି ଅନୁଭବକୁ ପ୍ରକାଶ କରିଛନ୍ତି ନିଜର ଗଳ୍ପ ସୃଷ୍ଟି ମାଧ୍ୟମରେ । ‘ଦାସୀର ଭାଗ୍ୟ’ ଗଳ୍ପଟି ସେହିପରି ଏକ ବିଡ଼ମ୍ବିତ ନାରୀର କରୁଣ ଆଲେଖ୍ୟ ବହନ କରିଛି । ଉଷା ଗଳ୍ପର ମୁଖ୍ୟ ଚରିତ୍ର । ତା’ ଜୀବନର ଅସହାୟତା ଓ ନିଃସଙ୍ଗତା ମଧ୍ୟରେ ଏକ ଚିରନ୍ତନ ନାରୀ ପ୍ରାଣର ଅକୁହା ବେଦନା ପ୍ରକଟିତ । ପୁରୁଷ ନିଜର ଶ୍ରେଷ୍ଠତାକୁ ଜାହିର କରିବାକୁ ଯାଇ ନାରୀକୁ ବଳୀ ପକାଏ ନିଜର ଖିଆଲ ନିକଟରେ । ପତ୍ନୀ ପ୍ରତି ଅଶୋଭନୀୟ ଆଚରଣ କରି ନିଜ ପୁରୁଷାକାରର ଜୟଗାନ କରେ । ତାର ନୀତିହୀନ ଆଚରଣ ସରଳା ନାରୀଟିର ଜୀବନକୁ ବିଷାଦ ଓ କରୁଣତାରେ ଭରିଦେଇଥାଏ । ଶିକ୍ଷକ-ପିତା ଓ ଗୃହିଣୀ ମା’ଙ୍କର ଏକମାତ୍ର ସନ୍ତାନ ଉଷା । ଏକାଧିକ ସନ୍ତାନର ମୃତ୍ୟୁପରେ ଅନେକ ଦିଅଁଦେବାତଙ୍କୁ ପୂଜାକରି ସେମାନେ ପାଇଥିଲେ ଉଷାକୁ । ସ୍ନେହ, ଶ୍ରଦ୍ଧାର ଆବେଗମୟ ବାତାବରଣ ମଧ୍ୟରେ ପରିବର୍ଦ୍ଧିତା ହୋଇଥିଲା ସେ । କୌଣସି ମୁହୂର୍ତ୍ତରେ ପିତାମାତା ଚାହୁଁନଥିଲେ ଏକମାତ୍ର ସନ୍ତାନଟିକୁ ନିଜ ଆଖିଠାରୁ ଦୂରରେ ରଖିବାକୁ । ସେଇଥିପାଇଁ ମାଇନର ପାସ କରିଥିବା ଅଯୋଗ୍ୟ ଅଭୟଚରଣକୁ ସେମାନେ ଘରଜୋଇଁଆ କରି ରଖିଥିଲେ । କୁସଙ୍ଗରେ ପଡ଼ି ନିଶାସେବନ ସହିତ ପଶାପାଲି ଏବଂ କୁକାର୍ଯ୍ୟରେ ଜୀବନର ପରମାର୍ଥ ଖୋଜୁଥିଲା ଅଭୟଚରଣ । ନିଜ ଜ୍ୱାଇଁର ଅଧୋପତନରେ ମ୍ରିୟମାଣ ଶାଶୁ ଓ ଶ୍ୱଶୁର ମାନସିକ ଯନ୍ତ୍ରଣାରେ ଇହଧାମ ପରିତ୍ୟାଗ କଲେ । ଏହାପରେ ଊଷାର ଭାଗ୍ୟାକାଶରେ ଦୁଃଖର କଳାବାଦଲ ଛାଇଗଲା-। ଲଗାମଛଡ଼ା ସ୍ୱାମୀର ଅତ୍ୟାଚାରରେ ମ୍ରିୟମାଣ ହୋଇପଡ଼ିଲା ଉଷା । ଦିନେ ତା’ ହସ୍ତରୁ ପିତାମାତାଙ୍କ ଶେଷ ସନ୍ତକ ବଳାଯୋଡ଼ିକ ଛଡ଼ାଇନେଇ ଅଭୟଚରଣ ବିଦେଶ ଗଲା ଯେ ଆଉ ଫେରିଲା ନାହିଁ । ବ୍ରାହ୍ମଣକନ୍ୟା ଉଷା ଅବଶିଷ୍ଟ ବାସନକୁସନ ବିକ୍ରି କରି କିଛିଦିନ ଚଳିଲା । ଅପାରଗ ସ୍ୱାମୀ ପୂର୍ବରୁ ଘର ଖଣ୍ଡିକ ବନ୍ଧା ପକାଇଥିଲା ମହାଜନ ନିକଟରେ । ଶେଷରେ ମହାଜନର ତାଗିଦାରେ ନିଜର ଘର ଛାଡ଼ି ସୁନା ବାରିକାଣୀ ମାଧ୍ୟମରେ ନିରଞ୍ଜନବାବୁଙ୍କ ଘରେ ଦାସୀର ଜୀବନକୁ ଆଦରି ନେଲା । ନିରଞ୍ଜନବାବୁଙ୍କ ପାଞ୍ଚବର୍ଷର କନ୍ୟା ମନୋରମାକୁ ମାତୃସ୍ନେହ ଦେଇ ନିଜର ଦୁଃଖକୁ ଭୁଲିଯିବାକୁ ଚେଷ୍ଟା କରୁଥିଲା ଉଷା । ନିରଞ୍ଜନବାବୁଙ୍କ ଭଦ୍ରୋଚିତ ସ୍ନେହ, ବ୍ୟବହାର ଉଷା ମଧ୍ୟରେ ରହିଥିବା ନାରୀର ସ୍ୱାଭାବିକ ଦୁର୍ବଳତାକୁ ବାରମ୍ବାର ଚେତେଇଦେଉଥିଲା-। ହୁଏତ ତା’ର ଏହି ଦୁର୍ବଳତା ନିଜର ମାଲିକ ନିରଞ୍ଜନବାବୁ ଏବଂ ମାଲିକାଣୀ ଲଳିତା ଦେବୀଙ୍କ ସୁଖ ସଂସାରରେ ବିପର୍ଯ୍ୟୟ ସୃଷ୍ଟି କରିପାରେ ଚିନ୍ତା କରି ନିଜ ହୃଦୟର ସୁପ୍ତ ଭାବନାକୁ ଏକ ପତ୍ର ମାଧ୍ୟମରେ ନିରଞ୍ଜନବାବୁଙ୍କ ଉଦ୍ଦେଶ୍ୟରେ ଲେଖି ଗୃହତ୍ୟାଗ କରି ଚାଲିଗଲା । ଦି’ମୁଠା ଖାଦ୍ୟ ପାଇଁ ଅନେକ ଘରେ ଆଶ୍ରୟ ନେଲା । କିନ୍ତୁ ସବୁଠାରେ କାମନାର ଗନ୍ଧ । ପୁରୀରେ ଥିବା ସମୟରେ ଦୁର୍ଭାଗ୍ୟକୁ ସେ ହୁଏ କୁଷ୍ଠ ରୋଗାକ୍ରାନ୍ତ । ଇତିମଧ୍ୟରେ ଦୀର୍ଘ ଦର୍ଶବର୍ଷ ଅତିକ୍ରାନ୍ତ ହୋଇଯାଇଛି । ନିରଞ୍ଜନବାବୁ ସପରିବାର ପୁରୀ ଯାଇଥିବା ସମୟରେ ଉଷା ନିରଞ୍ଜନବାବୁଙ୍କୁ ଦେଖି ତାଙ୍କ ନିକଟକୁ ଯିବା ସମୟରେ ଠେଲାପେଲାରେ ଭୂମିଶାୟୀ ହୋଇଛି । ନିରଞ୍ଜନବାବୁ ଊଷାକୁ ଚିହ୍ନିପାରିଛନ୍ତି । ଉଷା ତାଙ୍କୁ ଲୋତକ ନୟନରେ ଚାହିଁ ପ୍ରାଣ ବିସର୍ଜନ କରିଛି । ନିରଞ୍ଜନବାବୁ ବ୍ୟଥାତୁର ହୃଦୟରେ ମନ୍ଦିର କର୍ମଚାରୀଙ୍କୁ ଟଙ୍କା ଦେଇ ଶବସତ୍କାର କରାଇଛନ୍ତି । ବିୟୋଗାନ୍ତକ ପରିବେଶରେ ଗଳ୍ପର ହୋଇଛି ପରିସମାପ୍ତି । ନାରୀ ହୃଦୟର ଦୁର୍ବଳତା ଉକ୍ତ ଗଳ୍ପରେ କୌଣସିଠାରେ ନୈତିକତାର ଦେହଳୀ ଅତିକ୍ରମ କରିନାହିଁ । ବରଂ ଏକ ଶୁଦ୍ଧ, ଆଦର୍ଶ ଓ ତ୍ୟାଗର ମହନୀୟତା ମଧ୍ୟରେ ପ୍ରେମର ଦ୍ୟୁତି ଫୁଟିଉଠିଛି । ନାରୀଜୀବନର ବିଡ଼ମ୍ବିତ ଅଧ୍ୟାୟଟିଏ ସତେ ଯେପରି ଏହି ଗଳ୍ପରେ ପ୍ରମୂର୍ତ୍ତ ହୋଇଉଠିଛି ।

 

‘ରତନୀର ସ୍ନେହ’ ଗଳ୍ପରେ ସେହିପରି ଏକ ନାରୀ ଜୀବନର ବିଡ଼ମ୍ବିତ ଅଧ୍ୟାୟ ବର୍ଣ୍ଣିତ । ପଲ୍ଲୀ ଜୀବନର ପୃଷ୍ଠଭୂମି ଉପରେ ଗଳ୍ପଟି ରଚିତ ହୋଇଥିଲେହେଁ ସମସାମୟିକ ସମାଜର ଚିତ୍ରଟିଏ ଏଥିରେ ଦୁର୍ଲକ୍ଷ୍ୟ ନୁହେଁ । ସାମାନ୍ୟ ମାତ୍ର ଅବିଶ୍ୱାସ ଭାବ ଏକ ସୁନ୍ଦର, ମଧୁମୟ ପାରିବାରିକ ଜୀବନକୁ କିପରି ବିକଳାଙ୍ଗ କରିଦିଏ ତାର କରୁଣ ଚିତ୍ରଟିଏ ଉକ୍ତ ଗଳ୍ପରେ ଭାସ୍ୱର । ଦାରିଦ୍ର୍ୟ ମଧ୍ୟରେ ରତନୀ ଓ ହରିଆର ମଧୁମୟ ପ୍ରେମ କେବେ ବି ଫିକା ପଡ଼ିନଥିଲା । ସ୍ୱାଭାବିକ ରୀତିରେ ତାଙ୍କ ଜୀବନ ଗଡ଼ିଚାଲିଥିଲା । ବିବାହର ପନ୍ଦରଦିନ ପରେ ଭାଇ ଡାକରାରେ ରତନୀ ଯାଇଥିଲା ବାପଘରକୁ ହରିଆର ଅନିଚ୍ଛା ସତ୍ତ୍ୱେ । ପାରିବାରିକ ଅସୁବିଧା ରତନୀକୁ ଅଟକାଇଦେଲା ସେଠାରେ । ରତନୀର ଅନୁପସ୍ଥିତିର ସୁଯୋଗ ନେଇ ହରିଆ ଭାଉଜ ଓ ଲେଖାଯୋଖା ଭଉଣୀ ରତନୀ ବିରୋଧରେ ବିଷ ମଞ୍ଜି ବୁଣିଚାଲିଲେ ତା’ ମନରେ । ହରିଆର ସ୍ୱଚ୍ଛ ମନ ବିଶ୍ୱାସ କରୁନଥିଲା ସେମାନଙ୍କ କଥାରେ । ‘ସାତ କଥାରେ ସତୀ ଭୁଲେ’ ନ୍ୟାୟରେ ସେମାନଙ୍କର ବାରମ୍ବାର ପ୍ରରୋଚନାରେ ସନ୍ଦେହର ବୀଜଟିଏ ଗଜୁରିଉଠିଲା ହରିଆ ମନରେ । ମାମୁଁ ପୁଅ ଶ୍ରୀଧର ସହିତ ରତନୀର ଅନୈତିକ ସଂପର୍କର ମିଥ୍ୟା ପ୍ରଚାର ଶୁଣି ସେ ଦିନେ ପତ୍ନୀ ଘରକୁ ଯାଇଛି । ସେହି ସମୟରେ ଶ୍ରୀଧର ଓ ରତନୀ କାଠ ଦୁଇବିଡ଼ା ରଖୁଥିଲେ । ହରିଆକୁ ଦେଖି ସ୍ତ୍ରୀସୁଲଭ ସ୍ୱାଭାବିକ ଲଜ୍ଜାରେ ରତନୀ ଘର ଭିତରକୁ ଯାଇ ‘ଶ୍ରୀଧରନା’ ଡାକିବାଦ୍ୱାରା ତା’ ମନରେ ସନ୍ଦେହର କୁହେଳି ସୃଷ୍ଟି ହୋଇଛି । ଅଭିମାନରେ ସେ ରେଙ୍ଗୁନ୍‌ ଯାଇଛି ଓ ସେଠାରେ ଗୋଟିଏ ଦୁଶ୍ଚରିତ୍ରା ବର୍ମା ସ୍ତ୍ରୀ ହାବୁଡ଼ରେ ପଡ଼ିଛି । ନିଜର ମାୟାଜାଲରେ ହରିଆକୁ ବନ୍ଦୀ କରି ତା’ର ସମସ୍ତ ଟଙ୍କା ପଇସା ଆତ୍ମସାତ୍‌ କରିଛି । ହଠାତ୍‌ ହରିଆ ଘା’ଘଉଡ଼ ହେବାରୁ ଧକ୍‌କା ଦେଇ ତାକୁ ଘରୁ ତଡ଼ିଦେଇଛି । ଅସହାୟ ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ମୃତ୍ୟୁକୁ ଅପେକ୍ଷା କରିଥିବା ସମୟରେ ରେଙ୍ଗୁନ୍‌କୁ କାର୍ଯ୍ୟ ଅନ୍ୱେଷଣରେ ଯାଇଥିବା ଶ୍ରୀଧରର ଦୃଷ୍ଟିଗୋଚର ହୋଇଛି-। ଶ୍ରୀଧରଠାରୁ ସମସ୍ତ ବିଷୟ ଅବଗତ ହେବାପରେ ଦୁଃଖ ଓ ଲଜ୍ଜାରେ ମ୍ରିୟମାଣ ହୋଇ ରତନୀ ନିକଟକୁ ଫେରିବାର ଇଚ୍ଛା ପ୍ରକାଶ କରିଛି । ଶ୍ରୀଧର ସାହାଯ୍ୟରେ ସେ ନିଜ ମାଟିକୁ ଫେରିଆସିବା ସମୟରେ ବିଲ ହୁଡ଼ାରେ ରତନୀ ସହିତ ସାକ୍ଷାତ୍‌ ହୁଏ । ସେତେବେଳକୁ ରତନୀ ନିଜ ଝିଅ ପଦ୍ମାକୁ ବିଭା ଦେଇ ଏକ ନାତୁଣୀର ଜେଜୀ ମା’ ହୋଇସାରିଥାଏ । ହରିଆର ରୋଗାକ୍ରାନ୍ତ ଶରୀର ତାକୁ ଦୁଃଖ ଦିଏ । ରତନୀର ସେବା ଯତ୍ନରେ ଆରୋଗ୍ୟ ହେଲେ ମଧ୍ୟ ବାତରୋଗଟା ସେମିତି ଶରୀରରେ ରହିଯାଏ । ନାତୁଣୀ ଚମ୍ପା ସହିତ ଘର ପିଣ୍ଡାରେ ଖେଳିବା ସମୟରେ ହଜିଯାଇଥିବା କୋଡ଼ିଏ ବର୍ଷ ଅତୀତର କାହାଣୀ ନାଚିଉଠେ ତା’ ଆଖି ଆଗରେ । ସାମାନ୍ୟ ମାତ୍ର ଭୁଲ ବୁଝାମଣାରୁ ମଣିଷ ତା’ ଜୀବନର କେଡ଼େ ମୂଲ୍ୟବାନ ମୂହୁର୍ତ୍ତମାନଙ୍କୁ ହଜାଇବସେ, ତା’ର ଜ୍ୱଳନ୍ତ ନିଦର୍ଶନ ହେଉଛି ‘ରତନୀର ସ୍ନେହ’ ଗଳ୍ପଟି । ସମସ୍ତ ଅତ୍ୟାଚାର ଓ ମାନସିକ ନିର୍ଯ୍ୟାତନା ସତ୍ତ୍ୱେ ବି ନାରୀ ଚରିତ୍ରର ମହନୀୟ ଦିଗଟି ଭାସ୍ୱର ହୋଇଉଠିଛି ଗଳ୍ପଟିରେ-। ପାରିବାରିକ ଜୀବନର ସଂଘର୍ଷ ଓ ତା’ରି ମଧ୍ୟରେ ମାତୃହୃଦୟର ଚିରନ୍ତନ ରୂପଟି ବେଶ୍‌ଲୋଭନୀୟ ମନେହୁଏ ରତନୀ ଚରିତ୍ର ମାଧ୍ୟମରେ ।

 

ସମସାମୟିକ ସମାଜର ବିଭିନ୍ନ ସମସ୍ୟା ଓ ଲୋକ ଚରିତ୍ରକୁ ଗଳ୍ପରୂପ ଦେବାରେ ଗାଳ୍ପିକା ସୀତାଦେବୀ ବେଶ୍‌ ସିଦ୍ଧହସ୍ତା । ‘କାର୍ତ୍ତିକ ଫଳ’ ଗଳ୍ପରେ ଆମ ସାମାଜିକ ଜୀବନର ସେହିପରି ଏକ ଘଟଣା ରୂପ ପାଇଛି । ଗାଁ ପୁରୋହିତ ରଥେଙ୍କ ଦୁର୍ବଳ ମାନସିକତା ଉପରେ ଗଳ୍ପର କଥାବସ୍ତୁ ଗତିଶୀଳ । ଆମ ସମାଜରେ ଏପରି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଟଙ୍କା ପଇସାକୁ ଜୀବନର ଶ୍ରେଷ୍ଠ ସଂପଦରୂପେ ପରିଗଣିତ କରିଥାନ୍ତି । ସ୍ତ୍ରୀ, ପୁତ୍ର, କନ୍ୟା ଆଦିଙ୍କଠାରୁ ତାଙ୍କ ନିକଟରେ ଅର୍ଥ ଅଧିକ ମୂଲ୍ୟବାନ । ରଥେ ହେଉଛନ୍ତି ଏହିପରି ଏକ ବ୍ୟକ୍ତି । ନିଜର କୌଣସି ଆତ୍ମୀୟ, ଏପରିକି ଜ୍ୱାଇଁଙ୍କୁ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ମିଳେ ନାହିଁ ତାଙ୍କ ଘରେ । ରୋଜଗାରିଆ ଦୁଇପୁଅଙ୍କର କର୍ତ୍ତୃତ୍ୱ ମଧ୍ୟ ଚଳେନା ରଥେଙ୍କ ଆଧିପତ୍ୟ ଯୋଗୁଁ । ନିଜର କନ୍ୟା ନୀଳା ଉପଯୁକ୍ତ ସେବା ଅଭାବରୁ ନିଜର ପୁତ୍ରକୁ ଅକାଳରେ ହରାଇବା ଦୁଃଖରେ କ୍ରନ୍ଦନ କରିବାରୁ ତାହା ମଧ୍ୟ ସହ୍ୟ ହୋଇନାହିଁ ରଥେଙ୍କୁ । ବଡ଼ ଅମାନବିକ ଭାବରେ କ୍ରୋଧିତ ହୋଇ ଗାଳି କରନ୍ତି ସନ୍ତାନହରା ନିରୀହା ଜନନୀଟିକୁ । ବିଭିନ୍ନ ପୂଜାପର୍ବ ଏବଂ କାର୍ତ୍ତିକ ମାସରେ ଅଧିକ ରୋଜଗାର ପାଇଁ ନିଜ ହାତରେ କାଠ ହାଣି ଯଜମାନଙ୍କୁ ବିକ୍ରି କରନ୍ତି । କାଠ କାଟିବା ସମୟରେ ନିଜ ଆଙ୍ଗୁଳି ଛେଲି ହୋଇ ଯାଇଥିଲେହେଁ ଅର୍ଥ ବ୍ୟୟ ଲୋଭରେ ଔଷଧ ଖାଆନ୍ତି ନାହିଁ । କାର୍ତ୍ତିକ ଶେଷରେ ଶରୀରପୀଡ଼ା ସତ୍ତ୍ୱେ ପୁରାଣ ପଢ଼ା ଘରେ ପୁରାଣ ପଢ଼ନ୍ତି, ଦାସଙ୍କ ଘରେ ଆକଣ୍ଠ ଭୋଜନ କରି ଉପଯୁକ୍ତ ଯଜମାନି ଧରି ଘରକୁ ଫେରି ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇପଡ଼ନ୍ତି । ରଥଙ୍କ ଏପରି ଅବସ୍ଥାରେ ରଥିଆଣୀ କ୍ରନ୍ଦନ କରିବାରୁ ରଥେ ବିରକ୍ତ ହୋଇଛନ୍ତି । ରଥେଙ୍କ ଏପରି ଅବସ୍ଥାକୁ ଦେଖି ପଡ଼ୋଶୀ ଶତପଥୀ ବ୍ୟଙ୍ଗୋକ୍ତି କରି କହିଛନ୍ତି ‘‘ଏ ତ ରଥଙ୍କ ସଦ୍ୟ କାର୍ତ୍ତିକ ଫଳ’’-। ଏହି ଗଳ୍ପରେ ରଥେଙ୍କ କୃପଣପଣିଆ ଓ ଅମାନବିକତାକୁ ବ୍ୟଙ୍ଗୋକ୍ତି କରିବା ମଧ୍ୟରେ ମଣିଷପଣିଆର ପ୍ରତିଷ୍ଠା ପାଇଁ ଆହ୍ୱାନ ଦିଆଯାଇଛି ।

 

ସମାଜରେ ପ୍ରାଚୀନତା ଓ ଆଧୁନିକତା ମଧ୍ୟରେ ସଂଘର୍ଷ ଏକ ସ୍ୱାଭାବିକ ଘଟଣା । ପ୍ରାଚୀନ ଯେପରି ନବୀନର ସଂସ୍କାରପଣିଆକୁ ଗ୍ରହଣ କରିପାରେନା, ନବୀନ ମଧ୍ୟ ପ୍ରାଚୀନର କୁସଂସ୍କାର ଓ ଅନ୍ଧ-ବିଶ୍ୱାସକୁ ଆପଣେଇପାରେ ନାହିଁ । ‘ସଂସ୍କାରକ’ ଗଳ୍ପରେ ପ୍ରାଚୀନ ଓ ନବୀନର ଏହି ମାନସିକ ସଂଘର୍ଷକୁ ଦେଖାଇଦିଆଯାଇଛି । ଭୁବନ ଶିକ୍ଷିତ । ଉଚ୍ଚଶିକ୍ଷା ଲାଭ ସମୟରେ ତା’ର ଉଦ୍ଦେଶ୍ୟ ଥିଲା ସମାଜରେ ପ୍ରଚଳିତ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିଲୋପ କରିବ । ମାତ୍ର ସମାଜର ରୂଢ଼ିବାଦୀ ଚିନ୍ତାଧାରା ଓ ଅସହଯୋଗ ପ୍ରତିକ୍ଷେତ୍ରରେ ତାକୁ ଚଖାଇଥିଲା ବିଫଳତାର ସ୍ୱାଦ । ସମସାମୟିକ ସାମାଜିକ ଚଳଣି ଅନୁଯାୟୀ ମାତ୍ର ଚଉଦ ବର୍ଷ ବୟସରେ ବିବାହ କରିଛି ଜଣେ ଧନଶାଳୀ ବ୍ୟକ୍ତିଙ୍କ ଅଶିକ୍ଷିତା କନ୍ୟା ନେତ୍ରମଣିକୁ । କଟକରେ ରେଭେନ୍‍ସା ବାଳିକା ବିଦ୍ୟାଳୟର ଆଧୁନିକ ଶିକ୍ଷିତା ଶିକ୍ଷିୟିତ୍ରୀମାନଙ୍କୁ ଦେଖି ସେହି ଢାଞ୍ଚାରେ ନିଜ ଭଉଣୀମାନଙ୍କୁ ଗଢ଼ିବାକୁ ଚେଷ୍ଟା କରି ବିଫଳ ହୋଇଛି । ବାଲ୍ୟବିବାହ ନକରିବାକୁ ଭଉଣୀମାନଙ୍କୁ ପ୍ରବର୍ତ୍ତାଇଲେ ମଧ୍ୟ ସେମାନେ ତା’ କଥାକୁ ଗ୍ରହଣ କରିନାହାନ୍ତି । ବି.ଏ. ପାସ୍‌ ପରେ ରେଭିନ୍ୟୁ ବିଭାଗରେ ଚାକିରୀ ପରେ ପତ୍ନୀର କୁଟିଳ ବୁଦ୍ଧିରେ ଘରଠାରୁ ଅଲଗା ହୋଇଛି । ପତ୍ନୀକୁ ଆଧୁନିକ କରିବାକୁ ଯାଇ ଅପଦସ୍ଥ ହୋଇଛି । ନିଜ କନ୍ୟାକୁ ଶିକ୍ଷିତା କରିବାକୁ ଚେଷ୍ଟା କରି ପତ୍ନୀର ଅଯଥା ହସ୍ତକ୍ଷେପରେ ବିଫଳ ହୋଇଛି । ନେତ୍ରମଣିର ଜିଦ୍‌ରେ ବାଲ୍ୟବିବାହର ବିରୋଧୀ ଥିଲେହେଁ, ନିଜ କନ୍ୟାକୁ ବାଲ୍ୟବିବାହ ଦେବାକୁ ବାଧ୍ୟ ହୋଇଛି । ନାରୀ ଜାଗରଣ, ଅସ୍ପୃଶ୍ୟତା ନିବାରଣ, ବିଧବା ବିବାହ, ବାଲ୍ୟବିବାହ ଆଦି ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ବିଭିନ୍ନ ପତ୍ରପତ୍ରିକାରେ ଉପଯୋଗୀ ଲେଖାମାନ ପ୍ରକାଶ କରୁଥିଲେହେଁ ନିଜ ଗ୍ରାମରେ ତା’ର ସଫଳ ରୂପାୟନ କରିବାକୁ ଯାଇ ବିରୋଧର ସମ୍ମୁଖୀନ ହୁଏ; ଗ୍ରାମବାସୀଙ୍କଦ୍ୱାରା ନିନ୍ଦିତ ଓ ଭର୍ତ୍ସିତ ହୁଏ । ନିଜ ଚାକର ଆରତ ସହିତ ବିଧବା ବ୍ରାହ୍ମଣ କନ୍ୟା ଶଶିର ବିବାହ ଦେଇ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୁଏ । ଗାନ୍ଧିଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅରଟରେ ସୂତା କାଟିବାରୁ ପତ୍ନୀର ବିରୋଧ ଭାବର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ସରକାରଙ୍କଠାରୁ ପେନ୍‌ସନ ବନ୍ଦ କରିଦେବାର ଚେତାବନୀ ପାଏ । ଅବସର ପରେ ସାବରମତି ପରି ଏକ ଆଶ୍ରମର ପରିକଳ୍ପନା ପତ୍ନୀଙ୍କ ଅସହଯୋଗରୁ କଳ୍ପନାରେ ରହିଯାଏ । ତାଙ୍କୁ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟରେ ସହଯୋଗ କରିଥିବାରୁ ଭୀମଲେଙ୍କା ବାସନ୍ଦର ସମ୍ମୁଖୀନ ହୁଏ । ସାମାଜିକ ରୂଢ଼ିବାଦୀ ଚିନ୍ତା ଓ ବିରୋଧୀ ଭାବ ତାଙ୍କର ସମସ୍ତ ସଂସ୍କାର ପ୍ରୟାସକୁ ବିଫଳତାରେ ପର୍ଯ୍ୟବସିତ କରିଛି । ଗାଳ୍ପିକା ପରୋକ୍ଷରେ ନିଜ ପାରିବାରିକ ଅନୁଭୂତିକୁ ଏଥିରେ ପ୍ରକାଶ କରିଛନ୍ତି । ନିଜ ପିତୃବ୍ୟ ଶ୍ରୀବତ୍ସଙ୍କ ସଂସ୍କାର ପ୍ରୟାସକୁ ସେ ଏହି ଗଳ୍ପରେ ପରୀକ୍ଷା କରିଛନ୍ତି । ତେବେ ଯେକୌଣସି ସଂସ୍କାର ପ୍ରୟାସ ଧୀରେ ଧୀରେ ଆରମ୍ଭ ନକରି କିମ୍ବା ତା’ର କୌଣସି ପୃଷ୍ଠଭୂମି ପ୍ରସ୍ତୁତ ନକରି ହଠାତ୍‌ କରିବସିଲେ ତାହା କିପରି ବିଫଳ ହୋଇଥାଏ, ତା’ର ଏକ ଚମତ୍କାର ଉଦାହରଣ ଏହି ‘ସଂସ୍କାରକ’ ଗଳ୍ପଟି ।

 

ସାଧାରଣ ମଣିଷର ଆତ୍ମବଡ଼ିମା ଓ ଅହଂ ପରୋକ୍ଷରେ ତା’ର ଯେ କ୍ଷତି କରିଥାଏ ଏକଥା ସେ ନିଜେ ମଧ୍ୟ ଜାଣିନଥାଏ । ଉପକାରୀ ପ୍ରତି କୃତଜ୍ଞତା ପରିପ୍ରକାଶ ପରିବର୍ତ୍ତେ ସେପରି ବ୍ୟକ୍ତି ଅକୃତଜ୍ଞତାର ବହୁ ଉଦାହରଣ ଛାଡ଼ିଯାଇଥାନ୍ତି । ଏହା ଯେ ପରୋକ୍ଷରେ ତା’ର ଅଜ୍ଞତା, ସେ ନିଜେ ତାହା ଜାଣିବାକୁ ଅସମର୍ଥ ହୋଇଥାଏ । କୁସଂସ୍କାରଗ୍ରସ୍ତ, ଅଶିକ୍ଷାର ଶିକାର ହୋଇଥିବା ସାଧାରଣ ପଲ୍ଲୀର ଏକ ବାସ୍ତବ ଚିତ୍ର ‘ବୃଥାଗର୍ବ’ ଗଳ୍ପଟି । ସାଧାରଣ ପଲ୍ଲୀର ସ୍ତ୍ରୀଲୋକଟି ନିଜ ମୂର୍ଖାମୀର ବଶବର୍ତ୍ତୀ ହୋଇ ସାମାନ୍ୟ କଥାକୁ ନେଇ ମହାଭାରତ ସୃଷ୍ଟି କରେ, ଅନ୍ୟ ସହିତ ଝଗଡ଼ା କରି ଅଶାନ୍ତିର ବାତାବରଣ ତିଆରି କରେ । ଜଗୁ ମା’ ହେଉଛି ସେହିପରି ଜଣେ କଳିହୁଡ଼ି ସ୍ତ୍ରୀଲୋକ । ଅନ୍ୟର ସାହାଯ୍ୟ ଉପରେ ଜୀବନ ଅତିବାହିତ କରୁଥିଲେହେଁ ଅଯଥାରେ କଣ୍ଟାବାଡ଼ରେ ଲୁଗା ପକାଇ ଝଗଡ଼ା କରିବା ତା’ର ଅଭ୍ୟାସ । ଯେଉଁ ଶ୍ୟାମର ଦୟା ଉପରେ ସେ ନିର୍ଭର କରେ, ତାରି ସ୍ତ୍ରୀ ସହିତ ଝଗଡ଼ା କରେ । ଏପରି କାର୍ଯ୍ୟରେ ସମର୍ଥନ କରିବା ପାଇଁ ଶୋଭା ମା’ ପରି ଲୋକଙ୍କର ଅଭାବ ନାହିଁ । ଜଗୁ ଶ୍ୟାମର ସାହାଯ୍ୟ ପାଇ ପରିବାର ପ୍ରତିପୋଷଣ କରେ-। ଜଗୁ ମା’ର ବ୍ୟବହାରରେ ଅତିଷ୍ଠ ହୋଇ ନିଜର ଘରଡିହ ହରାଇ ଗ୍ରାମ ଛାଡ଼ି ନୟାଗଡ଼ ଧର୍ମଶାଳାରେ ଭାଗ୍ୟକୁ ଆଦରି ପଡ଼ିଥାଏ । ଶ୍ୟାମ ନିଜ ସ୍ତ୍ରୀ ସହିତ ନୟାଗଡ଼ର ରଘୁନାଥ ଦର୍ଶନରେ ଯାଇଥିବା ସମୟରେ ଜଗୁର ଅସହାୟତା ଦେଖେ । ଜଗୁ ପୁଅର ବିକଳାବସ୍ଥା ସହିତ ବାତ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବା ଜଗୁ ମା’କୁ ଦେଖି ତା’ ହୃଦୟରେ ଦୟା ଜାଗ୍ରତ ହୁଏ । ଶ୍ୟାମ ସେମାନଙ୍କୁ ଗାଁକୁ ଫେରାଇ ଆଣି ଦୋକାନରେ କାମ ଦିଏ । ପୁଅ ବଳି ଏବଂ ପତ୍ନୀ ଉଭୟେ ସେଠାରେ କାର୍ଯ୍ୟ କରି ସୁଖରେ ଜୀବନ ଅତିବାହିତ କରନ୍ତି । ମଣିଷ ନିଜର ଅପରିଣାମଦର୍ଶିତା ଓ ଅଯଥା ଆତ୍ମବଡ଼ିମା ପାଇଁ କିପରି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୁଏ, ଉକ୍ତ ଗଳ୍ପଟି ହେଉଛି ତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ବିଂଶ ଶତକର ଚତୁର୍ଥ ଦଶକ ପର୍ଯ୍ୟନ୍ତ ଓଡ଼ିଶାରେ ନାରୀଶିକ୍ଷାର ବିଶେଷ ବିକାଶ ହୋଇପାରିନଥିଲା । ଯେଉଁ ଅଳ୍ପ କେତେଜଣ ନାରୀ ଆଧୁନିକ ଶିକ୍ଷା ଲାଭ କରି ସ୍ୱାବଲମ୍ବନଶୀଳା ହେଉଥିଲେ, ତାଙ୍କୁ ଆମ ସମାଜ ସହଜରେ ଗ୍ରହଣ କରିପାରୁନଥିଲା । ରକ୍ଷଣଶୀଳ ସମାଜ ସେମାନଙ୍କ ସ୍ୱାଧୀନ ଜୀବନଯାତ୍ରା ଉପରେ ବାରମ୍ବାର ଅଙ୍କୁଶ ପ୍ରୟୋଗ କରୁଥିଲା । କୌଣସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଲେ ସେମାନଙ୍କ ନାମରେ ନିନ୍ଦା ରଟନ କରୁଥିଲା । ‘ଭୁଲ’ ଗଳ୍ପରେ ସେହିପରି ଏକ ସାମାଜିକ ସମସ୍ୟାକୁ ରୂପ ପ୍ରଦାନ କରାଯାଇଛି । ଗଳ୍ପର ମୁଖ୍ୟ ଚରିତ୍ର ଜଣେ ଶିକ୍ଷିତା ନାରୀ ସୁଶୀଳା । କଲେଜ ପାଠ ପରେ ନର୍ମାଲ ସ୍କୁଲରେ ଟ୍ରେନିଂ ନେଇ ଶିକ୍ଷୟିତ୍ରୀ ଜୀବନକୁ ଆଦରିନେଇଛି । ତିନି ବର୍ଷ ସହକାରୀ ଶିକ୍ଷକରୂପେ କାର୍ଯ୍ୟ କରିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ପଦବୀକୁ ଉନ୍ନୀତ ହୋଇଛି । ତାର ଅବିବାହିତା ରହିବା ପ୍ରସଙ୍ଗରେ ଜଣେ ବାନ୍ଧବୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପତ୍ର ମାଧ୍ୟମରେ ସେ ଯାହା କହିଛି, ତାହାହିଁ ହେଉଛି ଗଳ୍ପର କଥାବସ୍ତୁ । ଅରୁଣା ନାମ୍ନୀ ଏକ ବାଳିକାର ନାମଲେଖା ପ୍ରସଙ୍ଗରେ ଯୁବକ ବିପିନ୍‌ବାବୁଙ୍କ ସହିତ ପରିଚୟ ହୁଏ ପ୍ରଧାନ ଶିକ୍ଷୟିତ୍ରୀ ସୁଶୀଳାର । ପ୍ରଥମ ପରିଚୟ ପରେ ବିପିନ୍‌ବାବୁ କୌଣସି ନା କୌଣସି ବାହାନାରେ ସୁଶୀଳାର ପିତାଙ୍କ ସହିତ କଥା କହିବାକୁ ବାରମ୍ବାର ଆସନ୍ତି । ସୁଶୀଳା ମଧ୍ୟ ବିପିନବାବୁଙ୍କ ମଧୁର ବ୍ୟବହାରରେ ଆକୃଷ୍ଟ ହୋଇପଡ଼େ । ହଠାତ୍‌ ସେ ଛଅମାସ ପର୍ଯ୍ୟନ୍ତ ସୁଶୀଳା ଘରକୁ ନ ଆସିବାରୁ ପ୍ରତୀକ୍ଷମାଣା ସୁଶୀଳା ତାଙ୍କର ଅନୁପସ୍ଥିତ ସଂପର୍କରେ ପିତାଙ୍କ ସହିତ କଥା ପ୍ରସଙ୍ଗରେ ଜାଣିଲା, ସେ ଆଉ ତାଙ୍କ ଘରକୁ ଆସିବେ ନାହିଁ । ପିତାଙ୍କ ମତରେ ଏପରି ବ୍ୟକ୍ତି ନିଜର ଆନନ୍ଦ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅବିବାହିତ ତରୁଣୀ ସହିତ କଥାବାର୍ତ୍ତା କରି ପରୋକ୍ଷରେ ସେମାନଙ୍କର ବଦନାମ କରିଥାନ୍ତି । ଦିନେ ଅଚାନକ ସୁଶୀଳା ବିପିନବାବୁଙ୍କୁ ଭଲ ପାଆନ୍ତି ବୋଲି ସ୍ୱୀକାର କରିବାରୁ ବିପନବାବୁ ତାହାକୁ ନିର୍ଦ୍ୱନ୍ଦ୍ୱରେ ସମର୍ଥନ କରନ୍ତି । ଏହାପରେ ପୁଣି ଗୋଟିଏ ବର୍ଷର ବ୍ୟବଧାନ । ଦିନେ ମାତୃମଙ୍ଗଳ ପ୍ରଦର୍ଶନୀରେ ନିଜର ଛାତ୍ରୀ ଅରୁଣା ସହିତ ମୁନୁ, ଟୁନୁ ଏବଂ ତାଙ୍କର ମା’ଙ୍କ ସହିତ ସାକ୍ଷାତ ହୁଏ । ନିକଟରେ ଥାନ୍ତି ବିପିନବାବୁ । ଅରୁଣା ସହିତ କଥା ବାର୍ତ୍ତାରୁ ସୁଶୀଳା ଜାଣିପାରେ ସ୍ତ୍ରୀ ଲୋକଟି ବିପିନବାବୁଙ୍କ ପତ୍ନୀ ଏବଂ ମୁନୁ, ଟୁନୁ ତାଙ୍କର ସନ୍ତାନଦ୍ୱୟ । ହତବାକ୍‌ ହୁଏ ସୁଶୀଳା । ବିପିନବାବୁ ବିଗତ ଦୁଇବର୍ଷ କାଳ ତା ସହିତ ପ୍ରତାରଣା କରିଚାଲିଥିବାରୁ ସେ ମାନସିକ ଆଘାତ ପାଏ, ମାତ୍ର ନିଜର ଉଦାର ହୃଦୟରେ ସୁଶୀଳା ତାଙ୍କୁ କ୍ଷମା କରିଦେଇ ଚିରକୁମାରୀ ରହିବାର ନିଷ୍ପତ୍ତି ନିଏ । ସମସାମୟିକ ଶିକ୍ଷିତା ନାରୀ ପ୍ରତି ସମାଜର ଏହି ଦୃଷ୍ଟିଭଙ୍ଗୀକୁ ପରୋକ୍ଷରେ ଗଳ୍ପରେ ସମାଲୋଚନା କରାଯାଇଛି ।

 

ପାରିବାରିକ ଜୀବନକୁ କେନ୍ଦ୍ର କରି ରଚିତ ହୋଇଥିବା ‘ଅନୁତପ୍ତା’ ଗଳ୍ପରେ ଆମ ସମାଜର ଅନ୍ୟ ଏକ ବିଶିଷ୍ଟ ଦିଗ ଉନ୍ମୋଚିତ । ସନ୍ତାନହୀନ ନାରୀ ପ୍ରତି ଆମ ସମାଜର ବିରୂପ ଦୃଷ୍ଟିଭଙ୍ଗୀ ସହିତ ଅର୍ଥନୀତି ମଣିଷ ଜୀବନ ଓ ତାର ଚରିତ୍ରକୁ କିପରି ପ୍ରଭାବିତ କରିଥାଏ, ଏଥିରେ ତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ରହିଛି । ମାଗୁଣି ଜଣେ ସାଧାରଣ କୃଷକ । ଅନାବୃଷ୍ଟି ଯୋଗୁଁ ପ୍ରଥମ ବର୍ଷ ଧାନଗଛ ସବୁ ଶୁଖି ନଷ୍ଟ ହୋଇଗଲା । ଦ୍ୱିତୀୟ ବର୍ଷ ଅତିବୃଷ୍ଟି ଯୋଗୁଁ ବିଲରେ ଧାନ ପଚିଗଲା । ପତ୍ନୀ ସାବିତ୍ରୀ ତଳସାହି ଶାରିଆ ବର ମାଳକୁ ଯାଇ ଯେପରି ବ୍ୟବସାୟ କରି ସ୍ୱଚ୍ଛନ୍ଦ ଜୀବନ ଅତିବାହିତ କରୁଛି, ସେପରି କରିବାକୁ ପରାମର୍ଶ ଦେଲା । ମାଳ ଡିଙ୍ଗରରେ ଜ୍ୱର ହେଉଛି ବୋଲି ମାଗୁଣି କହିବାରୁ ଶାରିଆ ଚୁପ୍‌ ରହିଲା । ଶାରିଆ ସନ୍ତାନହୀନା ଥିବାରୁ ସାବିତ୍ରୀନାମ୍ନୀ ଜନୈକ ସ୍ତ୍ରୀଲୋକ ପରୋକ୍ଷରେ ସୂଚନା ଦେବାରୁ ତାହା ତାକୁ ବ୍ୟଥିତ କଲା । ମନ ଦୁଃଖରେ ସେ ଘରେ ବସିଥିବା ସମୟରେ ମାଗୁଣି ଭାବିଲା ସେ ବେପାର ବଣିଜ କରୁନାହିଁ ବୋଲି ଦୁଃଖ କରୁଛି । ସାବିତ୍ରୀକୁ ସୁଖୀ କରିବା ପାଇଁ ମାଗୁଣି ନିଜର ବଳଦ ଦୁଇଟିକୁ ବିକ୍ରି କରି ୩୦ ଟଙ୍କାରେ ବ୍ୟବସାୟ ଆରମ୍ଭ କଲା । ଧୀରେ ଧୀରେ ତାର ଆର୍ଥିକ ଅବସ୍ଥା ସୁଧୁରିବାକୁ ଲାଗିଲା । ରୂପାଖଡ଼ୁ, ରଙ୍ଗ ଛିଟ ଓ ଆହୁରି କେତେ କେତେ ଦରବ ମାଗୁଣି କିଣିଦେଲା ପତ୍ନୀକୁ । ମାଗୁଣିର ପରିଶ୍ରମ ସାବିତ୍ରୀକୁ ଦୁଃଖ ଦେବାରୁ ସେ ତାକୁ ବଣିଜ ବନ୍ଦ କରିବାକୁ ଅନୁରୋଧ କଲା । ମାତ୍ର ମାଗୁଣି ଏଥିରେ ରାଜି ହେଲା ନାହିଁ । ଧୀରେ ଧୀରେ ମାଗୁଣିର ଘରକୁ ଆସିବା ବନ୍ଦ ହେଲା । ଶାରିଆ ବର ସହିତ ସାବିତ୍ରୀ ମାଗୁଣି ନିକଟକୁ ଯିବାକୁ ମନସ୍ଥ କରିବାରୁ ମାଗୁଣି ସେଠାରେ ଅନ୍ୟ ଏକ ସ୍ତ୍ରୀକୁ ଧରି ରହିଯାଇଥିବା ସମ୍ବାଦ ଶାରିଆ ଦେବାରୁ ତାର ମଥା ଘୂରିଗଲା । ଦିନେ ରକ୍ଷିତା କବଳରୁ ମୁକ୍ତି ପାଇ ମାଗୁଣି ତା’ ନିକଟକୁ ଫେରିଆସିବ, ଏହି ଅପେକ୍ଷାରେ ସାବିତ୍ରୀ ଚାହିଁରହିଲା ତାର ଆସିବା ବାଟକୁ । ବ୍ୟବସାୟ କରି ଘରଠାରୁ ଦୂରରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଚାରିତ୍ରିକ ସ୍ଫଳନ ତଥା ସନ୍ତାନହୀନା ନାରୀମାନଙ୍କର ସାମାଜିକ ସମସ୍ୟାକୁ ଏହି ଗଳ୍ପରେ ଗାଳ୍ପିକା ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ।

 

‘ଦୁଃଖୀ’ ଗଳ୍ପରେ ଗୋଟିଏ ଅସହାୟା ନାରୀର ବିଡ଼ମ୍ବିତ ଜୀବନ ସହିତ ଆମ ସମାଜର ଅନ୍ୟ ଏକ ଦିଗକୁ ନିର୍ଦ୍ଦେଶିତ କରାଯାଇଛି । ଦୁଃଖୀ ଜନ୍ମ ପରେ ପିତାଙ୍କୁ ଦେଖିନାହିଁ । ମାମୁଁ-ମାଇଁଙ୍କର କଡ଼ା ନଜର ଭିତରେ ଜୀବନ ଅତିବାହିତ କରିଛି । ବୁଦ୍ଧି ହେବା ଦିନରୁ ବାସିପାଇଟି କରି ଜୀବନ ବଞ୍ଚାଇଛି । ବାରବର୍ଷ ହେବାମାତ୍ରେ ମାମୁଁ କୌଣସି ବୁଢ଼ାବର ସହିତ ବିବାହ ଦେଇ ନିଜ ମୁଣ୍ଡରୁ ବୋଝ ଖଲାସ କରିଦେବାକୁ ଚିନ୍ତା କରିବାରୁ ଦୁଃଖୀ ସେଥିରେ ରାଜି ହୋଇନାହିଁ । ତା’ ମା ବୁଢ଼ାବରକୁ ବିବାହ କରି କିପରି ବିଧବା ଜୀବନର ଦୁଃଖକୁ ସାମ୍‍ନା କରିଛି ସେ ତାହା ପ୍ରତ୍ୟକ୍ଷ କରିଛି । ଅନ୍ୟ ପକ୍ଷରେ ମାଧବ ପଣ୍ଡାଙ୍କ ପୁଅ ସାବତ ମା’ର ଅତ୍ୟାଚାର ସହିନପାରି କଲିକତା ଯାଇଛି । କିଛି ଦିନ ପରେ ଟଙ୍କା ପଇସା ଧରି ଗ୍ରାମରେ ପହଞ୍ଚିବା ପରେ ବନ୍ଧୁମାନଙ୍କଠାରୁ ଦୁଃଖୀର ରୂପ, ଗୁଣ ଶୁଣି ତାକୁ ବିବାହ ନିମିତ୍ତ ପ୍ରସ୍ତାବ ଦେଇଛି । ତାର ଜିଦ୍‌ଯୋଗୁଁ ଦୁଃଖୀ ସହିତ ବିବାହ କାର୍ଯ୍ୟ ସମାପନ ହୋଇଛି । ଦୁଃଖୀ ଘରଯୋଗ୍ୟା ହେବା ପରେ ୫ ବର୍ଷ ପରେ ଶାଶୁ ଘରକୁ ଯିବା କଥା । ବିନାୟକ ବାପା ନିକଟକୁ ଟଙ୍କା ଓ ଚିଠି ଦେଉଥିଲେହେଁ, ତାର କୌଣସି ଖବର ତାଙ୍କ ପାଖରେ ନାହିଁ ବୋଲି ବିନାୟକର ପିତା କହିଛନ୍ତି । ଏହା ସହିତ ଦୁଃଖୀ ଉପରେ ପ୍ରତିଶୋଧ ନେବା ପାଇଁ ପୁଅ ଛତରା ହୋଇଯାଇଛି ବୋଲି ନିନ୍ଦା କରିଛନ୍ତି । ଅଚାନକ ବିନାୟକ ଗାଁରେ ପହଞ୍ଚି ପତ୍ନୀକୁ ଧରି କଲିକତା ଯାଇଛି । ଭଡ଼ାଘର ମାଲିକାଣୀ ଦୁଃଖୀକୁ ଝିଅ ଦୃଷ୍ଟିରେ ଦେଖିଛନ୍ତି । ଉଭୟ ଉଭୟକୁ ଗଭୀର ସ୍ନେହ କରନ୍ତି । ହଠାତ୍‌ ଦିନେ ଦୁଃଖୀକୁ ଜର ହୁଏ । ୪୮ ଦିନର ସେବା ଯତ୍ନ ପରେ ସେ ଭଲ ହୋଇଯାଏ, ମାତ୍ର ବିନାୟକ ଶରୀର ଦୁର୍ବଳ ହୋଇ ଜ୍ୱର ଏବଂ କାଶରେ ପୀଡ଼ିତ ହେବାକୁ ଲାଗେ । କାଶରେ ରକ୍ତ ପଡ଼ିବାରୁ ଯକ୍ଷ୍ମା ହୋଇଛି ବୋଲି ଜଣାପଡ଼େ । ଦୁଃଖୀକୁ ଆଘାତ ଲାଗିବ ବୋଲି ତାକୁ କିଛି ନକହି ଗ୍ରାମରେ ମାମୁଁ-ମାଇଁଙ୍କ ପାଖରେ ଛାଡ଼ିଆସେ । ଛଅମାସ ପରେ ବିନାୟକର ମୃତ୍ୟୁ ସମ୍ବାଦ ଗ୍ରାମରେ ପହଞ୍ଚିବାମାତ୍ରେ ଦୁଃଖୀ ନୀରବ ଓ ନିଷ୍ପନ୍ଦ ହୋଇପଡ଼େ । ଧୀରେ ଧୀରେ ଅତୀତର ସେହି ଦୁଃଖର ଗହ୍ୱରକୁ ପୁଣି ଟାଣିହୋଇଯାଏ । ଏହି ଗଳ୍ପରେ ପତି-ପତ୍ନୀଙ୍କର ଦାଂପତ୍ୟ ମଧୁମୟ ପ୍ରେମ, ସାବତ ମା’ର ସନ୍ତାନପ୍ରତି ପ୍ରତିକୂଳ ବ୍ୟବହାର, ମାମୁଁ ମାଇଁଙ୍କର ଭାଣିଜୀ ପ୍ରତି ଅନାଦର ଭାବକୁ ପ୍ରକାଶ କରାଯାଇ ଆମ ସାମାଜିକ ଜୀବନର ଗୋଟିଏ ଦିଗକୁ ଉନ୍ମୋଚନ କରାଯାଇଛି । ଗଳ୍ପଟି କରୁଣରସାସିକ୍ତ ।

 

‘ନିଷ୍ଫଳ’ ଗଳ୍ପରେ ଦୁଇଜଣ ଯୁବକ-ଯୁବତୀ-ପ୍ରେମୀ-ପ୍ରାଣର ଅସଫଳତା ବର୍ଣ୍ଣନା କରାଯାଇଛି । ଗାଁ ମୁଣ୍ଡରେ ଘର କରିଥିବା ରାଜୁ ଫୁଲ କାଟେ । ପ୍ରଧାନ ଘର ସାନଝିଅ ମାଧବୀ ନୂଆ ଭାଉଜ ସହିତ ପାଣି ନେବାକୁ ଆସିବା ସମୟରେ ସବୁଦିନ ଦେଖା-ସାକ୍ଷାତ ହୁଏ । ରାଜୁ ଭଦ୍ର, ସଂଯତ । ଉଭୟ ଉଭୟଙ୍କୁ ସ୍ନେହ ଓ ଶ୍ରଦ୍ଧା କରନ୍ତି । ଉଭୟଙ୍କ ମଧ୍ୟରେ ପରସ୍ପର ଅଜଣାରେ ଏକ କୋମଳ ଭାବଟି ଗଜୁରିଉଠେ ପରସ୍ପର ପାଇଁ । ସେମାନଙ୍କର ସ୍ନେହ ଦେଖି ଭାଉଜ ପରିହାସ କରନ୍ତି ମାଧବୀ ରାଜୁର ବୋହୂ ହୋଇଥିଲେ ଖୁବ୍‌ ମାନନ୍ତା । ଲାଜେଇଯାଏ ରାଜୁ । ହଠାତ୍‌ ଦିନେ ପାଣି ନେବାକୁ ଆସି ମାଧବୀ ଦେଖେ ରାଜୁକୁ ଖୁବ୍‌ ଜର । ସେ ତା’ ହାତରେ ଶାଗୁ ଫୁଟାଇଦେଲା-। ମାଧିକୁ ନେଇ ଗୋଟିଏ ନୂଆ ସଂସାର କରିବାର ପରିକଳ୍ପନା ତା’ ମନରେ ଉଙ୍କିମାରିଲା । କଥା ପ୍ରସଙ୍ଗରେ ମନକଥା ମାଧିକୁ କହିବାରୁ ସେ ଲାଜରେ ପଳାଇଗଲା । ମାଧି ବାପା ତାକୁ ଜ୍ୱାଇଁ କରିବାକୁ ଆଗ୍ରହୀ ବୋଲି ଗାଁ ଲୋକଙ୍କଠାରୁ ଶୁଣିଲା । ତା’ପରେ ମାଧି ରାଜୁର ଫୁଲକଟା ଦେଖିବାକୁ ଆସେନି । ହଠାତ୍‌ ଦିନେ ରାଜୁର ସ୍ୱପ୍ନ ଟୁକୁଡ଼ା ଟୁକୁଡ଼ା ହୋଇଗଲା । ମାର୍ଗଶିର ମାସର କେଉଁ ଏକ ସନ୍ଧ୍ୟାରେ ବର ସୁଆରି ପଛରେ କନ୍ୟା ସୁଆରି ଚାଲିଛି । ରାଜୁ ପଚାରି ବୁଝିଲା ମାଧିର ବାହାଘର ହୋଇଯାଇଛି । ରାଜୁ ଘରକୁ ଦଉଡ଼ିଯାଇ ସହରରୁ ମାଧି ଉଦ୍ଦେଶ୍ୟରେ ଆଣିଥିବା କାନଫୁଲ ହାତରେ ଦେଇ କହିଲା–‘‘ମାଧବୀ, ନେ ନେ । ସହରର ଆରତବାବୁଙ୍କ ଘରୁ ପୁନି ଦେଇର ଦୁଲ୍‌ ଦେଖି ତୋ ପାଇଁ ଗଢ଼େଇ ଆଣିଥିଲି । ମୋର ଆଉ କ’ଣ ହେବ । ଏହାରି ମଧ୍ୟରେ ଗୋଟିଏ ନିଷ୍ପାପ ତରୁଣ ମନର ପ୍ରେମର ଗଭୀରତା ପ୍ରକାଶିତ ।

 

‘ସନ୍ନ୍ୟାସୀର ସ୍ୱପ୍ନ’ ଗଳ୍ପରେ ଜଣେ ତରୁଣ ସନ୍ନ୍ୟାସୀର କାମନା ଓ ସାଧନା, ଭୋଗ ଓ ତ୍ୟାଗ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ଦେଖାଇଦିଆଯାଇଛି । ଭାରତୀୟ ସାମାଜିକ ପରଂପରାରେ ବାନପ୍ରସ୍ଥ ପୂର୍ବରୁ ଗୃହସ୍ଥାଶ୍ରମର ଗୁରୁତ୍ୱକୁ ଉପଲବ୍‌ଧି କରାଯାଇଥାଏ । ଏହି ସ୍ତରଟିକୁ ଯେଉଁମାନେ ଅବହେଳା କରି ବାନପ୍ରସ୍ଥ ଜୀବନ ଅବଲମ୍ବନ କରିବାକୁ ଯାଆନ୍ତି, ନିୟନ୍ତ୍ରଣ ଅଭାବରୁ ସେମାନେ ସାଧନାରେ ବିଫଳତାହିଁ ପାଇଥାନ୍ତି । ରାଜକୁମାରୀଙ୍କ ଅପରୂପରେ ତରୁଣ ସନ୍ନ୍ୟାସୀ ବିଚଳିତ ହେବାରୁ ତପସ୍ୟାରେ ଅନିୟମିତତା ଆସିଛି । ଏହି କାରଣରୁ ଅନ୍ୟ ସନ୍ନ୍ୟାସୀମାନଙ୍କଦ୍ୱାରା ଭର୍ତ୍ସିତ ଓ ନିନ୍ଦିତ ହୋଇଛି । ନିଜର ସଂଗୁପ୍ତ କାମନାକୁ ନିୟନ୍ତ୍ରଣ କରିନପାରିବାରୁ ବାସ୍ତବ ଜୀବନରେ ନହେଲେ ମଧ୍ୟ ସ୍ୱପ୍ନରେ ରାଜକୁମାରୀ ତାକୁ କୋଳାଗ୍ରତ କରିଛି । ଏହି ଗଳ୍ପଟିରେ ଫ୍ରଏଡ଼୍‍ଙ୍କ ମନସ୍ତତ୍ତ୍ୱର ସ୍ୱପ୍ନତତ୍ତ୍ୱ ଗୁରୁତ୍ୱ ପାଇଛି । ମଣିଷର ମନସ୍ତତ୍ତ୍ୱକୁ ଏଥିରେ ପରୀକ୍ଷା କରାଯାଇ ତାର ବାସ୍ତବ ସ୍ୱରୂପଟିକୁ ଉଦ୍‌ଘାଟନ କରାଯିବା ପାଇଁ ଚେଷ୍ଟା ହୋଇଛି ।

 

‘ବେସୁରା ବେହେଲା’ ଏକ କରୁଣ ରସାଶ୍ରିତ ମାନବବାଦୀ ଗଳ୍ପ । ପରମାନନ୍ଦ ବାଲ୍ୟକାଳରୁ ଜଣେ ଭିକାରୁଣୀର ଆଶ୍ରିତ ହୋଇ ଭିକ୍ଷାବୃତ୍ତିକୁ ଜୀବିକା ଭାବରେ ଗ୍ରହଣ କରିଛି । ତା’ କଣ୍ଠସ୍ୱର ସୁନ୍ଦର ହୋଇଥିବାରୁ ଭଙ୍ଗା ବେହେଲା ହେଲେ ମଧ୍ୟ ତା’ ଭଜନରେ ଆକୃଷ୍ଟ ହୋଇ ବାବୁ ଓ ମା’ମାନଙ୍କ ଦୟାର ଦାନ ଏକୁଟିଆ ସଂସାର ଚଳାଇବାରେ କୌଣସି କଷ୍ଟ ହୁଏ ନାହିଁ । ପାଞ୍ଚବର୍ଷର ଝିଅ ସୁରୁଜୀକୁ ତାର ଭିକାରୁଣୀ ମା’ ଏକୁଟିଆ ଛାଡ଼ି ବାତରୋଗରେ ମୃତ୍ୟୁବରଣ କରିବାରୁ ପରମାନନ୍ଦ ନିର୍ଦ୍ୱନ୍ଦ୍ୱରେ ତାର ଦାୟିତ୍ୱ ଗ୍ରହଣ କରିନେଇଛି । ୧୩ ବର୍ଷ ବୟସର ଯୌବନ ସ୍ପର୍ଶରେ ସୁରୁଜୀର ରୂପ ଚହଟିଉଠିବାରୁ ଅନ୍ୟ ପାପ ଦୃଷ୍ଟିରୁ ବଞ୍ଚାଇବାକୁ ସେ ଭିକ ମାଗିବାକୁ ଯିବା ସମୟରେ ସଙ୍ଗରେ ନେଇଯାଏ । ପରମାନନ୍ଦ ପରି ସେ ମଧ୍ୟ ସୁନ୍ଦର ଭଜନ ଗାଇପାରେ । ତାର ସୁନ୍ଦର ସ୍ୱର ଓ ରୂପ ଦେଖି କେତେକ ପରମାନନ୍ଦକୁ ପ୍ରସ୍ତାବ ଦିଅନ୍ତି ସୁରୁଜୀକୁ ନାଟକ କଂପାନୀରେ ଛାଡ଼ିବାକୁ । ସୁରୁଜୀର ଅନିଚ୍ଛା ସତ୍ତ୍ୱେ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜର ସଞ୍ଚିତ ଅର୍ଥରେ ଲୁଗା ଓ କାଞ୍ଚୁଲା କିଣି ‘ନାଟ୍ୟ ମନ୍ଦିର’ ନାମକ ନାଟକ କଂପାନୀରେ ପରମାନନ୍ଦ ଛାଡ଼ିଦେଇଆସେ । ସମୟ ପାଇଲେ ସୁରୁଜୀକୁ ମଝିରେ ମଝିରେ ଦେଖିବାକୁ ଯାଏ । ତାର ପଢାଶୁଣା ଦେଖି ଖୁସି ହୁଏ । ମାତ୍ର ମେନେଜର ବାବୁଙ୍କ କୁଦୃଷ୍ଟିକୁ ସହଜରେ ହଜମ କରିପାରେନି । ଦିନେ ଅବେଳରେ ପରମାନନ୍ଦ ସୁରୁଜୀ ପାଖକୁ ଯିବାରୁ ସେ ବିରକ୍ତ ହୁଏ, ମେନେଜର ଅପମାନ ଦିଅନ୍ତି । ଦୁଃଖ ଓ ବିଷାଦରେ ସବୁଦିନ ପାଇଁ ତା ବେହେଲା ବନ୍ଦ ହୋଇଯାଏ । ନିଜ ଭଉଣୀ ପରି ଯାହାକୁ ସ୍ନେହ ଦେଇ କୋଳେଇନେଇଥିଲା, ତାର ଅପମାନକୁ ନୀଳକଣ୍ଠ ପରି ହଜମ କରି ଚୁପ୍‌ ହେବାକୁ ବାଧ୍ୟ ହୁଏ । ସ୍ନେହ ଓ ପ୍ରେମର ମୂଲ୍ୟ ଯେ ଅପମାନ ହୋଇପାରେ, ତା’ କେବେ ସେ ସ୍ୱପ୍ନରେ ଭାବିପାରିନଥିଲା-। ପରମାନନ୍ଦ ଜୀବନର ତ୍ୟାଗ ଓ ପ୍ରେମ ଭିତରେ ଯେଉଁ ମାନବବାଦୀ ଚିନ୍ତାଧାରାଟି ପ୍ରତିଫଳିତ, ତାହାହିଁ ହୋଇଛି ଏହି ଗଳ୍ପଟିର ବୈଶିଷ୍ଟ୍ୟ ।

 

‘ଗୋଟିଏ ସନ୍ଧ୍ୟାର ସ୍ମୃତି’ ଗଳ୍ପରେ ପାଠକର ପ୍ରଶଂସା ଓ ଶ୍ରଦ୍ଧା କିପରି ଜଣେ ଲେଖକଙ୍କୁ ଆହ୍ଲାଦିତ କରିଥାଏ, ତା’ର ଚମତ୍କାର ଉଦାହରଣ ରହିଛି । ପାଠକୀୟ ଆଦୃତି ମଧ୍ୟରେ ଲେଖକର ସାର୍ଥକତା ନିହିତ । ପ୍ରଥମ ପୁରୁଷରେ ଗଳ୍ପଟି ଲିଖିତ । ଲେଖକ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ହେଲେହେଁ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖିବା ତାଙ୍କର ନିଶା । ନିଜ ପତ୍ନୀ ଅଶିକ୍ଷିତା ହୋଇଥିବାରୁ ଗୃହରେ ତାଙ୍କ ଲେଖାର ମର୍ଯ୍ୟାଦା କେହି ବୁଝନ୍ତି ନାହିଁ । ଏକଦା ଟୁରରେ ଯିବା ସମୟରେ ଜଣେ ମହିଳା ସହଯାତ୍ରୀ ତାଙ୍କ ନିକଟରେ ବସିଥିଲେ । ଝରପୁର ଡାକ ବଙ୍ଗଳାରେ ପହଞ୍ଚିବାମାତ୍ରେ ଚପରାଶି ଚରମ ଡାକରେ ସେ ସଚେତନ ହେଲେ । ଭଦ୍ରମହିଳା ଶିକ୍ଷିତା । ଛୁଟି ଥିବାରୁ ବଡ଼ ଭଉଣୀ, ଯିଏ ନିକଟବର୍ତ୍ତୀ କୌଣସି ଗ୍ରାମରେ ଡାକ୍ତରାଣୀ ଅଛନ୍ତି ତାଙ୍କ ପାଖକୁ ଯାଉଥିଲେ । ସୁଟ୍‌କେଶ ଖୋଲି ପତ୍ରିକାଟିଏ ବାହାର କରି ଓକିଲ ଶ୍ରୀ ବାଇ ମହାନ୍ତି ଲେଖିଥିବା ‘ଅବଳା ସବଳା ହେଲେ ବୁଡ଼ିବ ଭେଳା’ ପ୍ରବନ୍ଧଟି ଲେଖଙ୍କର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଜଣେ ଲେଖକ ଶିକ୍ଷିତା ନାରୀମାନଙ୍କୁ କିପରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛନ୍ତି, ତାହା ଦେଖାଇଛନ୍ତି । ସେ ଯାହାଙ୍କୁ ପତ୍ରିକାଟି ଦେଖାଉଥିଲେ, ସେହି ବାବୁ ଦ୍ୱିତୀୟ ପ୍ରବନ୍ଧର ଲେଖକ ଜାଣି ତାଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି । ତାଙ୍କ ଲେଖାର ପ୍ରଶଂସା ଶୁଣି ଲେଖକ କୃତ୍ୟ କୃତ୍ୟ ହୋଇଛନ୍ତି । ପାଠକୀୟ ପ୍ରଶଂସା ପ୍ରତ୍ୟେକ ଲେଖକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ, ଏହାହିଁ ଗଳ୍ପଟିରେ ପ୍ରତିପାଦିତ ହୋଇଛି ।

 

‘ସାଗର ତଳେ’ ଗଳ୍ପରେ ଜଣେ ଯୁବକର ମନଗହନର ରହସ୍ୟ ପ୍ରକାଶିତ ହୋଇଛି । ସମୟେ ସମୟେ ଗୋଟିଏ ଖିଆଲର ବଶବର୍ତ୍ତୀ ହୋଇ ଯୁବକଗଣ ଯେଉଁ କାର୍ଯ୍ୟ କରିଥାନ୍ତି, ପରବର୍ତ୍ତୀ ସମୟରେ ସେଥିପାଇଁ ତାଙ୍କୁ ପଶ୍ଚାତ୍ତାପ କରିବାକୁ ପଡ଼ିଥାଏ । ଦେଶସେବୀ ଗୋକୁଳବାବୁଙ୍କ ପୁତ୍ର ନୀଳମଣି ତାଙ୍କ ବଡ଼ ଭାଇଙ୍କ ଘରେ ରହି ବି.ଏ. ପାସ୍‌ ପରେ ଦଦେଇ ବାଳିକା ବିଦ୍ୟାଳୟରେ ଅଧ୍ୟୟନରତା ସୁନ୍ଦରୀ ଯୁଥିକାନାମ୍ନୀ କନ୍ୟା ସହିତ ନୀଳମଣିର ବିବାହ ପାଇଁ ସ୍ଥିର କରିଛନ୍ତି । ମାତ୍ର ନୀଳମଣି ପରାଧୀନ ଦେଶ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିବାରୁ ବିବାହକୁ ଏକ ବନ୍ଧନ ଭାବରେ ଗ୍ରହଣ କରି ଦଦେଇଙ୍କ ପୁଅ ଡଃ ମହେଶଙ୍କ ସହିତ ଯୁଥିକାର ବିବାହ ଦେବାକୁ ଅନୁରୋଧ କରିଛନ୍ତି । ଉଚ୍ଚଶିକ୍ଷା ପାଇଁ ଲାହୋର ଯିବାରୁ ମହେଶଙ୍କ ବିବାହରେ ଯୋଗ ଦେଇପାରନ୍ତି ନାହିଁ । ସ୍ୱାସ୍ଥ୍ୟହାନି କାରଣରୁ କଟକକୁ ଫେରି ରଘୁବୀରଠାରୁ ଭାଉଜ ଯୁଥିକାର ରୂପ, ଗୁଣର ଢେର ଢେର ପ୍ରଶଂସା ଶୁଣି ନୀଳମଣିଙ୍କ ହୃଦୟର ସୁପ୍ତ ବେଦନା ଜାଗିଉଠିଛି । ବାସ୍ତବ ଜଗତରେ ନହେଲେ ମଧ୍ୟ ସ୍ୱପ୍ନରେ ସେ ଯୁଥିକାର ସ୍ପର୍ଶ ଲାଭ କରିଛନ୍ତି । ନାରୀ ଓ ପୁରୁଷ ମଧ୍ୟରେ ରହିଥିବା ସ୍ୱାଭାବିକ ଆକର୍ଷଣକୁ କୌଣସି ସମୟରେ ଅବହେଳା କରାଯାଇପାରେନା; ବରଂ ଉଭୟଙ୍କ ମଧୁର ସଂସ୍ପର୍ଶରେ ଜୀବନ ଯେ ମଧୁମୟ ହୋଇଉଠେ, ତାହା ଏଥିରେ ପ୍ରତିପାଦିତ ହୋଇଛି ।

 

‘ଅପରାଜିତା’ ଗଳ୍ପର ଛତ୍ରେ ଛତ୍ରେ ମାନବିକ ସମ୍ବେଦନଶୀଳତାର ସ୍ୱର ସ୍ପଷ୍ଟ । ଭାରତୀୟ ମୁକ୍ତି ସଂଗ୍ରାମର କିଛି ଆଭାସ ଏହି ଗଳ୍ପଟିରେ ଦେଖିବାକୁ ମିଳେ । ଏହା ସହିତ ଜଣେ ଜେଲର୍‍ର ମାନବବାଦୀ ଚିନ୍ତାଧାରା ସହିତ ତାର ପ୍ରଣୟ ଯନ୍ତ୍ରଣା ବେଶ୍‌ କଳାତ୍ମକ ଢଙ୍ଗରେ ଏଥିରେ ଫୁଟିଉଠିଛି । ବ୍ରହ୍ମପୁର ଜେଲ୍‌ରେ ଜେଲର୍‍ଭାବେ କାର୍ଯରତ ଅବିବାହିତ ଯୁବକ ସନାତନ ମହାନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ଜଣେ ବେଶ୍ୟାକୁ ସେଠାକାର ଜେଲର ମାନ୍ଦ୍ରାଜ ନେଇ ଚାଲିଯାଇଥିବାରୁ ଏହି ଘଟଣାଟି ବିଭିନ୍ନ ସ୍ଥାନରେ ଆଲୋଚ୍ୟ ବିଷୟ ହୋଇ ପଡ଼ିଥିଲା । ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସୁପରିଟେଣ୍ଡେଣ୍ଟ ସନାତନକୁ ସତର୍କ କରାଇଦେଇଥାନ୍ତି । ସେହି ଜେଲ୍‌ରେ ଫରଓ୍ୱାର୍ଡ଼ ବ୍ଲକ୍‌ର ନେତା ମିଷ୍ଟର ମହାନ୍ତି ଓ ତାଙ୍କ କନ୍ୟା ସୁନ୍ଦରୀ ନନ୍ଦିତା ରାଜବନ୍ଦୀ ଭାବରେ ରହୁଥାନ୍ତି । ନନ୍ଦିତାର ରୂପ ଓ ଦେଶର ସ୍ୱାଧୀନତା ସଂପର୍କରେ ତାଙ୍କର ସ୍ପଷ୍ଟୋକ୍ତି, ସାହସିକତା ଏବଂ ବିଚାର ବୁଦ୍ଧି ସନାତନଙ୍କୁ ପ୍ରଭାବିତ କରିଥିଲା । ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ମଧୁର ସଂପର୍କଟିଏ ଗଜୁରିଉଠୁଥିଲା । ଅଧସ୍ତନ ଅଫିସର ବିଭୂତିବାବୁଙ୍କ ନିକଟରେ ଘଟଣାଟି ଅଜଣା ରହିନଥିଲା । ସୁପରିଟେଣ୍ଡେଣ୍ଟ ଫେରିଆସିବା ପରେ ବିଭୂତିବାବୁ ସମସ୍ତ ଘଟଣା ତାଙ୍କ ନିକଟରେ ପ୍ରକାଶ କରିଦେଲେ । ଏହି କାରଣରୁ ସନାତନକୁ କୋରାପୁଟ ବଦଳି କରାଗଲା । ଦୂରତାର ବ୍ୟବଧାନ ବଢ଼ିଗଲା ସିନା, ମାତ୍ର ତାଙ୍କ ହୃଦୟର ଆକର୍ଷଣ ଆଦୌ କମିନଥିଲା । ବାସ୍ତବ ଜୀବନରେ ସେ ତାଙ୍କ ପ୍ରେୟସୀ ନନ୍ଦିତାକୁ ପାଇନଥିଲେହେଁ ତାଙ୍କ ପ୍ରେମ ମାନସିକ ସ୍ତରରେ ପରାଜୟ ସ୍ୱୀକାର କରି ନାହିଁ । ଏହି କାରଣରୁ ସେ ପରାଜିତ ନୁହନ୍ତି, ଅପରାଜିତ ।

 

‘ନିରାଶ୍ରିତ’ ଗଳ୍ପରେ ଗିରିବାସୀମାନଙ୍କର ଆର୍ଥନୀତିକ ବିପର୍ଯ୍ୟସ୍ତ ଜୀବନର ଚିତ୍ର ପ୍ରଦର୍ଶିତ । ଇଶିରା ଜାତିରେ କନ୍ଧ । ମିଟିକାକୁ ନେଇ ତାର ଅଳ୍ପଦିନର ସଂସାର । କେଉଁ ଅଜଣା ରୋଗରେ ଶହ ଶହ ଗିରିଜନଙ୍କ ପରି ମିଟିକା ମଧ୍ୟ ପ୍ରାଣ ହରାଇଲା । ଫୁଲବାଣୀର ଗୋରା ସାହେବଙ୍କ ଘରେ ଇଶିରା କାମ କରି କୌଣସିପ୍ରକାରେ ଜୀବନ ବଞ୍ଚାଇଚାଲିଥିଲା । ହଠାତ୍‌ ଗୋରା ସାହେବଙ୍କ ବଦଳରେ ଜଣେ ହିନ୍ଦୁ ସାହେବ ସେଠାକୁ ଆସିଲେ । ଜାତିଆଣ ଭେଦଭାବ ନେଇ ଇଶିରା ନିଜ କାମ ହରାଇବସିବାରୁ ଜଣେ ଜମିଦାରଙ୍କ ଆମ୍ବତୋଟା ଜଗିବାର ଦାୟିତ୍ୱ ନେବାକୁ ବାଧ୍ୟ ହେଲା । ରାତିରେ ଆମ୍ବତୋଟା ଜଗିବା ଏବଂ ଦିନରେ ବଣକୁ ଯାଇ କାଠ କାଟି ବିକ୍ରି କରିବା–ଏହାରି ମଧ୍ୟରେ ତାର ଲକ୍ଷ୍ୟହୀନ ଜୀବନ ଗଡ଼ିଚାଲିଥିଲା । ସେହି ବଣକୁ ବାଉରି ସାହିର କିଛି ଝିଅଙ୍କ ସହିତ ରୂପେଇ ମଧ୍ୟ କାଠ ଆଣିବାକୁ ଯାଏ । ବାରମ୍ବାର ଦେଖାସାକ୍ଷାତଦ୍ୱାରା ସେମାନଙ୍କ ମଧ୍ୟରେ ପ୍ରେମର କଢ଼ିଟିଏ ଗଜୁରିଉଠେ । ରୂପେଇ ଅନ୍ୟମାନଙ୍କୁ ଲୁଚି ଇଶିରା କୁଡ଼ିଆକୁ ଯାଏ, ବେଳେ ବେଳେ ସେଠାରେ ଅନେକ ସମୟ ବିତାଇଦେଇଥାଏ । ଥରେ ରୂପେଇ ସେଠାରେ ଶୋଇଥିବା ସମୟରେ ଜମିଦାରଙ୍କ ମାଳି ମାଗତା ତାହା ଦେଖି ଗ୍ରାମବାସୀଙ୍କୁ ଖବର ଦିଏ । ରୂପେଇର ଜାତି ଗଲା ଓ ଗ୍ରାମରୁ ବାସନ୍ଦ ହୋଇ ସେ ଇଶିରା ପାଖରେ ରହିଯାଏ । ଇଶିରାର ପବିତ୍ର ଭଲ ପାଇବା ରୂପେଇର ସମସ୍ତ ଦୁଃଖକୁ ଭୁଲେଇଦିଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଘଟଣା । ଯୁଦ୍ଧର ଭୟାଭୟତା ସହିତ ବନ୍ୟା ଓ ଦୁର୍ଭିକ୍ଷ ଯୋଗୁଁ ସେ ବର୍ଷ ଖାଦ୍ୟ ସଂକଟ ଦେଖାଦେଲା । ଇଶିରା କାମ ଖୋଜି ଖୋଜି ବହୁ ଦୂରକୁ ଚାଲିଯିବାରୁ ଯଥା ସମୟରେ ଘରକୁ ଫେରିପାରେ ନାହିଁ । ମାଗତାର ଅଶ୍ଳୀଳ ଇଙ୍ଗିତ ଏବଂ ନେତ ବୁଢ଼ୀର ଜାତି ନେଇ ଝିଙ୍ଗାସା ବାଣୀରେ ରୂପେଇ ଅତିଷ୍ଠ ହୋଇପଡ଼େ । ତଥାପି ଇଶିରାର ସ୍ମୃତିକୁ ନେଇ ସେ କୁଡ଼ିଆରେ ଅପେକ୍ଷା କରିଚାଲେ । ଦିନେ ଗାଁ ଭାଇ ସୁକୁରିଆ ରୂପେଇକୁ ଇଶିରା ପଠାଇଥିବା ପାଞ୍ଚଟଙ୍କା ଦେବା ସହିତ ସେ ମଣିପୁରରେ ମାଟି କାମ କରୁଛି ବୋଲି କହେ । ଦୁଇ ମାସ ପରେ ସେ ଘରକୁ ଫେରିବ ଏବଂ ତାକୁ ଏଠାରୁ ନେଇଯିବ ବୋଲି ସମ୍ବାଦ ଦିଏ । ସାଧାରଣ ଲୋକମାନେ ପେଟ ଚାଖଣ୍ତକ ପାଇଁ କିପରି କାଳିମାଟି, ରେଙ୍ଗୁନ୍‌, ମଣିପୁର ଆଦି ସ୍ଥାନକୁ ଯାଇ ଜୀବିକା ନିର୍ବାହ କରୁଥିଲେ, ତାର ଏକ ପରୋକ୍ଷ କରୁଣ ଚିତ୍ର ଏହି ଗଳ୍ପଟିରେ ପ୍ରକାଶିତ ।

 

‘ଦୁଇଟି ଦିନର ମୋହ’ ଗଳ୍ପରେ ଜଣେ ନିରୀହା ତରୁଣୀର ବେଦନା ଓ ଅଭିଜାତ ମଣିଷର ପ୍ରତାରଣା ତଥା ଅମାନବିକ ବ୍ୟବହାରକୁ ରୂପ ପ୍ରଦାନ କରାଯାଇଛି ।

 

ଲୋକନାଥ ମୁନୀ ପିଲାଦିନରୁ ବାପା-ମା’ ଛେଉଣ୍ଡ ହୋଇଥିଲେହେଁ ଈଶ୍ୱରଙ୍କ ଦୟାରୁ ବଡ଼ ହୋଇ ମୁକ୍ତେଶ୍ୱର ମନ୍ଦିରର ସେବକ ଭାବରେ କାର୍ଯ୍ୟ କରିଛି । ମାତ୍ର ଦୁଃଖ କଦାପି ତା ପିଛା ଛାଡ଼ିନାହିଁ । ବିବାହର କିଛିଦିନ ପରେ ପତ୍ନୀ କନ୍ୟାଶିଶୁଟିକୁ ଜନ୍ମ ଦେଇ ଇହଲୀଳା ସାଙ୍ଗ କରିବାରୁ ଲୋକେନ ଉଭୟ ପିତା ଓ ମାତାଙ୍କର ସ୍ନେହ ଦେଇ କନ୍ୟାଟିକୁ ପ୍ରତିପାଳିଛି । ନାମ ଦେଇଛି ବନଫୁଲ । ଯୌବନରେ ପାଦ ଦେଇଛି ବନଫୁଲ । ଥରେ ଶ୍ରଦ୍ଧାପୁର ଗଡ଼ର ଉତ୍ତରାଧିକାରୀ ଇଂଲଣ୍ଡ ଫେରନ୍ତା ବିପିନବାବୁ ମନ୍ଦିର ଦର୍ଶନରେ ଆସି ବନଫୁଲର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇଛନ୍ତି । ବିପିନବାବୁ ପ୍ରତିଦିନ ମନ୍ଦିରକୁ ଆସି ବନଫୁଲ ମୁଖର ଗୀତଗୋବିନ୍ଦ ଶୁଣନ୍ତି । ଦୈନନ୍ଦିନ ଦେଖାସାକ୍ଷାତରୁ ଉଭୟଙ୍କ ମଧ୍ୟରେ ମାନସିକ ସଂପର୍କଟିଏ ସୃଷ୍ଟି ହୁଏ । ଯେଉଁଦିନ ଚରଣ ଚପରାଶି ବିପିନ୍‌ବାବୁଙ୍କୁ ମନ୍ଦିରକୁ ଡାକିବାକୁ ଆସେ, ତା’ ପରଠାରୁ ତାଙ୍କୁ ଆଉ ମନ୍ଦିରରେ ଦେଖିବାକୁ ମିଳେନି । ତାଙ୍କର ଦୀର୍ଘଦିନର ଅନୁପସ୍ଥିତିରେ ବିବ୍ରତା ବନଫୁଲ ବିପିନବାବୁଙ୍କ କୋଠା ପାଖରେ ପହଞ୍ଚି ଝରକାରେ ତାଙ୍କୁ ଦେଖି ଆନନ୍ଦିତା ହୋଇଛି । ବିପିନ୍‌ବାବୁଙ୍କ ପତ୍ନୀ ସୁନିପୁଣା ବନଫୁଲର ପରିଚୟ ପାଇବାମାତ୍ରେ ତାକୁ ଭର୍ତ୍ସନା କରିବା ସଙ୍ଗେ ସଙ୍ଗେ ଧ୍ରୁବଚରଣକୁ ନିର୍ଦ୍ଦେଶ ଦେଇଛନ୍ତି ରାତିରେ ଘର ଭିତରେ ତାଲା ପକାଇ ରଖି ସକାଳୁ ଚୁନ କାଳି ବୋଳି ଛାଡ଼ିଆସିବାକୁ । ବିପିନ ବାବୁଙ୍କ ଆଦେଶରେ ସେ ବନଫୁଲକୁ ନେଇ ଲୋକନୀକୁ ଉଠାଇ ଅତି କଦର୍ଯ୍ୟ ସ୍ୱରରେ ଗାଳି ଦେଇ ପାଖରେ ଛାଡ଼ିଆସିଛି । ଲୋକନୀ ଝିଅର ଆଚରଣରେ ଚକିତ ହୋଇଛି । ମାତ୍ର ଝିଅ ଦେହ ସନ୍ନିପାତ ଆଡ଼କୁ ଗତି କରୁଥିବାରୁ ତାର ସେବା ଶୁଶ୍ରୁଷାରେ ମନ ଦେଇଛି । ଶତ ଚେଷ୍ଟା ସତ୍ତ୍ୱେ ସେ ନିଜର ଏକମାତ୍ର କନ୍ୟାକୁ ବଞ୍ଚାଇପାରିନାହିଁ । ଆମ ସମାଜରେ ଗରିବ ଓ ଅଭିଜାତଙ୍କ ମଧ୍ୟରେ ରହିଥିବା ଆଚରଣଗତ ପ୍ରଭେଦ ଓ ଚିନ୍ତାଧାରାକୁ ଏହି ଗଳ୍ପରେ ଚମତ୍କାରଭାବେ ପ୍ରଦର୍ଶିତ କରାଯାଇଛି ।

 

ସୀତାଦେବୀଙ୍କ ଅଧିକାଂଶ ଗଳ୍ପର କଥାବସ୍ତୁ ଆମ ସମାଜ ଜୀବନରୁ ସଂଗୃହୀତ । ଆଲୋଚ୍ୟ ଗଳ୍ପ ‘ବର୍ଷକରେ ଦିନେ’ରେ ସମସ୍ତ ଆର୍ଥିକ ଅନଟନ ସତ୍ତ୍ୱେ ବିମଳର ହୃଦୟବତ୍ତା ଓ ସ୍ନେହ-ତ୍ୟାଗର ମହାନୀୟତା ପ୍ରତିପାଦନ କରାଯିବା ସଙ୍ଗେ ଦୁର୍ନୀତିଖୋର ପୋଲିସ୍‌ବାଲାଙ୍କ ବିଳାସମୟ ଓ ଅନୈତିକ ଜୀବନଯାପନ ପ୍ରଣାଳୀକୁ ବ୍ୟଙ୍ଗୋକ୍ତି କରାଯାଇଛି । ଉଚ୍ଚଶିକ୍ଷିତ ସଚ୍ଚୋଟ ସ୍କୁଲ ଇନିସ୍‌ପେକ୍ଟର ମାସ ଶେଷରେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରନ୍ତି । ଘରେ ରୋଗିଣା ପତ୍ନୀ ନିରୁତି ଦେବୀ, ବାରବର୍ଷର ପୁଅ ନାରାୟଣ ଓ ନଅ ବର୍ଷର କନ୍ୟା ନବୀନା । ଅଥଚ ସାମନା ଘରେ ମାଟ୍ରିକ୍‌ ପାସ୍‌ କରି ପୋଲିସ୍‌ ଇନିସ୍‌ପେକ୍ଟରଙ୍କ ବିଳାସମୟ ଜୀବନ ରଘୁବାବୁଙ୍କ ପତ୍ନୀକୁ ଖଟଖଟିଆ କରିଛି । ମାସର ଶେଷ ଦିନ ଦୀପାବଳୀ । ପୋଲିସ୍‌ବାବୁଙ୍କ ପିଲାମାନେ ନୂଆ ପୋଷାକ ଓ ଅଳଂକାର ପିନ୍ଧି ବାଣ ଫୁଟାଇବା ସହିତ ଚମତ୍କାର ଖାଦ୍ୟ ଖାଇଛନ୍ତି । ରଘୁବାବୁଙ୍କ ଘରେ କିଛି ନଥିବାରୁ ସେ ଜାଣି ଜାଣି ବିଳମ୍ବିତ ରାତ୍ରିରେ ଘରକୁ ଫେରି ସ୍ତ୍ରୀଙ୍କ ଆକ୍ରୋଶର ଶିକାର ହୁଅନ୍ତି । ଆତ୍ମହତ୍ୟା କରିବାକୁ ତାରପିନ୍‌ତେଲ ପିଇବାକୁ ଗଲାବେଳେ ରଘୁବାବୁ ତାହା ଛଡ଼ାଇ ଆଣି ‘‘ତୁମର ହତଭାଗା ସ୍ୱାମୀର ଶୀଘ୍ର ମରଣ ହେଉ’’ କହିବା କ୍ଷଣି ପତ୍ନୀଙ୍କର ସମସ୍ତ ଅଭିମାନ ଓ କ୍ରୋଧ ପ୍ରତିବଦଳରେ ପତ୍ନୀର ବିମଳ ପ୍ରେମ ପ୍ରକାଶିତ ହୋଇଛି । ପ୍ରାଚୁର୍ଯ୍ୟ, ବିଳାସ ମଧ୍ୟରେ ପ୍ରକୃତ ଜୀବନର ସ୍ୱାଦ ନଥାଏ, ଥାଏ ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଓ ଆପଣା ପଣିଆରେ–ଏହାହିଁ ଏହି ଗଳ୍ପରେ ପ୍ରତିପାଦିତ ।

 

‘ଶ୍ୱଶୁରଙ୍କ ଶ୍ରାଦ୍ଧ’ ଗଳ୍ପରେ ଶିକ୍ଷିତା, ସଂସ୍କୃତି ସଂପନ୍ନା ନାରୀ ପ୍ରତି ଆମ ସମାଜର ନାସ୍ତ୍ୟର୍ଥକ ଦୃଷ୍ଟିଭଙ୍ଗୀ ପ୍ରକଟିତ । ବାହାରେ ଆମେ ଯେତେ ସୁସ୍ଥ ସୁନ୍ଦର ଦେଖାଇହେଲେ ମଧ୍ୟ ମାନସିକ ଦାରିଦ୍ର୍ୟତାରୁ ମୁକ୍ତ ହୋଇପାରିନାହୁଁ । ସେହି କାରଣରୁ ଅଳକା ପାଣିଗ୍ରାହୀ ପରି ଉଚ୍ଚ-ମାନସିକତାସଂପନ୍ନା, ମାର୍ଜିତା, ଶିକ୍ଷିତା ଗୃହିଣୀଟିକୁ ଅଶିକ୍ଷିତ ସ୍ୱାମୀ, ଶାଶୁ, ନଣନ୍ଦ ଓ ପଡ଼ୋଶୀମାନଙ୍କଠାରୁ ମାନସିକ ନିର୍ଯ୍ୟାତନା ସହିବାକୁ ପଡ଼େ । ଶାଶୁଘରକୁ ବଦଳାଇଦେବାର ଇଚ୍ଛା ଥାଇ ବି ସେମାନଙ୍କର ରୁଗ୍‌ଣ ମାନସିକତା ନିକଟରେ ତାକୁ ବାରମ୍ବାର ପରାଜୟ ବରଣ କରିବାକୁ ପଡ଼େ । ନିଜ ସ୍ୱାମୀ ଅନ୍ୟ ତରୁଣୀ ପ୍ରତି ଆସକ୍ତ, ଶାଶୁ ଓ ନଣନ୍ଦ ଅପସଂସ୍କୃତି ପ୍ରଭାବରେ ଯୌତୁକ ଉପରେ ଗୁରୁତ୍ୱ ଦେଇ ବୋହୂକୁ ମାନସିକ ଯନ୍ତ୍ରଣା ଦିଅନ୍ତି, ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି । ଏହିପରି ଯନ୍ତ୍ରଣାଗ୍ରସ୍ତ ସମୟରେ ଅନ୍ୟମନସ୍କତା ଯୋଗୁଁ ସନ୍ଧ୍ୟା ସମୟରେ ଅଣ୍ଟାପାଣି ବେଳେ ଅକାଳରେ ମୃତ୍ୟୁ ବରଣ କରନ୍ତି। ଗଳ୍ପଟି କରୁଣାର୍ଦ୍ର, ସଂସ୍କାରପ୍ରୟାସୀ, ଶିକ୍ଷିତା ବୋହୂମାନଙ୍କ ପ୍ରତି ସାମସମୟିକ ସମାଜର ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାକୁ ଏହି ଗଳ୍ପ ମାଧ୍ୟମରେ ଦେଖାଇଦିଆଯାଇଛି ।

 

‘ଶ୍ରାଦ୍ଧ ଦିବସ’ ଗଳ୍ପରେ ଆମ ପରଂପରା ଓ ଆଧୁନିକ ଜୀବନଶୈଳୀ ମଧ୍ୟରେ ପରିଲକ୍ଷିତ ହେଉଥିବା ପାର୍ଥକ୍ୟଟିକୁ ଦେଖାଇଦିଆଯାଇଛି । ଧନୀ ବୈକୁଣ୍ଠ ମହାପାତ୍ର ନିଜର ପ୍ରାଚୁର୍ଯ୍ୟ ଓ ବଡ଼ପଣିଆ ଦେଖାଇବା ଉଦ୍ଦେଶ୍ୟରେ ପିତାର ଶ୍ରାଦ୍ଧ କରିଛନ୍ତି । ଧନାଗମରେ ଯେଉଁମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଛନ୍ତି, ସେହିମାନେହିଁ ସେଠାକୁ ନିମନ୍ତ୍ରିତ ହୋଇଛନ୍ତି । କୁଳ ପୁରୋହିତ ବୃଦ୍ଧ ନିରଞ୍ଜନ ରଥଙ୍କୁ ସାମାନ୍ୟ ମାତ୍ର ସୌଜନ୍ୟ ଦେଖାଇବାକୁ ଉଚିତ ମଣି ନାହାନ୍ତି । ନିଜ ପୁତ୍ର ସୁଦର୍ଶନର ଆକଟ ସତ୍ତ୍ୱେ ଅସୁସ୍ଥ ଶରୀରରେ ଯଜମାନର ମଙ୍ଗଳ ଉଦ୍ଦେଶ୍ୟରେ ବୈକୁଣ୍ଠବାବୁଙ୍କ ଘରେ ପହଞ୍ଚିଛନ୍ତି ଶ୍ରାଦ୍ଧ କାର୍ଯ୍ୟ ପାଇଁ । ଅଥଚ ସାମାନ୍ୟ ବିଳମ୍ବ ପାଇଁ ସେ ଯଜମାନଠାରୁ ଭର୍ତ୍ସନା ଶୁଣିଛନ୍ତି । ସନ୍ଧ୍ୟାରେ ଏକୁଟିଆ ଫେରିନପାରିବାରୁ ଯଜମାନର ଷ୍ଟୋର ରୁମ୍‌ରେ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି । ଚାହା କପେ ମଧ୍ୟ ମିଳିନାହିଁ, ବରଂ ବସ୍‌ଭଡ଼ା ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଓ ପଇସା ଚୋରୀ ହୋଇଯାଇଛି । ପରଦିନ ପୁଅ ହାତରେ ପଇସା ପଠାଇଦେବାକୁ ବସ୍‌କଣ୍ଡକ୍ଟରକୁ କହି ଘରକୁ ଫେରିଛନ୍ତି । ଅନ୍ୟ ପକ୍ଷରେ ପୁତ୍ର ସୁଦର୍ଶନ ଅନ୍ୟ ଏକ ଯଜମାନ ବେଣୁଧର ଘରକୁ ଶ୍ରାଦ୍ଧ ଉଦ୍ଦେଶ୍ୟରେ ଯାଇ ଯଥେଷ୍ଟ ସମ୍ମାନ ଓ ମର୍ଯ୍ୟାଦା ପାଇଛନ୍ତି । ସେ ତାଙ୍କ ସୀମିତ ଅର୍ଥରେ ଶ୍ରଦ୍ଧାର ସହିତ ପିତାଙ୍କ ଶ୍ରାଦ୍ଧ କାର୍ଯ୍ୟ କରିଛନ୍ତି । ପୁରୋହିତକୁ ସୁମିଷ୍ଟ ଖାଦ୍ୟ ସହିତ ଉପଯୁକ୍ତ ଦକ୍ଷିଣା ଦେଇ ବିଦା କରିଛନ୍ତି । ବେଣୁଧର ସଂସ୍କାରବାଦୀ, ମୂଲ୍ୟବୋଧ ପ୍ରତି ସଚେତନ ଓ ନିଜର ସଂସ୍କୃତି ଏବଂ ପରଂପରା ପ୍ରତି ଆସ୍ଥାଶୀଳ । ମାତ୍ର ବୈକୁଣ୍ଠବାବୁ ଧନୀ ହେଲେହେଁ ଗର୍ବୀ ଓ ଜୀବନଯାପନ ଶୈଳୀରେ ଭାରତୀୟ ସଂସ୍କୃତି ପ୍ରତି ସାମାନ୍ୟ ମାତ୍ର ସମ୍ମାନବୋଧ ନାହିଁ । ଗାଳ୍ପିକା ଏହି ଦୁଇଟି ଗଳ୍ପ ମାଧ୍ୟମରେ ସଂସ୍କୃତି ଏବଂ ଅପସଂସ୍କୃତି ମଧ୍ୟରେ ଦେଖା ଦେଇଥିବା ସଂଘର୍ଷକୁ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଭାରତୀୟ ଐତିହ୍ୟବୋଧ ପ୍ରତି ତାଙ୍କର ରହିଥିବା ସମ୍ମାନବୋଧକୁ ପ୍ରମାଣିତ କରିଛନ୍ତି ।

 

‘ଅସମାପ୍ତ’ ଗଳ୍ପରେ ଜଣେ ଲେଖକଙ୍କର ଅନୁଭୂତି ସହିତ ନିମ୍ନବର୍ଗ ପରିବାରର ଆର୍ଥିକ ବିପର୍ଯ୍ୟସ୍ତର ଚିତ୍ର ଓ ଅସହାୟତାକୁ ପ୍ରଦର୍ଶନ କରାଯାଇଛି । ସୂର୍ଯ୍ୟନାରାୟଣବାବୁ ୫୦ ବର୍ଷ ବୟସରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ସାହିତ୍ୟ ସେବା ପାଇଁ ମନ ବଳାନ୍ତି । ଏଥିରେ ତାଙ୍କର ପିଲାମାନଙ୍କର କୌଣସି ସହଯୋଗ ମିଳିନଥିଲେହେଁ ପତ୍ନୀ ରୁକ୍ମିଣୀ ଦେବୀଙ୍କ ଉତ୍ସାହରେ କବିତା ରଚନା କରନ୍ତି । ସାହିତ୍ୟ ଆଲୋଚକ ସଚିବାବୁଙ୍କ ସହିତ ଥରେ ସାକ୍ଷାତ୍‌ ହେବାରୁ ସେ ତାଙ୍କ କବିତାର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ପାଠକସମାଜରେ ତାର ଆଦର ସମ୍ବନ୍ଧରେ ସୂଚନା ଦିଅନ୍ତି । ସୂର୍ଯ୍ୟ ନାରାୟଣବାବୁ ଏହାପରେ ଅନେକ କବିତା ଲେଖନ୍ତି ଓ ସଭା ସମିତିରେ ଭାଷଣ ଦିଅନ୍ତି । ମାତ୍ର କିଛିଦିନ ପରେ ସଚିବାବୁ ତାଙ୍କ କବିତାର ଅଯଥା ଦୋଷ ବାହାର କରିବା ସହିତ ଏହାକୁ ପୁରୁଣାକାଳିଆ କହି ଗଳ୍ପ ଲେଖିବାକୁ ପରାମର୍ଶ ଦିଅନ୍ତି । ବହୁବର୍ଷ ପରେ ଗଳ୍ପ ଲେଖିବାରୁ ତାହା ସ୍ୱଚ୍ଛନ୍ଦରୂପେ ପ୍ରକାଶ ହୋଇନପାରିବା ସନ୍ଦେହ ତାଙ୍କ ମନରେ ସୃଷ୍ଟି ହେବାରୁ ପତ୍ନୀ ଉତ୍ସାହ ଦିଅନ୍ତି ତାଙ୍କୁ ଗଳ୍ପର ପ୍ଲଟଟି ଶୁଣାଇବାକୁ । ସୂର୍ଯ୍ୟବାବୁ ତାଙ୍କୁ କାହାଣୀଟି ଏହିପରି କୁହନ୍ତି–ଚନ୍ଦ୍ରିକା ଓ ରାମପିଆରିଙ୍କ ସାମୟିକ ସାକ୍ଷାତରୁ ଆକର୍ଷଣ ଓ ପରେ ପରେ ତାହା ବିବାହରେ ପରିଣତ ହୁଏ । ଚନ୍ଦ୍ରିକା ବ୍ୟାଙ୍କରେ ଚପରାଶି । ଇତିମଧ୍ୟରେ ସେମାନେ ତିନୋଟି ସନ୍ତାନର ଜନକ-ଜନନୀ ହୁଅନ୍ତି । କିଛିଦିନ ପରେ କ୍ରମାଗତ ବର୍ଷା ଅଭାବରୁ ଦୁର୍ଭିକ୍ଷ ପଡ଼େ ଓ ବ୍ୟାଙ୍କ ମଧ୍ୟ ବନ୍ଦ ହୋଇଯାଏ । ଚନ୍ଦ୍ରିକା ଚିନାବାଦାମ ବିକ୍ରିରୁ ଯାହା ଅର୍ଜନ କରେ, ସେଥିରେ ପରିବାର ପ୍ରତିପୋଷଣ କରିନପାରି କାମ ଖୋଜିବା ଉଦ୍ଦେଶ୍ୟରେ ଯାଇ ଆଉ ଫେରେ ନାହିଁ । ଦୁଃଖରେ କାଳାତିପାତ କରୁଥିବା ସମୟରେ ରାମପିଆରିର ସାଙ୍ଗ ଫୁଟି ତାକୁ ଅନୈତିକ ପଥରେ ଜୀବନ ବିତାଇବାକୁ ପ୍ରବର୍ତ୍ତାଏ । ଏଥିପାଇଁ ତା’ ହାତରେ ଜବରଦସ୍ତ ପାଞ୍ଚଟଙ୍କା ଦେଇଯାଏ ଦେହ ବ୍ୟବସାୟ ପାଇଁ । ପିଲାଙ୍କର ଉପବାସିଆ ମୁହଁ ତାକୁ ବିବ୍ରତ କରେ । ହଠାତ୍ ସେ ଚନ୍ଦ୍ରିକାଠାରୁ ଟଙ୍କା ଓ ଚିଠି ପାଏ । କିଛି ଦିନ ପରେ ସେ ତାକୁ କଲିକତାକୁ ନେଇଯିବାକୁ ଚିଠିରେ ଜଣାଇଥାଏ । ରାମପିଆରି ଫୁଟିକୁ ତା’ ପାଞ୍ଚ ଟଙ୍କା ଫେରେଇଦିଏ । ଏହାର ପରବର୍ତ୍ତୀ ଘଟଣା ଜାଣିବାକୁ ପତ୍ନୀ ଇଚ୍ଛା ପ୍ରକାଶ କରନ୍ତେ ଲେଖକ କାହାଣୀର ପରିସମାପ୍ତି ଘୋଷଣା କରନ୍ତି । ଏହି ଗଳ୍ପରେ ଆମ ସମାଜ ଜୀବନର ଏକ ବାସ୍ତବ ଘଟଣାକୁ ଦ୍ୟୋତିତ କରାଯିବା ସଙ୍ଗେ ସଙ୍ଗେ ଆର୍ଥିକ ଦୁର୍ଗତି ମଣିଷର ଜୀବନରେ କିପରି ଦୁର୍ଗତି ସୃଷ୍ଟି କରେ ତା’ର କରୁଣ ଚିତ୍ରଟି ପ୍ରଦର୍ଶିତ ହୋଇଛି ।

 

ସୀତାଦେବୀଙ୍କ ଗଳ୍ପର ବୈଶିଷ୍ଟ୍ୟ

 

ସୀତାଦେବୀଙ୍କ ଗଳ୍ପ ବିଚିତ୍ରବର୍ଣ୍ଣା । କାଳ୍ପନିକତା ଅପେକ୍ଷା ସମସାମୟିକ ସମାଜ ଜୀବନରୁ ସେ ତାଙ୍କର ଗଳ୍ପର କଥାବସ୍ତୁ ସଂଗ୍ରହ କରିଥାନ୍ତି । ନାରୀର ମନସ୍ତତ୍ତ୍ୱକୁ ସେ ଯେପରି ପଢ଼ିପାରନ୍ତି, ମଣିଷ ଜୀବନର ବହୁ ଗୁପ୍ତ ରହସ୍ୟକୁ ମଧ୍ୟ ସେହିପରି ଉଦ୍‌ଘାଟନ କରିପାରନ୍ତି । ତାଙ୍କର ଅଧିକାଂଶ ଗଳ୍ପରେ ଶୁଚିମୟ ତଥା ଆଦର୍ଶ ଜୀବନଯାପନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ପାରିବାରିକ ସମସ୍ୟା ମଧ୍ୟରେ ସ୍ନେହ ଓ ପ୍ରେମର ସ୍ୱର୍ଗୀୟ ଗୁଣଗୁଡ଼ିକୁ ସର୍ବଦା ସେ ପ୍ରଚାର କରିଥାନ୍ତି । ଅଭାବ ମଧ୍ୟରେ ମଧ୍ୟ ତାଙ୍କ ଚରିତ୍ରଗୁଡ଼ିକ କେବେ ଆଦର୍ଶ ଓ ନୈତିକତାର ପଥକୁ ତ୍ୟାଗ କରିନଥାନ୍ତି । ତାଙ୍କ ଗଳ୍ପରେ ବିଧବା ନାରୀର ଅସହାୟତା ରହିଛି, ଶିକ୍ଷିତା ତରୁଣୀ ପ୍ରତି ସମାଜର ପ୍ରତିକୂଳ ଆଚରଣ ରହିଛି । ତାହା ସତ୍ତ୍ୱେ ତାଙ୍କ ନାରୀ ଚରିତ୍ର ସମ୍ପୂର୍ଣ୍ଣରୂପେ ଅସହାୟା ନୁହନ୍ତି । ଜୀବନ ଯୁଦ୍ଧରେ ପରାହତ ହେଲେହେଁ, ତଥାପି ସଂଗ୍ରାମବିମୁଖ ନୁହନ୍ତି ।

 

ସୀତାଦେବୀଙ୍କ ଗଳ୍ପରେ ପ୍ରେମର ଚିତ୍ର ରହିଛି, ମାତ୍ର ସଦାବେଳେ ତାହା ଏକ ଶୁଚିତା ଓ ପବିତ୍ରତାକୁ ଅପେକ୍ଷା ରଖେ । ଶାରୀରିକ ସମ୍ପର୍କ ଅପେକ୍ଷା ଶୁଦ୍ଧ ମାନସିକତାକୁ ଏହା ଗୁରୁତ୍ୱ ଦେଇଥାଏ । ଭାରତୀୟ ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧ ଉପରେ ଏହା ପ୍ରତିଷ୍ଠିତ ହୋଇଥିବାରୁ ଜୀବନର ଏକ ବିସ୍ତାରିତ ଚିତ୍ର ଏଥିରୁ ଉପଲବ୍‌ଧ ।

 

ନିଜର ସଂସ୍କୃତି ଓ ପରମ୍ପରା ପ୍ରତି ସୀତାଦେବୀଙ୍କର ଗଭୀର ସମ୍ମାନବୋଧ ରହିଥିଲେହେଁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ସେ କେବେ ଗ୍ରହଣ କରିପାରିନାହାନ୍ତି । ସଂସ୍କାର ନାମରେ କୁସଂସ୍କାରର ବିରୋଧ କରିଛନ୍ତି । ଏହି କାରଣରୁ କେତେକ କ୍ଷେତ୍ରରେ ପୁରୋହିତ ପ୍ରଥା ଓ ବ୍ରାହ୍ମଣମାନଙ୍କର ରକ୍ଷଣଶୀଳତାକୁ ସେ ସମାଲୋଚନା କରିଛନ୍ତି । ଭୋଗବିଳାସମୟ ଜୀବନକୁ ସେ କେବେ ଆଭିଜାତ୍ୟର ପ୍ରତୀକ ଭାବରେ ଗ୍ରହଣ କରିନାହାନ୍ତି; ବରଂ ଏହା ଧନଶାଳୀ ମଣିଷର ବୃଥା ଅହମିକା ବୋଲି ତାର ବ୍ୟଙ୍ଗୋକ୍ତି କରିଛନ୍ତି । ବିଭିନ୍ନ ସାମାଜିକ ସମସ୍ୟାକୁ ସେ ତାଙ୍କର ବିଭିନ୍ନ ଗଳ୍ପରେ ରୂପାୟିତ କରିଛନ୍ତି । ଏହି କାରଣରୁ ତାଙ୍କର ଅଧିକାଂଶ ଗଳ୍ପ କାହାଣୀଧର୍ମୀ ବା ଘଟଣାପ୍ରଧାନ ହୋଇପଡ଼ିଛି । ତେଣୁ ଏହା ପାଠକୀୟ ଆଦୃତ ଲାଭ କରିବାକୁ ସମର୍ଥ ହୋଇଛି ।

 

ସୀତାଦେବୀଙ୍କ ଗଳ୍ପରେ ନାରୀ ଚରିତ୍ର ଉପରେ ଅଧିକାଂଶ କ୍ଷେତ୍ରରେ ଗୁରୁତ୍ୱ ଆରୋପ କରାଯାଇଥିଲେହେଁ ପୁରୁଷ ଚରିତ୍ର ବିଶ୍ଲେଷଣରେ ସେ କମ୍‌ ବିଶେଷତ୍ୱ ପ୍ରତିପାଦନ କରିନାହାନ୍ତି । ପୁରୁଷ ଚରିତ୍ରର ଉଭୟ କୁଦିଗ ଓ ସୁଦିଗକୁ ସେ ତାଙ୍କ ଗଳ୍ପର ପରିସରଭୁକ୍ତ କରିଛନ୍ତି । ପୁରୁଷର ମହାନୁଭବତା ଓ ସଂକୀର୍ଣ୍ଣତାକୁ ସେ ଦେଖାଇଛନ୍ତି । ମାଗୁଣି, ଇଶିରା, ରାଜୁ ଆଦି ପୁରୁଷ ଚରିତ୍ରର ମହନୀୟତା, ହୃଦୟବତ୍ତାକୁ ଗାଳ୍ପିକା ଚମତ୍କାର ବିଶ୍ଳେଷଣ କରିଛନ୍ତି । ନିଜର ଅନୁଭୂତିକୁ ଗୁରୁତ୍ୱ ଦେଇଥିବାରୁ ତାଙ୍କ ଗଳ୍ପଗୁଡ଼ିକ ନିଶ୍ଚିତ ଭାବରେ ପାଠକମାନଙ୍କର ହୃଦୟକୁ ସ୍ପର୍ଶ କରିପାରିଛି ।

 

ସୀତାଦେବୀଙ୍କ ଗଳ୍ପର ଦୁର୍ବଳ ଦିଗ ହେଉଛି ତାର ଶିଳ୍ପକଳା । ସେ ଗଳ୍ପର ବିଷୟବସ୍ତୁ ମଧ୍ୟରେ ଏପରି ମଜ୍ଜିଯାଇଥାନ୍ତି ଯେ, ବେଳେବେଳେ ତାର ପରିସର ପ୍ରତି ଆଦୌ ସଚେତନ ହୋଇପାରନ୍ତି ନାହିଁ । ଏହି କାରଣରୁ ତାଙ୍କର କେତେକ ଗଳ୍ପ ଅନାବଶ୍ୟକ-ଆୟତନବିଶିଷ୍ଟ ହୋଇଯାଏ । କାହାଣୀରେ ଉତ୍କଣ୍ଠା ସୃଷ୍ଟି ଅପେକ୍ଷା ଏକ ସରଳ ପରିସମାପ୍ତି ଉପରେ ଗୁରୁତ୍ୱ ଦେଇଥିବାରୁ ପାଠକ ପ୍ରାଣରେ ତାହା ଚିରନ୍ତନ ପ୍ରଭାବଟିଏ ବିସ୍ତାର କରିବାକୁ ସମର୍ଥ ହୋଇନଥାଏ-। ତାଙ୍କର ଅଧିକାଂଶ ଗଳ୍ପ ବିଶ୍ଲେଷଣଧର୍ମୀ; ବ୍ୟଞ୍ଜନାଧର୍ମୀ ନୁହେଁ । ଏହା ସତ୍ତ୍ଵେ ସୀତାଦେବୀଙ୍କ ଗଳ୍ପ ପରିମାଣ ଦୃଷ୍ଟିରୁ ବିପୁଳ ନ ହେଲେ ହେଁ, ତାର ଗୁଣାତ୍ମକ ମାନ ଆଦୌ ନିମ୍ନମାନର ନୁହେଁ । ପାଠକ ଶ୍ରେଣୀଟିଏ ସୃଷ୍ଟି କରିବା କ୍ଷେତ୍ରରେ ସୀତାଦେବୀଙ୍କ ଗଳ୍ପଗୁଡ଼ିକର ଯେ ଏକ ବିରାଟ ସହଯୋଗ ରହିଛି, ଏହା ଅସ୍ୱୀକାର କରାଯାଇନପାରେ ।

 

ଉପସଂହାର

ସୀତାଦେବୀଙ୍କ ଗଳ୍ପର ବିଷୟବସ୍ତୁ ସମସାମୟିକ ସମାଜରୁ ଗୃହୀତ । ତାଙ୍କ ଜୀବନର ବିପୁଳ ଅନୁଭୂତି କଳାମଣ୍ଡିତ ହୋଇ କେତେକ ଗଳ୍ପରେ ଝରିଯାଇଛି । ଯେଉଁ ସମୟରେ ଓଡ଼ିଶାରେ ନାରୀ ପ୍ରତିଭାଙ୍କର ଅଭାବ ରହିଥିଲା, ସେତେବେଳେ ସୀତାଦେବୀ ଗଳ୍ପ ରଚନା କ୍ଷେତ୍ରରେ ଲେଖନୀ ଚାଳନା କରି ନିଜ ପାଇଁ ସ୍ୱତନ୍ତ୍ର ପରିଚିତିଟିଏ ସୃଷ୍ଟି କରିପାରିଥିଲେ । କୌଣସି ପ୍ରଶଂସା ବା ପୁରସ୍କାର ଉଦ୍ଦେଶ୍ୟରେ ସେ ଗଳ୍ପ ରଚନା କରିନଥିଲେ । ତାଙ୍କ ହୃଦୟର ଅନୁଭବକୁ ଯେତେଦୂର ସମ୍ଭବ ସରଳ ଓ ସହଜ ଭାବରେ ପ୍ରକାଶ କରାଯାଇପାରେ, ସେ ତାହାହିଁ କରିଛନ୍ତି ତାଙ୍କ ଗଳ୍ପମାନଙ୍କରେ । ଏଥିପାଇଁ ଗଳ୍ପର କଳାପକ୍ଷ ପ୍ରତି ବିଶେଷ ଗୁରୁତ୍ୱ ଦେଇନାହାନ୍ତି; ବରଂ ତାର କାହାଣୀ ଭାଗ ପ୍ରତି ଅଧିକ ଗୁରୁତ୍ୱ ଦେଇଛନ୍ତି । ସମାଜରେ ଘଟିଯାଉଥିବା ବିଭିନ୍ନ ଘଟଣାବଳୀ ସମ୍ପର୍କରେ ସାଧାରଣ ପାଠକକୁ ସୂଚେଇଦେବାହିଁ ଥିଲା ତାଙ୍କ ଲେଖନୀର ଉଦ୍ଦେଶ୍ୟ । ଏହି ଦୃଷ୍ଟିରୁ ବିଚାର କଲେ ତାଙ୍କର ଗଳ୍ପଗୁଡ଼ିକ ଗାଳ୍ପିକାଙ୍କର ଉଦ୍ଦେଶ୍ୟ ପରିପୂରଣରେ ବହୁ ପରିମାଣରେ ସଫଳ ହୋଇପାରିଛି ।

Image

 

Unknown

ତୃତୀୟ ପରିଚ୍ଛେଦ

 

ସୀତାଦେବୀଙ୍କ ନାଟ୍ୟ ପ୍ରତିଭା

 

ସୀତାଦେବୀଙ୍କ ପ୍ରତିଭା ଓଡ଼ିଆ ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ବିଭାଗ ମଧ୍ୟରେ ସୀମିତ ରହି ନଥିଲା । କବିତାରୁ ତାଙ୍କ ପ୍ରତିଭାର ଆଦ୍ୟ ସ୍ଫୁରଣ ଘଟିଥିଲେହେଁ, ପରବର୍ତ୍ତୀ ସମୟରେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଅସମ୍ଭବ ସଫଳତାର ଅଧିକାରିଣୀ ହୋଇଥିଲେ । ସୀତାଦେବୀଙ୍କ ସାହିତ୍ୟ ସୃଷ୍ଟି ମୂଳରେ ଅନନ୍ତ ପ୍ରସାଦ ପଣ୍ଡାଙ୍କ ପ୍ରେରଣା ଓ ଉତ୍ସାହ ଅତୁଳନୀୟ । ତାଙ୍କରି ପାଇଁ ସେ ନବୀନ, ସହକାର ଆଦି ପତ୍ରପତ୍ରିକା ସହିତ ପରିଚିତ ହୋଇପାରିଥିଲେ । ଏହି ପତ୍ରିକା ଓ ସୀତାଦେବୀଙ୍କ ମଧ୍ୟରେ ଅନନ୍ତ ପ୍ରସାଦ ପଣ୍ଡାହିଁ ଥିଲେ ମୁଖ୍ୟ ଯୋଗସୂତ୍ର । କର୍ତ୍ତବ୍ୟର ଅନୁରୋଧରେ ଅନନ୍ତ ପ୍ରସାଦ ପଣ୍ଡାଙ୍କୁ ଆସିକା ଛାଡ଼ିବାକୁ ପଡ଼ିଥିଲା । ତାଙ୍କର ଅନୁପସ୍ଥିତି ସୀତାଦେବୀଙ୍କ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି । ଯେଉଁ ପତ୍ରିକାରେ ସେ ଲେଖାଲେଖି କରୁଥିଲେ, ତା’ ସହିତ ତାଙ୍କର ଯୋଗସୂତ୍ର ବିଚ୍ଛିନ୍ନ ହୋଇପଡ଼ିଲା । ତେଣୁ ବାଧ୍ୟ ହୋଇ ସେ କିଛି ଦିନ ଆଉ କୌଣସି ଲେଖାଲେଖି କରିପାରିନଥିଲେ । ଗୃହରେ ବସିଥିବା ସମୟରେ ବିଭିନ୍ନ ପୁସ୍ତକ ପାଠ କରିବା ନିମିତ୍ତ ସେ ଆଗ୍ରହୀ ହୋଇପଡ଼ିଲେ । ନିଜ ଘରେ ଥିବା ଗୋଦାବରୀଶ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, ଅଶ୍ୱିନୀ କୁମାର ଘୋଷ, କାଳୀଚରଣ ପଟ୍ଟନାୟକ ଆଦିଙ୍କ ନାଟକାବଳୀକୁ ଏହି ସମୟରେ ବାରମ୍ବାର ପାଠ କରିବାକୁ ଲାଗିଲେ । ବିଭିନ୍ନ ନାଟକ ପଠନ ତାଙ୍କ ଭିତରେ ନାଟକ ରଚନା କରିବାକୁ ପ୍ରେରଣା ଦେଇଥିଲା । ସେ ତାଙ୍କ ଚତୁଃପାର୍ଶ୍ୱରେ ଯାହା ଦେଖୁଥିଲେ, ଯାହା ଅନୁଭବ କରୁଥିଲେ ଏବଂ ସମସାମୟିକ ସମାଜରେ ଘଟୁଥିବା ଘଟଣାବଳୀ ତାଙ୍କ ଉପରେ ଯେଉଁ ପ୍ରଭାବ ପକାଇଥିଲା, ତାହାକୁ ଉପଜୀବ୍ୟ କରି ସେ ନାଟକ ରଚନା କରିବାକୁ ମନସ୍ଥ କଲେ । ତାଙ୍କ ପୂର୍ବରୁ ପୌରାଣିକ ଓ ଐତିହାସିକ ନାଟକର ବିରାଟ ପରମ୍ପରାଟି ଥିଲେହେଁ, ସେଥିରୁ ସେ ମୁକ୍ତ ହୋଇ ସାମାଜିକ ନାଟକ ଲେଖିବାକୁ ନିଷ୍ପତ୍ତି ନେଇଥିଲେ । ଐତିହାସିକ ଓ ପୌରାଣିକ ନାଟକର କଥାବସ୍ତୁ ଥିଲା ନିର୍ଦ୍ଦିଷ୍ଟ । ଏଥିରେ କୌଣସି ବୈଚିତ୍ର୍ୟ ନଥିଲା କିମ୍ବା ସମାଜ ପାଇଁ କୌଣସି ବାର୍ତ୍ତା ନଥିଲା । ସମାଜସଚେତନ ଶିଳ୍ପୀଟିଏ ପାଇଁ ଏପରି ନାଟକ ରଚନାର କୌଣସି ଆବଶ୍ୟକତା ଅନୁଭୂତ ହୋଇନଥିଲା । ପୁଣି ନିଜର ମୌଳିକତା ଓ ଭାବାଦର୍ଶ ପ୍ରତିପାଦନ କ୍ଷେତ୍ରରେ ସାମାଜିକ ନାଟକରେ ଯେଉଁ ପରିସର ରହିଛି, ଐତିହାସିକ ଓ ପୌରାଣିକ ନାଟକରେ ତାହା ସମ୍ପୂର୍ଣ୍ଣ ଅସମ୍ଭବ । ଏହାର ବିଷୟବସ୍ତୁକୁ ପରିବର୍ତ୍ତନ କିମ୍ଵା ସ୍ଵାଧୀନ ଭାବରେ କିଛି କହିବାର ସୁଯୋଗ ଏଥିରେ ନାଟ୍ୟକାରଙ୍କର ନାହିଁ । ଏଣୁ ସୀତାଦେବୀ ସାମାଜିକ ନାଟକ ରଚନା କରିବାକୁ ସିଦ୍ଧାନ୍ତ ନେବା ସଙ୍ଗେ ସଙ୍ଗେ ଏଥିରେ ତାଙ୍କର ମୌଳିକ ଚିନ୍ତାଧାରାକୁ ପ୍ରକାଶ କରିବା ନିମିତ୍ତ ଉଦ୍ୟମ କରିଥିଲେ ।

 

ନାଟକ ହେଉଛି ଦୃଶ୍ୟକାବ୍ୟ । ଏଣୁ ନାଟକଟିର ପ୍ରଦର୍ଶନ ନିମିତ୍ତ ବିଭିନ୍ନ ଆନୁଷଙ୍ଗିକ ଉପକରଣର ଆବଶ୍ୟକତା ପଡ଼ିଥାଏ । ଏହି ଆନୁଷଙ୍ଗିକ ଉପକରଣ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରଙ୍ଗମଞ୍ଚ । ନାଟକ ଅଭିନୀତ ହୋଇନପାରିଲେ ତାହା କେବେ ନାଟକ ହୋଇନପାରେ । ତେଣୁ ସେ ପ୍ରଥମେ ନିଜ ଚେଷ୍ଟାରେ ମଞ୍ଚଟିଏ ନିର୍ମାଣ କରିବାକୁ ସ୍ଥିର ସଂକଳ୍ପ କରିଥିଲେ । ବହୁ ଝଡ଼ଝଞ୍ଜା ଓ ବାଧାବିଘ୍ନ ପରେ ପ୍ରତିଷ୍ଠା କରିଥିଲେ ‘ହରିହର ନାଟ୍ୟ ମନ୍ଦିର’ । ବାସ୍ତବରେ ସୀତାଦେବୀଙ୍କ ସାହସ ଓ ଧୈର୍ଯ୍ୟ ଅତୁଳନୀୟ । ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ଝିଅଟିଏ, କୁସଂସ୍କାର ଯୋଗୁଁ ଆନୁଷ୍ଠାନିକ ଶିକ୍ଷାଲାଭ କରିପାରିନଥିବା ବାଳିକାଟିଏ ବିବାହ ପରେ କୁଳବଧୂର ସମସ୍ତ ଜଞ୍ଜାଳ ମଧ୍ୟରେ ନାଟକ ରଚନା କରିବା, ମଞ୍ଚ ନିର୍ମାଣ କରିବା, ନାଟ୍ୟ ନିର୍ଦ୍ଦେଶନା ଦେବା ଓ ସର୍ବୋପରି ନାଟ୍ୟ ଦଳକୁ ଧରି ବିଭିନ୍ନ ସ୍ଥାନରେ ଅଭିନୟ କରାଇବା କମ୍‌ କଷ୍ଟକର ବ୍ୟାପାର ନୁହେଁ । ଏହା କେବଳ ସମ୍ଭବ ହୋଇପାରିଥିଲା ତାଙ୍କର ଦୃଢ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ।

 

ନାଟକ ଦେଖିବା ପାଇଁ ସେ ପିଲାଦିନରୁ ବ୍ୟାକୁଳ ଥିଲେ । ରକ୍ଷଣଶୀଳ ପରିବାରରୁ ଯଦି କୌଣସି ଦିନ ନାଟକ ଦେଖିବା ପାଇଁ ଅନୁମତି ପାଉଥିଲେ, ସେଦିନ ତାଙ୍କର ଗୋଡ଼ ଆନନ୍ଦରେ ତଳେ ଲାଗୁନଥିଲା । ପିଲାଦିନେ ଦେଖିଥିବା ମୋହନସୁନ୍ଦରଙ୍କ ନାଟକକୁ ସେ ଜୀବନର ଶେଷ ପର୍ଯ୍ୟନ୍ତ ଭୁଲିନଥିଲେ । ‘ମୋର ଜୀବନ ସ୍ମୃତି’ରେ ନିଜେ ଏକଥା ସ୍ୱୀକାର କରି କହିଛନ୍ତି–‘‘ମୁଁ ବୋଉ ପାଖରେ ଅଳିକରି ମୋହନସୁନ୍ଦର ଗୋସ୍ୱାମୀଙ୍କର ‘ମଥୁରା ମଙ୍ଗଳ’ ଦେଖିଥିଲି । ଶ୍ରୀକୃଷ୍ଣ ରଥରେ ବସି ଯାତ୍ରା କରିବା ସମୟରେ ଗୋପୀମାନେ ରଥ ଚକ କୁଣ୍ଢେଇ ଧରି କାନ୍ଦିବା ଦୃଶ୍ୟ ଏବେ ମଧ୍ୟ ମୋର ମନେପଡ଼ିଯାଉଛି । କି କରୁଣ ସେ ସ୍ୱର ! ସେଥିରୁ ପଦେ ମନେଅଛି–ଶ୍ୟାମସୁନ୍ଦର ହେ ତୁମେ ଆମ୍ଭ ଜୀବନ । ମଥୁରା ଗଲେ କେହ୍ନେ ବଞ୍ଚିବୁ ଦିନ ।’’ (ସୀତାଦେବୀ ଗ୍ରନ୍ଥାବଳୀ–ପୃ. ୪୩) । ଏହାକୁ ଦେଖିବା ପରେ ନାଟକ ପ୍ରତି ତାଙ୍କ ମନରେ ଦୁର୍ବଳତାଟିଏ ରହିଯାଇଥିଲା । ଏହାପରେ ଆର୍ଟ ଥିଏଟର ପକ୍ଷରୁ ଅଭିନୀତ ହେଉଥିବା ‘ଶକୁନ୍ତଳା’, ‘ହରିଶ୍ଚନ୍ଦ୍ର’, ‘ସୀତା ନିର୍ବାସନ’, ଆଦି ଦେଖିଥିଲେ । ଶକୁନ୍ତଳା ନାଟକର କେତୋଟି ଦୃଶ୍ୟ ତାଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା । ଗୋଦାବରୀଶ ମିଶ୍ରଙ୍କ ‘ପୁରୁଷୋତ୍ତମ ଦେବ’ ଏବଂ ଚିକିଟିର ରାଜାସାହେବ ରାଧାମୋହନ ରାଜେନ୍ଦ୍ରଦେବଙ୍କ ସବୁ ନାଟକ ସେ ପଢ଼ିଥିଲେ । ନାଟକ ପ୍ରତି ପିଲାଦିନରୁ ତାଙ୍କ ହୃଦୟରେ ଯେଉଁ ବ୍ୟାକୁଳତା ରହିଥିଲା, ପରବର୍ତ୍ତୀ ସମୟରେ ସ୍ୱାମୀ ବାଞ୍ଛାନିଧିବାବୁଙ୍କ ପ୍ରେରଣା ଓ ସହଯୋଗରେ ସେ ତାହାକୁ ସାକାର କରିପାରିଥିଲେ । ନିଜ ଜୀବନ ସ୍ମୃତିରେ ନାଟକ ରଚନା ସମ୍ପର୍କରେ ସେ କହିଛନ୍ତି–‘‘୧୯୪୨ଠାରୁ ୧୯୪୫ ପର୍ଯ୍ୟନ୍ତ ମୁଁ ଗୋଟାଏ ଅସାଧ୍ୟ କାର୍ଯ୍ୟରେ ହାତ ଦେଇଥିଲି । ଏ ତିନି ଚାରି ବର୍ଷ ପୁଅ ଝିଅ ଦୁହେଁ ଦୂର ପ୍ରବାସରେ ରହି ଅଧ୍ୟୟନରତ ଥିଲେ । x x x ଏକାକିନୀ ବସି ବସି ନାଟକ ଲେଖିଲି । ‘ସହୋଦର’ରେ ମୋର ନିଜ ଜୀବନର ଛାପ ସେଥିରେ ରହିଥିଲା । ପିତାମାତାଙ୍କ କଥା । ମଧ୍ୟବିତ୍ତ ପରିବାରର ସନ୍ତାନ ଓ ସ୍ୱାମୀଙ୍କ ବିଷୟ । ତା’ପରେ ଲେଖିଲି ‘ନାରୀ’ । ‘ନାରୀ’ ନାଟକର ଅଭିନୟ ଦେଖି ଶ୍ରୀ ହରେକୃଷ୍ଣ ମହତାବ ଉଚ୍ଚ ପ୍ରଶଂସା କରିଥିଲେ । ‘ପୋଷ୍ୟପୁତ୍ର’, ‘ନୈଷ୍ଠିକ’, ‘ନିଷ୍ପତ୍ତି’, ‘ପ୍ରାଚୀନପନ୍ଥୀ’, ‘କ୍ଷୁଧାର ପୀଡ଼ା’, ‘ମାତୃହୀନା’ ଏସବୁ ଏକାଥରକେ ଲେଖିନଥିଲି । ନାଟକ ଅଭିନୀତ ହେବା ପରେ ଦିନକୁ ଦିନ ଇମିତି ଉତ୍ସାହ ବଢ଼ିଚାଲିଲା ଯେ ଗୋଟାଏ ରାତିରେ ନାଟକ ଗୋଟାଏ ଲେଖିବା ଶକ୍ତି ଆସିଯାଇଥିଲା । ସକାଳ ହେଲେ ତାକୁ ଆଉଥରେ ଦେଖିଦେଉଥିଲି । ସାରାରାତି ଅନିଦ୍ରାରେ କଟାଇ ମଧ୍ୟ କ୍ଲାନ୍ତିବୋଧ ହେଉନଥିଲା ।’’ (ସୀତାଦେବୀ ଗ୍ରନ୍ଥାବଳୀ, ପୃ.୫୭) । ଅର୍ଥର ଅଭାବ ସତ୍ତ୍ୱେ ସେ ତାଙ୍କର ଛଅ ସାତଖଣ୍ଡ ସାମାଜିକ ନାଟକ ଆସିକାରେ ନିଜେ ତିଆରି କରିଥିବା ରଙ୍ଗମଞ୍ଚରେ ଅଭିନୀତ କରାଇଥିଲେ । ଶେଷରେ ସେ ତାଙ୍କ ନାଟ୍ୟଦଳ ଧରି ବ୍ରହ୍ମପୁର ଯାଇ ସେଠାରେ ମଧ୍ୟ ଅଭିନୟ ଦେଖାଇଥିଲେ । ପ୍ରଥମେ ପ୍ରଥମେ ତାଙ୍କ ନାଟକଗୁଡ଼ିକ ଦର୍ଶକୀୟ ଆଦୃତ ଲାଭ କରିନଥିଲେହେଁ ସ୍ୱାମୀଙ୍କର ଉତ୍ସାହ ପାଇ ନାଟ୍ୟ ଦଳକୁ ରସୁଲକୋଣ୍ଡା (ବର୍ତ୍ତମାନର ଭଞ୍ଜନଗର) ନେଇ ବହୁ ପ୍ରଶଂସା ଓ ମାନପତ୍ର ଲାଭ କରିଥିଲେ । ନାଟକ ପ୍ରତି ସେ ଥିଲେ ଏକ ସମର୍ପିତ ପ୍ରାଣା । ନାଟ୍ୟକାର ଓ ନାଟ୍ୟାଭିନେତାଙ୍କ ପ୍ରତି ତାଙ୍କ ହୃଦୟରେ ସ୍ନେହ ଓ ଶ୍ରଦ୍ଧା ଭରପୂର ହୋଇ ରହିଥିଲା ।

 

ସୀତାଦେବୀ ରଚନା କରିଥିବା ନାଟକଗୁଡ଼ିକୁ ନିଜ ଘରେ ରିହର୍ସାଲ କରାଉଥିଲେ ଏବଂ ନିଜେ ତାର ନିର୍ଦ୍ଦେଶନା ଦାୟିତ୍ୱ ନେଉଥିଲେ । ଅଭିନେତାମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ପାରିଶ୍ରମିକ ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସେ ନିଜେ କରୁଥିଲେ । ଏଥିରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଥିଲେହେଁ ସେଥିପ୍ରତି ତାଙ୍କର ତିଳେମାତ୍ର ଦୁଃଖ ନଥିଲା । ଚିତ୍ରଶିଳ୍ପୀମାନଙ୍କୁ ଘରେ ରଖି ଆବଶ୍ୟକୀୟ ସ୍କ୍ରିନ ଓ ସିନେରୀମାନ ତିଆରି କରାଉଥିଲେ । ମଞ୍ଚ ଉପରେ ଗ୍ୟାସ ଲାଇଟ୍‌ଦ୍ୱାରା ନାଟକ ଅଭିନୀତ ହେଉଥିଲା । ପରେ ପରେ ତାଙ୍କର ବଡ଼ଭାଇ ରଘୁନାଥ ଏବଂ ସାନଭାଇ ରମାନାଥ ଜେନେରେଟର ଓ ମାଇକ୍‌ର ବ୍ୟବସ୍ଥା କରାଇଦେଇଥିଲେ । ବହୁ ପୁରୁଷଙ୍କୁ ନେଇ ନାଟ୍ୟ ନିର୍ଦ୍ଦେଶନା ଓ ମଞ୍ଚସ୍ଥ କରାଉଥିବାରୁ ସେତେବଳେ ତାଙ୍କୁ କମ୍‌ କୁତ୍ସାରଟନା ସହ୍ୟ କରିବାକୁ ପଡ଼ିନଥିଲା । ଏହା ସତ୍ତ୍ୱେ ସେ ଥିଲେ ସ୍ଥିର ଓ ଅବିଚଳିତ । କିନ୍ତୁ ତାଙ୍କର ଏହି ସ୍ୱପ୍ନ ଅଧିକ ଦିନ ସାକାର ହୋଇପାରିନଥିଲା । ସହଯୋଗ ଏବଂ ଅର୍ଥାଭାବରୁ ନାଟ୍ୟ ସଂସ୍ଥା ଭାଙ୍ଗିଗଲା-। ନାଟକ ରଚନାରେ ସେ ଆଉ ମନୋନିବେଶ କଲେ ନାହିଁ । ସହୋଦରା, ପ୍ରାଚୀନପନ୍ଥୀ, ନାରୀ, ନୈଷ୍ଠିକ, ମାତୃହୀନା, କ୍ଷୁଧାର ପୀଡ଼ା ଆଦି ନାଟକଗୁଡ଼ିକର ପାଣ୍ଡୁଲିପି ଧୀରେ ଧୀରେ ନଷ୍ଟ ହୋଇଗଲା । ମାତ୍ର ତିନୋଟି ନାଟକ ତାଙ୍କର ପ୍ରକାଶିତ । ସେଗୁଡ଼ିକ ହେଉଛି ମନ୍ଦିର ପ୍ରବେଶ (୧୯୪୭), ଜନ୍ମତିଥି (୧୯୬୪) ଏବଂ ନିଷ୍ପତ୍ତି (୧୯୭୧) ।

 

ଆଜି ସୀତାଦେବୀ ନାହାନ୍ତି । ମାତ୍ର ଓଡ଼ିଆ ନାଟ୍ୟ ସାହିତ୍ୟକୁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଜଣେ ନାରୀ ହୋଇ ଓଡ଼ିଆ ନାଟକ ରଚନା, ନିର୍ଦ୍ଦେଶନା, ମଞ୍ଚସ୍ଥ କରିବା ପାଇଁ ସେ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ, ସେ ସମୟରେ ଯେକୌଣସି ପୁରୁଷ ନିକଟରେ ତାହା ନିଶ୍ଚିତ ଭାବରେ ଅସମ୍ଭବ ଥିଲା । ନାଟକରୁ ଆୟ ହୋଇଥିବା ସାତଶହ ଟଙ୍କା ସ୍ୱାମୀଙ୍କ ପରାମର୍ଶରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟକୁ ଦେଇଥିଲେ । ଉଦ୍ଦେଶ୍ୟ ଥିଲା, ଯେଉଁ ଛାତ୍ର ସର୍ବଶ୍ରେଷ୍ଠ ନମ୍ବର ରଖିବ, ସେ ସେଥିର ସୁଧ ପୁରସ୍କାର ଭାବରେ ନେବ । ସୀତାଦେବୀଙ୍କର ଶେଷ ପର୍ଯ୍ୟନ୍ତ ଦୁଃଖ ରହିଯାଇଥିଲା ଯେ, ସେ ତାଙ୍କ ନାଟ୍ୟ ସଂସ୍ଥାଟିକୁ ଦୀର୍ଘଜୀବୀ କରିପାରିଲେ ନାହିଁ । ଏହା ସତ୍ତ୍ୱେ ଓଡ଼ିଆ ନାଟକ ଓ ରଙ୍ଗମଞ୍ଚକୁ ଜଣେ ନାରୀ ଭାବରେ ଯାହା ଦେଇଯାଇଛନ୍ତି, ସେଥିପାଇଁ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ । ତାଙ୍କର ପ୍ରେରଣା ଲାଭ କରି ସେତେବେଳେ ବହୁ ନାଟ୍ୟାନୁଷ୍ଠାନ ଗଢ଼ିଉଠିଥିଲା । ଜନସାଧାରଣଙ୍କ ମନୋରଞ୍ଜନ କରିବା ସହିତ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ ସେ ତାଙ୍କ ନାଟକରେ ରୂପ ପ୍ରଦାନ କରି ସେ ଯେଉଁ ଉଦାହରଣ ସୃଷ୍ଟି କରିଯାଇଛନ୍ତି, ସେଥିପାଇଁ ସେ ଚିରନମସ୍ୟ ରହିବେ ।

 

ସୀତାଦେବୀଙ୍କ ନାଟକ ବିଚାର

 

ପୂର୍ବରୁ ସୂଚନା ପ୍ରସଙ୍ଗରେ କୁହାଯାଇଛି ଯେ ସୀତାଦେବୀଙ୍କ ସହୋଦରା, ପ୍ରାଚୀନପନ୍ଥୀ, ନାରୀ, ନୈଷ୍ଠିକ, ମାତୃହୀନା, କ୍ଷୁଧାର ପୀଡ଼ା ଆଦି ନାଟକ ଗୁଡ଼ିକର ପାଣ୍ଡୁଲିପି ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତେଣୁ ସେହି ନାଟକଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସମ୍ଭବ ନୁହେଁ । ଉପଲବ୍‌ଧ ତିନୋଟି ନାଟକ, ଯଥା–ମନ୍ଦିର ପ୍ରବେଶ, ଜନ୍ମତିଥି ଏବଂ ନିଷ୍ପତ୍ତି ସମ୍ପର୍କରେ ଏଠାରେ ସାମାନ୍ୟ ଆଲୋକପାତ କରାଯାଇପାରେ ।

 

ମନ୍ଦିର ପ୍ରବେଶ ନାଟକଟିର ନାମକରଣରୁ ଏହା ଜାତି ପ୍ରଥା ରୂପକ ସାମାଜିକ କୁସଂସ୍କାର ଉପରେ ରଚିତ ବୋଲି ଜଣାଯାଇଥାଏ । ଏହି ନାଟକଟି ୧୯୪୭ ମସିହାରେ ପ୍ରକାଶିତ-। ମାତ୍ର ରଚନା ସମୟ ଏହାର ପୂର୍ବବର୍ତ୍ତୀ । ୧୯୪୭ ମସିହା ବେଳକୁ ଭାରତୀୟ ମୁକ୍ତି ସଂଗ୍ରାମ ନିର୍ଦ୍ଦିଷ୍ଟ ରୂପରେଖ ଗ୍ରହଣ କରିସାରିଥିଲା । ଗାନ୍ଧିଜୀଙ୍କ ଆହ୍ୱାନରେ ଗୋଟିଏ ରାଜନୀତିକ ମଞ୍ଚରେ ସମଧର୍ମୀ ଭାରତୀୟମାନେ ଏକଜୁଟ ହୋଇ ସାରିଥିଲେ । ୧୯୪୭ ମସିହାରେ ମୁସ୍‌ଲିମ ଲିଗ୍‌ନିଜ ପାଇଁ ସ୍ୱତନ୍ତ୍ର ରାଜନୀତିକ ଭୂଖଣ୍ଡ ଦାବୀ କରି ଭାରତୀୟ ରାଜନୀତିକ ଆକାଶରେ ଚମକ ସୃଷ୍ଟି କରିଥିଲା । ଏହି କାରଣରୁ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଭାରତରେ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହୋଇଥିଲା । ମୁସଲମାନ ଓ ହିନ୍ଦୁ କେହି କାହାକୁ ବିଶ୍ୱାସ କରିବାକୁ ରାଜି ନଥିଲେ । ଗାନ୍ଧିଜୀଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇ ଯାଇଥିଲା । ଶେଷରେ ଅଖଣ୍ଡିତ ଭାରତ ଖଣ୍ଡିତ ହୋଇ ପାକିସ୍ଥାନ ଏବଂ ଭାରତ–ଏହି ଦୁଇଟି ରାଷ୍ଟ୍ରରେ ପରିଣତ ହୋଇଥିଲା । ଇଂରେଜମାନେ ଦେଶ ଛାଡ଼ି ଚାଲିଗଲା ପରେ ମଧ୍ୟ କିଛି ଦିନ ପର୍ଯ୍ୟନ୍ତ ଅଶାନ୍ତ ବାତାବରଣ ଲାଗି ରହିଥିଲା । ପୁଣି ଆମ ସମାଜରେ ଜାତିଭେଦ ପ୍ରଥା ଉତ୍କଟ ରୂପ ଗ୍ରହଣ କରିଥିଲା । ଗାନ୍ଧିଜୀ ପ୍ରଥମରୁ ଏପରି ସାମାଜିକ କୁସଂସ୍କାରକୁ ବିରୋଧ କରି ଆସିଥିଲେ । ଜାତିଭେଦ ପ୍ରଥାର ବିଲୋପ ପାଇଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ । ‘ମଣିଷର ସେବା ହିଁ ଈଶ୍ୱରଙ୍କ ସେବା’–ଗାନ୍ଧିଜୀ ଭାରତର ବିଭିନ୍ନ ସ୍ଥାନ ବୁଲି ଏହାର ପ୍ରଚାର କରିଥିଲେ । ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାରତର ବହୁ ନିଃସ୍ୱାର୍ଥପର ବ୍ୟକ୍ତି ସମାଜ ସେବା କରିବାକୁ ଆଗେଇ ଆସିଥିଲେ । ସୀତାଦେବୀ ଗାନ୍ଧିଜୀଙ୍କର ଆଦର୍ଶ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ସମାଜ ପାଇଁ କିଛି କରିବାର ମାନସିକତା ତାଙ୍କର ପ୍ରବଳ ହୋଇ ଉଠିଥିଲା । ଏଥିପାଇଁ ସେ କିଛିଦିନ ପାଇଁ ରାଜନୀତିରେ ପ୍ରବେଶ କରିଥିଲେ । ସମସାମୟିକ ସମାଜର ବହୁ କୁସଂସ୍କାର ପ୍ରତି ସେ ଥିଲେ ପ୍ରତିକ୍ରିୟାଶୀଳା । ତାଙ୍କର ଗଳ୍ପ, ଉପନ୍ୟାସ, କବିତା ଓ ନାଟକ ଗୁଡ଼ିକରେ ଏହି ସମାଜ ସଂସ୍କାର ପ୍ରୟାସ ପରିଲକ୍ଷିତ ହୋଇଥାଏ ।

 

ସୀତାଦେବୀଙ୍କ ‘ମନ୍ଦିର ପ୍ରବେଶ’ ନାଟକରେ ତାଙ୍କର ଏହି ସମାଜ ସଂସ୍କାର ମନୋବୃତ୍ତି ବେଶ ସ୍ପଷ୍ଟ । ସେତେବେଳେ ବହୁ ପ୍ରଗତିଶୀଳ ଯୁବକ ଗାନ୍ଧିଜୀଙ୍କ ପ୍ରେରଣାରେ ସମାଜ ସଂସ୍କାର ପାଇଁ ଅଣ୍ଟାଭିଡ଼ି ବାହାରିଥିଲେ । ମନ୍ଦିର ପ୍ରବେଶ ନାଟକର ନାୟକ ଇନ୍ଦ୍ରନାଥ ଏହିପରି ଜଣେ ସମାଜସେବୀ, ପ୍ରଗତିଶୀଳ କଂଗ୍ରେସ ନେତା । ପିଲାଟି ଦିନରୁ ଗାନ୍ଧିଜୀଙ୍କୁ ସେ ଜୀବନର ଆଦର୍ଶ ରୂପେ ଗ୍ରହଣ କରି ସମାଜ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଛନ୍ତି । ସମାଜସେବାରେ ବ୍ୟାଘାତ ଘଟିବ ବୋଲି ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଗାନ୍ଧିଜୀଙ୍କ ଡକରାରେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ତିନିବର୍ଷ କାରାଗାର ଜୀବନ ବିତାଇଛନ୍ତି । ସେ ତାଙ୍କର ସମାଜସେବା ନିମିତ୍ତ ଗଞ୍ଜାମ ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଛନ୍ତି । ଏହି ଅଞ୍ଚଳରେ ସେତେବେଳେ ଜାତିଭେଦ ଏକ ମାରାତ୍ମକ ରୂପ ଗ୍ରହଣ କରିଥିଲା । ତେଣୁ ହରିଜନମାନଙ୍କୁ ମନ୍ଦିର ପ୍ରବେଶର ଅଧିକାର ଦେଇ ଜାତିଭେଦ ରୂପକ କଳଙ୍କିତ ପ୍ରଥାକୁ ଲୋପ କରିବାକୁ ଚେଷ୍ଟା କରିଛନ୍ତି ।

 

ଏହି ସମୟରେ ଭାରତୀୟ ସମାଜରେ ଅନ୍ୟ ଏକ ଅଘଟଣ ଘଟିଚାଲିଥିଲା । ଅନେକ ଭାରତୀୟ ଆର୍ଥିକ ଦୁର୍ଗତି ଯୋଗୁଁ ଦାରିଦ୍ର୍ୟ ପୀଡ଼ନରେ ଖ୍ରୀଷ୍ଟଧର୍ମ ଏବଂ ଇସ୍‌ଲାମ ଧର୍ମରେ ଦୀକ୍ଷିତ ହେଉଥିଲେ । ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ଏହି ଦୁଇଟି ସଂପ୍ରଦାୟ ଅନେକ ଲୋକଙ୍କୁ ନିଜ ଧର୍ମକୁ ଟାଣିନେବାକୁ ପ୍ରୟାସ କରିଚାଲିଥିଲେ । ବର୍ତ୍ତମାନ ମଧ୍ୟ ଆମ ସମାଜରେ ଏପରି ଘଟଣା ବିରଳ ନୁହେଁ । ପ୍ରଗତିବାଦୀ ଯୁବକ ଇନ୍ଦ୍ରନାଥ ସଂକୀର୍ଣ୍ଣମନା ନଥିଲେ ହେଁ ଏପରି ଧର୍ମାନ୍ତରୀକରଣକୁ ସମର୍ଥନ କରିପାରିନଥିଲେ । ତେଣୁ ଅର୍ଜୁନ ଓ ଚରଣଙ୍କ ପରି ସହକର୍ମୀଙ୍କୁ ସାଥୀରେ ଧରି ହରିଜନ ବସ୍ତି ବୁଲି ବୁଲି ଧର୍ମାନ୍ତର ଗ୍ରହଣ ବିରୋଧରେ ପ୍ରଚାର କରୁଥିଲେ । ତାଙ୍କର ବ୍ୟକ୍ତିତ୍ୱ, ସରଳତା ଓ ସେବାପରାୟଣ ମନୋବୃତ୍ତି ଯୋଗୁଁ ହରିଜନ ବସ୍ତିର ଲୋକମାନେ ଧର୍ମାନ୍ତର ଗ୍ରହଣ ନିଷ୍ପତ୍ତିରୁ ଓହରିଆସିଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ବିଭିନ୍ନ ସଭା ସମିତିର ଆୟୋଜନ ଓ ଗୀତ ମାଧ୍ୟମରେ ସେ ପ୍ରୟାସ ଜାରି ରଖିଥିଲେ । ଏ କ୍ଷେତ୍ରରେ ସେ ତାଙ୍କର ସହକର୍ମୀ ମାନଙ୍କଠାରୁ ମଧ୍ୟ ଅକୁଣ୍ଠ ସାହାଯ୍ୟ ଲାଭ କରିଥିଲେ । ସମାଜରେ ପ୍ରଚଳିତ କିଛି କୁତ୍ସିତ ଆଚରଣ ଯଥା–ମୃତପଶୁ ଭକ୍ଷଣ, ମଦ୍ୟପାନ, ଅପରିଷ୍କାର ଓ ଅପରିଚ୍ଛନ୍ନତା ପରିତ୍ୟାଗ ପାଇଁ ସେ ଲୋକମାନଙ୍କୁ ଆହ୍ୱାନ ଦେଉଥିଲେ ।

 

ସମାଜରେ ଏପରି କିଛି ବ୍ୟକ୍ତି ଥାନ୍ତି, ଯେଉଁମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳର ନିର୍ମଳ ଭାବମୂର୍ତ୍ତିରେ କଳଙ୍କ ଲେପନ କରିଥାନ୍ତି । ସେହିପରି ଜଣେ ସ୍ୱାର୍ଥପର ଓ ମତଲବି ବ୍ୟକ୍ତି ହେଉଛନ୍ତି ଅପୂର୍ଣ୍ଣ । କଂଗ୍ରେସ କର୍ମୀ ଥାଇ କଂଗ୍ରେସ-ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଇନ୍ଦ୍ରନାଥଙ୍କ ଗଠନମୂଳକ କାର୍ଯ୍ୟକୁ ବିରୋଧ କରି ସେ ସ୍ୱାଧୀନ ଦଳ ଗଠନ କରିଛନ୍ତି ଏବଂ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରିଛନ୍ତି ଇନ୍ଦ୍ରନାଥଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ । ଅନ୍ୟ ପକ୍ଷରେ ଇନ୍ଦ୍ରନାଥ ଜାତିଭେଦ ପ୍ରଥା ବିଲୋପ ଆନ୍ଦୋଳନକୁ ସବର୍ଣ୍ଣ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି । ଲୋକଙ୍କର ଏପରି ଆଚରଣ ତାଙ୍କୁ ଦୁଃଖ ଦେଇଛି । ଗାନ୍ଧିଜୀଙ୍କ ପଥ ଅବଲମ୍ବନ କରି ସେ ବିଭିନ୍ନ ସଭା ସମିତର ଆୟୋଜନ କରିବା ସହିତ ଅହିଂସାତ୍ମକ ଭାବରେ ତିନି ଦିନ ଉପବାସ ରହିଛନ୍ତି । ଇନ୍ଦ୍ରନାଥଙ୍କ ସଦାଚରଣରେ ପ୍ରଭାବିତ ହୋଇ ଅପୂର୍ଣ୍ଣଙ୍କର ଅବିବାହିତ ଭଗ୍ନୀ ଅମିତା ଅସ୍ପୃଶ୍ୟତା ନିବାରଣ ପାଇଁ ଲୋକମାନଙ୍କୁ ଘର ଘର ବୁଲି ବୁଝାଇଛନ୍ତି । ଚନ୍ଦ୍ର ପଣ୍ଡିତଙ୍କ ପରି କିଛି ପୁରୁଣା ମାନସିକତାର ଲୋକ ନିଜ ସ୍ୱାର୍ଥ ପାଇଁ ଗାନ୍ଧିଜୀଙ୍କ ଏପରି ବିଚାରଧାରାକୁ ତୀବ୍ର ନିନ୍ଦା କରିଛନ୍ତି ।

 

ଜନ ସଚେତନତା ପାଇଁ ବିଭିନ୍ନ ଗ୍ରାମରେ ସଭା ସମିତିର ଆୟୋଜନ କରାଯାଇଛି । ଶିଳ୍ପପତି ବୀରବାବୁଙ୍କ କନ୍ୟା ଲଳିତାକୁ ବିବାହ କରିଛନ୍ତି ଓ ବୀରବାବୁ ଦେଶ ଏବଂ ଜାତିର କଲ୍ୟାଣାର୍ଥେ ନିଜର ସମସ୍ତ ସମ୍ପତ୍ତି ଜାମାତାଙ୍କ ହସ୍ତରେ ଅର୍ପଣ କରିଛନ୍ତି । ଇନ୍ଦ୍ରନାଥଙ୍କ ତ୍ୟାଗ ଏବଂ ଆଚରଣ ଲୋକମାନଙ୍କ ମଧ୍ୟରେ ଜାଗରଣ ଆଣିଛି । ହରିଜନମାନେ ମନ୍ଦିରରେ ପ୍ରବେଶାଧିକାର ପାଇଛନ୍ତି ଏବଂ ଶେଷରେ ଅନ୍ୟ ଗ୍ରାମରେ ସେହି କାର୍ଯ୍ୟ ଚାଲୁ ରଖିବା ପାଇଁ ଇନ୍ଦ୍ରନାଥ ଗ୍ରାମବାସୀଙ୍କଠାରୁ ବିଦାୟ ନେଇ ଚାଲିଯାଇଛନ୍ତି ।

 

ସୀତାଦେବୀ ଥିଲେ ଜଣେ ସମାଜସଚେତନ ଶିଳ୍ପୀ । ଯୁଗ ଯୁଗ ଧରି ଆମ ସମାଜରେ ପରିପୂରିତ ପାରମ୍ପରିକ ଧାରଣା ଓ ସାମାଜିକ କୁସଂସ୍କାର ବିଲୋପ ନିମିତ୍ତ ପରୋକ୍ଷରେ ଏହି ନାଟକରେ ସେ ଆହ୍ୱାନ ଦେଇଛନ୍ତି । ଦେଶର ବିକାଶ ଓ ପ୍ରଗତି ପାଇଁ ସମୁଦାୟ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ, ତାହା ଏଥିରେ ଦେଖାଇଦିଆଯାଇଛି । କୌଣସି ରଚନାତ୍ମକ ବା ଗଠନମୂଳକ କାର୍ଯ୍ୟ କେବେ ଯେ ବ୍ୟର୍ଥ ହୁଏ ନାହିଁ, ଇନ୍ଦ୍ରନାଥ ଏବଂ ତାଙ୍କ ସହକର୍ମୀଙ୍କ ତ୍ୟାଗପୂତ, କର୍ତ୍ତବ୍ୟନିଷ୍ଠା ମାଧ୍ୟମରେ ନାଟ୍ୟକାର ପ୍ରମାଣିତ କରିଛନ୍ତି ।

 

ସୀତାଦେବୀଙ୍କ ଜନ୍ମତିଥି ନାଟକଟି ସେହି ଦେଶାତ୍ମବୋଧ, ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି ଉପରେ ରଚିତ । ତେବେ ମନ୍ଦିର ପ୍ରବେଶ ନାଟକର ଦୀର୍ଘଦିନ ପରେ ଏହି ନାଟକଟି ରଚିତ । ଏହି ସମୟରେ ତାଙ୍କର ପାରିବାରିକ ସମସ୍ୟା ଓ ମାନସିକ ଅଶାନ୍ତି ପାଇଁ ସେ କୌଣସି ସୃଜନଶୀଳ ସୃଷ୍ଟିରେ ହାତ ଦେଇପାରିନାହାନ୍ତି । ଏତିକି ବେଳକୁ ବାଞ୍ଛାନିଧି ବାବୁ ବାରମ୍ବାର ଅସୁସ୍ଥ ହୋଇପଡ଼ୁଥିଲେ । ପୁତ୍ର ଓ କନ୍ୟା ପାଖରେ ନଥିଲେ । କନ୍ୟା ସେତେବେଳକୁ ପାଟନାରେ ଅବସ୍ଥାନ କରୁଥାନ୍ତି । ନିଜର ଏକମାତ୍ର ପୁତ୍ର ଜଣେ ପଞ୍ଜାବୀ କନ୍ୟାର ପାଣିଗ୍ରହଣ କରିଥାଏ । ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲେହେଁ କୌଣସି ଉପାୟରେ ନିଜ ମନକୁ ବୁଝାଇଦେଇଥାନ୍ତି । ପୁତ୍ରର ଅନୁରୋଧରେ ନିଜର ପୈତୃକ ସମ୍ପତ୍ତି ବିକ୍ରୟ କରି ସ୍ୱାମୀ ସ୍ତ୍ରୀ କଟକରେ ପୁଅ ନିକଟରେ ରହିବାକୁ ଯାଇଥାନ୍ତି । ଅଣ ଓଡ଼ିଆ ପୁତ୍ରବଧୂ ଶ୍ୱଶୁରଙ୍କୁ ଉଚିତ ସମ୍ମାନ ଦେବା ପରିବର୍ତ୍ତେ ତାଙ୍କୁ ଅବଜ୍ଞା କରିଛନ୍ତି । ଏହି ଅପମାନ ସୀତାଦେବୀଙ୍କୁ ଗଭୀର ଆଘାତ ଦେଇଥିଲା । ତେଣୁ ସେମାନେ ପୁତ୍ର ପାଖରେ ନ ରହି କନ୍ୟା କମଳାର ଆମନ୍ତ୍ରଣ କ୍ରମେ ପାଟନା ଚାଲି ଯାଇଥିଲେ । ପିତାଙ୍କ ପ୍ରତି ଅବଜ୍ଞାକୁ ପୁତ୍ର ମଧୁସୂଦନ ସହଜରେ ଗ୍ରହଣ କରିପାରିନଥିଲେ । ଏହି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା । ଅବଶ୍ୟ ସୀତାଦେବୀଙ୍କର ଏହି ସମସ୍ୟା ଦୀର୍ଘଦିନ ରହିନଥିଲା-। କନ୍ୟା କମଳା ବିବାହ କରିବାକୁ ରାଜି ନଥିଲେହେଁ ତାକୁ କୌଣସି ଉପାୟରେ ବୁଝାଇ ସେ ଚାକିରୀ କରୁଥିବା ମେଡ଼ିକାଲ କଲେଜର ପ୍ରଫେସର ଡଃ ଗୋବିନ୍ଦ ଆଚାରିକୁ ବିବାହ କରାଇଦେଇଥିଲେ ଏବଂ କିଛି ଦିନ ପରେ ସେମାନଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ନେଇଥିଲା । ଇତି ମଧ୍ୟରେ ପୁତ୍ର ଓ ପୁତ୍ରବଧୂଙ୍କ ମଧ୍ୟରେ ରହିଥିବା ମନୋମାଳିନ୍ୟ ଦୂର ହୋଇଯାଇଥିଲା । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତଥା ବିଷୁବ ମିଳନରେ ଯୋଗ ଦେବା ପାଇଁ ତାଙ୍କୁ ବାରମ୍ବାର କଟକକୁ ଆସିବାକୁ ପଡ଼ୁଥିଲା । ପାରିବାରିକ ସମସ୍ୟା ଦୂର ହୋଇଯିବା ପରେ ସେ ପୁଣି ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିଥିଲେ । ଏହି ସମୟରେ ସେ ଲେଖିଥିଲେ ‘ଜନ୍ମତିଥି’ ନାଟକଟି ।

 

ମନ୍ଦିର ପ୍ରବେଶ ନାଟକଟି ପରି ଏହି ନାଟକରେ ଲେଖିକାଙ୍କର ସମାଜ ସଂସ୍କାର ପ୍ରୟାସ, ଜାତୀୟବାଦୀ ଚେତନା, ସ୍ୱାଧୀନତା ଆନ୍ଦୋଳନର କିଛି ଅନୁଭୂତି ପ୍ରକାଶ ଲାଭ କରିଛି । ଇନ୍ଦ୍ରନାଥ ପରି ଜନ୍ମତିଥି ନାଟକର ନାୟକ ଶିବସୁନ୍ଦର ସ୍ୱାଧୀନଚେତା, ସଂସ୍କାରପ୍ରୟାସୀ ଓ ଦେଶକୁ ଭଲପାଉଥିବା ଜଣେ ଜାତୀୟବାଦୀ ଯୁବକ । ଅବଶ୍ୟ ଜନ୍ମତିଥି ନାଟକର ନାୟକ ବିବାହିତ । ପତ୍ନୀ ଗାୟତ୍ରୀ ଗୃହକର୍ମ ନିପୁଣା, ଆଦର୍ଶ କୁଳବଧୂ । ମାତା ଶାନ୍ତିଦେବୀ ପୁତ୍ର ଶିବସୁନ୍ଦରଙ୍କର ୩୫ ତମ ଜନ୍ମଦିବସ ପାଳନ କରିବାକୁ ବ୍ୟଗ୍ର । ସେଥିପାଇଁ ଗାୟତ୍ରୀ ପିଠାପଣାରେ ବ୍ୟସ୍ତ । ଶିବସୁନ୍ଦର ନିଜ ହାତ ତିଆରି ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଉଚ୍ଚଶିକ୍ଷିତ ହେଲେହେଁ ସରକାରୀ ଚାକିରିର ପ୍ରଲୋଭନ ତ୍ୟାଗ କରି ନିଜ ଗାଁ ମନୋହରପୁରରେ ବିଦ୍ୟାଳୟଟି ନିର୍ମାଣ କରିଛନ୍ତି । ନିଜ ଚେଷ୍ଟା, ପରିଶ୍ରମ ଓ ଅନ୍ୟମାନଙ୍କ ସହଯୋଗରେ ତିଆରି ହୋଇଥିବା ବିଦ୍ୟାଳୟଟି ଆଜି ତୃତୀୟ ଶ୍ରେଣୀରୁ ଉଠି ଉଠି ଦଶମ ଶ୍ରେଣୀରେ ପହଞ୍ଚିଛି । ଗ୍ରାମରୁ ଅଶିକ୍ଷା-ଅନ୍ଧକାର ଦୂର କରିବା ଉଦ୍ଦେଶ୍ୟରେ ହିଁ ସେ ବିଦ୍ୟାଳୟ ସ୍ଥାପନ କରିଥିଲେ । ଛାତ୍ରମାନଙ୍କୁ ଶୃଙ୍ଖଳିତ, ଚରିତ୍ରବାନ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିଛନ୍ତି । ନୈତିକ ଆଦର୍ଶ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିଦ୍ୟାଳୟରେ ବେଦ ଉପନିଷଦ ପାଠ କରାଯାଇଛି । ତାଙ୍କର ସ୍ୱପ୍ନ ଅନେକ ପରିମାଣରେ ସାକାର ହୋଇଛି । ଜନ୍ମଦିନ ପାଇଁ ଶାନ୍ତିଦେବୀ ଶୀଘ୍ର ବିଦ୍ୟାଳୟରୁ ଫେରିବା ପାଇଁ ପୁଅକୁ କହିଥିଲେ ହେଁ ବିଦ୍ୟାଳୟରେ ତାଙ୍କର ଛାତ୍ର ଓ ସହକର୍ମୀ ଏହି ଜନ୍ମଦିନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରଶ୍ନ କରିବାରୁ ନିଜ ମଧ୍ୟରେ ଶିବସୁନ୍ଦର ଏକ ରୋମାଞ୍ଚକତା ଅନୁଭବ କରି ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରାଧୀନ ଭାରତବର୍ଷରୁ ଅଜ୍ଞାନତାର ଅନ୍ଧକାର ଦୂର କରିବା, ଦେଶବାସୀଙ୍କ ମନରେ ଜାତୀୟ ଜାଗରଣ ସୃଷ୍ଟିକରିବା, ଗାନ୍ଧୀ ବିଚାରଧାରାକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବା, ଭାଷା ସୂତ୍ରରେ ଉତ୍କଳକୁ ଏକତ୍ରୀକରଣ କରିବା ନିମିତ୍ତ ସେ ଦୃଢ଼ପ୍ରତିଜ୍ଞ ହୋଇଛନ୍ତି । ବିଭିନ୍ନ ସ୍ଥାନରୁ ସହଯୋଗର ହାତ ଲମ୍ବିଆସିଛି ତାଙ୍କ ନିକଟକୁ। ସେ ନିଜ ହାତରେ ଗଢ଼ିଥିବା ଛାତ୍ରମାନେ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ହୋଇଛନ୍ତି । ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ମାର୍ଗରେ ଯିବାପାଇଁ ସେ ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି । ଶାନ୍ତି, ସତ୍ୟ ଓ ଅହିଂସାର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିଛନ୍ତି । ଦେଶ ଓ ଜାତି ପାଇଁ ଆତ୍ମୋତ୍ସର୍ଗ କରିବା ନିମିତ୍ତ ପ୍ରବର୍ତ୍ତାଇଛନ୍ତି। ତାଙ୍କର ଆଦର୍ଶ ଓ ଉତ୍ସାହ ଲୋକମାନଙ୍କ ମନରେ ଉଦ୍ଦୀପନା ସୃଷ୍ଟି କରିଛି । ତାଙ୍କର ଏହି ଆଚରଣ ସରକାରଙ୍କଦ୍ୱାରା ରାଜଦ୍ରୋହ ଅପରାଧରୂପେ ପରିଗଣିତ ହୋଇଛି । ତାଙ୍କୁ ରାଜଦ୍ରୋହ ଅପରାଧରେ ବନ୍ଦୀ କରାଯାଇ କାରାଗାରରେ ରଖାଯାଇଛି ।

 

ଶିବସୁନ୍ଦର କାୟ-ମନ-ବାକ୍ୟରେ ଥିଲେ ଜଣେ ଜାତୀୟବାଦୀ ଯୁବକ । କାରାଗାରରେ ମଧ୍ୟ ତାଙ୍କ ମନରୁ ଏହି ଜାତୀୟବାଦୀ ଚେତନା ଲୁପ୍ତ ହୋଇନଥିଲା । ସେଠାରେ ଜାତୀୟତାମୂଳକ କବିତା ରଚନା କରି ଜନସାଧାରଣଙ୍କୁ ଉଦ୍‌ବୋଧିତ କରିଛନ୍ତି । ଅନେକ ଲୋକ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଏହି ସମୟରେ ତାଙ୍କ ମାତା ଅସୁସ୍ଥ ହୋଇ ପଡ଼ିଛନ୍ତି । ପତ୍ନୀ ବିନା ଆପତ୍ତିରେ ଶାଶୁଙ୍କର ସେବା ଶୁଶ୍ରୂଷା କରି ଚାଲିଛନ୍ତି । ମା’ଙ୍କର ଅସୁସ୍ଥତା ଖବର ପାଇଲାମାତ୍ରେ ଶିବସୁନ୍ଦର ବିଚଳିତ ହୋଇପଡ଼ିଛନ୍ତି । କାରାଗାର କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଘରେ ପହଞ୍ଚି ଦେଖନ୍ତି ମା’ ସବୁଦିନ ପାଇଁ ବିଦାୟ ନେଇ ସାରିଛନ୍ତି । ନିକଟରେ ପୁତ୍ର ସନ୍ତାନଟିକୁ ଜନ୍ମ ଦେଇ ଦୁର୍ବଳ ହୋଇପଡ଼ିଥିବା ପତ୍ନୀ ଗାୟତ୍ରୀ ସ୍ୱାମୀଙ୍କ ମୁଖକୁ ଚାହିଁ ଚାହିଁ ପ୍ରାଣ ବିସର୍ଜନ କରିଛନ୍ତି । ଏପରି ଦାରୁଣ ଆଘାତ ଶିବସୁନ୍ଦରଙ୍କୁ ତାଙ୍କ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିପାରିନାହିଁ । ମାତା ଓ ପତ୍ନୀଙ୍କ କାର୍ଯ୍ୟ ଶେଷ କରି ଧୁର୍ଜଟୀ ଭାଇଙ୍କ ହାତରେ ନବଜାତ ପୁତ୍ର ସନ୍ତାନଟିର ଦାୟିତ୍ୱ ଦେଇ ପୁଣି କାରାଗାରକୁ ଫେରିଯାଇଛନ୍ତି ।

 

ଏକ କରୁଣାନ୍ତକ ପରିବେଶରେ ନାଟକଟିର ପରିସମାପ୍ତି ଘଟିଛି । ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହିପରି କିଛି ଉତ୍ସାହିତ ଯୁବକଙ୍କ ସହଯୋଗରେ ଏହି ଆନ୍ଦୋଳନ ନିର୍ଦ୍ଦିଷ୍ଟ ରୂପଟିଏ ଗ୍ରହଣ କରିଥିଲା । ପୁଣି ସେହି ସମୟରେ ଅର୍ଥାତ୍‌ ବିଂଶ ଶତକର ଆଦ୍ୟ ପାଦରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନଟିଏ ମୁଣ୍ଡ ଟେକିଥିଲା-। ସମସାମୟିକ ବହୁ ରାଜନୀତିକ ଘଟଣା ଉକ୍ତ ନାଟକରେ ପରିଲକ୍ଷିତ ହୋଇଥାଏ । ସୀତାଦେବୀ କୌଣସି ସମୟରେ ବାସ୍ତବତାକୁ ମୁଖ ଫେରାଇନେବାକୁ ଚେଷ୍ଟା କରିନାହାନ୍ତି । ସେ ଜାଣନ୍ତି ନାଟକ ମାଧ୍ୟମରେ ଜନ ଜାଗରଣଟିଏ ସୃଷ୍ଟି କରିବା ଅଧିକ ସହଜସାପେକ୍ଷ । ସେହି କାରଣରୁ ସେ ତାଙ୍କ ନାଟକ ମାଧ୍ୟମରେ ସମୟର ସ୍ପନ୍ଦନକୁ ପ୍ରକାଶ କରିଛନ୍ତି । ଯୁବ ଚରିତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ବାର୍ତ୍ତାକୁ ସେ ସମଗ୍ର ଭାରତ ବର୍ଷରେ ପ୍ରଚାର କରିବାର ସ୍ୱପ୍ନ ଦେଖିଥିଲେ । ତେଣୁ ସେ ତାଙ୍କ ନାଟକରେ ଆଦର୍ଶବାଦୀ ଯୁବକମାନଙ୍କୁ ନାୟକ ଭାବରେ ଗ୍ରହଣ କରି ସେମାନଙ୍କ ମାଧ୍ୟମରେ ନିଜର ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି । ଜନ୍ମତିଥି ନାଟକଟି ଏହି ଉଦ୍ଦେଶ୍ୟ ଚରିତାର୍ଥ ନିମିତ୍ତ ସୃଷ୍ଟି ବୋଲି ମନେହୋଇଥାଏ ।

 

ସୀତାଦେବୀଙ୍କ ‘ନିଷ୍ପତ୍ତି’ ନାଟକଟି ମଧ୍ୟ ତାଙ୍କର ଅନ୍ୟାନ୍ୟ ନାଟକପରି ସମାଜ ସଂସ୍କାର ଉଦ୍ଦେଶ୍ୟରେ ରଚିତ । ପୂର୍ବରୁ କୁହାଯାଇଛି ଯେ, ସୀତାଦେବୀଙ୍କର କୌଣସି ନାଟକ ଉଦ୍ଦେଶ୍ୟହୀନ ନୁହେଁ । ପ୍ରତ୍ୟେକ ନାଟକରେ ସେ ସମାଜ ପାଇଁ ବାର୍ତ୍ତାଟିଏ ପ୍ରେରଣ କରିଛନ୍ତି । ଏହି ନାଟକରେ ମଧ୍ୟ ବାଲ୍ୟ ବିବାହ ପରି କୁପ୍ରଥା ସମ୍ପର୍କରେ ସେ ତାଙ୍କ ନାଟକରେ ସୂଚନା ଦେବା ସଙ୍ଗେ ସଙ୍ଗେ ଏହାର ବିଲୋପ ପାଇଁ ପରୋକ୍ଷରେ ଆହ୍ୱାନ ଦେଇଛନ୍ତି । ତାଙ୍କ ନାଟକର ଆଉ ଏକ ବିଶେଷତ୍ୱ ହେଲା କିଛି ଆଦର୍ଶ ଚରିତ୍ର ମାଧ୍ୟମରେ ନିଜର ସଂସ୍କାର ଭାବନାକୁ ରୂପ ପ୍ରଦାନ କରିବା । ନିଷ୍ପତ୍ତି ନାଟକରେ ବିପତ୍ନୀକ ବ୍ରଜ ମହାପାତ୍ର ଏହିପରି ଏକ ଆଦର୍ଶ ଚରିତ୍ର । ସେ ଜଣେ ସମ୍ଭ୍ରାନ୍ତଶାଳୀ ଜମିଦାର ହେଲେହେଁ, ତାଙ୍କ ପୂର୍ବପୁରୁଷଙ୍କ ପରି ୠଢିବାଦୀ, କୃପଣ ବା ନିଷ୍ଠୁର ନଥିଲେ । ସେ ଥିଲେ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି । ଏହି ଜମିଦାରଙ୍କ ଭୃତ୍ୟ ହେଉଛି ସଦେଇ । ସେ କେବେ ତାକୁ ଭୃତ୍ୟ ଭାବରେ ଦେଖିନାହାନ୍ତି । ସତେ ଯେପରି ସେ ତାଙ୍କର ଜଣେ ଆତ୍ମୀୟ, ବନ୍ଧୁ ଓ ସହୋଦର । ବ୍ରଜ ବାବୁଙ୍କ ପଡ଼ୋଶୀ ହେଉଛନ୍ତି ଦାମ ରଥ । ପଶା ଓ ସଙ୍ଗ ନିଶାରେ ସେ ନିଜର ସବୁ କିଛି ହରାଇ ବସିଛନ୍ତି । ତାଙ୍କର ଏକମାତ୍ର କନ୍ୟା ସୁମନାକୁ ବ୍ରଜବାବୁ ନାତୁଣୀର ସ୍ନେହ ଦେଇଥାନ୍ତି । ନାରୀ ଜାତିର କଲ୍ୟାଣ କାମନା କରି ସବୁବେଳେ ଉତ୍ସାହ ପ୍ରଦାନ କରିଥାନ୍ତି । ସୁମନାର କର୍ତ୍ତବ୍ୟ ନିଷ୍ଠା, ବ୍ୟବହାର ଏବଂ କର୍ମକୁଶଳତାରେ ମୁଗ୍‌ଧ ହୋଇ ଖୁସିରେ ମଝିରେ ମଝିରେ ତାକୁ କିଛି ଉପହାର ଦେଇଥାନ୍ତି । ଗାଁରେ ସଜ ମାଛରେ ପୋକ ପକାଇବା ଲୋକଙ୍କର ଅଭାବ ନାହିଁ । ଏଣୁ ବ୍ରଜବାବୁଙ୍କ ଏହି ମହାନତାକୁ ବୁଝିନପାରି କିଛି ଗ୍ରାମବାସୀ ବ୍ରଜବାବୁ ମନ୍ଦ ଉଦ୍ଦେଶ୍ୟ ରଖି ସୁମନା ସହିତ ଏପରି ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ଭାବନ୍ତି । ନନ୍ଦ ବୋଉ, ସେବତୀ ବୋଉ, ଯଦୁ ପରି କିଛି ଲୋକ ସୁମନାକୁ କେବେ ବ୍ରଜବାବୁ ବିବାହ କରିବେ ବୋଲି ପଚାରନ୍ତି । ଏହା ବ୍ରଜବାବୁଙ୍କୁ ଖୁବ୍‌ ଦୁଃଖ ଦିଏ ।

 

ଶାରଦା ଆଇନଯୋଗୁଁ ସମାଜରେ ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରାଯାଇଥିଲା । ସୁମନାର ଉପଯୁକ୍ତ ବୟସ ହେବା ପୂର୍ବରୁ ତାର ବିବାହ କରାଇଦିଆଗଲେ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବ୍ରଜବାବୁ ସୁମନା ବୋଉକୁ ସତର୍କ କରାଇଦେଇଛନ୍ତି । ଅଥଚ ଯେଉଁ ସଂସ୍କାର ମନୋବୃତ୍ତି ନେଇ ବ୍ରଜବାବୁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି, ଯଦି ସେ ତାଙ୍କ ନାତୁଣୀ ବୟସର ଝିଅକୁ ବିବାହ କରନ୍ତି, ତେବେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ଜାଣନ୍ତି । ମାତ୍ର ଏ ସଦେଇ ଚାହେଁ ତାଙ୍କ ନିଃସଙ୍ଗ ଜୀବନରେ ଜଣେ ସାଥୀଟିଏ ଆସୁ । ଏଥିପାଇଁ ସୁମନା ଯୋଗ୍ୟା ବୋଲି ସେ ଭାବିଥାଏ । ହଠାତ୍‌ ଏହିପରି ଏକ ପରିସ୍ଥିତିରେ ବ୍ରଜବାବୁଙ୍କ ଭାଣିଜୀ ପୁଅ ସୁଦର୍ଶନ ଦେଖାଦିଏ । ପିତାମାତାଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବାରୁ ବ୍ରଜବାବୁ ତାକୁ ଆପଣାର କରିନିଅନ୍ତି । ସେ ଜଣେ ସଚ୍ଚରିତ୍ର ବ୍ୟକ୍ତି ହୋଇଥିବାରୁ ନିଜ ଜମିଦାରୀର ସମସ୍ତ ଦାୟିତ୍ୱ ତା’ ଉପରେ ନ୍ୟସ୍ତ କରନ୍ତି । ଭବିଷ୍ୟତରେ ସୁମନା ସହିତ ତାର ବିବାହ ଦେଇ ନିଜେ ବୃନ୍ଦାବନକୁ ଯାତ୍ରା କରିବେ ବୋଲି ନିଷ୍ପତ୍ତି ନିଅନ୍ତି । ମାତ୍ର ସଦେଇ ଚାହୁଁନଥିଲା ବ୍ରଜବାବୁଙ୍କ ସମସ୍ତ ସମ୍ପତ୍ତି ସୁଦର୍ଶନ ଭୋଗକରୁ ବୋଲି ।

 

ସୁମନାର ପିତା ଦାମ ରଥେ ବ୍ରଜ ବାବୁଙ୍କୁ ଜ୍ୱାଇଁ କରିବାକୁ ଖୁବ୍‌ ଆଗ୍ରହୀ ଥିଲେ । କାରଣ ଏହାଦ୍ୱାରା ସୁମନା ପ୍ରଚୁର ସମ୍ପତ୍ତିର ଅଧିକାରିଣୀ ହୋଇ ଆନନ୍ଦରେ ଜୀବନ କଟାଇଦେବ-। ସଦେଇ ଓ ଦାମ ରଥଙ୍କ ପ୍ରରୋଚନାରେ ବ୍ରଜବାବୁଙ୍କ ସୁଖରେ ଅନ୍ତରାୟ ନ ହେବା ପାଇଁ ସୁଦର୍ଶନ ଦିନେ ଅଜାଙ୍କୁ ନଜଣାଇ ନିଜ ଗୋଡ଼ରେ ଠିଆ ହେବା ପାଇଁ ଘର ଛାଡ଼ି ଚାଲିଯାଏ । ତାର ଅଚାନକ ଏପରି ବ୍ୟବହାରରେ ବ୍ରଜବାବୁ ବ୍ୟସ୍ତ ହୋଇପଡ଼ନ୍ତି । ସୁଦର୍ଶନ ସୁନ୍ଦର ଗୀତ ଗାଉଥିବାରୁ ଆକାଶବାଣୀରେ ସେ ଗୀତ ଗାଇବାକୁ ଆରମ୍ଭ କରେ । ଦୁଇମାସ ପରେ ରେଡ଼ିଓରୁ ସୁଦର୍ଶନର କଣ୍ଠସ୍ୱର ଶୁଣି ବ୍ରଜବାବୁ କଟକ ରେଡ଼ିଓ ଷ୍ଟେସନକୁ ତାକୁ ଖୋଜିଆଣିବାକୁ ଯାଆନ୍ତି । ଯିବା ପୂର୍ବରୁ ସୁମବୋଉ ଓ ସଦେଇକୁ ବିବାହ ଓ ଭୋଜି ପାଇଁ ଆୟୋଜନ କରିବାକୁ କହିଯାନ୍ତି । ବ୍ରଜବାବୁ ବିବାହ ହେଉଛନ୍ତି ଶୁଣି ସୁଦର୍ଶନ ଅଜାଙ୍କ ବିବାହରେ ସାମିଲ ହେବାକୁ ସେଠାରେ ଆସି ପହଞ୍ଚେ । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବ୍ରଜବାବୁ ସୁଦର୍ଶନକୁ ବରବେଶରେ ସଜାଇ ସୁମନା ସହ ବିବାହ କରାଇଦିଅନ୍ତି । ଏହି ବିବାହରେ ସୁମନା ବୋଉ ଖୁବ୍‌ ଆନନ୍ଦିତ ହୁଏ । ଦାମ ରଥେ ନିଜର ଭୁଲ୍‌ ବୁଝିପାରନ୍ତି । ସେ ପଶା ଓ ଭାଙ୍ଗର ବଦନିଶା ତ୍ୟାଗ କରି ନିଜ ପରିବାରର ଉପଯୁକ୍ତ ଦାୟିତ୍ୱ ନେବାକୁ ସମସ୍ତଙ୍କ ଆଗରେ ଘୋଷଣା କରନ୍ତି । ବ୍ରଜବାବୁ ସୁଦର୍ଶନ ହାତରେ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେଇ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଗ୍ରାମବାସୀମାନଙ୍କୁ ସାହାଯ୍ୟ ସହଯୋଗ କରିବାର ଆଶୀର୍ବାଦ ପ୍ରଦାନପୂର୍ବକ ସଦେଇକୁ ନେଇ ବୃନ୍ଦାବନ ଯିବାକୁ ବାହାରିପଡ଼ନ୍ତି-

 

ଏକ ମିଳନାନ୍ତକ ପରିବେଶରେ ନାଟକଟିର ପରିସମାପ୍ତି ଘଟିଥିଲେହେଁ, ବ୍ରଜବାବୁଙ୍କ ମହାନ ହୃଦୟବତ୍ତାହିଁ ନାଟକଟିକୁ ଚମତ୍କାର ଉପସଂହାର ଦେଇଛି । ବାଲ୍ୟ ବିବାହ, ପଶା, ଭାଙ୍ଗ ଆଦି ମନ୍ଦ ଅଭ୍ୟାସ ବିରୋଧରେ ଏହି ନାଟକଟିରେ ପରୋକ୍ଷରେ ଚେତାବନୀ ଦିଆଯାଇଛି । ଗ୍ରାମୀଣ ଚରିତ୍ରମାନଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ତଥା ଲୋକ ଚରିତ୍ର ଅନୁଧ୍ୟାନରେ ନାଟ୍ୟକାର ଯଥେଷ୍ଟ ଧ୍ୟାନ ପ୍ରଦାନ କରିଛନ୍ତି । ସେତେବେଳେ ଯେଉଁ କିଛି ବ୍ୟକ୍ତି ସମାଜରେ ପରିପୂରିତ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ବ୍ରଜବାବୁଙ୍କୁ ତାଙ୍କର ଏକ ପ୍ରତୀକାତ୍ମକ ପ୍ରତିନିଧି ଭାବରେ ଗ୍ରହଣ କରାଯାଇପାରେ । ସୁଦର୍ଶନଙ୍କ ପରି ସତ୍‌ଚରିତ୍ର ଓ ସୁମନା ପରି କର୍ମନିପୁଣା ନାରୀର ଆବଶ୍ୟକତା ସମାଜରେ ସବୁବେଳେ ରହିଛି ବୋଲି ସୀତାଦେବୀ ପରୋକ୍ଷରେ ସୂଚାଇଦେଇଛନ୍ତି । ଭଲ କାର୍ଯ୍ୟ କରିବାକୁ ଗଲେ ପ୍ରତିରୋଧ ଆସେ; ମାତ୍ର ସେହି ପ୍ରତିରୋଧ କ୍ଷଣିକ, ‘ନିଷ୍ପତ୍ତି’ ନାଟକ ଏହା ପ୍ରତିପାଦିତ କରେ ।

 

ସୀତାଦେବୀଙ୍କ ନାଟକର ଆଙ୍ଗିକ ଓ ଆତ୍ମିକ ଦିଗ

 

ସୀତାଦେବୀ ସାମାଜିକ ଚେତନାକୁ ନେଇ ଗଳ୍ପ ରଚନା କରିଥିଲେହେଁ ତାଙ୍କ ନାଟକଗୁଡ଼ିକର କଳାତ୍ମକ ଦିଗ ବେଶ୍‌ ଉଚ୍ଚମାନର । ଚରିତ୍ର, ସଂଳାପ, ସଙ୍ଗୀତ, ନାଟକୀୟ ଦ୍ୱନ୍ଦ୍ୱ, ମଞ୍ଚ ମୂଲ୍ୟ–ସବୁ ଦୃଷ୍ଟିରୁ ବିଚାର କଲେ ତାଙ୍କ ନାଟକ ନିଶ୍ଚିତ ଭାବରେ ଉଚ୍ଚଗୁଣସମ୍ପନ୍ନ । ଏଠାରେ ତାଙ୍କ ନାଟକଗୁଡ଼ିକର କେତୋଟି ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇପାରେ ।

 

ଚରିତ୍ର

 

ନାଟକର ପ୍ରଥମ ବୈଶିଷ୍ଟ୍ୟ ହେଉଛି ଚରିତ୍ର । ବିନା ଚରିତ୍ରରେ ନାଟକର ସ୍ଥିତି ଅସମ୍ଭବ-। ତାଙ୍କ ନାଟକର ଚରିତ୍ର ଉଭୟ ଗତିଶୀଳ ଓ ସ୍ଥିତିଶୀଳ । ସେ ନାଟକର ଚରିତ୍ର ଖୋଜିବାକୁ ବିଶେଷ ଦୂରକୁ ଯାଇନାହାନ୍ତି । ସେ ଯେଉଁ ସମାଜରେ ବାସ କରନ୍ତି, ସେହି ସମାଜର ଚାରି ପାଖରେ ଘୂରି ବୁଲୁଥିବା ମଣିଷମାନଙ୍କୁ ଗୋଟାଇଆଣିଛନ୍ତି ତାଙ୍କ ନାଟକ ଭିତରକୁ । ଏଣୁ ତାଙ୍କର ଚରିତ୍ରଗୁଡ଼ିକ ଆଦୌ ଅପରିଚିତ ଜଣାପଡ଼ନ୍ତି ନାହିଁ । ପୁଣି ସେ ଯେଉଁ ଚରିତ୍ରମାନଙ୍କୁ ନାଟକରେ ସ୍ଥାନ ଦେଇଛନ୍ତି, ସେହି ଚରିତ୍ରମାନଙ୍କର ଚାରିତ୍ରିକ ଉତ୍କର୍ଷ ପ୍ରତିପାଦନ ନିମିତ୍ତ ଆପ୍ରାଣ ଉଦ୍ୟମ କରିଛନ୍ତି । ତେଣୁ ଚରିତ୍ରଗୁଡ଼ିକ ଆଦୌ ଅପ୍ରାକୃତିକ ନୁହନ୍ତି । ତାଙ୍କର ଉଭୟ ପୁରୁଷ ଓ ନାରୀ ଚରିତ୍ରଗୁଡ଼ିକ ଗତିଶୀଳ । ଯଦିଓ ତାଙ୍କ ନାଟକରେ ପୁରୁଷ ଚରିତ୍ରମାନଙ୍କର ପ୍ରତୁଳତା ଲକ୍ଷ୍ୟ କରାଯାଇଥାଏ, ମାତ୍ର ଯେଉଁ ଅଳ୍ପ କେତୋଟି ନାରୀ ଚରିତ୍ରକୁ ସେ ଗ୍ରହଣ କରିଛନ୍ତି, ସର୍ବାଂଶରେ ପ୍ରଚେଷ୍ଟା କରିଛନ୍ତି ସେହି ନାରୀ ଚରିତ୍ରମାନଙ୍କର ଚାରିତ୍ରିକ ଉତ୍କର୍ଷ ପ୍ରତିପାଦନ ନିମିତ୍ତ । ତାଙ୍କର ଚରିତ୍ରଗଣ ଅଧିକାଂଶ ଆଦର୍ଶବାଦୀ । ସମସ୍ତ ପ୍ରତିକୂଳ ପରିବେଶ ମଧ୍ୟରେ ସେମାନେ ନିଜ ଚାରିତ୍ରିକ ବିଶେଷତ୍ଵ ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି ଓ ଅନେକ କ୍ଷେତ୍ରରେ ସଫଳ ହୋଇଛନ୍ତି ।

 

ମନ୍ଦିର ପ୍ରବେଶ ନାଟକର ଇନ୍ଦ୍ରନାଥ, ଜନ୍ମତିଥି ନାଟକର ଶିବସୁନ୍ଦର, ନିଷ୍ପତ୍ତି ନାଟକର ବ୍ରଜ ମହାପାତ୍ର–ସମସ୍ତେ ଆଦର୍ଶ ଚରିତ୍ର । ସମାଜରୁ କୁସଂସ୍କାର ଦୂର କରିବା, ପ୍ରତ୍ୟେକ ମଣିଷକୁ ମଣିଷ ପରି ଦେଖିବା, ମାନବ ସେବାରେ ନିଜକୁ ଉତ୍ସର୍ଗ କରିବା, ଦେଶ ଓ ଦଶ ପାଇଁ କାର୍ଯ୍ୟ କରିବା ହୋଇଛି ଏମାନଙ୍କ ଜୀବନର ବ୍ରତ । ଏମାନେ ବାସ୍ତବବାଦୀ, କର୍ତ୍ତବ୍ୟନିଷ୍ଠ । ଏମାନଙ୍କ ବ୍ୟତୀତ କିଛି ଖଳ ଚରିତ୍ରମାନଙ୍କୁ ମଧ୍ୟ ନାଟକରେ ଦେଖିବାକୁ ମିଳେ । ଭଲ ଓ ମନ୍ଦକୁ ନେଇ ସମାଜ ଗଠିତ । ତେଣୁ ଗୋଟିଏ ସମାଜରେ ଉଭୟ ଭଲ ଓ ମନ୍ଦ ଚରିତ୍ର ରହିବା ସ୍ୱାଭାବିକ । ଅପୂର୍ଣ୍ଣ, ଦଶରଥ, ସତ୍ୟବ୍ରତ ଆଦି ଏପରି କିଛି ଖଳ ଚରିତ୍ର ଯୋଗୁଁ ସମାଜର ବିକାଶ ତ୍ୱରାନିତ ହୋଇପାରେ ନାହିଁ । ମାତ୍ର ସେମାନଙ୍କର ଏହି କାର୍ଯ୍ୟ ସମାଜଦ୍ୱାରା ଗୃହୀତ ହୁଏ ନାହିଁ । ନାଟକରେ ଏହି ଚରିତ୍ରଗୁଡ଼ିକର ସମାବେଶ ଯୋଗୁଁ ନାଟକୀୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରିଛି । କଥାବସ୍ତୁ ସରଳ ମାର୍ଗରେ ଗତି ନକରି ଜଟିଳ ମାର୍ଗକୁ ଆପଣେଇନେଇଛି, ଯାହାଦ୍ୱାରା ଦର୍ଶକ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ସତ୍ୟବ୍ରତ ସ୍ୱାର୍ଥପର, ଅପୂର୍ଣ୍ଣ ମଧ୍ୟ ସ୍ୱାର୍ଥପର ଓ ଯଶ ଲାଳସୀ । ଏମାନେ ଅର୍ଥ ଲୋଭରେ ଯେକୌଣସି ଇତର କାର୍ଯ୍ୟ କରିବାକୁ ବିମୁଖ ନୁହନ୍ତି । ଦେଶସେବାର ବଡ଼ ବଡ଼ ଭାଷଣ ଦେଇ ଅର୍ଥ ପାଇଁ ନିଜକୁ ବିକ୍ରି କରିଦିଅନ୍ତି । ମାତ୍ର ଇନ୍ଦ୍ରନାଥ ଓ ଶିବସୁନ୍ଦରଙ୍କ ପରି ଚରିତ୍ର ସଦାବେଳେ ସମୂହ ସ୍ୱାର୍ଥକୁହିଁ ଗୁରୁତ୍ୱ ଦେଇଥାନ୍ତି । ଏହି କାରଣରୁ ଅନ୍ୟମାନେ ତାଙ୍କ ନିଃସ୍ୱାର୍ଥପରତା ଓ କର୍ତ୍ତବ୍ୟନିଷ୍ଠାଦ୍ୱାରା ପ୍ରଭାବିତ ହୋଇ ଦେଶସେବା ପାଇଁ ଶପଥ ନିଅନ୍ତି । କାରାଗାରର ଚାରିକାନ୍ଥ ତାଙ୍କ ଜାତୀୟତାବାଦୀ ଚିନ୍ତାଧାରାକୁ ମାରିପାରେନା । ଶିବସୁନ୍ଦର ଏହି ଦେଶସେବା ପାଇଁ ପରିବାରର ଉପଯୁକ୍ତ ତତ୍ତ୍ୱ ନେଇପାରିନାହିଁ । ମାଆର ମୃତ୍ୟୁ ସମୟରେ ପହଞ୍ଚିପାରିନାହିଁ । ପୁଣି ପତ୍ନୀ ଓ ମାତାଙ୍କର ଶବସତ୍କାର ପରେ ସଦ୍ୟଜନ୍ମିତ ସନ୍ତାନଟିକୁ ଛାଡ଼ି ଆଦର୍ଶ ପାଇଁ କାରାଗାରକୁ ଫେରିଯାଏ । ଇନ୍ଦ୍ରନାଥ ସମାଜରୁ ଜାତି ଭେଦ ପ୍ରଥା ଦୂର କରି ଗାନ୍ଧିଜୀଙ୍କ ବାର୍ତ୍ତା ପ୍ରଚାର କରେ । ବୃଦ୍ଧ ବ୍ରଜ ମହାପାତ୍ର ଗ୍ରାମବାସୀଙ୍କ ସେବା ପାଇଁ ନିଜର ସମସ୍ତ ସମ୍ପତ୍ତି ସୁଦର୍ଶନଙ୍କ ତତ୍ତ୍ୱାବଧାନରେ ଛାଡ଼ି ଚାଲିଯାଆାନ୍ତି । ବାଲ୍ୟ ବିବାହ ପରି କଳଙ୍କିତ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିପାରନ୍ତି । ଏମାନେ କେବଳ ସଂସ୍କାରବାଦୀ ନୁହନ୍ତି, କର୍ମବାଦୀ ।

 

ନାରୀ ଚରିତ୍ର ମଧ୍ୟରେ ଅମିତା, ଗାୟତ୍ରୀ, ଶାନ୍ତିଦେବୀ ଆଦି ଜଣେ ଜଣେ ଆଦର୍ଶ ଚରିତ୍ର । ସମସ୍ତ ଦୁଃଖ ଯନ୍ତ୍ରଣା ମଧ୍ୟରେ ଏମାନେ କଦାପି ଆଦର୍ଶ ପଥରୁ ବିଚ୍ୟୁତ ହୋଇନାହାନ୍ତି । ଏମାନଙ୍କ ଚରିତ୍ରର ମହନୀୟ ଦିଗଟି ନାଟକରେ ବେଶ୍‌ପ୍ରୋଜ୍ୱଳ । ଲୋକନୀ ଓ ଯଦୁପରି ଚରିତ୍ର ଏମାନଙ୍କ ସଂସ୍ପର୍ଶରେ ଆସି ପରିବର୍ତ୍ତିତ ହୋଇଛନ୍ତି । ଅମିତା ପରି ତରୁଣୀ ଗାନ୍ଧିଜୀଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶସେବାରେ ନିଜକୁ ବ୍ରତୀ କରିଛି । ଏତଦ୍‌ବ୍ୟତୀତ ଚକ୍ରପାଣି ପରି ବ୍ରାହ୍ମଣ ଚରିତ୍ରଙ୍କର ଅଧୋପତନକୁ ନାଟକରେ ଦେଖାଇଦିଆଯାଇଛି । ଯଜମାନୀ, ପୂଜାପାଠ କରିବା ପରିବର୍ତ୍ତେ ଟାଉଟରୀ କରି, ମିଥ୍ୟା ସାକ୍ଷୀ ଦେଇ ଏପରି ଲୋକମାନେ ଅନ୍ୟମାନଙ୍କୁ ଠକାଇଚାଲିଥାନ୍ତି । ସୀତାଦେବୀ ଯେଉଁ ଚରିତ୍ରମାନଙ୍କୁ ତାଙ୍କ ନାଟକଗୁଡ଼ିକରେ ସନ୍ନିବେଶିତ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ଅନୁଭୂତିସର୍ବସ୍ୱ । ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ, ମଣିଷକୁ ଚିହ୍ନିବାର ଆଖି ତାଙ୍କର ରହିଥିଲା । ତେଣୁ ତାଙ୍କର ଚରିତ୍ରଗୁଡ଼ିକ ଅଧିକ ବାସ୍ତବାଦୀ । ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଏମାନେ ଯେକୌଣସି ପ୍ରତିକୂଳ ପରିବେଶ ବିରୋଧରେ ସଂଗ୍ରାମ କରିବାକୁ ସମର୍ଥ ।

ସଂଳାପ

ସଂଳାପ ହେଉଛି ନାଟକର ପ୍ରାଣ । ଏହି ସଂଳାପଧର୍ମିତା ଯୋଗୁଁ ଗୋଟିଏ ସାହିତ୍ୟକୃତି ନାଟକରୂପେ ପରିଚିତ ହୋଇଥାଏ । ପାତ୍ର-ପାତ୍ରୀମାନଙ୍କ ମଧ୍ୟରେ କଥୋପକଥନ ବା ବାଚିକା ଅଭିନୟକୁ ସଂଳାପ କୁହାଯାଇଥାଏ । ସଂଳାପ ପାତ୍ରମୁଖୀ ହୋଇନପାରିଲେ ନାଟକର ନାଟକୀୟତା କ୍ଷୁର୍ଣ୍ଣ ହୋଇଥାଏ । ନାଟକର ମଞ୍ଚମୂଲ୍ୟ ଅଭିବୃଦ୍ଧିରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନାଟକର ବକ୍ତବ୍ୟ ନାଟ୍ୟବର୍ଣ୍ଣିତ ଚରିତ୍ର ମାଧ୍ୟମରେ ବ୍ୟକ୍ତ ହୋଇଥାଏ । ଏହା ଘଟଣାକୁ ଗତିଶୀଳ କରାଇଥାଏ । ଦର୍ଶକମାନଙ୍କୁ ନାଟକର କଥାବସ୍ତୁ ପ୍ରତି ଆଗ୍ରହୀ କରାଇଥାଏ ।

ସୀତାଦେବୀ ତାଙ୍କ ନାଟକଗୁଡ଼ିକରେ ପାତ୍ରମୁଖୀ ସଂଳାପ ସଂଯୋଜନାରେ ବହୁ ପରିମାଣରେ ସଫଳ ହୋଇଛନ୍ତି । ମନ୍ଦିର ପ୍ରବେଶ ନାଟକରେ ଇନ୍ଦ୍ରନାଥ ଜଣେ ଆଦର୍ଶବାଦୀ ଚରିତ୍ର । ତା ମୁଖରେ ଯେଉଁ ସଂଳାପ ନାଟ୍ୟକାର ଖଞ୍ଜି ଦେଇଛନ୍ତି, ଚରିତ୍ର ଓ ପରିବେଶ ଦୃଷ୍ଟିରୁ ତାର ଯାଥାର୍ଥ୍ୟ ରହିଛି । ସଂଳାପଟି ଦେଖନ୍ତୁ–

‘‘କଲ୍ୟାଣ, ଅନ୍ୟାନ୍ୟ ହରିଜନ ଭାଇ ଓ ତୁମମାନଙ୍କୁ ଆଜି ଭାଇ ବୋଲି ସମ୍ବୋଧନ କରିବାବେଳେ ସଙ୍କୋଚରେ ଜିହ୍ୱା ମୋର ସଙ୍କୁଚିତ ହୋଇପଡ଼ୁଛି । ମୁଁ ବୁଝିପାରୁଛି ଭାଇ ପ୍ରତି ଭାଇର ଯାହା କରିବା କଥା ତାହା ଆମେ କରିପାରିନାହୁଁ । କଂଗ୍ରେସ ନାମରେ ଭାରତରେ ଏଇ ଯେଉଁ ବଡ଼ ସଭା ପ୍ରାୟ ପଚାଶ ବର୍ଷ ହେଲା ପ୍ରତିଷ୍ଠା ହୋଇ ଭାରତର କଲ୍ୟାଣ କାମରେ କାର୍ଯ୍ୟ କରିଆସୁଛି, ସେ ସବୁ କାର୍ଯ୍ୟମାନଙ୍କରେ ଅସ୍ପୃଶ୍ୟତା ନିବାରଣ ହେଉଛି ପ୍ରଧାନ କାର୍ଯ୍ୟ । ଆମ୍ଭ ମାନଙ୍କର ପରମପୂଜ୍ୟ ମହାମାନବ ମହାତ୍ମା ଗାନ୍ଧୀ କେବେ କୌଣସି ମନ୍ଦିରକୁ ଯାଆନ୍ତି ନାହିଁ; କାରଣ ତାଙ୍କର ଅତି ପ୍ରିୟ ହରିଜନମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରୁନାହାନ୍ତି ବୋଲି ।’’

ନାରୀ ଚରିତ୍ର ବିଶ୍ଲେଷଣରେ ସୀତା ଦେବୀଙ୍କର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଥିଲା । ନିଜେ ଜଣେ ନାରୀ ହୋଇଥିବାରୁ ନାରୀକଥିତ ଭାଷା ଓ ବ୍ୟବହାର ସହିତ ସେ ଖୁବ୍‌ ପରିଚିତ ଥିଲେ । ସେଥିପାଇଁ ପୁରୁଷ ଚରିତ୍ର ତୁଳନାରେ ନାରୀ ଚରିତ୍ର ଅଧିକ ଜୀବନ୍ତ ମନେହୋଇଥାଏ । ତାଙ୍କର ଅଧିକାଂଶ ନାରୀ ଚରିତ୍ର ପଲ୍ଲୀର । ତେଣୁ ସେମାନଙ୍କ ସଂଳାପରେ ପଲ୍ଲୀର ପ୍ରାକୃତିକତା ବେଶ୍‌ ଭରପୂର । ନାରୀ ମୁଖର ଅବିକଳ ଭାଷା ତାଙ୍କ ନାଟକଗୁଡ଼ିକର ମହତ୍ତ୍ୱ ନିଶ୍ଚିତ ଭାବରେ ବୃଦ୍ଧି କରିଛି, ଏଥିରେ ସନ୍ଦେହ ନାହିଁ । କେତୋଟି ଉଦାହରଣ ଦେଖନ୍ତୁ–

କାଞ୍ଚନ ବୋଉ :

ମାଗିଲେ ଯଦି ଠାକୁରାଣୀ ବରଟେ ଆଣି ଥୋଇ ଦିଅନ୍ତେ ତେବେ ତୁମର ସେବତୀ ବାପା ଆଉ ଗାଁ ଗାଁ କରି ଜୋଇଁ ଖୋଜିବାକୁ ବୁଲନ୍ତେଟି ।

 

 

ସେବତୀ ବୋଉ :

କଅଣ କହିଲ ମଇତ୍ର ! ମୋ ସେବତୀ ବାପା ବର ଖୋଜି ବୁଲୁଛନ୍ତି ? କେଉଁଠୁ ଏକଥା ଶୁଣିଲ ଗୋ, ନାଇଲୋ ମା’, ଆମେ ସିମିତି ନୋହୁଁ । ମୋ ସେବତୀ ପାଇଁ କେତେ କେତେ ଘରମାନଙ୍କରୁ ପରସଙ୍ଗ ଆଉଚି । ଆମେ ଦେଖୁଛୁ କେଉଁଠି ଭଲ ହେବ, ସେଇଠି ଆମର ସମ୍ବନ୍ଧ ହେବ । ତମ ପରି ଆମେ ନନ୍ଦ ବୋଉ ନାନୀ ହାତରେ ମହାପାତ୍ରଙ୍କ ପାଖକୁ ବହି ପଠାଉନୁ ।

ହାସ୍ୟରସ ସୃଷ୍ଟି କରିବା କ୍ଷେତ୍ରରେ ସୀତାଦେବୀଙ୍କ ପାରଦର୍ଶିତା କମ୍‌ନୁହେଁ । ଜନ୍ମତିଥି ନାଟକରେ ଚକ୍ରଧର ଓ ଗଦେଇ ମୁଖରେ ଯେଉଁ ସଂଳାପ ଯୋଡ଼ି ଦିଆଯାଇଛି, ତାହା ଆପେ ଆପେ ହାସ୍ୟରସ ସୃଷ୍ଟି କରିଥାଏ । ଯଥା–

ଚକ୍ର :

ହଇରେ ଗଦେଇ, ଶୁଣମ ! ସହଯୋଗ ଦୋଳନ ବୋଇଲେ କଅଣରେ ?

ଗଦେଇ :

(ହସି) ଆଉ-କି ତାସ ଖେଳିବି ମଉସା, ମୋ ପେଟ ଫଟେଇ ଦେଲ ?

ଚକ୍ର :

ଶୁଣମ ! ଖେଳଟା କ’ଣ କେଉଁଆଡ଼େ ପଳାଇ ଯାଉଛି କି ?

 

 

ଗଦେଇ :

ସେଇ କଥା ପଚାରୁଛି । ଦୋଳନ ନାହିଁ ମଉସା, ଆନ୍ଦୋଳନ । ସହଯୋଗ ଦୋଳନ ନୁହେଁ, ଅସହଯୋଗ ଆନ୍ଦୋଳନ ।

ସୀତାଦେବୀଙ୍କ ନାଟକର ସଂଳାପ ପ୍ରାଣ-ପ୍ରାଚୁର୍ଯ୍ୟଭରା, ବେଶ୍‌ ଜୀବନ୍ତ । ଏହିପରି ବହୁ ଚମତ୍କାର ଉଦାହରଣ ସୀତାଦେବୀଙ୍କ ନାଟକରୁ ଉଦ୍ଧାର କରାଯାଇପାରେ ।

ସଙ୍ଗୀତ

ଅତୀତରେ ନାଟକମାନଙ୍କରେ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପରିବେଶ, ଚରିତ୍ରକୁ ଖାପ ଖୁଆଇଲା ପରି ସଙ୍ଗୀତ ନାଟକର ଗୁରୁତ୍ୱ ବୃଦ୍ଧି କରୁଥିଲା । ସେଇଥି ପାଇଁ ସଙ୍ଗୀତକୁ ନାଟକର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଉପାଦାନରୂପେ ଗ୍ରହଣ କରାଯାଇଥିଲା । ମୋହନ ଗୋସ୍ୱାମୀ, ଗୋଦାବରୀଶ ମିଶ୍ର, କାଳୀଚରଣ ପଟ୍ଟନାୟକ ଆଦି ନାଟ୍ୟକାରଗଣ ସେମାନଙ୍କ ନାଟକରେ ସୁନ୍ଦର ସୁନ୍ଦର ସଙ୍ଗୀତ ସଂଯୋଜନା କରି ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଥିଲେ । ଦର୍ଶକମାନଙ୍କର ଏହି ସଙ୍ଗୀତ ମୋହକୁ ସୀତାଦେବୀ ଠିକ୍‌ଭାବରେ ଉପଲବଧି କରିପାରିଥିଲେ । ପୁଣି ସୀତାଦେବୀ ନିଜେ ଜଣେ କବି ଥିବାରୁ ସଙ୍ଗୀତ ରଚନା କ୍ଷେତ୍ରରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇନଥିଲେ । ଏହି କାରଣରୁ ସେ ତାଙ୍କ ନାଟକଗୁଡ଼ିକରେ ସୁନ୍ଦର ସୁନ୍ଦର ସଙ୍ଗୀତମାନ ସଂଯୋଜନା କରିଛନ୍ତି । ‘ମନ୍ଦିର ପ୍ରବେଶ’ ନାଟକରେ ସର୍ବମୋଟ ଦଶଟି ସଙ୍ଗୀତର ବ୍ୟବହାର କରାଯାଇଥିବା ସମୟରେ ‘ନିଷ୍ପତ୍ତି’ ନାଟକରେ ପାଞ୍ଚୋଟି ସଙ୍ଗୀତ ପରିବେଷିତ । ତାଙ୍କର ସଙ୍ଗୀତଗୁଡ଼ିକ ଚରିତ୍ର ଓ ପରିବେଶକୁ ବେଶ ଖାପ ଖାଇପାରିଛି । ଚରିତ୍ରାନୁଯାୟୀ ସଙ୍ଗୀତ ସଂଯୋଜନା ତାଙ୍କ ନାଟକର ମହତ୍ତ୍ୱ କିପରି ବୃଦ୍ଧି କରିଛି, କେତୋଟି ଉଦାହରଣରୁ ତାହା ପ୍ରମାଣିତ ହୋଇପାରିବ ।

‘ଜନ୍ମତିଥି’ର ନାୟକ ଶିବସୁନ୍ଦର ଜଣେ ଦେଶଭକ୍ତ ଓ ଜାତୀୟବାଦୀ ଯୁବକ । ଜନସାଧାରଣଙ୍କ ମଧ୍ୟରେ ଜାତୀୟ ଭାବ ସୃଷ୍ଟି କରିବା ଥିଲା ଏହି ଚରିତ୍ରଟିର ମୁଖ୍ୟ ଉଦ୍ଦେଶ୍ୟ । ଦେଶର ଅବସ୍ଥା ତାଙ୍କ ଗୀତରେ ଚମତ୍କାର ରୂପ ପାଇଛି । କାରାଗାର ମଧ୍ୟରେ ସେ ଯେଉଁ ସଙ୍ଗୀତ ରଚନା କରିଥିଲେ, ତାହା ମଧ୍ୟ ଦେଶାତ୍ମବୋଧକ ସଙ୍ଗୀତ ପର୍ଯ୍ୟାୟବାଚୀ । ମନ୍ଦିର ପ୍ରବେଶ ନାଟକରେ କଂଗ୍ରେସ କର୍ମୀଗଣ ଅସ୍ପୃଶ୍ୟତା ନିବାରଣ ଉଦ୍ଦେଶ୍ୟରେ ଯେଉଁ ସଙ୍ଗୀତ ଗାନ କରି ହରିଜନ ସାହିରେ ପ୍ରବେଶ କରିଛନ୍ତି, ସେଥିରୁ ନାଟ୍ୟକାରଙ୍କ ଆଭିମୁଖ୍ୟ ବେଶ୍‌ ସ୍ପଷ୍ଟ–

ଆସ ଆସ ତ୍ୱରା ହେ ପତିତ ଭାଇ

ଅପମାନ ଯାଉ ଅପନୀତି ହୋଇ

ନ ଛୁଇଁ ତୁମକୁ କରୁଛୁ ଆମେ ଏ ମରଣ ଦୁଃଖ ଭୋଗ

ଆସ ହେ ବ୍ରାହ୍ମଣ ଛାଡ଼ି ଅଭିମାନ

ଅଛବଙ୍କୁ ମଣ ତୁମରି ସମାନ

ଆସ ସନାତନୀ ନୋହି ଆଉ ତୁନି ଅଛୁଆଁକୁ ଛୁଅଁ ଆଗ ।

ସେହିପରି ‘ନିଷ୍ପତ୍ତି’ ନାଟକରେ ବ୍ରଜ ମହାପାତ୍ର ନିଜ ଘରେ ସୁଦର୍ଶନକୁ ପାଇ ଖୁସିରେ ଅତିଷ୍ଠ ହୋଇପଡ଼ିଥିଲେ । ମାତ୍ର ସୁଦର୍ଶନ କାହାରିକୁ କିଛି ନକହି ଅଚାନକ ଘର ଛାଡ଼ି ଚାଲିଯିବାରୁ ବ୍ରଜବାବୁଙ୍କ ମନରେ ଆଘାତ ଲାଗିଛି । ସେ ତାଙ୍କର ସେହି ଦୁଃଖକୁ ପ୍ରଭୁଙ୍କ ନିକଟରେ ଜଣାଇବା ସମୟରେ ଚମତ୍କାର ଭକ୍ତି ସଙ୍ଗୀତଟି ସଂଯୋଜିତ ହୋଇଛି ନାଟକରେ–

ଦୟାମୟ ପ୍ରଭୁ ଦୟା ବହି ଚିତ୍ତେ

ଦେଇଅଛ ଦୁଃଖ ଭାର

ଏ ଆନନ୍ଦ ଧନ ରଖିବି କେଉଁଠି

ସ୍ଥାନ ନାହିଁ ଘରେ ମୋର

ସୁଖର ଦୋଳିରେ ବସି ନିତି ନିତି

ଲେଖିଅଛ କେତେ ଅର୍ଥହୀନ ଗୀତ

ବଦଳାଇ ତୁମେଦେଇଅଛ ପ୍ରଭୁ

ମୋର ସେ ଦିନର ସ୍ୱର ।

ସଙ୍ଗୀତ ସଂଯୋଜନା ଦୃଷ୍ଟିରୁ ବିଚାର କଲେ ସୀତାଦେବୀଙ୍କ ନାଟକରେ ଏହାର ଚମତ୍କାର ପରିପ୍ରକାଶ ଘଟିଛି । ଏହି ସଙ୍ଗୀତ ଅନେକ କ୍ଷେତ୍ରରେ ତାଙ୍କ ନାଟକର ଗୁଣାତ୍ମକ ମାନ ବୃଦ୍ଧି କରିଛି ।

ନାଟକୀୟ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା

ନାଟକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାବ ହେଉଛି ନାଟକୀୟ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା । ଏହି ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା ଦର୍ଶକ ମାନଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥାଏ । ତେଣୁ ଅଧିକାଂଶ ଆଲୋଚକ ଏହାକୁ ନାଟକର ପ୍ରାଣ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିଥାନ୍ତି । ନାଟକର ସମସ୍ତ ସଫଳତା ମୁଖ୍ୟତଃ ଏହା ଉପରେ ନିର୍ଭର କରିଥାଏ । ଦ୍ୱନ୍ଦ୍ୱ ଯେପରି ନାଟକକୁ ପ୍ରଭାବଶାଳୀ କରିଥାଏ, ସେହିପରି ଉତ୍କଣ୍ଠା ନାଟକର ପରବର୍ତ୍ତୀ ଘଟଣା ଜାଣିବା ପାଇଁ ଦର୍ଶକକୁ ଟାଣିରଖିଥାଏ । ଦ୍ୱନ୍ଦ୍ୱ ମୁଖ୍ୟତଃ ଦ୍ୱିବିଧ–ବହିର୍ଦ୍ୱନ୍ଦ୍ୱ ଓ ଅନ୍ତର୍ଦ୍ୱନ୍ଦ୍ୱ । ବିହିର୍ଦ୍ୱନ୍ଦ୍ୱ ପରିବେଶଗତ ଏବଂ ଦର୍ଶକ ଚିତ୍ତରେ ଏହା ଉତ୍ତେଜନା ସୃଷ୍ଟି କରି ନାଟକର ଘଟଣା ମଧ୍ୟରେ ତାକୁ କେନ୍ଦ୍ରୀଭୂତ କରିଥାଏ । ଅନ୍ତର୍ଦ୍ୱନ୍ଦ୍ୱ ମାନସିକ ଜଗତର କଥା । ଚରତ୍ରିମାନଙ୍କର ମାନସିକ ଭାବାବେଗ ଏହାଦ୍ୱାରା ସଞ୍ଚରି ଆସିଥାଏ ଦର୍ଶକ ନିକଟକୁ ଏବଂ ଦର୍ଶକର ଭାବବେଗ ପ୍ରସାରିତ ହୋଇଯିବା ଦ୍ୱାରା ନାଟ୍ୟ ବର୍ଣ୍ଣିତ ଚରିତ୍ର ଓ ଘଟଣା ମଧ୍ୟରେ ସେ ନିଜକୁ ଲୀନ କରିଦେଇଥାଏ ।

 

ମନ୍ଦିର ପ୍ରବେଶ ନାଟକରେ ଇନ୍ଦ୍ରନାଥ ଓ ଅମିତାଙ୍କ ସମ୍ପର୍କରେ ପାଠକଙ୍କ ମନରେ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାଟିଏ ରହିଯାଇଛି । ଜନ୍ମତିଥି ନାଟକରେ ଶିବସୁନ୍ଦରଙ୍କର କାରାଗାରରୁ ଫେରି ମାତାଙ୍କର ମୃତ ଦେହ ଓ ପତ୍ନୀଙ୍କର ମୁମୂର୍ଷୁପ୍ରାୟ ଜୀବନ ଯେପରି ଦେଖିଛନ୍ତି, ତାହା ପାଠକର ମନରେ ବେଶ୍‌ ଉତ୍କଣ୍ଠା ସୃଷ୍ଟି କରେ । ସଦ୍ୟଜନ୍ମିତ ସନ୍ତାନଟିକୁ କ’ଣ କରିବେ ନକରିବେର ଦ୍ୱନ୍ଦ୍ୱ କିଛି ସମୟ ଶିବ ସୁନ୍ଦର ଏବଂ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ନିଷ୍ପତ୍ତି ନାଟକରେ ବ୍ରଜ ମହାପାତ୍ରଙ୍କର ବିବାହକୁ ନେଇ ଯେଉଁ ଗୁଜବ ଉଠିଛି ତାହା ମଧ୍ୟ ଦର୍ଶକ ମନରେ ଉତ୍କଣ୍ଠା ସୃଷ୍ଟି କରିଥାଏ । ସଦେଇ ଓ ସୁମ ବୋଉକୁ ବ୍ରଜବାବୁ ବିବାହ ଏବଂ ଭୋଜି ପାଇଁ ଆୟୋଜନ କରିଯିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ମଧ୍ୟ ଦର୍ଶକ ପ୍ରାଣରେ ତାଙ୍କ ବିବାହକୁ ନେଇ ଗଭୀର ଉତ୍କଣ୍ଠା ସୃଷ୍ଟି କରିଛି । ଭୋଗ ଓ ତ୍ୟାଗ ମଧ୍ୟରେ ବ୍ରଜବାବୁଙ୍କ ହୃଦୟରେ ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ତାହା ମଧ୍ୟ ଦର୍ଶକଙ୍କୁ ଚମତ୍କୃତ କରେ । ସୀତାଦେବୀଙ୍କ ନାଟକରେ ଏହି ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାର ଯେଉଁ ଚମତ୍କାର ପରିପ୍ରକାଶ ଘଟିଛି, ତାହା ତାଙ୍କ ନାଟକକୁ ଅଧିକ ମନୋରଞ୍ଜକ ଓ ପାଠକୀୟ ଶ୍ରଦ୍ଧାଭାଜନ କରିପାରିଛି ।

 

ମଞ୍ଚମୂଲ୍ୟ

 

କୌଣସି ନାଟକର ବିଶେଷତ୍ୱ ସମ୍ପୂର୍ଣ୍ଣତଃ ନିର୍ଭର କରିଥାଏ ତାର ମଞ୍ଚମୂଲ୍ୟ ଉପରେ । ମଞ୍ଚରେ ଅଭିନୀତ ହେବା ପାଇଁହିଁ ନାଟକ ସୃଷ୍ଟି । ଅଭିନୀତ ହୋଇନପାରିଲେ ନାଟକର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ମଞ୍ଚମୂଲ୍ୟ କୌଣସି ସୃଷ୍ଟିକୁ ଯଥାର୍ଥରେ ନାଟକର ମର୍ଯ୍ୟାଦା ପ୍ରଦାନ କରିଥାଏ। ସୀତାଦେବୀ ତାଙ୍କର ପ୍ରତ୍ୟେକ ନାଟକରେ ଏହି ମଞ୍ଚମୂଲ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଇଛନ୍ତି । ସୀତାଦେବୀ ତାଙ୍କ ନାଟ୍ୟଦଳ ସହିତ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ତାହା ମଞ୍ଚସ୍ଥ କରାଇଛନ୍ତି ଓ ଅନେକ ସ୍ଥାନରେ ସଫଳତାର ସ୍ୱାଦ ଚାଖିଛନ୍ତି । ଏଥିପାଇଁ ସେ ଅନେକ ପ୍ରଶଂସାପତ୍ର ତଥା ମାନପତ୍ର ମଧ୍ୟ ଲାଭ କରିଛନ୍ତି । ନିଜର ନାଟକଗୁଡ଼ିକୁ ମଞ୍ଚସ୍ଥ କରିବା ପାଇଁ ସେ ପ୍ରତିଷ୍ଠା କରିଥିଲେ ‘ହରିହର ନାଟ୍ୟ ମନ୍ଦିର’ । ତାଙ୍କ ‘ନାରୀ’ ନାଟକ ଅଭିନୟ ଦେଖି ଡଃ ହରେକୃଷ୍ଣ ମହତାବ ଭୂୟସୀ ପ୍ରଶଂସା କରିଥିଲେ ।

 

ସୀତାଦେବୀ ନିଜ ନାଟକର ମଞ୍ଚମୂଲ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ନାଟକର ସମସ୍ତ ବିଭାବ ପ୍ରତି ତୀକ୍ଷ୍ମ ଦୃଷ୍ଟି ଦେଇଥିଲେ । ଦୃଶ୍ୟ ସଂଯୋଜନା, ସଙ୍ଗୀତ, ଆଲୋକ ସଂପାତ, ନୈପଥ୍ୟ ବିଧାନ, ବାଦ୍ୟ ଆଦି ସବୁ କ୍ଷେତ୍ରରେ ସେ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି । ମଞ୍ଚ ସଜ୍ଜା ନିମିତ୍ତ ନିଜ ଘରେ ଦରଜୀ ଓ ଚିତ୍ରଶିଳ୍ପୀମାନଙ୍କୁ ରଖି ବିଭିନ୍ନ ଦୃଶ୍ୟପଟ, ସିନ୍‌-ସିନେରିଓ ତିଆରି କରାଇଛନ୍ତି । ମଞ୍ଚ ପାଇଁ ଆବଶ୍ୟକ ହେଉଥିବା ଉପକରଣମାନ ନିଜ ଚେଷ୍ଟାରେ ଯୋଗାଡ଼ କରି ସବୁ ଦୃଷ୍ଟିରୁ ନାଟକକୁ ସଫଳ କରାଇବାର ଚେଷ୍ଟା କରିଛନ୍ତି । ଅବଶ୍ୟ କେତେକ ଦୃଶ୍ୟରେ ରେଳଗାଡ଼ିର ଦୃଶ୍ୟ, ଯାତ୍ରୀ ଓହ୍ଲାଇବାର ଦୃଶ୍ୟ ମଞ୍ଚ ଉପରେ ଦେଖାଇବା ସମ୍ଭବ ନୁହେଁ (ଜନ୍ମତିଥି)-। ସେହିପରି ବେଦୀ ଉପରେ (ପୁନରାବୃତ୍ତି ନାଟକ) ପୂଜାରୀଙ୍କ ନିକଟରେ ବାଛୁରୀଟିଏ ବନ୍ଧା ହେବାର ଦୃଶ୍ୟ ମଞ୍ଚରେ ଦେଖାଇବା ମଧ୍ୟ ସମ୍ଭବ ନୁହେଁ । ଅବଶ୍ୟ ବର୍ତ୍ତମାନର ରଙ୍ଗମଞ୍ଚରେ ଏହା ଆଜି ଆଉ ଅସମ୍ଭବ ନୁହେଁ । ବିଭିନ୍ନ ଟେକ୍‌ନିକ୍‌ଦ୍ୱାରା ଆଜି ମଞ୍ଚ ଅନେକ ପ୍ରଗତି କରିଯାଇଛି-। ସୀତାଦେବୀଙ୍କ ସମୟରେ ଏହା ସମ୍ଭବ ନଥିଲେହେଁ, ସେ ଅନେକ କ୍ଷେତ୍ରରେ ଦୃଶ୍ୟକୁ ବାସ୍ତବ ଓ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି ।

 

ସୀତାଦେବୀଙ୍କ କେତେକ ଅପ୍ରକାଶିତ ନାଟକ ସମ୍ପର୍କରେ

 

ସୀତାଦେବୀଙ୍କ ଆତ୍ମଜୀବନୀ ‘ମୋର ଜୀବନ ସ୍ମୃତି’ରେ ସେ ଯେତୋଟି ନାଟକ ସମ୍ପର୍କରେ ସୂଚନା ଦେଇଛନ୍ତି, ତନ୍ମଧ୍ୟରୁ ଅନେକ ଆଜି ଦୁଷ୍ପ୍ରାପ୍ୟ । ଗବେଷିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକ ତାଙ୍କର ଗବେଷଣାତ୍ମକ ନିବନ୍ଧ ‘‘ନାରୀ କବି ସୀତାଦେବୀ ଖାଡ଼ଙ୍ଗା : ସୃଷ୍ଟି ସମ୍ଭାର ଓ ସ୍ରଷ୍ଟାମାନସ’’ ରେ ତାଙ୍କର ଅନ୍ୟ କେତୋଟି ନାଟକର ଖଣ୍ତିତ ପାଣ୍ତୁଲିପି ସମ୍ପର୍କରେ ସମ୍ୟକ୍ ଆଲୋଚନା କରିଛନ୍ତି । ଏହି ଆଲୋଚନା ମଧ୍ୟରେ ସ୍ଥାନ ପାଇଛି ପୁନରାବୃତ୍ତି, ଶେଷ ଆଶ୍ରୟ, କୈଳାସଙ୍କ କାବ୍ୟ, ସପନୀଙ୍କ ସାହିତ୍ୟ ଇତ୍ୟାଦି । ଓଡ଼ିଶାର ସାମାଜିକ ଜୀବନର ବିଭିନ୍ନ ଦିଗ ଏଥିରେ ଉନ୍ମୋଚିତ ହୋଇଥିବାର ଲକ୍ଷ୍ୟ କରାଯାଇପାରେ ।

 

ପୁନରାବୃତ୍ତି ନାଟକରେ ଦୁଇଟି ପରିବାରର ପାରିବାରିକ ଚିତ୍ର ମଧ୍ୟରେ ସାଂପ୍ରତିକ ସମାଜର ସ୍ୱାର୍ଥପର ମନୋବୃତ୍ତି ବେଶ୍‌ ଜୀବନ୍ତ । ଗୋଟିଏ ପାଖରେ ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ମମତା, ଅନ୍ୟ ପାଖରେ ସ୍ୱାର୍ଥର, ଆତ୍ମ ବଡ଼ିମାର ଲେଲିହାନ ଶିଖା । ଅର୍ଥ ଓ ଅହଂକାର ପାଇଁ ମାତା ମଧ୍ୟ ନିଜ ସନ୍ତାନଠାରୁ ପଢ଼ା ଖର୍ଚ୍ଚ ଆଦାୟ ନିମିତ୍ତ ଓକିଲ ନୋଟିସ ପଠାଏ । ଓଡ଼ିଆରେ ଆପ୍ତ ବାକ୍ୟଟିଏ ରହିଛି–‘ଯିଏ ଯେପରି କରେ ସିଏ ସେପରି ଫଳ ପାଏ’ । ଏହାର ପ୍ରତ୍ୟକ୍ଷ ପ୍ରମାଣ ମିଳେ ଚନ୍ଦ୍ରିକା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ଜୀବନରୁ । ଏହି ସ୍ୱାମୀ-ସ୍ତ୍ରୀ ଯୌବନ ସମୟରେ ନିଜ ପିତାମାତାଙ୍କୁ ଅବହେଳା କରିଥିବାରୁ ନିଜର ବାର୍ଦ୍ଧକ୍ୟ ସମୟରେ ପୁତ୍ର ବିଶ୍ୱମୋହନ ଓ ପୁତ୍ରବଧୂ ରେଖାଦ୍ୱାରା ଅବହେଳିତ ହୋଇ ଦୁଃଖପୂର୍ଣ୍ଣ ଜୀବନ ଅତିବାହିତ କରିଛନ୍ତି । ଏପରିକି ଶେଷରେ ତାଙ୍କୁ ଗୃହତ୍ୟାଗୀ ହେବାକୁ ପଡ଼ିଛି ।

 

ସୀତାଦେବୀଙ୍କ ନାଟକରେ ଆମ ସମାଜର ଦ୍ୱିବିଧ ଦିଗ ପ୍ରଦର୍ଶିତ । ‘ଶେଷ ଆଶ୍ରୟ’ ନାଟକରେ ଏହାର ଚମତ୍କାର ଉଦାହରଣ ଦେଖିବାକୁ ମିଳେ । ଗୋଟିଏ ପଟରେ ରାଧାକାନ୍ତ ଓ ତାଙ୍କ ପୁତ୍ର ଗଣେଶଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭକ୍ତିର ବିମଳ ପ୍ରବାହ; ଅପର ପାର୍ଶ୍ୱରେ ଓକିଲ ବଳଭଦ୍ରର ଅମଣିଷପଣିଆ । ଅର୍ଥ ପାଇଁ ସେ ନିଜ କନ୍ୟାର ଜୀବନକୁ ମଧ୍ୟ ବିପନ୍ନ କରିଦେବାକୁ କୁଣ୍ଠିତ ହୁଏ ନାହିଁ । ବିବାହ ସମୟରେ ଗଣେଶଙ୍କ ପିତାଙ୍କୁ ଅପମାନିତ କରାଯାଇଥିବାରୁ ସେ ଶ୍ୱଶୁର ଘର ତ୍ୟାଗ କରି ଗାଁ ଛାଡ଼ି କଟକରେ ରହିଛନ୍ତି । ଏହି କାରଣରୁ ଏବଂ ବଳଭଦ୍ରଙ୍କ ଅମାନବିକ ଗୁଣ ଯୋଗୁଁ ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନର ବିଚ୍ଛେଦ ସୃଷ୍ଟି ହୋଇଛି । ନିଜ କୃତକର୍ମର ସେ ଉପଯୁକ୍ତ ଫଳ ପାଇଛି ।

 

‘କୈଳାସ କାବ୍ୟ’ ନାଟକରେ ସୀତାଦେବୀଙ୍କ ନିଜ ଜୀବନର ଛାପ ବେଶ୍‌ ସ୍ପଷ୍ଟ । ବର୍ତ୍ତମାନର ଷାଠିଏ ବର୍ଷର ବୃଦ୍ଧ କୈଳାସ ଚନ୍ଦ୍ର ଅତୀତରେ ସାହିତ୍ୟ ରଚନାର ରୁଚି ରଖିଥିବାରୁ ପତ୍ନୀ ତାଙ୍କୁ ଉତ୍ସାହିତ କରିଛନ୍ତି ସାହିତ୍ୟ ସୃଷ୍ଟି କରିବାକୁ । ସେଥିପାଇଁ ସେ ଉପଯୁକ୍ତ ପରିବେଶ ମଧ୍ୟ ସୃଷ୍ଟି କରିଛନ୍ତି । ଗୃହର ସମସ୍ତ ଜଞ୍ଜାଳ ନିଜ ଉପରକୁ ଟେକିନେଇଛନ୍ତି । ଏ ବୟସରେ ସାହିତ୍ୟ ସୃଷ୍ଟି ଅସମ୍ଭବ ମନେକରି ପ୍ରଥମେ କୈଳାସ ସ୍ତ୍ରୀଙ୍କ ପ୍ରସ୍ତାବରେ ଅରାଜି ହୋଇଥିଲେହେଁ ତାଙ୍କର ପ୍ରେରଣା ଓ ଉତ୍କଣ୍ଠାକୁ ସମ୍ମାନ ଦେବା ପାଇଁ ସେ କବିତା ଏବଂ ଗଳ୍ପ ରଚନାରେ ହାତ ଦେଇଛନ୍ତି । ମାତ୍ର ନିଜ ସୃଷ୍ଟିରେ ସେ ଆଦୌ ଆତ୍ମ ସନ୍ତୋଷ ଲାଭ କରିପାରିନାହାନ୍ତି । ଏହା ସତ୍ତ୍ୱେ ପତ୍ନୀ ପ୍ରେମଲତା ଗଭୀର ଆଶାବାଦୀ । ନିଜେ ସାହିତ୍ୟ ସୃଷ୍ଟି ନକରି ପାରୁଥିଲେହେଁ ସାହିତ୍ୟିକମାନଙ୍କ ପାଇଁ ତାଙ୍କ ହୃଦୟରେ ଗଭୀର ଶ୍ରଦ୍ଧା ଏବଂ ସମ୍ମାନ ଭରିରହିଥିଲା । ଏହି କାରଣରୁ ନିଜ ପତି ଦିନେ ଉଚ୍ଚମାନର ଜଣେ ସାହିତ୍ୟିକ ହୋଇପାରିବେ ବୋଲି ତାଙ୍କର ଗଭୀର ବିଶ୍ୱାସ ରହିଛି । ଏହିପରି ବିଶ୍ୱାସ ମଧ୍ୟ ରହିଥିଲା ବାଞ୍ଛାନିଧି ବାବୁଙ୍କର ସୀତାଦେବୀଙ୍କ ଉପରେ ।

 

‘ସପନୀଙ୍କ ସାହିତ୍ୟ’ରେ ମଧ୍ୟ ସୀତାଦେବୀଙ୍କ ନିଜ ଜୀବନର କେତେକ ଅନୁଭୂତି ପ୍ରକାଶିତ । ତାଙ୍କ ଆତ୍ମଜୀବନୀରୁ ଜଣାଯାଏ ରବୀନ୍ଦ୍ରନାଥଙ୍କ ସାହିତ୍ୟ ପ୍ରତି ସୀତାଦେବୀଙ୍କର ଗଭୀର ଅନୁରକ୍ତି, ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ରବୀନ୍ଦ୍ରନାଥଙ୍କ ସାହିତ୍ୟ ତାଙ୍କୁ ଗଭୀର ଆନନ୍ଦ ଦେଇଥିବା ବିଷୟ ସେ ବାରମ୍ବାର ପ୍ରକାଶ କରିଛନ୍ତି । ଏହି ନାଟକର ମୁଖ୍ୟ ଚରିତ୍ର ସ୍ୱପ୍ନେଶ୍ୱରଙ୍କ ଜୀବନ ସଂଗ୍ରାମ ତଥା ରବୀନ୍ଦ୍ର ସାହିତ୍ୟ ପ୍ରତି ରହିଥିବା ଗଭୀର ଅନୁରକ୍ତି ପ୍ରକାଶିତ । ସପନୀ ମହାଯୁଦ୍ଧ ସମୟରେ ଆସାମରେ ହୋଟେଲ କରି ଭଲ ପଇସା ଉପାର୍ଜନ କରିଛି ଏବଂ ତାଙ୍କ ପ୍ରତିଭାର ପରିଚୟ ପାଇ ନାତୁଣୀ ପ୍ରତିଭା ତାଙ୍କୁ ରବୀନ୍ଦ୍ର ସାହିତ୍ୟ ଶିକ୍ଷା ଦେଇଛି । ରବୀନ୍ଦ୍ର ସାହିତ୍ୟ ପାଠରୁ ସେ ଜାଣିବାକୁ ପାଇଛନ୍ତି ତାଙ୍କର ମାତୃଭାଷା ଓ ମାତୃଭୂମି ପ୍ରତି ଗଭୀର ଆସକ୍ତି ରହିଥିଲା । ଏହି କାରଣରୁ ସପନୀ ନିଜ ମାତୃଭୂମି ଉତ୍କଳକୁ ଫେରି ଚାକର ଦୀନବନ୍ଧୁକୁ ହାରମୋନିୟମରେ ଗୀତାଞ୍ଜଳି ଗାଇ ଶୁଣାଇଛନ୍ତି । ସେହି ଗ୍ରାମର କବି ନନ୍ଦନନ୍ଦନ ଓ ସାହିତ୍ୟ ସମାଲୋଚକ ଜ୍ଞାନମୟ ତାଙ୍କ ଘରକୁ ଆସିବାରୁ ସେ ଖୁସି ହୋଇ ରବୀନ୍ଦ୍ରଙ୍କ ଉଦ୍ଦେଶ୍ୟରେ ୧୦୦ ପଦରୁ ଅଧିକ ଲେଖିଥିବା ଦୀର୍ଘ କବିତାଟି ସେମାନଙ୍କୁ ପଢ଼ାଇଛନ୍ତି । ନନ୍ଦନନ୍ଦନ ତାହା ପଢ଼ି ଖୁସି ହୋଇଥିଲେହେଁ ଜ୍ଞାନମୟଦ୍ୱାରା ସେ ସମାଲୋଚିତ ହୋଇଛନ୍ତି । କାରଣ ଜ୍ଞାନମୟ ପ୍ରତିଭାର ପୂଜାରୀ ନଥିଲେ; ଥିଲେ ଜଣେ ଅସହିଷ୍ଣୁ, ପରନିନ୍ଦୁକ ଓ ଈର୍ଷାତୁର ବ୍ୟକ୍ତି । ଏପରି ବ୍ୟକ୍ତି ଆମ ସମାଜରେ ବିରଳ ନୁହନ୍ତି । ସୀତାଦେବୀଙ୍କୁ ମଧ୍ୟ ଏହିପରି କେତେକ ବ୍ୟକ୍ତି ତାଙ୍କ ପ୍ରତିଭାପାଇଁ ବିଦ୍ରୂପ କରିଥିଲେ । ବାସ୍ତବ ଜୀବନର ଅନୁଭୂତିଟିଏ ଏହି ନାଟକରେ ପ୍ରକାଶିତ ହୋଇଛି ।

 

ଉପସଂହାର

 

ନାଟକ ରଚନା ସୀତାଦେବୀଙ୍କ ପେଷା ନଥିଲା; ବରଂ ଥିଲା ନିଶା । ସମସାମୟିକ ସମାଜରେ ପ୍ରଚଳିତ ବିଭିନ୍ନ କୁସଂସ୍କାର ଓ ସର୍ବଭାରତୀୟ ସ୍ତରରେ ସଂଘଟିତ ହୋଇଯାଉଥିବା ଘଟଣାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଦେବା ଉଦ୍ଦେଶ୍ୟରେ ସେ ନାଟକ ରଚନାରେ ହାତ ଦେଇଥିଲେ । ତେଣୁ ତାଙ୍କ ନାଟକ ଥିଲା ବାସ୍ତବରେ ସମୟର ସଫଳ ଆହ୍ୱାନ । ଏହି ଆହ୍ୱାନକୁ ସେତେବେଳେ ଓଡ଼ିଶାର ମୁଷ୍ଟିମେୟ ଯେଉଁ ଅଳ୍ପ କେତେଜଣ ପ୍ରତିଭାବାନ ବ୍ୟକ୍ତି ଗ୍ରହଣ କରିଥିଲେ, ତନ୍ମଧ୍ୟରୁ ସୀତାଦେବୀ ଥିଲେ ଅନ୍ୟତମ । ଏହି କାରଣରୁ ବାରମ୍ବାର ସମାଲୋଚନା ଓ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିଲେହେଁ, ସାମାଜିକ ସେବା ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ । ଖୁସିର ବିଷୟ ଏ କ୍ଷେତ୍ରରେ ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ପାଇଁ ପାଖରେ ଥିଲେ ଗୁଣଗ୍ରାହୀ ସ୍ୱାମୀ ବାଞ୍ଛାନିଧିବାବୁ । ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଇତିହାସରେ ସୀତାଦେବୀଙ୍କର ବଡ଼ ଭାଗଟିଏ ନଥିଲେ ମଧ୍ୟ ନାଟ୍ୟ ଇତିହାସରେ ସେ ଯେ ସ୍ମରଣୀୟ ହୋଇ ରହିବେ, ଏଥିରେ ସନ୍ଦେହ ନାହିଁ ।

Image

 

ଚତୁର୍ଥ ପରିଚ୍ଛେଦ

 

ସୀତାଦେବୀଙ୍କ କବି ପ୍ରତିଭା

 

ଅନ୍ୟାନ୍ୟ ସାହିତ୍ୟିକ ପ୍ରତିଭାଧାରୀଙ୍କ ପରି ସୀତାଦେବୀଙ୍କ ସୃଜନ ପ୍ରତିଭାର ଆଦ୍ୟ ଉନ୍ମେଷ ଘଟିଥିଲା କବିତା ରଚନାରୁ । ବାଲ୍ୟକାଳରୁ ଏହି ପ୍ରତିଭାର ପରିଚୟ ମିଳିଥିଲେହେଁ ଉପଯୁକ୍ତ ପରିବେଶ ଅଭାବରୁ ତାହା ବିକାଶ ଲାଭ କରିବାର ସୁଯୋଗ ପାଇନଥିଲା । ସୁଯୋଗ କ୍ରମେ ସୀତାଦେବୀ ବହୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ପାଠ କରିଥିଲେ । ଆମର ଅଧିକାଂଶ ପ୍ରାଚୀନ ସାହିତ୍ୟ ଥିଲା କାବ୍ୟଧର୍ମୀ । ମହାଭାରତ, ରାମାୟଣ, ଭାଗବତ ଆଦି ସେ ପିଲାଦିନେ ପଢ଼ିଥିଲେ-। ଟିକେ ବଡ଼ ହେବାପରେ ଗୁଣସାଗର, ଗୋପୀଭାଷା, ବିଭିନ୍ନ କୋଇଲି, ଚଉପଦୀ, ଚଉତିଶା ଆଦି ମଧ୍ୟ ପଢ଼ିବାର ସୁଯୋଗ ପାଇଥିଲେ। ଏହାଦ୍ୱାରା ତାଙ୍କ ମଧ୍ୟରେ ସଂଗୁପ୍ତ ରହିଥିବା କବି ପ୍ରତିଭା ବିକଶିତ ହେବାର ସୁଯୋଗ ପାଇଥିଲା । ମାତ୍ର ଆବଶ୍ୟକ ହେଉଥିଲା ସୁସ୍ଥ ଓ ସମ୍ବେଦନଶୀଳ ପରିବେଶଟିର । ବାଞ୍ଚାନିଧିବାବୁଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବାପରେ ସେ ସେହି ଅନୁକୂଳ ପରିବେଶ ପାଇଥିଲେ । ସ୍ୱାମୀ ବାଞ୍ଛାନିଧିବାବୁ ଥିଲେ ସାହିତ୍ୟପ୍ରିୟ । ପତ୍ନୀ ସୀତାଦେବୀଙ୍କ ପ୍ରତିଭାର ପରିଚୟ ପାଇ ସେ ତାଙ୍କୁ ଉତ୍ସାହିତ କରିଥିଲେ, ପ୍ରେରିତ କରିଥିଲେ ସାହିତ୍ୟ ସୃଷ୍ଟି ପାଇଁ ।

 

କୁହାଯାଏ, କବିତା ହେଉଛି ଶକ୍ତିଶାଳୀ ଭାବାବେଗର ସ୍ୱତଃସ୍ଫୂର୍ତ୍ତ ପରିପ୍ରକାଶ । ଏହି ଭାବବେଗ ସର୍ବଦା ଅପେକ୍ଷା ରଖିଥାଏ ଏକ ଅନୁଭବର । ସୀତାଦେବୀ ନିଜର କନ୍ୟା କମଳାକୁ ଅଧ୍ୟୟନ ସକାଶେ କଟକରେ ଛାଡ଼ିଆସିବା ପରେ କନ୍ୟାର ବିଚ୍ଛେଦ ତାଙ୍କର ଅନୁଭବକୁ କରିଛି ଅଧିକ ନିବିଡ଼ । ଗୃହର ନିର୍ଜନତା ମଧ୍ୟରେ କନ୍ୟାର ସ୍ମୃତି ଓ ଅତୀତର ମଧୁର ଅନୁଭବ ତାଙ୍କୁ ବ୍ୟଥା ଦେଇଛି । ଏହି ବ୍ୟଥା ଓ ବେଦନା ଶବ୍ଦ ରୂପ ନେଇ ପ୍ରକାଶିତ ହେଲା ‘ବିରହ କୋଇଲି’ କବିତାରେ-। ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ରେ ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହ ତାଙ୍କର ସ୍ମୃତି ପଥାରୂଢ଼ ହୋଇଛି । କୃଷ୍ଣଙ୍କ ବିରହରେ ଯଶୋଦାଙ୍କ ହୃଦୟର ବ୍ୟଥା ଯେପରି ‘କେଶବ କୋଇଲି’ରେ ଝରିଯାଇଥିଲା, ଠିକ୍‌ ସେହିପରି କମଳାଙ୍କ ବିଚ୍ଛେଦରେ ସୀତାଦେବୀଙ୍କ ଦୁଃଖ ଝରିଯାଇଛି । ‘ବିରହ କୋଇଲି’ କବିତାରେ କନ୍ୟାର ସ୍ମୃତିକୁ ମନେପକାଇ ସେ ଗାଇଉଠିଛନ୍ତି–

 

କୋଇଲି, କଟକକୁ ଯିବି କି ମୁଁ ଧାଇଁ

କୋଳ କରି କମଳାକୁ ଆଣିବି ଫେରାଇ

ଲୋ କୋଇଲି ।

ଖେଦ କରି ହୃଦ ହୁଏ ଦହି

କ୍ଷଣ ପାଇଁ ମନେ ପାଶୁ ଅନ୍ତର ନ ହୋଇ

ଲୋ କୋଇଲି ।

 

ମାତୃ-ହୃଦୟର ବାତ୍ସଲ୍ୟ ମମତାରେ କବିତାଟିର ଆଦ୍ୟ ପ୍ରାନ୍ତ ଆର୍ଦ୍ର ହୋଇଉଠିଛି । କସରତ କରିବାକୁ ପଡ଼ିନାହିଁ; ବରଂ ଆବେଗାୟିତ ଶକ୍ତିଶାଳୀ ଭାବଟି ଏକ ସୁନ୍ଦର ସୃଷ୍ଟିଟିଏରେ ରୂପାୟିତ ହୋଇଯାଇଛି । ଯଦି ସେହି ସମୟରେ ସେ କବିତା ରଚନାରେ ମନୋନିବେଶ କରିଥାନ୍ତେ, ନିଶ୍ଚିତ ଭାବରେ ଜଣେ ଉଚ୍ଚମାନର କବି ହୋଇପାରିଥାନ୍ତେ । ମାତ୍ର ବିଧି ନିର୍ଦ୍ଦେଶ ଥିଲା ଅନ୍ୟ ପ୍ରକାର । ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ବିଭାଗରେ ବାନ୍ଧିହୋଇ ରହିବା ବୋଧହୁଏ ତାଙ୍କର ଭବିତବ୍ୟ ନଥିଲା । ତେଣୁ ଅନନ୍ତ ପଣ୍ଡାଙ୍କ ସହିତ ପରିଚିତ ହେବା ପରେ ତାଙ୍କ ସୃଷ୍ଟିର ଗତି ହୋଇଥିଲା ଭିନ୍ନ ପ୍ରକାର । ତାଙ୍କ ପ୍ରୋତ୍ସାହନରେ ସେ ଲେଖନୀ ଚାଳନା କରିଥିଲେ କ୍ଷୁଦ୍ରଗଳ୍ପ ସୃଷ୍ଟିରେ । ମାତ୍ର କବି ପ୍ରତିଭା ତାଙ୍କ ମନରୁ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇନଥିଲା । ତେଣୁ ଯେଉଁଠାରେ ସେ ସୁଯୋଗ ପାଇଛନ୍ତି ସେଠାରେ ସେ କବିତାର ବାରିଧାରା ଝରାଇଦେଇଛନ୍ତି । ଏହି ଦୃଷ୍ଟିରୁ ତାଙ୍କ ନାଟକ ଓ ଉପନ୍ୟାସମାନଙ୍କରେ କବିତାର ପ୍ରତୁଳତା ଲକ୍ଷ୍ୟ କରାଯାଇଥାଏ । ଏଥିରେ ସନ୍ନିବେଶ କରାଯାଇଥିବା କବିତାଗୁଡ଼ିକ ଭାବଧର୍ମ ଓ କଳାଧର୍ମ ଦୃଷ୍ଟିରୁ ଉଚ୍ଚଗୁଣସମ୍ପନ୍ନ ।

 

୧୯୩୯ ମସିହାରେ ସେ ରଚନା କରିଥିଲେ ତାଙ୍କର ପ୍ରଥମ କବିତା ‘ବିରହ କୋଇଲି’-। ଏହାପରେ ନଅ ବର୍ଷ ପର୍ଯ୍ୟନ୍ତ ସେ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ଲେଖନୀ ଚାଳନା କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ପରେ ୧୯୪୮ ମସିହାରୁ ୧୯୬୨ ମସିହା ପର୍ଯ୍ୟନ୍ତ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇଉଠିଛି କବିତା କ୍ଷେତ୍ରରେ । ପରବର୍ତ୍ତୀ ସମୟରେ ୧୯୭୫ ମସିହାରୁ ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ କେବଳ କବିତାହିଁ ରଚନା କରିଛନ୍ତି । ତାଙ୍କର ସବୁଠାରୁ ପ୍ରିୟ କବି ଥିଲେ ରବୀନ୍ଦ୍ର ନାଥ ଠାକୁର । ସେ ତାଙ୍କର ‘ନୈବେଦ୍ୟ’କୁ ଅନୁବାଦ କରିଛନ୍ତି-। ‘ଗୀତାଞ୍ଜଳି’ ଭାବଧାରାରେ ଅନୁପ୍ରାଣିତ ହୋଇ ଅନେକ କବିତା ରଚନା କରିଛନ୍ତି । ଭଗବତ ଗୀତାକୁ ସେ ତାଙ୍କ ଜୀବନର ଆଦର୍ଶ ଭାବରେ ଗ୍ରହଣ କରିନେଇଥିଲେ । ସୀତାଦେବୀ ବହୁ କବିତା ରଚନା କରିଛନ୍ତି । ମାତ୍ର ଅଳ୍ପ କେତୋଟି କବିତାକୁ ଛାଡ଼ିଦେଲେ ତାଙ୍କର ଅଧିକାଂଶ କବିତା ରହିଛି ଅପ୍ରକାଶିତ ।

 

ସୀତାଦେବୀ ବିଭିନ୍ନ ସ୍ୱାଦର ଶତାଧିକ କବିତା ରଚନା କରିଛନ୍ତି । ତାଙ୍କର ଅଧିକାଂଶ କବିତା ଗୀତି କବିତା ପର୍ଯ୍ୟାୟଭୁକ୍ତ । ଏହି କବିତାଗୁଡ଼ିକ ସହଜ, ସରଳ ଓ ସ୍ୱାଭାବିକ ଛନ୍ଦରେ ରଚିତ । ଯେ କୌଣସି ପାଠକ ବେଶ ସହଜରେ ଏହାର ରସ ଆସ୍ୱାଦନ କରିବାକୁ ସମର୍ଥ । ଭାବରେ କଠିନତା ନାହିଁ କିମ୍ବା ନାହିଁ କୌଣସି ଗୂଢ଼ ଦର୍ଶନ ତତ୍ତ୍ୱ । କବିତାରେ ବ୍ୟବହୃତ ଶବ୍ଦାବଳୀ ସର୍ବଜନବୋଧ୍ୟ । ସାଧାରଣ ଭାବରେ ବିଚାର କଲେ ସୀତାଦେବୀଙ୍କ କବିତାକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ। ସେହି ବିଭାବଗୁଡ଼ିକ ହେଉଛି– ୧. ଆଧ୍ୟାତ୍ମିକ-ଭାବନାମୂଳକ, ୨. ଜାତୀୟ-ଚେତନାମୂଳକ, ୩. ଶିଶୁ କବିତା, ୪. ବ୍ୟକ୍ତିଗତ-ଚିନ୍ତାମୂଳକ, ୫. ପୂଜ୍ୟପୂଜାମୂଳକ ଓ ୬. ଅନ୍ୟାନ୍ୟ ।

 

ଆଧ୍ୟାତ୍ମିକ ଭାବନାମୂଳକ କବିତା

 

ସୀତାଦେବୀ ବାଲ୍ୟବୟସରେ ପ୍ରତିକୂଳ ପରିବେଶ ଦେଇ ଗତି କରିଥିବାରୁ ଆନୁଷ୍ଠାନିକ ଶିକ୍ଷା ଲାଭରୁ ବଞ୍ଚିତ ଥିଲେ । ନିଜ ମାତାଙ୍କ ମାଧ୍ୟମରେ ଯେ ଯେଉଁ ସ୍ୱଳ୍ପ ଶିକ୍ଷା ଲାଭ କରିଥିଲେ, ତାରିଦ୍ୱାରା ରାମାୟଣ, ମହାଭାରତ, ଗୀତା, ଭାଗବତ ଓ କିଛି ପୁରାଣ ପଢ଼ିବାକୁ ସମର୍ଥା ହୋଇଥିଲେ । ପରେ ପରେ ବଙ୍ଗଳା ଭାଷା ଶିକ୍ଷା କରି ରବୀନ୍ଦ୍ରନାଥ ଠାକୁରଙ୍କ ରଚନାବଳୀ ସହିତ ପରିଚିତା ହୋଇଥିଲେ । ବିଶେଷକରି ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ତାଙ୍କ ବ୍ୟକ୍ତିଗତ ଓ କବି ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଯେତେବେଳେ ସେ କୌଣସି ପ୍ରତିକୂଳ ପରିବେଶର ସମ୍ମୁଖୀନ ହେଉଥିଲେ, ସେତେବେଳେ ତାଙ୍କ ମନ ମଧ୍ୟରେ ରହିଥିବା ଭଗବତ୍‌ ବିଶ୍ୱାସ ତାଙ୍କୁ ଆଶା ଓ ବିଶ୍ୱାସର ପଥ ନିର୍ଦ୍ଦେଶ କରାଉଥିଲା, ବଞ୍ଚିବା ପାଇଁ ରାହାଟିଏ ଯୋଗାଇଦେଉଥିଲା । ଏଣୁ ତାଙ୍କର ଅନେକ କବିତାରେ ଏହି ଆଧ୍ୟାତ୍ମିକ ବିଶ୍ୱାସ ପ୍ରତିଫଳିତ ହୋଇଥିବାର ଲକ୍ଷ୍ୟ କରାଯାଇପାରେ ।

 

ସୀତାଦେବୀଙ୍କ ଏହି ଆଧ୍ୟାତ୍ମିକ-ଚିନ୍ତାମୂଳକ କବିତା ପଶ୍ଚାତ୍‌ରେ ରବୀନ୍ଦ୍ରନାଥ ଠାକୁରଙ୍କ କବିତାର ପ୍ରେରଣା ଓ ଭୂମିକାକୁ ଅସ୍ୱୀକାର କରାଯାଇନପାରେ । ରବୀନ୍ଦ୍ରଙ୍କ ‘ନୈବେଦ୍ୟ’ କବିତା ସଂକଳନ ଅନୁବାଦ କରି ସେ ତାଙ୍କର ଏହି ଆଧ୍ୟାତ୍ମିକ ଭାବ-ଭାବନାର ଯଥାର୍ଥ ପରିଚୟ ପ୍ରଦାନ କରିଛନ୍ତି । ଏଣୁ ସୀତାଦେବୀଙ୍କ ବିଭୁପ୍ରୀତିମୂଳକ କବିତା ଅନ୍ତରାଳରେ ରବୀନ୍ଦ୍ର ନାଥଙ୍କ ଆଧ୍ୟାତ୍ମିକତା ଓ ରହସ୍ୟବାଦୀ ଚିନ୍ତାଧାରାକୁ ଅନୁଭବ କରିହୋଇଥାଏ । ନୈବେଦ୍ୟ ଅନୁବାଦ ସମୟରେ ସୀତାଦେବୀ ଯଥା ସମ୍ଭବ ଚେଷ୍ଟା କରିଛନ୍ତି ତାର ମୂଳଭାବକୁ ଅଖଣ୍ଡିତ ରଖିବା ପାଇଁ । ଏହି କାରଣରୁ ସୀତାଦେବୀଙ୍କ ‘ବୈବେଦ୍ୟ’ ମଧ୍ୟ ମୌଳିକ ଭକ୍ତିଗୀତିକାର ଭ୍ରମ ସୃଷ୍ଟି କରିଥାଏ । ପଦଟିଏ ଉଦ୍ଧାର କଲେ ସୀତାଦେବୀଙ୍କ ଅନୁବାଦ କୁଶଳତାର ଯଥାର୍ଥ ପରିଚୟ ମିଳି ପାରିବ । ରବୀନ୍ଦ୍ରନାଥଙ୍କ ମୂଳ କବିତା–

ଯତ ଦିତେ ଚାଓ କାଜ ଦିୟୋ ଯଦି

ତୁମାରେ ନାଦାଓ ଭୁଲିତେ

ଅନ୍ତର ଯଦି ଜଡ଼ାତେ ନାଦାଓ

ଜାଲ ଜଞ୍ଜାଲ ଗୁଲିତେ

ସୀତାଦେବୀଙ୍କ ଅନୁବାଦ–

ଯେତେ ଇଚ୍ଛା ଦିଅ କର୍ମର ଭାର

ଦିଅନା ତୁମକୁ ଭୁଲାଇ

ଅନ୍ତରକୁ ମୋର ଜଡ଼ିତ ନକର

ଜଞ୍ଜାଳ ଜାଲେ ଜଡ଼ାଇ

 

ସୀତାଦେବୀଙ୍କ ବିଭୁବୋଧମୂଳକ କବିତାଗୁଡ଼ିକ ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଛି । ଯେତେବେଳେ ସେ କୌଣସି ଦୁଃଖଦ ଓ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିଛନ୍ତି, ସେତେବେଳେ ଏହି କବିତାଗୁଡ଼ିକ ହୋଇଛି ତାଙ୍କ ଆଶା ଓ ଆଶ୍ୱାସନାର ମୂଳ ପ୍ରେରଣା । ସେ ଅନୁଭବ କରିଛନ୍ତି ସଂସାରର ପାର୍ଥିବତା ଅଳୀକ । ଜୀବନର ଚିରନ୍ତନ ସତ୍ୟକୁ ଉପଲବଧି କରିବାକୁ ଯାଇ ବିଭୁପଦାରବିନ୍ଦରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଛନ୍ତି ଓ ସେଇଥିରୁ ସେ ଲାଭ କରିଛନ୍ତି ଆଧ୍ୟାତ୍ମିକ ବିମଳ ଆନନ୍ଦ । ଜୀବନର ଅପରାହ୍‌ଣରେ ସେ ଲୌକିକ ବିଷୟ ବାସନା ପ୍ରତି ବୀତସ୍ପୃହ ହୋଇପଡ଼ିଛନ୍ତି । ତେଣୁ ସେ ଭକ୍ତିଧନ ଅର୍ଜନ ନିମିତ୍ତ ଆଶା ପ୍ରକାଶ କରି ‘ପ୍ରାର୍ଥନା’ କବିତାରେ କହିଛନ୍ତି–

 

ତୁମର ଚରଣ ଧୂଳି କରି ମୁଁ ତିଳକ

ଧ୍ୟାନେ ବସି ଦେଖୁଅଛି ତବ ତିନିଲୋକ ।

ତୁମର ଏ ରାଜ୍ୟ ଆହା କି ଆନନ୍ଦମୟ

ନାହିଁ ମୃତ୍ୟୁ ଭୟ ହେ ମୋର ଅଭୟ x x

ନୁହେଁ ଏ ଧନଜନ ନୁହେଁ ଆଧିପତ୍ୟ

କେବଳ କରିଛ ମୋତେ ଭକ୍ତି ମନ୍ତ୍ରେ ପୂତ

ଆଜିର ଏ ସୁନ୍ଦରର ସତ୍ୟ ଅନୁଭୂତି

ରହିଯାଉ ହୋଇ ମୋର ଜୀବନର ସ୍ମୃତି

 

ବିଭୁଙ୍କର କରୁଣା ଲାଭ କରିଥିବାରୁ କବି ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସାଂସାରିକ ମୋହାଚ୍ଛନ୍ନ ମଣିଷର ଭଲ ମନ୍ଦ ବିଚାର ଜ୍ଞାନ ନଥାଏ । ସାଂସାରିକ ଜଞ୍ଜାଳ ମଧ୍ୟରେ ସେ ଅନେକ ସମୟରେ ଜୀବନର ବାସ୍ତବ ସତ୍ୟ ବିସ୍ମୃତ ହୋଇଥାଏ । ସତ୍ୟ ଓ ଚିରନ୍ତନତାଠାରୁ ଅନ୍ଧମୋହର ବଶବର୍ତ୍ତୀ ହୋଇ ମଣିଷ ଦୂରେଇଯାଉଥିବାରୁ ସେ ଦୁଃଖ ପାଏ । ଏହି ଦୁଃଖରୁ ରକ୍ଷା ପାଇବା ପାଇଁ କବିଙ୍କର ନିବେଦନ ବାସ୍ତବରେ ବେଶ୍‌ ହୃଦ୍ୟ । ତେଣୁ ‘ଭକ୍ତି’ କବିତାରେ ସେ ନିଜର ମନୋଭାବ ବ୍ୟକ୍ତ କରି କହିଛନ୍ତି–

 

ବନ୍ଧନ ଭିତରୁ ମୋତେ କର ତୁମେ ମୁକ୍ତ

ହାତଯୋଡ଼ି ଜଣାଉଛି ହେ ପରମ ପିତଃ x x

ହେ ଅନ୍ତରଯାମୀ ! ତବ ଦ୍ୱାର ଦିଅ ଖୋଲି

ପୁଷ୍ପାଞ୍ଜଳି ସମ ତବ ପାଦେ ଯିବି ପଡ଼ି ।

ତବ ସେବା କାର୍ଯ୍ୟେ ଯେହ୍ନେ ହେବି ଉପଯୁକ୍ତ

ଏଇ ବର ଦିଅ ମୋତେ ଶିରେ ରଖି ହାତ ।

 

ରବୀନ୍ଦ୍ରଙ୍କ ଆଦର୍ଶରେ ସୀତାଦେବୀ କବିତା ରଚନା କରିଥିବାରୁ ତାଙ୍କର ଅନେକ କବିତାରେ ଅତୀନ୍ଦ୍ରିୟ ଆଧିଭୌତିକ ଚେତନାର ସ୍ଫୁରଣ ଘଟିଥିବାର ଲକ୍ଷ୍ୟ କରାଯାଇପାରେ । ସେ ହୃଦୟ ଭିତରେ ଉପଲବଧି କରିଛନ୍ତି ପରମସତ୍ତାଙ୍କୁ । ଜୀବନର କଣ୍ଟକିତ ପଥରେ ଈଶ୍ୱରଙ୍କ ଆଶୀର୍ବାଦକୁ ପରମ ପାଥେୟ ଭାବରେ ଗ୍ରହଣ କରିଛନ୍ତି । ସମସ୍ତ ଦୁଃଖ, ଅବସାଦକୁ ତାଙ୍କ ପଦତଳେ ଅର୍ପଣ କରି ସେ ଜୀବନରେ ଶାନ୍ତି ଲାଭ କରିବାକୁ ଚାହିଁଛନ୍ତି । ମଣିଷ ସେତିକିବେଳେ ଆନନ୍ଦ ଓ ଶାନ୍ତି ଲାଭ କରିଥାଏ, ଯେତେବେଳେ ସେ ନିଜର ସମସ୍ତ ଗର୍ବ, ଦମ୍ଭ ଓ ଆତ୍ମ-ପ୍ରୌଢ଼ୀକୁ ପରମଙ୍କ ପଦତଳେ ସମର୍ପିତ କରିଦେଇଥାଏ । ଆତ୍ମସମର୍ପଣ କବି ତେଣୁ ‘ପାନ୍ଥଶାଳା’ କବିତାରେ ନିବେଦନ କରିଛନ୍ତି–

 

ଦେଇଛ ଅନେକ ପାଇଲୁ ସେ ସବୁ

ହୋଇଛ ପରିପୂର୍ଣ୍ଣ

କେଉଁ କୋଣେ ଯଦି ଦ୍ୱେଷ ରୋଷ ଥାଏ

ଅବିଳମ୍ବେ କର ଚୂର୍ଣ୍ଣ x x

ଦୁଃଖ ଅବସାଦ ଆସି କେଉଁ କ୍ଷଣେ

ଗ୍ରାସ କରିଦେଲେ ପ୍ରାଣ

କେତେବେଳେ କେଉଁ ବେଶେ ଆସି ପ୍ରଭୁ

କର ମୋତେ ପରିତ୍ରାଣ ।

 

ସଂସାରର ବିଚିତ୍ର ଅନୁଭୂତି ସୀତାଦେବୀଙ୍କ ଜ୍ଞାନ ନୟନ ଉନ୍ମୋଚନ କରିଛି । ଐଶ୍ୱରୀୟ ସ୍ପନ୍ଦନ ନିଜ ଭିତରେ ଉପଲବ୍‌ଧି କରିବାଦ୍ୱାରା ତାଙ୍କର ମାନସିକ ଅଶାନ୍ତି ଅନେକ ପରିମାଣରେ ଦୂର ହୋଇଯାଇଛି । ଯେଉଁ ଐଶ୍ୱର୍ଯ୍ୟ ଓ ସୁଖଦ୍ୱାରା ମଣିଷ ଈଶ୍ୱରଙ୍କ ଆଶୀର୍ବାଦରୁ ଦୂରେଇଯାଇଥାଏ, ସେପରି ସୁଖ ସେ ଆଉ କାମନା କରିନାହାନ୍ତି । କାରଣ ଏପରି ସୁଖ କ୍ଷଣିକ । ସେ ଚିରନ୍ତନ ସୁଖର ଆଶାୟୀ ଥିବାରୁ ଏପରି ଅଳୀକତାକୁ ଗ୍ରହଣ କରିବାକୁ ପରାଙ୍‌ମୁଖ ହୋଇଛନ୍ତି । ଈଶ୍ୱରଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରି ସେଥିରୁହିଁ ପ୍ରକୃତ ସୁଖ ଲାଭ କରିବାକୁ ବ୍ୟାକୁଳ ହୋଇ ‘ବିଳାପ’ କବିତାରେ ଲେଖିଛନ୍ତି –

 

ପାରିଲି ନାହିଁ ଲାଗି ମୁଁ ଯଦି

ସେବାରେ ତବ ପ୍ରଭୁ

ନିଅ ଏ ପ୍ରାଣ ଏଥର ତୁମେ

ପିଣ୍ଡଟା ପଡ଼ିଥାଉ x x

ତୁମର ସ୍ତୁତି ଗାଇବା ଲାଗି

ପରାଣ ଯଦି ନ ଉଠେ ଜାଗି

ଏ ମାଟି ଦେହ କି ହେବ କୁହ

ମାଟିରେ ମିଶି ଯାଉ ।

 

ସୀତାଦେବୀ ବିଭିନ୍ନ ରୂପ ଓ ଭାବରେ ଈଶ୍ୱରଙ୍କ ସତ୍ତା ଉପଲବଧି କରିଛନ୍ତି ନିଜ ଭିତରେ ଓ ପରିବ୍ୟାପ୍ତ ଜଗତରେ । ନୈରାଶ୍ୟର ଅନ୍ଧକାର ମଧ୍ୟରେ ଡୁବିଯାଉଥିବା ସମୟରେ ସେ ଈଶ୍ୱରଙ୍କ କରୁଣାଲୋକରେ ଜୀବନର ସତ୍ୟତା ଉପଲବଧି କରିଛନ୍ତି । ଏକ ସାତ୍ତ୍ୱିକ ଭାବଧାରା ମଧ୍ୟରେ ନିଜ ଜୀବନ ତରଣୀ ମେଲିଦେବାକୁ ଚାହିଁଛନ୍ତି ସଂସାରରୂପକ ସାଗରରେ । ପାର୍ଥିବତା ପରିବର୍ତ୍ତେ ଏକ ଦିବ୍ୟ ଅପାର୍ଥିବ ଅନୁଭୂତି ତାଙ୍କ ଜୀବନକୁ କରିଛି ଶୁଦ୍ଧ ଓ ପବିତ୍ର । ଈଶ୍ୱରଙ୍କ ଆଶୀର୍ବାଦ ବ୍ୟତୀତ ମଣିଷ ଜୀବନ ଯେ ଅପୂର୍ଣ୍ଣ ଓ ଖଣ୍ଡିତ, ଜୀବନର ଶେଷ ପର୍ଯ୍ୟାୟରେ ତାହା ସେ ଉପଲବ୍‍ଧି କରିଛନ୍ତି । ତେଣୁ ସେ ଆଉ ଅଳୀକତା ଓ ପାର୍ଥିବ ଧନ ପ୍ରତି ଆଗ୍ରହ ପ୍ରକାଶ ନକରି ଚିରନ୍ତନ ସତ୍ୟ ଓ ଅପାର୍ଥିବ ଧନପ୍ରତି ଆଗ୍ରହୀ ହୋଇଉଠିଛନ୍ତି । ନିଜର ପ୍ରତ୍ୟେକ ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସେ ଅନୁଭବ କରିବାକୁ ଚାହିଁଛନ୍ତି ସେହି ପରମ ସତ୍ୟକୁ । ପାନ୍ଥଶାଳା, ଅର୍ପଣ, ସାନ୍ତ୍ୱନା, ଅନନ୍ତ ଇଙ୍ଗିତ, ପ୍ରଭୁ ତୁମେ ମୋର, ତୁମେ ଥିବ ପ୍ରଭୁ ସମ୍ମୁଖ ଆସନେ, ଆସ ଶ୍ୟାମଘନ ଆସ ପ୍ରିୟତମ, ହେ ଜଗତ ବ୍ୟାପୀ, ଭକ୍ତର ବାସନା, ବିଭୁପ୍ରସାଦ, ବିଶ୍ୱରୂପ, ପ୍ରାର୍ଥନା, ହେ ! ଜଗତ ନାଥ, ମହିମାମୟ, ଜୀବନଦର୍ଶନ, ବିଭୁ ଚିନ୍ତନେ ଆଦି ଅନେକ କବିତାରେ କବିଙ୍କର ଆଧ୍ୟାତ୍ମିକ ଭାବନା ପ୍ରକାଶିତ । ସୀତାଦେବୀଙ୍କ ସମସ୍ତ କବିତା ପ୍ରକାଶିତ ହୋଇଥିଲେ ଓଡ଼ିଆ ଭକ୍ତି ଗୀତିକା କ୍ଷେତ୍ରରେ ଏହା ଯେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା, ଏଥିରେ ସନ୍ଦେହ ନାହିଁ ।

 

ଜାତୀୟଚେତନାମୂଳକ କବିତା

 

ଜାତିକୁ ଭଲ ପାଇବା, ଦେଶକୁ ଶ୍ରଦ୍ଧା ଓ ଭକ୍ତି କରିବା ଯେକୌଣସି ଉଚ୍ଚମାନର କବିର ଏକ ସ୍ୱାଭାବିକ ଧର୍ମ । ଜାତୀୟବାଦୀ କବି ଜାତି ଓ ଦେଶର ସୁଖ-ଦୁଃଖ, ଘାତ-ପ୍ରତିଘାତ ତଥା ଆଶା-ଆକାଂକ୍ଷାକୁ ତା’ ସୃଷ୍ଟି ମାଧ୍ୟମରେ ରୂପାୟିତ କରି ଜାତିପ୍ରାଣରେ ଦେଶାତ୍ମବୋଧର ମନ୍ଦାକିନୀ ଧାରା ପ୍ରବାହିତ କରିଥାଏ । କବିତା ମାଧ୍ୟମରେ ଜାତିକୁ ସଂଗଠିତ କରି ତା’ ପ୍ରାଣରେ ଖେଳାଇଦେଇଥାଏ ଜାଗରଣ ମନ୍ତ୍ର । ଜାତିକୁ ଜାଗ୍ରତ କରି ନିଜର ସ୍ୱାଭିମାନ ପ୍ରକଟ କରିଥାଏ । ତା’ ନିକଟରେ ଜନନୀ, ଜନ୍ମଭୂମି ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ସୀତାଦେବୀ ଥିଲେ ଏହିପରି ଏକ ଜାତୀୟବାଦୀ କବି । ସେ ଓଡ଼ିଶାକୁ ଗଭୀର ଭାବରେ ଶ୍ରଦ୍ଧା କରୁଥିଲେ । ତାଙ୍କ ପ୍ରାଣରେ ଓଡ଼ିଶାର ମାଟି ଓ ମଣିଷ ଥିଲେ ସବୁଠାରୁ ପ୍ରିୟ । ସେ ପ୍ରତ୍ୟକ୍ଷଦର୍ଶୀ ଥିଲେ ସ୍ୱାଧୀନ ପୂର୍ବବର୍ତ୍ତୀ ଭାରତ ଓ ପରବର୍ତ୍ତୀ ଭାରତର । ଦେଶର ସେବା ପାଇଁ ଜଣେ ନାରୀ ହେଲେ ବି ରାଜନୀତିକ ମଞ୍ଚରେ ପଦାର୍ପଣ କରିଥିଲେ । ଉଦ୍ଦେଶ୍ୟ ଥିଲା ଦେଶର ସେବା । କହିବା ଅନାବଶ୍ୟକ ଯେ, ନିଜର ଜୀବନ କାଳ ମଧ୍ୟରେ ସେ ଓଡ଼ିଶାର ବହୁ ଭାବରେ ସେବା କରିଛନ୍ତି । କୌଣସି ସମାଲୋଚନାକୁ ଖାତିର ନକରି ନିଜ ବିବେକାନୁଯାୟୀ କାର୍ଯ୍ୟ ସାଧନ କରିଛନ୍ତି ।

 

ଏକ ପ୍ରତିକୂଳ ପରିବେଶ ମଧ୍ୟରେ ଜୀବନର ସାୟାହ୍ନରେ ସୁଦୂର ବିହାରରେ ଜୀବନ ଅତିବାହିତ କରିଥିଲେହେଁ କର୍ମଭୂମି ଓଡ଼ିଶା ଓ ଜନ୍ମଭୂମି ଆସିକା ପ୍ରତି ତାଙ୍କର ଶ୍ରଦ୍ଧା ଏବଂ ସମ୍ମାନ ଭରିରହିଥିଲା । ଜନନୀ ଜନ୍ମଭୂମିକୁ ସେ ସ୍ୱର୍ଗଠାରୁ ଗରୀୟସୀ ମନେକରିଛନ୍ତି । ମୋ ଜନ୍ମଭୂମି କବିତାରେ ତାଙ୍କର ଏହି ମାଟି ପ୍ରୀତି ଚମତ୍କାର ରୂପ ପାଇଛି–

 

ଜନନୀ ଜନମଭୂମି ସ୍ୱର୍ଗୁ ଗରୀୟସୀ

କହିଛନ୍ତି ଶୁଭକ୍ଷଣେ ବାଲମିକୀ ୠଷି

ମନେ ପଡ଼ୁଅଛି ଆଜି ମୋର ଜନ୍ମସ୍ଥାନ

ଯେଉଁ ମାଟି ତଳେ ଦିନେ ହୋଇଥିଲି ଜନ୍ମ

କରୁଛି କଳ୍ପନା ଏବେ ସ୍ୱର୍ଗୁ ବଡ଼ କରି

ସ୍ୱର୍ଗର ନନ୍ଦନ ବନୁ ପଡ଼ିଛି ମୁଁ ଝଡ଼ି ।

ପ୍ରବାସ ବାସରେ ! ହାୟ ମୋ ଜନନୀ ତୋତେ

ପାରୁନାହିଁ ଦେଖି ନିତ୍ୟ ନବୀନ ପ୍ରଭାତେ x x

କଳ୍ପନାରେ ଜନନୀ ଗୋ ପରଶ ତୋ ଲଭି

ବିରଚୁଛି ବସି ତୋର ମନୋହର ଛବି ।

 

କୌଣସି କାର୍ଯ୍ୟ ଉପଲକ୍ଷେ ଯେତେବେଳେ ସେ ସୁଦୂର ପାଟନା ସହରରୁ ଆସି ଓଡ଼ିଶା ମାଟିରେ ପାଦ ଦେଉଥିଲେ, ସେତେବେଳେ ସେ ଆନନ୍ଦରେ ଆତ୍ମହରା ହୋଇଉଠୁଥିଲେ । ଜନ୍ମଭୂମିଠାରୁ ଦୀର୍ଘ ଦିନର ବିଚ୍ଛେଦ ପରେ ଏହି ମହାମିଳନ ତାଙ୍କ ମନ ମଧ୍ୟରେ ଆନନ୍ଦର ବୈତରଣୀ ସୃଷ୍ଟି କରୁଥିଲା । ଜନ୍ମଭୂମିର ମୋହ ଓ ଆକର୍ଷଣ ଏତେ ନିବିଡ଼ ଏବଂ ଅନ୍ତରଙ୍ଗ ହୋଇପାରେ, ତାହା ସେ କଳ୍ପନା କରିପାରୁନଥିଲେ । ଜଣେ ଜାତୀୟବାଦୀ କବିର ଆଚରଣ ଓ ଭାବାବେଗ ଏହାଠାରୁ ଅଧିକ ଆଉ କ’ଣ ହୋଇପାରେ ! ନିଜ ସୁହୃଦ୍‌ମାନଙ୍କର ଆନ୍ତରିକ ଆଚରଣ, ସମସ୍ତଙ୍କର ଶ୍ରଦ୍ଧାଳୁ ଦୃଷ୍ଟି ତାଙ୍କୁ ସ୍ୱର୍ଗସୁଖଠାରୁ ଅଧିକ ଆନନ୍ଦ ଦେଇଛି । ‘ଆସିଅଛି ଦୂର ପ୍ରବାସରୁ’ କବିତାରେ ତାଙ୍କର ଏହି ଭାବାବେଗ ଚମତ୍କାର ରୂପ ପାଇଛି–

 

ମାତୃ ବିଚ୍ଛେଦରେ ଦିବାନିଶି ମୋର

ହୃଦୟ ବ୍ୟଥିତ ହୁଏ

ବିଳାପ ବିରଚି ବେଦନା ମୋହର

କରୁଣ ସଂଗୀତ ଗାଏ

ହୃଦୟ ବ୍ୟଥିତ ହୁଏ ।

ଏକଇ ଜନନୀ ହୋଇ ଶତ ଶତ

କରୁଛନ୍ତି ମୋତେ ପ୍ରେମେ କୋଳାଗ୍ରତ

ଭ୍ରାତା ଭାତୃଜାୟା ଦୁଆର ଦେଶରୁ

ନେଉଛନ୍ତି ହାତ ଧରି

ସେ ହାତର ସ୍ୱର୍ଗ ପାଇ ମୋର ତନୁ

ଆବେଗେ ଉଠୁଛି ଥରି

ନେଉଛନ୍ତି ହାତ ଧରି ।

 

କବି ଭାରତର ସ୍ୱାଧୀନତା ସଂଗ୍ରାମ ନିଜ ଅଙ୍ଗେ ଲିଭାଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ଦେଶସେବା, ଜାତି ପାଇଁ ପ୍ରାଣ-ବଳିଦାନ ସେ ସ୍ୱଚକ୍ଷୁରେ ଦେଖିଛନ୍ତି । ଭାରତୀୟ ମୁକ୍ତି ସଂଗ୍ରାମୀଙ୍କ କୃଚ୍ଛ୍ର ସାଧନାର ପରିଣତିସ୍ୱରୂପ ଦୀର୍ଘଦିନର ପରାଧୀନତା ପରେ ଭାରତ ତାର ସ୍ୱାଧୀନତା ଫେରିପାଇଲା । ଅନେକ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତାର ମହୋତ୍ସବ ପାଳନ କରାଗଲା-। ଗାନ୍ଧିଜୀଙ୍କର ସ୍ୱପ୍ନ ହେଲା ସାକାର । ମାତ୍ର ସ୍ୱାଧୀନତା ପରେ ସ୍ୱାଧୀନତା ସଂଗ୍ରାମୀଙ୍କର ହେଲା ସ୍ୱପ୍ନଭଙ୍ଗ । ଭାରତୀୟମାନେ ସ୍ୱାଧୀନତାର ନିଷ୍ପାପ ଶିଶୁଟିକୁ ସୁରକ୍ଷା ଦେବାରେ ଅସମର୍ଥ । ଜାତି ଜାତି ମଧ୍ୟରେ ବିବାଦ, ହୀନ ସ୍ୱାର୍ଥ, ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୀତାଦେବୀଙ୍କୁ ବ୍ୟଥିତ କରିଛି । ବିଶ୍ୱରେ ସ୍ଥିରତା ଓ ଶାନ୍ତି ନରହିଲେ ଜାତୀୟ ଜୀବନ ଯେ ପଙ୍ଗୁ ହୋଇଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନଥିଲା ସୀତାଦେବୀଙ୍କର । ବିଶ୍ୱଶାନ୍ତି ପାଇଁ ବିଶ୍ୱସ୍ତରର ସମସ୍ତ ନେତାଙ୍କର ସ୍ୱାର୍ଥହୀନ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ଅନୁଭବ କରିଛନ୍ତି । ଏଥିପାଇଁ ବିଶ୍ୱର ନେତାମାନଙ୍କୁ ସେ ସଚେତନ କରାଇଦେଇ କହିଛନ୍ତି–

 

ଇଚ୍ଛା ଯଦି ଅଛି ରଖିବାକୁ ନାମ

ସଂପାଦନ କର ମହତ କରମ

ଏ ବିଶ୍ୱ ସଂସାର ଏକାନ୍ତ ଭାବରେ

ଅତି ଆପଣାର ତବ ।

ଏ ନିଗୂଢ଼ ତତ୍ତ୍ୱ କାୟମନୋବାକ୍ୟେ

କର ବନ୍ଧୁ ଅନୁଭବ

(ମହାମାନବ ମହାତ୍ମା ଗାନ୍ଧୀ)

 

ସୀତାଦେବୀ ପ୍ରବାସରେ ଥାଇ ମଧ୍ୟ ଓଡ଼ିଶାକୁ ଭୁଲିନଥିଲେ । ସମଗ୍ର ବିଶ୍ୱର ପରିବର୍ତ୍ତିତ ଚିନ୍ତାଧାରା ପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିଥିଲେ । ବିଶ୍ୱଶାନ୍ତି ପ୍ରତି ସୃଷ୍ଟି ହେଉଥିବା ବିପଦ ତାଙ୍କୁ ବିବ୍ରତ କରୁଥିଲା । ମଣିଷର ମଣିଷପଣିଆ ଧୀରେ ଧୀରେ ନିମ୍ନଗାମୀ ହେଉଥିବାରୁ ତାହା ତାଙ୍କୁ ଭୀଷଣ ଭାବରେ ବ୍ୟଥା ଦେଇଛି । ତେଣୁ ତାଙ୍କର ଜାତୀୟତା ଓଡ଼ିଶା ଓ ଭାରତର ସୀମିତ ଭୂଖଣ୍ଡ ତ୍ୟାଗ କରି ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି । ମୋ ଜନ୍ମଭୂମି, ୧୯୬୬ ଜାନୁୟାରୀ ୨୬, ଆସିଅଛି ଦୂର ପ୍ରବାସରୁ, ମହାମାନବ ମହାତ୍ମା ଗାନ୍ଧୀ, ବାପୁ ସ୍ମରଣେ ଆଦି କବିତାରେ ସୀତାଦେବୀଙ୍କ ଜାତୀୟବାଦୀ ଚିନ୍ତାଧାରାର ଚମତ୍କାର ପ୍ରତିଫଳନ ଘଟିଛି ।

 

ଶିଶୁକବିତା

 

ଆଜିର ଶିଶୁ ଆସନ୍ତାକାଲିର ଦେଶର ନାଗରିକ । ଶିଶୁର ମାନସିକ ବିକାଶ ଉପରେ ଦେଶର ପ୍ରଗତି ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳ । ଏହି ଅମୃତ ଶିଶୁକୁ ଉପଯୁକ୍ତ ପଥ ନିର୍ଦ୍ଦେଶ କରି ସେମାନଙ୍କ ଜୀବନକୁ ଯଥୋଚିତ ମାର୍ଗରେ ଗତି କରାଇବା ଏ ଦେଶର ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ । ତେଣୁ ଶିଶୁ ଉପଯୋଗୀ ସାହିତ୍ୟ ସୃଷ୍ଟି କରି ଓଡ଼ିଶାର ଅନେକ କବି ଏହି ଦାୟିତ୍ୱଟି ନିର୍ବାହ କରିଥିବାରୁ ସେମାନେ ଧନ୍ୟବାଦର ପାତ୍ର ନିଶ୍ଚୟ । ସୀତାଦେବୀ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଅନେକ ଶିଶୁଗୀତିକା ରଚନା କରିଛନ୍ତି । ସେ ପୁରାଣ, ନିଜର ପରିବେଶ ଓ ଲୋକ ସାହିତ୍ୟରୁ ଉପାଦାନ ସଂଗ୍ରହ କରି ଶିଶୁ-ଗୀତିକାମାନ ରଚନା କରି ନିଜର କର୍ତ୍ତବ୍ୟବୋଧର ପରିଚୟ ପ୍ରଦାନ କରିଛନ୍ତି । କନ୍ୟା କମଳାଙ୍କ ସନ୍ତାନର ଦାୟିତ୍ୱ ନେବା ସମୟରେ ସେ କାହାଣୀ କୁହନ୍ତି, ଗୀତ ଗାଆନ୍ତି । ପରେ ପରେ ଏହି ଅଭାବର ପରିପୂର୍ତ୍ତି ନିମିତ୍ତ ସେ ଶିଶୁସାହିତ୍ୟ ରଚନା କ୍ଷେତ୍ରରେ ଲେଖନୀ ଚାଳନା କରି ସଫଳ ହୁଅନ୍ତି । ଶିଶୁ ମନରେ ନୈତିକତା, ଆଧ୍ୟାତ୍ମିକତା ଓ କର୍ତ୍ତବ୍ୟବୋଧ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସୀତାଦେବୀ ତାଙ୍କ ଗୀତିକାଗୁଡ଼ିକରେ ଭରପୂର ମନୋରଞ୍ଜକ ଖୋରାକ ଯୋଗାଇଦେଇଛନ୍ତି ।

 

ସୀତାଦେବୀ ଜୀବନରେ ପ୍ରତିକୂଳ ପରିବେଶ ଦେଇ ନିଜକୁ ପ୍ରତିଷ୍ଠିତ କରିଛନ୍ତି; ମାତ୍ର କୌଣସି କ୍ଷେତ୍ରରେ ସେ ନୈତିକତାର ବିରୋଧ କରିନାହାନ୍ତି କିମ୍ବା ଆଦର୍ଶବୋଧର ଗତିରୋଧ କରିନାହାନ୍ତି । ସେହି କାରଣରୁ ଶିଶୁଙ୍କ ମନରେ ନୈତିକତାବୋଧର ଜାଗରଣ ନିମିତ୍ତ କଥା ମଜା ଗପର ଶେଷରେ କହିଛନ୍ତି–

 

ଜୀବ ପ୍ରକୃତି ଛାଡ଼େ ଯେ ବ୍ୟକ୍ତି

ହୁଏ ସେ ମହାମନା

ପରଶିଦେଲେ ହାତରେ ତାର

ଲୁହା ହୁଅଇ ସୁନା

ଶୁଖିଲା କାଠେ ଦେଲେ ସେ ହାତ

କଅଁଳେ କିଶଳୟ

ପବିତ୍ର ଗଙ୍ଗାଧାର ବହଇ

ତା’ ଶିରେ ଅହରହ ।

 

ମାନବିକ କୁପ୍ରବୃତ୍ତି ପରିତ୍ୟାଗ କରିପାରିଲେ ମଣିଷ ମହାମନା ହୋଇଥାଏ । ଏହିପ୍ରକାର ମହାମନା ବ୍ୟକ୍ତି ସମସ୍ତ ନିନ୍ଦା ପ୍ରଶଂସାର ଊର୍ଦ୍ଧ୍ୱରେ ରହି ଜଗତର କଲ୍ୟାଣ-ସାଧନପୂର୍ବକ ମଣିଷ ଜନ୍ମର ଶ୍ରେଷ୍ଠତାକୁ ଚରିତାର୍ଥ କରିଥାଏ ।

 

ଗୋଟିଏ ଶିଶୁଗୀତିକା ମାଧ୍ୟମରେ କବି ଆମ ସମାଜର ବାସ୍ତବ ଘଟଣାଟିକୁ ଉପସ୍ଥାପନ କରିଛନ୍ତି । ଏକବିଂଶ ଶତକରେ ମଧ୍ୟ ଏହି ଘଟଣାଟିର ବିଶେଷ ପ୍ରାସଙ୍ଗିକତା ରହିଛି । ଆମ ସମାଜରେ ପୁଅମାନଙ୍କୁ ଯେଉଁ ପରିମାଣରେ ଗୁରୁତ୍ୱ ଦିଆଯାଇଥାଏ, ଝିଅମାନଙ୍କ କ୍ଷେତ୍ରରେ ତାହା ଘଟିନଥାଏ । ଏବେ ବି କନ୍ୟା ସନ୍ତାନଟିକୁ ଆମ ସମାଜ ସହଜରେ ଗ୍ରହଣ କରିପାରେନା । ସାମାନ୍ୟ ଅପରାଧରେ କନ୍ୟାଟିକୁ କଠିନ ଶାସ୍ତି ଭୋଗ କରିବାକୁ ପଡ଼େ । ପିତାମାତାଙ୍କ ଉପଯୁକ୍ତ ସ୍ନେହରୁ ସେ ବଞ୍ଚିତା ହୋଇଥାଏ । ଏହି ସମସ୍ୟାଟିକୁ ସୀତାଦେବୀ ତାଙ୍କର ଗୋଟିଏ ଶିଶୁଗୀତିକା ମାଧ୍ୟମରେ ଚମତ୍କାର ଢଙ୍ଗରେ ଉପସ୍ଥାପନା କରିଛନ୍ତି । ନଅ ବର୍ଷର ଝିଅ କୁମ ସକାଳୁ ସଞ୍ଜଯାଏ ଘର କାମ କରୁଥିଲେହେଁ ତା ବୋଉ ସଦାବେଳେ ତା ଉପରେ ଖିଟ୍‌ଖିଟ୍‌ ହେଉଥାଏ । ଗୋଟିଏ ମାତ୍ର ପୁଅ ଭାବରେ ସିଦ୍ଧ ଜନ୍ମ ହୋଇଥିବାରୁ ମା’ଙ୍କର ସ୍ନେହ ଶ୍ରଦ୍ଧା ପାଇଥାଏ । ଦିନେ ସିଦ୍ଧ କୁମର କଣ୍ଢେଇ ଘରକୁ ଭାଙ୍ଗି ଦେବାରୁ ସେ ଭାଇକୁ ମାରି ଗୋଡ଼ାଇବାର ଦେଖି ମା’ ତାକୁ ଗାଳି ଦେବାକୁ ଲାଗିଲେ–

 

ତୋଠୁ ବଡ଼ ଚାରି ଭଉଣୀ

କଲେଣି ସୁଖେ ଘର

କାଳି କୋତରୀ ଆସିଛି ଶେଷେ

ମିଳିବ କାହୁଁ ବର ।

ଡାକି ନ ଥିଲି ହାକି ନ ଥିଲି

ଆସିଲା କଳା ମୁହିଁ

ଜନମ ହେବା ଦିନୁ ଏ ଝିଅ

ଶାନ୍ତି ମୋହର ନାହିଁ ।

 

ଘରେ ସବୁବେଳେ ଅବହେଳା ଓ ଅସୂୟାର ଶିକାର ହେଉଥିବା କୁମ ଝିଅ ଜନମ ପ୍ରତି ବୀତସ୍ପୃହ ହୋଇ ଉଠିଛି । ପୁଅଟିକୁ ପାଠ ପଢ଼ାଇବାକୁ ଘରେ ସମସ୍ତେ ଆଗ୍ରହୀ ଥିଲେହେଁ, ଝିଅ ପାଠପଢ଼ା ପ୍ରତି କେହି ଗୁରୁତ୍ୱ ଦେଇନଥାନ୍ତି । ଘରେ ସମସ୍ତଙ୍କର ସ୍ନେହ ଆଦର ପୁଅ ଉପରେ ଝରିପଡ଼ୁଥିଲେହେଁ ଝିଅଟିକୁ କେହି ଶ୍ରଦ୍ଧା କରିନଥାନ୍ତି । ତେଣୁ କୁମ ଝିଅ ଜନମକୁ ଏକ ଅଭିଶାପ ଭାବରେ ଗ୍ରହଣ କରି ବୃନ୍ଦାବତୀଙ୍କୁ ପ୍ରାର୍ଥନା କରିଛି–

 

ଝିଅ ହେବାର ବିଷାଦ ଭାର

ପାରୁନି ଆଉ ସହି

ମରଣ କେବେ ଆସିବ ବୋଲି

ରହିଛି ପଥ ଚାହିଁ

ପୁଅ ଜନମ ଦେଏ ମା’ ମୋତେ

ଏଥର ଗଲେ ମରି

ବୋଉ କରିବ ଅତି ଆଦର

କୋଳରେ ତାର ଧରି ।

 

ଅବଶ୍ୟ ଏହି କବିତାରେ ସୀତାଦେବୀଙ୍କ ନିଜର ଅନୁଭୂତି ଓ ତାଙ୍କ ସମୟର ସାମାଜିକ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହୋଇଛି । ସୀତାଦେବୀଙ୍କ ‘ଶିଶୁର କଳ୍ପନା’ କବିତାରେ ତାଙ୍କ ନାତିର ସୁନ୍ଦର ରୂପକାନ୍ତିକୁ ବର୍ଣ୍ଣନା କରିଛନ୍ତି । ସେହି ବର୍ଣ୍ଣନା ମଧ୍ୟରେ ଜଗତର ଯେକୌଣସି ନିଷ୍ପାପ, ସରଳ ଶିଶୁଟିର ଚେହେରାଟିକୁ କଳ୍ପନା କରାଯାଇପାରେ ।

 

ଦୌହିତ୍ର ମୋର ନୁହଇ ଗୋରା

ଉଜ୍ଜ୍ଵଳ ଶ୍ୟାମବର୍ଣ୍ଣ

ମୁଖ ରେଖାଟି ଅତି ସୁନ୍ଦର

ଆକର୍ଷି ନିଏ ପ୍ରାଣ ।

ଅର୍ଦ୍ଧ ସ୍ଫୁଟିତ ଯୁଥି କଳିକା

ପରାଏ ତାର ମୁଖ

ଅନାଇ ଦେଲେ ଅନ୍ତରୁ ଯାଏ

ଅନନ୍ତ କାଳ ଦୁଃଖ ।

 

ସୀତାଦେବୀଙ୍କ ‘ରାମଚରିତ’ ଶିଶୁ କବିତାଟି କଳେବର ଦୃଷ୍ଟିରୁ ବୃହତ୍‌ ହେଲେହେଁ, ରାମାୟଣର କଥାବସ୍ତୁକୁ ଯେପରି ସରଳ ଓ ସୁନ୍ଦର ଭାବରେ ଏଥିରେ ଉପସ୍ଥାପନ କରାଯାଇଛି, ତାର ପଟାନ୍ତର ନାହିଁ । ସମଗ୍ର ରାମାୟଣର ବିଷୟବସ୍ତୁକୁ ଅତି ସଂକ୍ଷେପରେ ପ୍ରକାଶ କରାଯାଇ ଶିଶୁ ମନରେ ସତ୍ୟ, ଶାନ୍ତି, ଦୟା, କ୍ଷମା ପରି ସୁଗୁଣଗୁଡ଼ିକର ସୃଷ୍ଟି ପାଇଁ ଚେଷ୍ଟା କରାଯାଇଛି । ଏହାର ଭାଷା ଯେପରି ସରଳ ଭାବ ମଧ୍ୟ ସେହିପରି ଗମ୍ଭୀର । ନାତିର ଅନୁରୋଧରେ ଆଈ ତାକୁ ରାମାୟଣର କଥାବସ୍ତୁକୁ ଶୁଣାଉଥିବାରୁ ଶିଶୁଟିର ବୁଝିବା ଭଳି ଭାଷାରେ ଏହା ଲେଖାଯାଇଛି । ରାମାୟଣର କଥାବସ୍ତୁକୁ କେତେ ସଂକ୍ଷିପ୍ତ ପରିସର ମଧ୍ୟରେ ସୀତାଦେବୀ ପ୍ରକାଶ କରିଛନ୍ତି, ତାର ଉଦାହରଣଟିଏ ଦେଖନ୍ତୁ ।

 

ରାମ ଜନମ ବନ ଗମନ

ବଇଦେହୀଙ୍କୁ ନେଲା ରାବଣ

ବଳି ନିଧନ ସିନ୍ଧୁ ଲଂଘନ

ଅଶୋକ ବନେ ସୀତାଙ୍କୁ ଦେଖି

ସଙ୍କେତ ଦେଲା ହନୁ,

ଲଙ୍କା ଦହନ ସେତୁ ବନ୍ଧନ

ରାମଙ୍କ ହାତେ ମଲା ରାବଣ

ଶ୍ରୀରାମ କଲେ ପ୍ରତ୍ୟାବର୍ତ୍ତନ

ଏ କଥା କହି ଅଦୃଶ୍ୟ ହେଲେ

କ୍ଷଣକେ ବିଧି ସୁନୁ ।

 

ମଣିଷ ହୃଦୟ ଭିତରେ ଦେବତା ଓ ଅସୁରର ପ୍ରବୃତ୍ତି ରହିଛି । ରାମଚନ୍ଦ୍ର ହେଉଛନ୍ତି ଦୈବ ପ୍ରବୃତ୍ତିର ପ୍ରତୀକ, ଯାହା ମଣିଷ ମନରେ ସତ୍ୟ, ଶିବ, ଦୟା, କ୍ଷମା ଆଦି ସୁଗୁଣଗୁଡ଼ିକର ସୃଷ୍ଟି କରିଥାଏ । ଅନୁରୂପ ଭାବରେ ରାବଣ ହେଉଛି ଏକ ଆସୁରିକ ପ୍ରବୃତ୍ତି ଯାହା ହିଂସା, ଲୋଭ, ମୋହ, ପରଶ୍ରୀକାତରତା ଆଦି ଗୁଣଗୁଡ଼ିକୁ ଜାଗରଣ କରିଥାଏ । ଏହି ଦୁଇ ପ୍ରବୃତ୍ତି ସମ୍ପର୍କରେ ସୀତାଦେବୀ ବର୍ଣ୍ଣନା କରି ଲେଖିଛନ୍ତି–

 

ମାନବ ପ୍ରାଣେ ଅଛନ୍ତି ରାମ

ପରମ ଆତ୍ମା ପରମ ବ୍ରହ୍ମ

ସ୍ୱୟଂ ଅଭୟ ଭୟ ନାଶକ

ରାମଙ୍କ ରମ୍ୟ ନାମ ସୁମରି

ପଙ୍ଗୁ ଲଙ୍ଘଇ ଗିରି

ରାବଣ ରୂପୀ ଈରିଷା ଦ୍ୱେଷ

ସଞ୍ଚାରେ ପ୍ରାଣେ କଳୁଷ ବିଷ

ଆହାର ନିଦ୍ରା ସୁଖର ବଶ

ଜୀବନ ବ୍ୟର୍ଥ ରାବଣ କରେ

ହଜଇ ହୃଦ ଶିରୀ ।

 

ସୀତାଦେବୀଙ୍କ ‘ଶିଶୁକବିତା’ ସୃଷ୍ଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମନରେ ନୈତିକ ମୂଲ୍ୟବୋଧର ଜାଗରଣ କରିବା । ‘ସୁ’ ଓ ‘କୁ’ ମଧ୍ୟରେ ପାର୍ଥକ୍ୟ ଜାଣି ଶିଶୁମାନେ କିପରି ନ୍ୟାୟ ଓ ଆଦର୍ଶ ମାର୍ଗରେ ଗତି କରିପାରିବେ, ସେଥିପ୍ରତି ସୀତାଦେବୀ ଖୁବ୍‌ ସଚେତନ ହୋଇଉଠିଛନ୍ତି । ତେଣୁ ଶିଶୁ ମନରେ ଆନନ୍ଦ ଭରିଦେବା ସଙ୍ଗେ ସଙ୍ଗେ ସେମାନେ କିପରି ଉଚିତ ମାର୍ଗରେ ନିଜର ଜୀବନ ଗଠନ କରିପାରିବେ, ସେଥିପ୍ରତି ସୀତାଦେବୀ ତାଙ୍କ ‘ଶିଶୁ କବିତା’ରେ ତୀକ୍ଷ୍ମ ଦୃଷ୍ଟି ଦେଇଛନ୍ତି । ‘ସାରଥି ବିଲେଇ’ କବିତାଟି ହାସ୍ୟରସାତ୍ମକ ହୋଇଥିଲେହେଁ ଚୋରୀ କରିବାଦ୍ୱାରା ମଣିଷ କିପରି ଅନ୍ୟମାନଙ୍କ ନିକଟରେ ଉପହସିତ ହୋଇଥାଏ, ତାର ଚମତ୍କାର ଉଦାହରଣ ଏଥିରେ ରହିଛି । ହାସ୍ୟରସ ମାଧ୍ୟମରେ ଉଚିତ୍‌ ଶିକ୍ଷା ପ୍ରଦାନ ହୋଇଛି ଏହି କବିତାଟିର ଉଦ୍ଦେଶ୍ୟ । ଅଳସୁଆ, ଠକମାନଙ୍କ ପ୍ରତି ଏହି କବିତାଟିରେ ରହିଛି ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ । ଅନୁରୂପଭାବେ ‘ରାମଚରିତ’ କବିତାରେ ରହିଛି ଆଦର୍ଶ ଜୀବନଯାପନ ପାଇଁ ଆଶାନ୍ୱିତ ଆହ୍ୱାନ ।

 

ସୀତାଦେବୀଙ୍କ ଶିଶୁ କବିତାଗୁଡ଼ିକ ଯେପରି ମନୋରଞ୍ଜନଧର୍ମୀ ସେହିପରି ଉପଦେଶାତ୍ମକ । ଶିଶୁଙ୍କର ମାନସିକ ବିକାଶ ଘଟାଇବା ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ସତ୍‌ଗୁଣାବଳୀର ଜାଗରଣ ହୋଇଛି ଏହି କବିତାଗୁଡ଼ିକର ଉଦ୍ଦେଶ୍ୟ । ବାଲ୍ୟକାଳରୁ ଶିଶୁମାନଙ୍କୁ ଉଚିତ୍‌ ପଥରେ ଆଦର୍ଶ ଜୀବନଯାପନ ପାଇଁ ପ୍ରେରଣା ଦିଆଯାଇପାରିଲେ, ସେମାନେ ଯେ ଭବିଷ୍ୟତରେ ଏ ଦେଶର ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ, ଏଥିରେ ସୀତାଦେବୀଙ୍କର ସାମାନ୍ୟମାତ୍ର ସନ୍ଦେହ ନଥିଲା । ସେହି କାରଣରୁ ସେ ତାଙ୍କ ଶିଶୁ କବିତାଗୁଡ଼ିକରେ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସୁନ୍ଦର ଉଦାହରଣ ମାଧ୍ୟମରେ ଶିଶୁଙ୍କ ମନୋରଞ୍ଜନ ସହିତ ତାଙ୍କର ବୌଦ୍ଧିକ ବିକାଶ ପାଇଁ ମଧ୍ୟ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

 

 

ବ୍ୟକ୍ତିଗତ ଚିନ୍ତାମୂଳକ କବିତା

ପ୍ରତ୍ୟେକ କବି ତାର କବିତା ପାଇଁ ଉପାଦାନ ସଂଗ୍ରହ କରିଥାନ୍ତି ନିଜର ପରିବେଶ ଓ ନିଜ ଜୀବନର ଅନୁଭୂତିରୁ । ଯେଉଁ ସ୍ରଷ୍ଟାର ଜୀବନ ପ୍ରତି ଅନୁଭୂତି ବା ଅନୁଭବ ଯେତେ ନିବିଡ଼, ତାର କବିତା ସେହି ପରିମାଣରେ ହୃଦୟଗ୍ରାହୀ । ସୀତାଦେବୀଙ୍କ ଜୀବନର ଗତି ଆଦୌ ସରଳ ନଥିଲା । ବହୁ ବାଧାବିଘ୍ନ ଅତିକ୍ରମ କରି ତାଙ୍କର ଜୀବନ ଗାଡ଼ି ଗଡ଼ିଚାଲିଥିବାରୁ ବହୁପ୍ରକାର ବିଚିତ୍ର ଅନୁଭୂତିର ଅଧିକାରୀ ହୋଇଥିଲେ । ସେହି ଉଭୟ ସୁଖଦ ଓ ଦୁଃଖଦ ଅନୁଭୂତି ତାଙ୍କ ଜୀବନର ଗତିପଥକୁ ବଦଳାଇଦେଇଥିଲା । ସେହି ଅନୁଭୂତିକୁ ପାଥେୟ କରି ପରବର୍ତ୍ତୀ ଜୀବନରେ ସେ ରଚନା କରିଛନ୍ତି ରାଶି ରାଶି କବିତା । ସେଥିପାଇଁ ‘କବି ପ୍ରତି’ କବିତାରେ ସମସ୍ତ ସୁଖଦୁଃଖକୁ ସମାନ ଭାବରେ ଗ୍ରହଣ କରିବାକୁ ସୂଚନା ଦେଇଛନ୍ତି । ଜଗତର ରୋଷ, ଦ୍ୱେଷ, ଗର୍ବ ଓ ଅହଂକାର ଦେଖି ଦୁଃଖିତ ହେବାର ଆବଶ୍ୟକତା ନାହିଁ କିମ୍ବା ନିଜର ସୁହୃଦ ବୈରଭାବ ଗ୍ରହଣ କଲା ବୋଲି ବ୍ୟଥିତ ହେବା ମଧ୍ୟ ଉଚିତ ନୁହେଁ । ସୁଖ-ଦୁଃଖ ଅନୁଭୂତି କ୍ଷଣସ୍ଥାୟୀ । ତେଣୁ କବି ପ୍ରତି ସୀତାଦେବୀଙ୍କ ଉପଦେଶ ହେଉଛି–

ସମୟ ଆସିଲେ ତୁମେ ଯିବ ଯେବେ ଚାଲି

ସବୁ ଦୁଃଖ ତବ ଯିବ ସିନା ଶୂନ୍ୟେ ଉଡ଼ି ।

ଦୁଃଖ କଥା ମାଳା ବସି କରହେ ଗ୍ରନ୍ଥନ

ତେବେ ତ ସୁନ୍ଦର ହେବ ତୁମର ପ୍ରସ୍ଥାନ

ଜଗତର ବ୍ୟଥା ହୋଇ ରହିବ ସେ କଥା

ନଭସ ଊର୍ଦ୍ଧ୍ୱକୁ ଚାହିଁ ଟେକି ଦେଇ ମଥା ।

ସାହିତ୍ୟ ସୃଷ୍ଟି କରିବା ସୀତାଦେବୀଙ୍କ କେବଳ ଏକ ନିଶା ନଥିଲା; ତାହା ଥିଲା ତାଙ୍କ ଜୀବନ ପରି ଆଉ ଏକ ଜୀବନ; ନିଃଶ୍ୱାସ-ପ୍ରଶ୍ୱାସ ପରି ପ୍ରାଣର ଅବିଚ୍ଛେଦ୍ୟ ଅଂଶ । ତେଣୁ ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ତାଙ୍କ ଲେଖନୀ ଥିଲା ଚଳଚଞ୍ଚଳ । ମଣିଷ ଜୀବନ କ୍ଷଣସ୍ଥାୟୀ ଓ ଯେକୌଣସି ସମୟରେ ମୃତ୍ୟୁ ମାନବ ଜୀବନକୁ କବଳିତ କରିପାରେ । ମୃତ୍ୟୁଦ୍ୱାରା କବଳିତ ହେବା ସମୟରେ କାଳେ ତାଙ୍କର ସୃଷ୍ଟିଟି ଅପୂର୍ଣ୍ଣ ରହିଯାଇଥିବ, ସେଥିପାଇଁ ସେ ମୃତ୍ୟୁକୁ ଅନୁରୋଧ କରନ୍ତି କିଛି ସମୟ ଅପେକ୍ଷା କରିବାକୁ । ଏହି ସମୟରେ ହୁଏତ ସେ ତାଙ୍କ ଲେଖାଟିକୁ ସମ୍ପୂର୍ଣ୍ଣ କରିପାରିବେ । ‘ଜୀବନିକା’ କବିତାରେ ଏହି ନିବେଦନ କେତେ ହୃଦୟସ୍ପର୍ଶୀ, ତାହା ଲକ୍ଷ୍ୟ କରନ୍ତୁ–

ମରଣ ତୁମେ କ୍ଷଣେ ମାତ୍ର

ବସ ଗୋ ଦ୍ୱାରେ ଧରିଛି ସୂତ୍ର

ଗୁନ୍ଥି ଦେବି ମୋ ଅପୂର୍ଣ୍ଣ ଗ୍ରନ୍ଥ

ସୀତାଦେବୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସମୟରେ ସୂଚନା ଦିଆଯାଇ କୁହାଯାଇଛି ଯେ, ତାଙ୍କ ପ୍ରେରଣାର ମୂଳ ଉତ୍ସ ଥିଲେ–ସ୍ୱାମୀ ବାଞ୍ଛାନିଧିବାବୁ । ସେ ଥିଲେ ତାଙ୍କ ସୃଷ୍ଟିର ପ୍ରଥମ ଶ୍ରୋତା ଓ ସମାଲୋଚକ । ବାହାର ସମାଲୋଚନା ଓ ବ୍ୟକ୍ତିଗତ କାରଣ ପାଇଁ ଯେତେବେଳେ ତାଙ୍କ ଲେଖା ଧିମେଇପଡ଼ୁଥିଲା, ସେତେବେଳେ ବାଞ୍ଛାନିଧିବାବୁଙ୍କ ଉତ୍ସାହ ତାଙ୍କୁ ଅଧିକ ସକ୍ରିୟ କରୁଥିଲା, ମନୋବଳ ବୃଦ୍ଧି କରୁଥିଲା ପୁଣି ନୂତନ ସୃଷ୍ଟି ପାଇଁ ପ୍ରବୃତ୍ତ କରିବାରେ । ଜଣେ ଅସୂର୍ଯ୍ୟଂପଶ୍ୟା ନାରୀକୁ ଜଗତ ଆଗରେ ପରିଚିତ କରିବାରେ ବାଞ୍ଛାନିଧିବାବୁ ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ, ବାସ୍ତବରେ ତାହା ଅବିସ୍ମରଣୀୟ । ବାଞ୍ଛାନିଧିବାବୁ ଓ ସୀତାଦେବୀଙ୍କର ଜନ୍ମ ହୋଇଥିଲା ଜଣେ ଅନ୍ୟ ଜଣକ ପାଇଁ । ଏପରି ଅନାବିଳ ପ୍ରେମ କ୍ୱଚିତ୍‌ ପରିଲକ୍ଷିତ ହୋଇଥାଏ ଜଗତରେ । ଯେତେବେଳେ ସେହି ପ୍ରେରଣାର ଉତ୍ସ ବାଞ୍ଛାନିଧିବାବୁ ରୋଗଗ୍ରସ୍ତ ହୋଇପଡ଼ିଲେ, ସୀତାଦେବୀଙ୍କ ଆଗରେ ସମଗ୍ର ଜଗତ ଅନ୍ଧକାର-ପରିପୂର୍ଣ୍ଣ ହୋଇଉଠିଲା । ଜୀବନ-ନଦୀ ହୋଇପଡ଼ିଲା ଶୁଷ୍କ । ସ୍ୱାମୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ସୀତାଦେବୀ । କେତେ ରାତି ଅନିଦ୍ରାରେ କଟିଯାଇଛି ରୋଗଗ୍ରସ୍ତ ସ୍ୱାମୀଙ୍କ ଶେଯ ନିକଟରେ । ଗୋଟିଏ ପାର୍ଶ୍ୱରେ ଯମରାଜ, ଅପର ପକ୍ଷରେ ସୀତାଦେବୀ । ଦୀର୍ଘ ପାଞ୍ଚ ବର୍ଷ ମୃତ୍ୟୁ ଓ ଜୀବନ ମଧ୍ୟରେ ସଂଗ୍ରାମ ପରେ, ପରିଶେଷରେ ଜୀବନର ହିଁ ପରାଜୟ ଘଟିଲା । ବାଞ୍ଛାନିଧିବାବୁ ସବୁଦିନ ପାଇଁ ବିଦାୟ ନେଇଗଲେ ସୀତାଦେବୀଙ୍କ ନିକଟରୁ । ୧୯୮୦ ମସିହାରେ ବାଞ୍ଛାନିଧିବାବୁଙ୍କ ମହାପ୍ରୟାଣ ପରେ ସୀତାଦେବୀ ଯେଉଁ ଦୁଃଖ ଓ ଆଘାତ ପାଇଥିଲେ, ଗୋଟିଏ କବିତାରେ ତାହା ପ୍ରକାଶ କରି ଲେଖିଛନ୍ତି–

ଅନ୍ଧକାର ଅର୍ଦ୍ଧରାତ୍ର ନଥିଲେ କେ ପଥେ

ଏକାକୀ ବାହାରି ଘରୁ ଗଲ କେଉଁ ରଥେ ।

ଦୀର୍ଘ ପାଞ୍ଚ ବର୍ଷ କାଳ ଥିଲ ମୂକ ହୋଇ

କହି ନାହିଁ କଥା ପଦେ ମୁଖକୁ ଅନାଇ ।

କେତେ ଯେ ରୋଗ ବୈରାଗ୍ୟ ଦେଖି ପ୍ରତିକ୍ଷଣେ

ବସି ରହୁଥିଲି ପାର୍ଶ୍ୱେ ଏକାନ୍ତ ମଉନେ ।

ପଚାଶ ବର୍ଷର ତୁମେ ମୋର ପ୍ରିୟ ସାଥି

ତୁମ ବିନା ଆଜି କେହ୍ନେ କଟାଇବି ରାତି ।

ସୀତାଦେବୀ ଜୀବନକୁ ଦେଖିଥିଲେ ବାସ୍ତବ ଦୃଷ୍ଟିକୋଣରୁ । ସୁଖ-ଦୁଃଖ, ହସ-କାନ୍ଦକୁ ଜୀବନର ଗୋଟିଏ ଗୋଟିଏ ସୋପାନ ଭାବରେ ଗ୍ରହଣ କରିନେଇଥିଲେ । ସେଥିପାଇଁ ଦୁଃଖରେ ସେ ଭାଙ୍ଗିପଡ଼ୁନଥିଲେ କିମ୍ବା ଆନନ୍ଦରେ ଆତ୍ମହରା ହେଉନଥିଲେ । ‘ପ୍ରତୀକ୍ଷା’ କବିତାରେ କବିଙ୍କର ଜୀବନ ପ୍ରତି ରହିଥିବା ଏହି ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ–

କୁସୁମ ଶୟନ ନୁହେଁ ତ ଜୀବନ

ହଂସରେ ! କଣ୍ଟକମୟ

ବୁଝିଛୁ ତ ସବୁ ମୋ ମନର କଥା

ସହି ତ ହୋଇଅଛି ଯେତେ ବ୍ୟଥା

କହିବୁ ପ୍ରିୟକୁ ସବୁକଥା

ଧୀର ଚିତ୍ତେ ।

ସୀତାଦେବୀ ଜୀବନର ସବୁ ଦିଗକୁ ସମାନ ଭାବରେ ଗ୍ରହଣ କରିଛନ୍ତି । ଧୈର୍ଯ୍ୟ ଓ ସହନଶୀଳ ଗୁଣରେ ଜଗତର ସବୁକିଛିକୁ ବିଚାର କରି ଜୀବନ ସମ୍ପର୍କରେ ବିସ୍ତୃତ ପରିଚୟଟି ସୃଷ୍ଟି କରିଛନ୍ତି । ସୀତାଦେବୀଙ୍କ ଜୀବନପ୍ରତି ଏହି ଉଦାର ଦୃଷ୍ଟିଭଙ୍ଗୀ ଅନ୍ୟମାନଙ୍କୁ ପ୍ରେରିତ କରିଛି । ତେଣୁ ତାଙ୍କର ବ୍ୟକ୍ତିଗତ ଚିନ୍ତାମୂଳକ କବିତାରେ ହାସ୍ୟ ଓ କାରୁଣ୍ୟର ମିଶ୍ରିତ ରୂପଟିଏ ପରିଲକ୍ଷିତ ହୋଇଥାଏ ।

ପୂଜ୍ୟପୂଜାମୂଳକ କବିତା

ଭାରତୀୟ ସାମାଜିକ ଓ ସାଂସ୍କୃତିକ ପରମ୍ପରାରେ ପୂଜ୍ୟପୂଜାର ଏକ ବଳିଷ୍ଠ ପରମ୍ପରା ରହିଆସିଅଛି । ବୟସ୍କ, ଜ୍ଞାନୀ ଓ ଗୁଣୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ବରିଷ୍ଠ ବ୍ୟକ୍ତିମାନଙ୍କୁ ଭକ୍ତି ଅର୍ପଣ କରିବା ଏହି ପରମ୍ପରାର ବିଶିଷ୍ଟ ବିଭବ । ଏଥିପାଇଁ ଭାରତୀୟ ପରଂପରାରେ ବହୁ ସାହିତ୍ୟ ସୃଷ୍ଟି କରାଯାଇଛି । ବୈଦିକ ଯୁଗରୁ ପୁରାଣ ଯୁଗ ପର୍ଯ୍ୟନ୍ତ ଏହି ପରଂପରାରେ ଯେପରି କୌଣସି ବ୍ୟତିକ୍ରମ ସୃଷ୍ଟି ନହୁଏ, ସେଥିପାଇଁ ବିଭିନ୍ନ କଳା ବା ସୃଷ୍ଟି ମାଧ୍ୟମରେ ସତର୍କ କରାଇଦିଆଯାଇଛି । ଓଡ଼ିଆ ସାହିତ୍ୟରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀରମୋହନଙ୍କ ପର୍ଯ୍ୟନ୍ତ ବହୁ ସ୍ରଷ୍ଟା ସେମାନଙ୍କ ସୃଷ୍ଟିରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରିଛନ୍ତି । ଫକୀରମୋହନଙ୍କ ଉତ୍କଳ ଭ୍ରମଣରେ ବିଶିଷ୍ଟ ସାହିତ୍ୟ ସ୍ରଷ୍ଟାଙ୍କଠାରୁ ଆରମ୍ଭ କରି ଗୁଣ୍ଡିବାଲୀଙ୍କ ପର୍ଯ୍ୟନ୍ତ ଯାହାର ବିଶିଷ୍ଟତା ଯେଉଁ କ୍ଷେତ୍ରରେ ରହିଛି, ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଇଛି । ସୀତାଦେବୀ ଦୀର୍ଘଦିନ ଧରି ଆମ ସାମାଜିକ ପରମ୍ପରାରେ ପ୍ରଚଳିତ ଏହି ପରମ୍ପରାକୁ ଶ୍ରଦ୍ଧାର ସହିତ ସ୍ମରଣ କରିଛନ୍ତି । ସୀତାଦେବୀ ଥିଲେ ଗୁଣଗ୍ରାହୀ । ଯାହା ନିକଟରେ ବିଶେଷ ବା ସ୍ୱତନ୍ତ୍ର କିଛି ଗୁଣ ଥିବାର ଲକ୍ଷ୍ୟ କରିଛନ୍ତି, ସେହି ବ୍ୟକ୍ତିତ୍ୱମାନଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି ତାଙ୍କ କବିତାରେ ।

 

ବାଲ୍ୟ ବୟସରୁ ସୀତାଦେବୀଙ୍କର ଯେଉଁ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଥିଲା, ପରିଣତ ବୟସରେ ମଧ୍ୟ ସେମାନଙ୍କ ପ୍ରତି ତାଙ୍କର ସେହି ଶ୍ରଦ୍ଧା ଓ ସମ୍ମାନ ଅତୁଟ ରହିଥିଲା । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଗୋଦାବରୀଶ ମିଶ୍ର । ପିଲାଦିନେ ସେ ତାଙ୍କର ପୁରୁଷୋତ୍ତମ ଦେବ ନାଟକ ପଢ଼ିଥିଲେ । ନିଜ ଘର ଭିତରେ (ଡ୍ରଇଂ ରୁମ୍‌ରେ) ଦିନେ ମଧ୍ୟ ତାଙ୍କୁ ଦେଖିବାର ସୌଭାଗ୍ୟ ମିଳିଥିଲା । ପରେ ସେ ତାଙ୍କର ବହୁ ରଚନା ପାଠ କରି ଅଭିଭୂତ ହୋଇଛନ୍ତି । ତାଙ୍କର ଦାରିଦ୍ର୍ୟ ଓ ଦେଶ ପାଇଁ ଉତ୍ସର୍ଗୀକୃତ ଜୀବନ ସଂପର୍କରେ ଜାଣି ଗୋଦାବରୀଶଙ୍କୁ ଖୁବ୍‌ ଶ୍ରଦ୍ଧା ଓ ଭକ୍ତି କରିଛନ୍ତି । ଶେଷ ବୟସରେ ସେ କବିତା ରଚନା କରିବା ସମୟରେ ପଣ୍ଡିତ ଗୋଦାବରୀଶଙ୍କୁ ପ୍ରଥମେ ସ୍ମରଣ କରିଛନ୍ତି–

 

ଶିବ ସମ ବିଷ ଅଂଶ କଣ୍ଠେ ତବ ଧରି

ଅମୃତର ପାତ୍ର ପ୍ରେମେ ଦେଇଛ ବିତରି

 

ଭାରତୀୟ ବାଙ୍‌ମୟରେ ବ୍ୟାସଦେବ ଜଣେ ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ । ତାଙ୍କଦ୍ୱାରା ରଚିତ ମହାଭାରତ, ଗୀତା ତଥା ଅନ୍ୟାନ୍ୟ ପୁରାଣ ଦୀର୍ଘଦିନ ଧରି ଭାରତୀୟ ଜନତାଙ୍କୁ ଉଦ୍‌ବୁଦ୍ଧ କରିଆସିଛି । ଅଜ୍ଞାନ-ଅନ୍ଧକାରରେ ପଥ ହୁଡ଼ିଥିବା ବହୁ ଜନତାଙ୍କୁ ତାଙ୍କର ସୃଷ୍ଟିସମୂହ ଉଚିତ୍‌ ପଥ ନିର୍ଦ୍ଦେଶ କରିଛି । ତାଙ୍କର ବ୍ୟକ୍ତିତ୍ୱ ଓ ଉଚ୍ଚାଙ୍ଗ ସୃଷ୍ଟି ଅତୁଳନୀୟ । ସେହି ବ୍ୟାସଦେବଙ୍କ ପ୍ରତି ସୀତାଦେବୀ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରି ଲେଖିଛନ୍ତି–

 

ତୁମେ ଗୀତା ଗୀତ କରିଛ ରଚନ

ପବିତ୍ର କରେ ଯେ ସେ ସୁଧା ବଚନ

ସବୁ ଦ୍ୱେଷ ରୋଷ ହୁଏ ମୋ ମୋଚନ

ଆଖି ବୁଜି ସ୍ତୁତି ରଚଇ ତୁମର

ଏକାନ୍ତ ଚିତ୍ତରେ ପ୍ରଭୁ ।

 

ପିଲାଦିନେ ସୀତାଦେବୀ ମୋହନ ଗୋସ୍ୱାମୀଙ୍କ ନାଟକ ଦେଖି ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହୋଇଥିଲେ । ବାଲ୍ୟବୟସରେ ମୋହନ ଗୋସ୍ୱାମୀଙ୍କ ନାଟକ ତାଙ୍କ ଜୀବନ ଉପରେ ଯେଉଁ ପ୍ରଭାବ ପକାଇଥିଲା, ପରବର୍ତ୍ତୀ କାଳରେ ଜଣେ ନାଟ୍ୟକାର ହେବା କ୍ଷେତ୍ରରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେହିପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମରଣ କରି ସୀତାଦେବୀ ଲେଖିଛନ୍ତି–

 

ତୁମେ ଜାଣି ନାହଁ, ତୁମର ହୃଦୟ ସୁଧା

ଗୋପନେ ମେଣ୍ଟାଇ ଥିଲା ମୋ ପ୍ରାଣର କ୍ଷୁଧା

ସୀତାଦେବୀଙ୍କ ଲେଖିକା ଜୀବନ ଉପରେ ଯଦି ବିଶେଷ ଭାବରେ କାହାର ଅଧିକ ପ୍ରଭାବ ରହିଥାଏ, ସେ ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ସେ ତାଙ୍କର ଗୀତାଞ୍ଜଳିକୁ ଦେବତା ଜ୍ଞାନ କରି ପୂଜା କରୁଥିଲେ । ସେହି ଗୀତିକାଗୁଚ୍ଛ ଥିଲା ତାଙ୍କ ଜୀବନର ସୁଖଦୁଃଖର ସାଥୀ । ସୀତାଦେବୀ ପାଟନାରେ ନିଜ କନ୍ୟା କମଳା ଗୃହରେ ବାସ କରୁଥିଲେ । ଗୃହର ଅନ୍ତଃପୁରରେ ସେମାନଙ୍କ ଫଟୋ ସହିତ କବିଗୁରୁ ରବୀନ୍ଦ୍ରନାଥଙ୍କ ଫଟୋଚିତ୍ର ମଧ୍ୟ ଶୋଭା ପାଉଥିଲା । ସୀତାଦେବୀଙ୍କ ଆଲମାରି ମଧ୍ୟରେ ରବୀନ୍ଦ୍ରନାଥଙ୍କ ରଚନାବଳୀ ସଂରକ୍ଷିତ ରହିଥିଲା । ସେ ତାଙ୍କ ରଚନାବଳୀକୁ ଯେପରି ଭଲପାଉଥିଲେ, ସେହିପରି ରବୀନ୍ଦ୍ରନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ରବୀନ୍ଦ୍ରଙ୍କ ସୃଷ୍ଟିସମୂହ ଥିଲା ସୀତାଦେବୀଙ୍କ ପଥ ପ୍ରଦର୍ଶକ । ସେ ଅନ୍ଧାରରେ ଝୁଣ୍ଟିପଡ଼ିବା ସମୟରେ ରବୀନ୍ଦ୍ରଙ୍କ ରଚନାବଳୀ ଆଲୋକବର୍ତ୍ତିକାଟିଏ ହୋଇ ପଥ ନିର୍ଦ୍ଦେଶ କରୁଥିଲା । ରବୀନ୍ଦ୍ରନାଥଙ୍କୁ ସେ ଦେବତା ପରି ପୂଜା-ଆରାଧନା କରୁଥିଲେ । ତେଣୁ ଅନେକତ୍ର ସେ ତାଙ୍କୁ ସ୍ମରଣ କରି ନିଜର ଭକ୍ତି ନିବେଦନ କରିଛନ୍ତି–

ଦ୍ରଷ୍ଟା ତୁମେ, ତୁମେ ସ୍ରଷ୍ଟା, ହେ ବ୍ରହ୍ମ ବିହାରୀ

ଆତ୍ମାର ପୂଜକ ତୁମେ ପରମ ପୂଜାରୀ ।

ଧନ୍ୟ ମୁଁ ହୋଇଛି ଲଭି ତବ ଜ୍ଞାନ ଧନ

ସେ ୠଣ ମୁଁ ମୁକ୍ତ ହେବି ସ୍ମରି ତବ ନାମ

ତବ ପଦ ଧ୍ୱନି ତଳେ ଅର୍ପିଲି ପ୍ରଣତି

ପ୍ରାଣ ପୁରୁ ନିଃଶେଷି ମୋ ସକଳ ଭକତି (ସ୍ମରଣେ)

ସୀତାଦେବୀ ତାଙ୍କ ଜୀବନରେ ବହୁଗୁଣୀ ବ୍ୟକ୍ତିଙ୍କର ସାନ୍ନିଧ୍ୟ ଲାଭ କରିଥିଲେ । ସବୁଜ କବି ବୈକୁଣ୍ଠ ନାଥଙ୍କ ସହିତ କବିଙ୍କର ପରିଚୟ ଜୀବନର ଅପରାହ୍ନରେ ଘଟିଥିଲେହେଁ ପୂର୍ବରୁ ତାଙ୍କର ପତ୍ର ସୀତାଦେବୀଙ୍କୁ ଗଭୀର ଭାବରେ ଉଦ୍‌ବୁଦ୍ଧ କରିଥିଲା । ଚିଠି ମାଧ୍ୟମରେ ସେ ଅନୁଭବ କରିଥିଲେ ବୈକୁଣ୍ଠନାଥଙ୍କ କବି-ବ୍ୟକ୍ତିତ୍ୱ ଓ ପ୍ରଶସ୍ତ ହୃଦୟବତ୍ତାକୁ । ତେଣୁ ‘ଅଭ୍ୟର୍ଥନା’ କବିତାରେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି କବି ଲେଖିଛନ୍ତି–

ସ୍ନେହର ସୁଧାରେ ଭରା ତୁମର ଏ ଚିଠି

ବ୍ୟାପକ କରିଛି ଆଜି ମୋର ଅନ୍ତର୍ଦୃଷ୍ଟି ।

ତୁମର ଉତ୍ତରାୟଣ କାବ୍ୟ ଗାଥା ପଢ଼ି

ନାରୀ ହୃଦୟର ଧାରା ନେତ୍ରୁ ଗଲା ଝରି ।

ପତିତାକୁ ଦେଇଅଛ ପରମ ଗୌରବ

ପ୍ରସରୁଛି ପ୍ରାଣ ପୁରେ ସେ ସୃଷ୍ଟି ସୌରଭ ।

ସୀତାଦେବୀଙ୍କର ଅନ୍ୟ ଯେଉଁ ଦୁଇଜଣ ବ୍ୟକ୍ତିବିଶେଷଙ୍କ ପ୍ରତି ଅଧିକ ସମ୍ମାନ ରହିଥିଲା, ସେମାନେ ହେଲେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ସଂଗଠିତ କରି ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତାଙ୍କର ଅହିଂସା ଆନ୍ଦୋଳନ ସମଗ୍ର ବିଶ୍ୱରେ ଥିଲା ଏକ ବିରଳ ଆନ୍ଦୋଳନ । ଭାରତର ସମାଜ, ରାଜନୀତି ଓ ଅର୍ଥନୀତି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ । ‘ମହାତ୍ମା ସ୍ମରଣେ’ କବିତାରେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଲେଖିଛନ୍ତି ।

 

ସ୍ୱୟଂ ସତ୍ୟଶିବ ତୁମେ ହେ ମହତ ଚେତା

ଆସିଥିଲ ମର୍ତ୍ତ୍ୟେ, ଶିରେ ଧରି ଶୁଭଚିନ୍ତା

ଅତିଥି ବତ୍ସଳ ତୁମେ ହେ ମଙ୍ଗଳମୟ

ଦୀନ, ହୀନେ ଦେଇଅଛ ଅଭୟ ଆଶ୍ରୟ

ଅନ୍ଧାରେ ଆବଦ୍ଧା ନାରୀ ଥିଲା ମୁଗ୍‌ଧ ମୂକ

ଦେଖାଇଲ ତୁମେ ତାକୁ ଜ୍ଞାନର ଆଲୋକ ।

ଅଛବ ହୋଇ ମନୁଷ୍ୟ ଥିଲେ ଯେତେ ରହି

ଶୁଦ୍ଧ ପୂତ କଲ ତାଙ୍କୁ ସ୍ନେହ ପ୍ରେମ ଦେଇ ।

ଉତ୍କଳମଣି ଗୋପବନ୍ଧୁ ଯେପରି ଥିଲେ ଜଣେ ସଚ୍ଚା ଦେଶସେବକ, ସେହିପରି ଥିଲେ ଜଣେ ଉଚ୍ଚମାନର ସ୍ରଷ୍ଟା । ଓଡ଼ିଶାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବନ୍ୟା, ଦୁର୍ଭିକ୍ଷଦ୍ୱାରା ପୀଡ଼ିତ ବିପନ୍ନ ଜନତାଙ୍କ ପାଇଁ ସେ ଥିଲେ ଜଣେ ଦେବଦୂତସଦୃଶ । ସେହି ଗୋପବନ୍ଧୁଙ୍କୁ ସ୍ମରଣ କରି ସୀତାଦେବୀ ଲେଖିଛନ୍ତି–

ଲେଖନୀ ମୋ ଥରିଯାଏ ରୂପ ତବ ସ୍ମରି

ବାରଣ ନ ମାନି ଆଶ୍ରୁ ପଡ଼େ ସ୍ୱତଃ ଝରି

ତୁମରି ଭାଷାରେ ଆଜି କରିଛି ରଚନା

ଯହିଁ ଥାଅ ଘେନ ମୋର ଭକତି ଅର୍ଚ୍ଚନା ।

ଏତଦ୍‌ବ୍ୟତୀତ କମଳାକାନ୍ତଙ୍କ କଥା ପ୍ରତିଭା ପ୍ରତି ସୀତାଦେବୀଙ୍କର ଗଭୀର ସମ୍ମାନ ରହିଥିଲା । ତାଙ୍କ ଗଳ୍ପଗୁଡ଼ିକ ପାଠକରି ସେ ଅପାର ଆନନ୍ଦ ଲାଭ କରିଥିଲେ । ‘କଥାକାର କମଳାକାନ୍ତ’ କବିତାରେ ସୀତାଦେବୀ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ବାଗ୍ମୀ ଗୌରୀକୁମାର ବୟସରେ ସୀତାଦେବୀଙ୍କଠାରୁ କନିଷ୍ଠ ହୋଇଥିଲେହେଁ ତାଙ୍କର ଜ୍ଞାନ, ଚମତ୍କାର ଅଭିଭାଷଣ, ରାମାୟଣ–ମହାଭାରତ–ଉପେନ୍ଦ୍ରଙ୍କ କାବ୍ୟାବଳୀର ସୁନ୍ଦର ବ୍ୟାଖ୍ୟା ଓ ଗାୟନ-ଶୈଳୀଦ୍ୱାରା ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ କବି । ବୟସରେ ଛୋଟ ହେଲେହେଁ ଗୁଣୀର ଗୁଣକୁ ଆଦର କରିବା ସୀତାଦେବୀଙ୍କ ଚରିତ୍ରର ସ୍ୱାଭାବିକ ଗୁଣ ଥିବାରୁ ‘ବାଗ୍ମୀପ୍ରବର ଗୌରୀକୁମାର’ କବିତାରେ ତାଙ୍କୁ ପ୍ରଶଂସା କରିଛନ୍ତି । ସେହିପରି ବାଳକ ବନ୍ଧୁ ଦୁଃଖୀଶ୍ୟାମଙ୍କ କଣ୍ଠରେ ଉପେନ୍ଦ୍ରଙ୍କ ରଚନା ଶୁଣି ମୁଗ୍‌ଧ ହୋଇଛନ୍ତି । ବାଳକ ବନ୍ଧୁ ଦୁଃଖୀଶ୍ୟାମ କବିତାରେ ତାର ବୀଣାଜିଣା କଣ୍ଠ ସ୍ୱରକୁ ଶତକଣ୍ଠରେ ପ୍ରଶଂସା କରିଛନ୍ତି । କବି ଗୋକୁଳାନନ୍ଦ ଶତପଥୀ କବିତାରେ ଗୋକୁଳାନନ୍ଦଙ୍କ କଣ୍ଠରେ ଗୀତା, ଭାଗବତର ମଧୁର ଗାୟନ ତାଙ୍କୁ କିପରି ଚକିତ କରିଥିଲା, ସେ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ହେଁ ରୂଢ଼ିବାଦୀ ଚିନ୍ତାଧାରାଠାରୁ ଥିଲେ ଅନେକ ଦୂରରେ । ନାରୀଶିକ୍ଷା, ବିଧବା ବିବାହ ସପକ୍ଷରେ ସେ ସବୁବେଳେ ସ୍ୱର ଉତ୍ତୋଳନ କରୁଥିଲେ । ସମାଜ ସଂସ୍କାର ନିମିତ୍ତ ପ୍ରୟାସୀ ଥିବାରୁ ତାଙ୍କୁ ଅନେକ ଥର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ତାଙ୍କର ଏହି ସଂସ୍କାରକାମୀ ବ୍ୟକ୍ତିତ୍ୱଦ୍ୱାରା ସୀତାଦେବୀ ବହୁଭାବରେ ପ୍ରଭାବିତ ହୋଇଥିଲେ । ସଂସ୍କାରକ ଶ୍ରୀବତ୍ସ ପଣ୍ଡା କବିତାରେ ସୀତାଦେବୀ ନିଜ ପିତୃବ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି–

ସେ ଦିବ୍ୟ ବଚନ ଆଜି ସତ୍ୟରୂପ ଧରି

ବାଜେ ସର୍ବ ଅଙ୍ଗେ ମମ, ଉଠେ ମୁଁ ଶିହରି

 

ଜନନୀ ଜାତିର ନେତ୍ରେ ଦେବା ପାଇଁ ଜ୍ୟୋତି

ରଚୁଥିଲ କବି ତୁମେ ଜ୍ଞାନାଲୋକ ବର୍ତ୍ତି ।

ସୀତାଦେବୀ କେବଳ ସାରସ୍ୱତ ସ୍ରଷ୍ଟାମାନଙ୍କୁ ନୁହନ୍ତି, ସାମାଜିକ, ରାଜନୀତିକ, ସାଂସ୍କୃତିକ, ଆର୍ଥନୀତିକ କ୍ଷେତ୍ରରେ ଯେଉଁମାନଙ୍କର ବିଶେଷ ଅବଦାନ ରହିଛି ସେମାନଙ୍କୁ ସେ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି, ସ୍ମରଣ କରିଛନ୍ତି ଓ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଭଞ୍ଜ ସ୍ମୃତି, ଆଚାର୍ଯ୍ୟ ଶଙ୍କର, ହେ ଉପେନ୍ଦ୍ର ଭଞ୍ଜ, କବି କୃଷ୍ଣଦ୍ୱୈପାୟନ, ସ୍ୱପ୍ନସମ ଲାଗୁଅଛି ଶାସ୍ତ୍ରୀଙ୍କ ବିୟୋଗ, ବାପୁ ସ୍ମରଣେ, ଧନ୍ୟ କାମରାଜ ଆଦି କବିତାରେ ମଧ୍ୟ ସେମାନଙ୍କ ପ୍ରତି ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଛୋଟ ହେଉ ବା ବଡ଼ ହେଉ–ଯାହା ନିକଟରେ ସେ ଗୁଣ ଦେଖିଛନ୍ତି, ତାଙ୍କୁ ପ୍ରଶଂସା କରିଛନ୍ତି । ବୟସରେ ଛୋଟ ହୋଇଥିଲେ ଉତ୍ସାହ ଦେଇଛନ୍ତି, ପ୍ରେରଣା ଦେଇଛନ୍ତି । ଜଣେ ପ୍ରତିଭା-ଚିହ୍ନରା-ଗ୍ରାହକରୂପେ ସୀତାଦେବୀ ଯେଉଁମାନଙ୍କର ଗୁଣକୀର୍ତ୍ତନ କରିଛନ୍ତି, ସାମଗ୍ରିକ ଭାବରେ ଭାରତ ଓ ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କର ରହିଛି ବିରାଟ ଯୋଗଦାନ । ସେମାନଙ୍କୁ ଦିବାଲୋକକୁ ଆଣି ସୀତାଦେବୀ ଯେ ଏକ ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ଅନ୍ୟାନ୍ୟ

ସୀତାଦେବୀଙ୍କ କବିତା-ସଂସାର ବୈଚିତ୍ର୍ୟମୟ । ତାଙ୍କର ଘଟଣାବହୁଳ ଜୀବନ ମଧ୍ୟରେ ସେ ଯେଉଁ ଅନୁଭୂତି ଲାଭ କରିଥିଲେ ତାହାକୁ ଅବଲମ୍ବନ କରି ସେ ରଚନା କରିଛନ୍ତି ରାଶି ରାଶି କବିତା । କବିତାର ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ସୀତାଦେବୀଙ୍କ ଗୀତି କବିତାର ବିଷୟବସ୍ତୁ ଓ ଉପସ୍ଥାପନ ଶୈଳୀକୁ ନେଇ ଏହାକୁ ଅନେକ ଉପବିଭାଗରେ ବିଭକ୍ତ କରାଯାଇପାରେ । ମାତ୍ର ତାଙ୍କର ଅଧିକାଂଶ କବିତାରେ ସମାଜ ଓ ସମାଜ ମଣିଷ ହିଁ ହୋଇଛନ୍ତି ମୁଖ୍ୟ ଅବଲମ୍ବନ । ନିଜେ ଜଣେ ଗୁଣୀ ଓ ସମାଜସଚେତନ ବ୍ୟକ୍ତି ହୋଇଥିବାରୁ ଗୁଣବାନ ବ୍ୟକ୍ତିକୁ ଆଦର କରିବା ସଙ୍ଗେ ସଙ୍ଗେ ସମାଜର ବିକାଶରେ ଯେଉଁ ଯେଉଁ ବିଭବର ଆବଶ୍ୟକତା ମନେକରିଛନ୍ତି, ତାହାକୁ ସେ ରୂପାୟିତ କରିଛନ୍ତି ତାଙ୍କ କବିତାମାନଙ୍କରେ । ଏହି କାରଣରୁ ତାଙ୍କ କବିତାରେ ଯେପରି ବିଭୁବୋଧ, ଜାତୀୟତାବୋଧ, ପ୍ରତିଭାପୂଜା, ବ୍ୟକ୍ତିନିଷ୍ଠତା ତଥା ଶିଶୁଚରିତ୍ର ଗଠନ ପାଇଁ ବିଭିନ୍ନ ଉପାଦାନ ରହିଛି, ସେହିପରି ରହିଛି ଦାର୍ଶନିକତା, ପ୍ରକୃତିପ୍ରୀତି । ସେ ମଧ୍ୟ ଶୋକଗୀତିକା ରଚନା କରିଛନ୍ତି । ମଣିଷର ସ୍ୱାର୍ଥପର ମନୋବୃତ୍ତିକୁ ବ୍ୟଙ୍ଗ କରିଛନ୍ତି; ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ଚିତ୍ର ଦେଇ ଆମକୁ ଦେଶସେବା ପାଇଁ ଅନୁପ୍ରାଣିତ କରିଛନ୍ତି । ତାଙ୍କର ନିଃସଙ୍ଗତା, ଅସହାୟତା ବେଳେବେଳେ କବିତାରେ ଯେ ପ୍ରକାଶ ପାଇନାହିଁ ତାହା ନୁହେଁ, ମାତ୍ର ତାହା ତାଙ୍କ କବିତାର ଗୁରୁତ୍ୱପୂର୍ଣ୍ଣ ବିଭାବରୂପେ ସ୍ୱୀକୃତ ହୋଇନପାରେ । କର୍ମମୟ ଜୀବନରେ ଅନେକ କ୍ଷେତ୍ରରେ ସେ ବ୍ୟଙ୍ଗ-ବିଦ୍ରୂପର ଶରବ୍ୟ ହୋଇଛନ୍ତି, କିନ୍ତୁ ତାହାକୁ ସେ ଗରଳ ପରି ପାନ କରି କେବଳ ଅମୃତହିଁ ପରିବେଷଣ କରିଛନ୍ତି । ତାଙ୍କ କବିତାର ସେହି ଅମୃତଧାରା ଏବେ ବି ଓଡ଼ିଆ ଜନ-ଜୀବନକୁ ବହୁ ଭାବରେ ଅନୁପ୍ରାଣିତ କରୁଛି । ଏହି ଦୃଷ୍ଟିରୁ ସୀତାଦେବୀଙ୍କ ବିଶେଷତ୍ୱ ପ୍ରମାଣିତ ।

ଉପସଂହାର

କୁହାଯାଏ କଳା କାଳରେ ଜନ୍ମିଥାଏ । ମାତ୍ର ଯେଉଁ କଳା କାଳରେ ଜନ୍ମି ବି କାଳାତୀତ ହେବାର ଆସ୍ପର୍ଦ୍ଧା ରଖେ, ତାହାହିଁ ଶ୍ରେଷ୍ଠ କଳା । ପ୍ରତିଭା ବିଧିପ୍ରଦତ୍ତ ହୋଇପାରେ । ଏ କ୍ଷେତ୍ରରେ ଆହରଣ ଓ ସାଧନାର ଭୂମିକାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ । ସୀତାଦେବୀଙ୍କ ପ୍ରତିଭା ସହଜା ଓ ଆହାର୍ଯ୍ୟାର ଅପୂର୍ବ ସମନ୍ୱୟ । ପ୍ରତିକୂଳ ପରିବେଶରେ ବଢ଼ିଥିବାରୁ ସେ ଆନୁଷ୍ଠାନିକ ଶିକ୍ଷାଲାଭରୁ ଥିଲେ ବଞ୍ଚିତା । ଅଧ୍ୟୟନ ପାଇଁ ଆଗ୍ରହ ଥିଲେହେଁ ପିତାଙ୍କର ରୂଢ଼ିବାଦୀ ଚିନ୍ତାଧାରା ଯୋଗୁଁ ସେ ସୁଯୋଗ ପାଇପାରିନଥିଲେ । କିନ୍ତୁ ସେହି କୈଶୋର ଜୀବନରେ ଯେଉଁସବୁ ପୁସ୍ତକ ପାଉଥିଲେ, ତାହାକୁ ଆଗ୍ରହର ସହିତ ଅଧ୍ୟୟନ କରୁଥିଲେ । ବିବାହ ପରେ ସ୍ୱାମୀଙ୍କ ଗୃହରେ ତାଙ୍କ ପ୍ରତିଭା ବିକାଶର ଅପୂର୍ବ ସୁଯୋଗ ମିଳିଲା । ଗୁଣଗ୍ରାହୀ ସ୍ୱାମୀ ବାଞ୍ଛାନିଧିବାବୁଙ୍କ ପ୍ରେରଣା ଓ ଉତ୍ସାହଦ୍ୱାରା ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନା ଦିଗରେ ଅଗ୍ରସର ହୋଇଥିଲେ । ଏହି ସାଧନାର ପ୍ରଥମ ପ୍ରତିଶ୍ରୁତି ଥିଲା କବିତା । ପରବର୍ତ୍ତୀ ସମୟରେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେହେଁ, ଜୀବନର ଅପରାହ୍‌ଣରେ କବିତା ସାଧନାରେହିଁ ତାଙ୍କର ଘଟିଥିଲା ମହାପ୍ରୟାଣ ।

ଜୀବନର ଅନୁଭବକୁ ପ୍ରକାଶ କରିବା ପାଇଁ କବିତା ବୋଧହୁଏ ସବୁଠାରୁ ଉପଯୁକ୍ତ ମାଧ୍ୟମ । ବ୍ୟକ୍ତି ସୀତାଦେବୀଙ୍କୁ ଯେପରି ତାଙ୍କ କବିତାରେ ଧରିହୁଏ, ଚିହ୍ନିହୁଏ, ଅନ୍ୟ କୌଣସି ରଚନାରେ ତାଙ୍କୁ ସେପରି ଅବିକଳ ପାଇହୁଏ ନାହିଁ । ତାଙ୍କ ହୃଦୟର ସବୁ ଅନୁଭବ ଝରିଯାଇଛି କବିତାରେ । ତାଙ୍କର ସାମାଜିକ ଚେତନା, ସାଂସ୍କୃତିକ ବିଚାରଧାରା, ରାଜନୀତିକ ବାଧ୍ୟବାଧକତାର ପ୍ରକାଶ ଭୂମି ହୋଇଛି କବିତା । ସେ ଥିଲେ କର୍ମବାଦୀ, ପୁଣି ଭାଗ୍ୟବାଦୀ । ତାଙ୍କର କର୍ମ ଉପରେ ଯେପରି ଅଖଣ୍ଡ ବିଶ୍ୱାସ ରହିଥିଲା, ସେହିପରି ଈଶ୍ୱରଙ୍କ ପ୍ରତି ରହିଥିଲା ଅଗାଧ ପ୍ରତ୍ୟୟ । ଏହି ପ୍ରତ୍ୟୟର ବହୁ ନିଦର୍ଶନ ଆମେ ସୀତାଦେବୀଙ୍କ ଆଧ୍ୟାତ୍ମିକ-ଭାବନାସମ୍ବଳିତ କବିତାଗୁଡ଼ିକରେ ପାଇପାରିବା । ପାଟନାରେ ନିଜର ନାତି (କମଳାଙ୍କ ପୁତ୍ର) ଦାୟିତ୍ୱ ଗ୍ରହଣ କରିବା ସମୟରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ବହୁ ଶିଶୁକବିତା ରଚନା କରିଥିଲେ । ନାତି ପାଳନର ଦାୟିତ୍ୱ ଅନୁଭବ ଶିଶୁକବିତା ରଚନାରେ ତାଙ୍କୁ ସହାୟତା କରିଥିଲା । ଶିଶୁର ମନୋରଞ୍ଜନ ସହିତ ଆଦର୍ଶ ଓ ନୈତିକ ଶିକ୍ଷା ସଙ୍ଗେ ସେମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି କବିତାଗୁଡ଼ିକରେ ଅପୂର୍ବ ଉପାଦାନ ଭରିରହିଛି । ପ୍ରତିଭା-ପୂଜାମୂଳକ କବିତାରେ ଦେଶ, ଜାତି ଓ ସାହିତ୍ୟ ପାଇଁ ଯେଉଁ ବରେଣ୍ୟ ସାଧକଙ୍କର ଭୂମିକା ରହିଛି ସେମାନଙ୍କୁ ସେ ସ୍ମରଣ କରିଛନ୍ତି, ନିଜର ଶ୍ରଦ୍ଧା ଓ ଭକ୍ତିର ଆର୍ଘ୍ୟ ଅର୍ପଣ କରିଛନ୍ତି । ଜାତୀୟତାର ଏକ ପ୍ରସାରିତ ରୂପ ଦେଖିବାକୁ ମିଳେ ତାଙ୍କର ଜାତୀୟ-ଚେତନାମୂଳକ କବିତାରେ । କାରଣ ତାଙ୍କର ଜାତୀୟତା କୌଣସି ନିର୍ଦ୍ଦିଷ୍ଟ ଚିନ୍ତାଧାରା ବା ଭୂମିଖଣ୍ଡ ମଧ୍ୟରେ ଆବଦ୍ଧ ନଥିଲା । ଏହା ଥିଲା ସର୍ବଭାରତୀୟ ପୁଣି କେତେକ କ୍ଷେତ୍ରରେ ବିଶ୍ୱସ୍ତରୀୟ । ତେଣୁ ସୀତାଦେବୀଙ୍କ ବିଚିତ୍ର କାବ୍ୟଭୂମି ବିଭିନ୍ନ ଚେତନା ଓ ଅନୁଭବର ଅନନ୍ୟ ମଧୁଶାଳା । ପାଠକଟିଏ ଦୂରରୁ ରହି ଏହାର ସ୍ୱାଦ ଅନୁଭବ କରିବା ସମ୍ଭବ ନୁହେଁ । ଏହାକୁ ଅନୁଭବ କରିବାକୁ ହେଲେ ସେଥିରେ ନିମଜ୍ଜିତ ହେବାକୁ ପଡ଼ିବ, ନିଜର ଅନୁଭବକୁ ପ୍ରସାରିତ କରିବାକୁ ହେବ । କବିତାର ଆଙ୍ଗିକ କ୍ଷେତ୍ରରେ ସାମାନ୍ୟ କିଛି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଉଥିଲେହେଁ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେହୁଏ ନାହିଁ । କିନ୍ତୁ ସୀତାଦେବୀଙ୍କ କବିତାର ଆତ୍ମିକ ବିଭବ ଯେପରି ରମଣୀୟ ସେହିପରି ଶୁଭ୍ର ସୁନ୍ଦର ।

Image

 

Unknown

ପଞ୍ଚମ ପରିଚ୍ଛେଦ

 

ଔପନ୍ୟାସିକା ସୀତାଦେବୀ

 

ସୀତାଦେବୀଙ୍କ ସାରସ୍ୱତ ପ୍ରେରଣାର ପ୍ରଧାନ ଉତ୍ସ ଥିଲେ ଗାଳ୍ପିକ ଅନନ୍ତ ପ୍ରସାଦ ପଣ୍ଡା-। ତାଙ୍କର ପ୍ରେରଣା ଓ ଉତ୍ସାହ ସୀତାଦେବୀଙ୍କୁ ଜଣେ ଗାଳ୍ପିକାରେ ପରିଣତ କରିଥିଲା । ମାତ୍ର ଅନନ୍ତ ପ୍ରସାଦ ପଣ୍ଡା ଅନ୍ୟତ୍ର ବଦଳି ହୋଇଯିବାରୁ ସୀତାଦେବୀ ହତୋତ୍ସାହ ହୋଇପଡ଼ିଥିଲେ । ମଝିରେ କିଛିଦିନ ପାଇଁ ତାଙ୍କର ସାରସ୍ୱତ ସାଧନା ବ୍ୟାହତ ହୋଇଥିଲା । ମାତ୍ର ପତି ବାଞ୍ଛାନିଧିବାବୁଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁଁ ସେ ପୁଣି ଲେଖନୀ ଚାଳନା କରିବାକୁ ଆଗେଇ ଆସିଥିଲେ । ଏଥର କ୍ଷୁଦ୍ରଗଳ୍ପ ନୁହେଁ, ନାଟକ ହିଁ ଥିଲା ତାଙ୍କ ସାରସ୍ୱତ ସାଧନାର ସ୍ୱର୍ଣ୍ଣପ୍ରସୂ ଫଳ । ସେ ପ୍ରାୟ ୩/୪ ବର୍ଷ ଧରି ନାଟକ ରଚନା, ମଞ୍ଚ ପ୍ରସ୍ତୁତି, ମଞ୍ଚ ପରିଚାଳନା, ନିଜ ନାଟ୍ୟଦଳ ସହିତ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା କାର୍ଯ୍ୟରେ ନିଜକୁ ବ୍ୟାପୃତ ରଖିଥିଲେ । ଏହି ସମୟରେ ସେ ଉଭୟ ନିନ୍ଦା ଓ ପ୍ରଶଂସାର ଅଧିକାରୀ ହୋଇଥିଲେହେଁ, ଦୃଢ଼ ମନୋବଳ ଏବଂ ବାଞ୍ଛାନିଧିବାବୁଙ୍କ ଉତ୍ସାହ ଯୋଗୁଁ ତାଙ୍କର କାର୍ଯ୍ୟଧାରା ବ୍ୟାହତ ହୋଇନଥିଲା । ସୀତାଦେବୀଙ୍କ ସାରସ୍ୱତ ଗାଡ଼ି ଠିକ୍‌ଭାବରେ ଚାଲିଥିବା ସମୟରେ ହଠାତ୍‌ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ଚଳତ୍‌ଶକ୍ତିହୀନ ହୋଇପଡ଼ିଲା-। ତାଙ୍କ ସ୍ୱପ୍ନ ଓ ଆଶାର ରଙ୍ଗମଞ୍ଚ ବିଲୟ ଭଜିଲା । ନାଟ୍ୟ ଅଭିନେତାଗଣ ଅନ୍ୟତ୍ର ଚାଲିଗଲେ । ନିଜ ଆଖିରେ ନିଜେ ଗଢ଼ିଥିବା ଅନୁଷ୍ଠାନର ଏପରି ବିପର୍ଯ୍ୟୟ ସୀତାଦେବୀଙ୍କୁ ମ୍ରିୟମାଣ କରିଦେଲା । ଏହି କାରଣରୁ ସେ କିଛିଦିନ ପାଇଁ ସାରସ୍ୱତ ସାଧନାରୁ ନିଜକୁ ଦୂରେଇରଖିଲେ । ପ୍ରତିଭାଧାରୀ ବ୍ୟକ୍ତି ନୀରବରେ ବସିଯିବା ବିଧି ନିର୍ଦ୍ଦେଶ ନୁହେଁ । ସ୍ୱାମୀଙ୍କର ଉତ୍ସାହ ପାଇ ପୁଣି ସେ ଚଳଚଞ୍ଚଳ ହୋଇଉଠିଲେ । ଏଥର ଗଳ୍ପ କିମ୍ବା ନାଟକ ନୁହେଁ, ସାହିତ୍ୟର ଅନ୍ୟତମ ବଳିଷ୍ଠ ଓ ଲୋକପ୍ରିୟ ବିଭାଗ ଉପନ୍ୟାସ ରଚନା କରିବାକୁ ସେ ହେଲେ ଦୃଢ଼ସଂକଳ୍ପ ।

 

ଗଳ୍ପ ଓ ନାଟକ ଅପେକ୍ଷା ଉପନ୍ୟାସ ଅଧିକ ଆୟାସସାପେକ୍ଷ । ବ୍ୟାପକ ଅନୁଭବ ତଥା ଜୀବନ ଓ ଜଗତ ପ୍ରତି ନିବିଡ଼ ଅନ୍ତରଙ୍ଗତା ନଥିଲେ ଉପନ୍ୟାସ ରଚନା ସମ୍ଭବ ନୁହେଁ । ସୀତାଦେବୀ ପ୍ରତିକୂଳ ପରିବେଶ ସହିତ ସଂଗ୍ରାମ କରି କରି ଜୀବନ ଓ ଜଗତ ସମ୍ପର୍କରେ ବହୁ ଅନୁଭୂତି ଲାଭ କରିଥିଲେ । ନିଜର ନାଟ୍ୟ ଦଳ ଧରି ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ସମୟରେ ବିଭିନ୍ନ ଚରିତ୍ରମାନଙ୍କର ନିବିଡ଼ ସଂସ୍ପର୍ଶରେ ଆସିଥିଲେ । ନିନ୍ଦା ସମାଲୋଚନାର କ୍ଷତ ସହିଥିଲେ । ଜୀବନକୁ ସାମ୍‌ନା କରିବାର ନୈତିକ ଶକ୍ତି ହାସଲ କରିଥିଲେ । ଗଳ୍ପ ଓ ନାଟକର କଥାବସ୍ତୁ, ଚରିତ୍ର, ପରିବେଶ ସୀମିତ ପରିବେଶ ମଧ୍ୟରେ ଗତିମୁଖର ହୋଇଥିବା ସମୟରେ ଉପନ୍ୟାସର କଥାବସ୍ତୁ, ଚରିତ୍ର ଓ ପରିବେଶ ଏକ ବିରାଟ ପଟ୍ଟଭୂମିକୁ ଅପେକ୍ଷା ରଖିଥାଏ । ସେହି କାରଣରୁ ଉପନ୍ୟାସ ରଚୟିତାଙ୍କର ଅନୁଭୂତିର ବ୍ୟାପକତା ରହିବା ଆବଶ୍ୟକ । ସୀତାଦେବୀ ବିବାହ ପୂର୍ବରୁ ଏକ ସୀମିତ ପରିଧି ମଧ୍ୟରେ ସଂକୁଚିତ ହୋଇ ରହିଥିଲେହେଁ, ବିବାହ ପରେ ତାଙ୍କ ଦୃଷ୍ଟିଭଙ୍ଗୀରେ ଆସିଛି ପରିବର୍ତ୍ତନ । ସଂକୀର୍ଣ୍ଣ ସାମାଜିକ ଗଣ୍ଡି ମଧ୍ୟରୁ ମୁକ୍ତି ପାଇ ସେ ବିଚରଣ କରିଛନ୍ତି ଏକ ପରିବ୍ୟାପ୍ତ ଜଗତରେ । ବିଭିନ୍ନ ଲୋକମାନଙ୍କ ସମ୍ପର୍କରେ ଆସିବା ଯୋଗୁଁ ଚରିତ୍ରାନୁଶୀଳନ ପାଇଁ ସୁଯୋଗ ପାଇଛନ୍ତି । ଏହି କାରଣରୁ ଉପନ୍ୟାସ ରଚନା କରିବା ପାଇଁ ସେ ସାହସ ସଞ୍ଚୟ କରି ପାରିଛନ୍ତି ।

ପ୍ରଥମେ ଉପନ୍ୟାସ ରଚନା କରିବା ସମୟରେ ସେ କୌଣସି ନୂତନ କଥାବସ୍ତୁ ଯୋଗାଡ଼ କରିପାରିନାହାନ୍ତି । ଅତୀତରେ ରଚନା କରିଥିବା ନାଟକର ବିଷୟବସ୍ତୁକୁ ଉପଜୀବ୍ୟ କରି ଉପନ୍ୟାସ ଜଗତରେ ପ୍ରବେଶ କରିଛନ୍ତି । ବୋଧହୁଏ ତାଙ୍କ ନାଟକର କଥାବସ୍ତୁକୁ ଜନସାଧାରଣଙ୍କଦ୍ୱାରା ଗ୍ରହଣୀୟ ହୋଇପାରିଥିବାରୁ ସେ ଏଥିରେ ଉତ୍ସାହିତ ହୋଇ ସାମାନ୍ୟ ପରିବର୍ତ୍ତନ ସହ ତାକୁ ପୂର୍ଣ୍ଣାଙ୍ଗ ଉପନ୍ୟାସରେ ରୂପାୟିତ କରିଛନ୍ତି । ମାତ୍ର ପ୍ରଥମ ଉପନ୍ୟାସର ବିଷୟବସ୍ତୁରେ ନୂତନତା ନଥିବାରୁ ଓ ଏଥିରେ ନିଜ ପାରିବାରିକ ଜୀବନର ଚିତ୍ରକୁ ଉପନ୍ୟାସ ରୂପ ଦେଇଥିବାରୁ ସେ ସମାଲୋଚିତ ହୋଇଛନ୍ତି । ତାଙ୍କର ପ୍ରଥମ ଉପନ୍ୟାସ ‘ପୋଷ୍ୟପୁତ୍ର’ ୧୯୪୮ ମସିହାରେ ପ୍ରକାଶ ପାଏ । ଅତୀତରେ ଏହି ନାମରେ ନାଟକଟିଏ ରଚନା କରି ସେ ମଞ୍ଚସ୍ଥ କରିଥିଲେ । ଉପନ୍ୟାସଟି ପ୍ରକାଶ ପାଇବା ପରେ ଯେକୌଣସି କାରଣରୁ ହେଉନା କାହିଁକି ସୀତାଦେବୀ ଦୀର୍ଘଦିନ ଧରି ନୀରବ ହୋଇଯାଇଛନ୍ତି । ପ୍ରଥମ ଉପନ୍ୟାସର ପ୍ରାୟ କୋଡ଼ିଏ ବର୍ଷ ପରେ ପ୍ରକାଶିତ ହୁଏ ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଅଗ୍ରଜ’ ୧୯୬୭ ମସିହାରେ । ଏହି ସମୟ ମଧ୍ୟରେ କିଛି କବିତା ଓ ନାଟକ ରଚନା କରିଥିଲେହେଁ ଉପନ୍ୟାସ ରଚନା କରିପାରିନାହାନ୍ତି । ବୋଧହୁଏ ଦ୍ୱିତୀୟ ଉପନ୍ୟାସ ପାଇଁ ଏହା ତାଙ୍କର ମାନସିକ ପ୍ରସ୍ତୁତି । ଏହାପରେ ଅନ୍ୟାନ୍ୟ ଉପନ୍ୟାସ ମଧ୍ୟରେ ବିଶେଷ ବ୍ୟବଧାନ ପରିଲକ୍ଷିତ ହୁଏ ନାହିଁ ।

୧୯୪୮ ରୁ ୧୯୭୪ ସମୟ ସୀମା ମଧ୍ୟରେ ସେ ରଚନା କରିଛନ୍ତି ଦୁଇଟି ଅନୁବାଦ ଉପନ୍ୟାସ ଓ ତିନୋଟି ମୌଳିକ ଉପନ୍ୟାସ । ଇତିମଧ୍ୟରେ ସେ ଦଳୀୟ ରାଜନୀତିରେ ପ୍ରବେଶ କରି ଦୁଇଥର ଜିଲ୍ଲା ବୋର୍ଡ଼ର ସଭ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳ ପାଇଁ ପ୍ରଚାର କାର୍ଯ୍ୟ କରିଛନ୍ତି, ସ୍ୱାମୀଙ୍କ ସହିତ ମିଶି ସମାଜସେବା କରିବା ମାଧ୍ୟମରେ ବିଭିନ୍ନ ନେତା ଓ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ବିଚିତ୍ର ଅନୁଭୂତି ଲାଭ କରିଛନ୍ତି । ଯେତେବେଳେ ସମୟ ପାଇଛନ୍ତି ବହୁ ବଙ୍ଗଳା (ବିଶେଷ କରି ରବୀନ୍ଦ୍ର ନାଥଙ୍କ) ଓ ଓଡ଼ିଆ ଉପନ୍ୟାସ ପାଠ କରିଛନ୍ତି । ମାନସିକ ସ୍ତରରେ ପ୍ରସ୍ତୁତ ହେବା ପରେ ସେ ପୁଣି ଉପନ୍ୟାସ ରଚନାରେ ମନୋନିବେଶ କରିଛନ୍ତି ।

ସୀତାଦେବୀଙ୍କ ଉପନ୍ୟାସ

ସୀତାଦେବୀ ସର୍ବମୋଟ ପାଞ୍ଚଖଣ୍ଡି ଉପନ୍ୟାସ ରଚନା କରିଛନ୍ତି । ତାଙ୍କର ଘରେ ବାହାରେ (୧୯୬୮) ଓ ଶେଷର କବିତା (୧୯୭୪) ଯଥାକ୍ରମେ ରବୀନ୍ଦ୍ର ନାଥଙ୍କ ଘରେ ବାହିରେ (୧୯୧୬) ଓ ଶେଷେର କବିତା (୧୯୨୯) ଉପନ୍ୟାସଦ୍ୱୟର ଅନୁବାଦ । ଅବଶିଷ୍ଟ ତିନୋଟି ଉପନ୍ୟାସ ଯଥା– ପୋଷ୍ୟପୁତ୍ର (୧୯୪୮), ଅଗ୍ରଜ (୧୯୬୭), ପ୍ରତ୍ୟାବର୍ତ୍ତନ (୧୯୬୯) ତାଙ୍କ ମୌଳିକ ଚିନ୍ତାପ୍ରସୂତ ଉପନ୍ୟାସ । ତାଙ୍କର ପ୍ରତ୍ୟେକଟି ଉପନ୍ୟାସ ସାମାଜିକ ବିଷୟବସ୍ତୁକୁ ନେଇ ରଚିତ । ଯଦିଓ ‘ଅଗ୍ରଜ’ ଉପନ୍ୟାସରେ ସମସାମୟିକ ରାଜନୀତିକ ଚିନ୍ତାଧାରା ବେଶ୍‌ ସ୍ପଷ୍ଟ ।

 

ସୀତାଦେବୀ ଉପନ୍ୟାସ ରଚନା କରିବା ସମୟକୁ ଓଡ଼ିଆ ଉପନ୍ୟାସରେ ଆଙ୍ଗିକ ଓ ଆତ୍ମିକ ଦିଗରୁ ବହୁ ପରୀକ୍ଷା-ନିରୀକ୍ଷା ହୋଇସାରିଛି । ବହୁ ସାରସ୍ୱତ ସାଧକ ଉପନ୍ୟାସ କ୍ଷେତ୍ରରେ ଲେଖନୀ ଚାଳନା କରି ଏହି ବିଭାଗଟିକୁ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ସମୃଦ୍ଧ କରିସାରିଛନ୍ତି । ଫକୀରମୋହନ ଓଡ଼ିଆ ଉପନ୍ୟାସକୁ ଯେଉଁ ନୂତନ ଦିଗନ୍ତ ପ୍ରଦାନ କରିଥିଲେ, ପରବର୍ତ୍ତୀ କାଳରେ ଚିନ୍ତାମଣି ମହାନ୍ତି, ନନ୍ଦକିଶୋର ବଳ, ତାରିଣୀଚରଣ ରଥ, ଗୋଦାବରୀଶ ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ବଟକୃଷ୍ଣ ପ୍ରହରାଜ, ଦୟାନିଧି ମିଶ୍ର, ଅଶ୍ୱିନୀ କୁମାର ଘୋଷ, ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ ମହାପାତ୍ର, ରାଧାଚରଣ ପଣ୍ଡା, ହରେକୃଷ୍ଣ ମହତାବ, ବୈଷ୍ଣବ ଚରଣ ଦାସ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଉପେନ୍ଦ୍ର ପ୍ରସାଦ ମହାନ୍ତି, କୁନ୍ତଳା କୁମାରୀ ସାବତ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ରାମ ପ୍ରସାଦ ସିଂହ ଆଦି ଔପନ୍ୟାସିକଗଣ ତାହାକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରିଥିଲେ । ସୀତାଦେବୀଙ୍କ ସମୟରେ କାହ୍ନୁଚରଣ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ସୁରେନ୍ଦ୍ର ମହାନ୍ତି, ଶାନ୍ତୁନୁ କୁମାର ଆଚାର୍ଯ୍ୟ, ଅନନ୍ତ ପ୍ରସାଦ ପଣ୍ଡା, କମଳାକାନ୍ତ ଦାସ, ବସନ୍ତ କୁମାରୀ ପଟ୍ଟନାୟକ, ଚକ୍ରଧର ମହାପାତ୍ର, ମହାପାତ୍ର ନୀଳମଣି ସାହୁ ଇତ୍ୟାଦି ଓଡ଼ିଆ ଉପନ୍ୟାସରେ ପରୀକ୍ଷା-ନିରୀକ୍ଷା ଆରମ୍ଭ କରିଦେଇଥିଲେ । ସୀତାଦେବୀ ତାଙ୍କର ପୂର୍ବବର୍ତ୍ତୀ ଓ ସମସାମୟିକ ଔପନ୍ୟାସିକମାନଙ୍କଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ତେବେ ସୀତାଦେବୀଙ୍କର ବିଶେଷତ୍ୱ ହେଉଛି ଉପନ୍ୟାସରେ କୌଣସି ଅଜବ ବିଷୟ ବସ୍ତୁର ଅବତାରଣା ବା ପରୀକ୍ଷା-ନିରୀକ୍ଷାର ଚେଷ୍ଟା ନକରି ସାଧାରଣ ପାଠକମାନଙ୍କ ପାଇଁ ସରଳ ସାମାଜିକ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇଛନ୍ତି ।

 

ସୀତାଦେବୀଙ୍କ ଉପନ୍ୟାସର ବିଷୟ ବିନ୍ୟାସ

 

ସୀତାଦେବୀଙ୍କ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ସାମାଜିକ ବିଷୟବସ୍ତୁକୁ ନେଇ ରଚିତ । ତାଙ୍କଦ୍ୱାରା ରଚିତ ତିନୋଟି ମୌଳିକ ଉପନ୍ୟାସ ଅନୁଭୂତିପ୍ରସୂତ, ଦୈନନ୍ଦିନ ଘଟଣାଦ୍ୱାରା ସମୃଦ୍ଧ । ତାଙ୍କର ପ୍ରଥମ ଉପନ୍ୟାସ ‘ପୋଷ୍ୟପୁତ୍ର’ ୧୯୪୮ ମସିହାରେ ରଚିତ । ପୂର୍ବରୁ ସୂଚନା ଦିଆଯାଇଛି ଯେ, ପୂର୍ବରୁ ରଚିତ ଓ ମଞ୍ଚସ୍ଥ ହୋଇଥିବା ଗୋଟିଏ ନାଟକର ବିଷୟବସ୍ତୁ ଅବଲମ୍ବନରେ ଏହା ରଚିତ । ‘ସୂଚନା’ ପର୍ଯ୍ୟାୟରେ ନିଜେ ଲେଖିକା ସ୍ୱୀକାର କରିଛନ୍ତି–‘‘ପୋଷ୍ୟପୁତ୍ରର ବିଷୟବସ୍ତୁ ମୁଁ ପ୍ରଥମେ ଜନସମାଜ ସମକ୍ଷରେ ନାଟକାକାରରେ ଥୋଇଥିଲି । ନାଟକଟିର ବହୁବାର ଅଭିନୟ ପରେ ମୋର ନିଜର ତଥା ଅନ୍ୟମାନଙ୍କର ଅନୁକୂଳ ମତ ଦୃଷ୍ଟିରୁ ଓ କଥା ସାହିତ୍ୟ ପାଇଁ ବିଷୟଟିର ଉପଯୋଗିତା ଉପଲବ୍‌ଧି କରି ଏହାକୁ ଉପନ୍ୟାସ ରୂପରେ ସାହିତ୍ୟିକମାନଙ୍କ ଆଗରେ ଉପସ୍ଥାପିତ କରିବାକୁ ଉତ୍ସାହିତ ହୋଇଅଛି ।’’ ଉପନ୍ୟାସର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ କହିଛନ୍ତି–ପୋଷ୍ୟପୁତ୍ର ପ୍ରେମର କାହାଣୀ ନୁହେଁ । ଏହା ଜଣେ କବି ବା କଳ୍ପନାପ୍ରବଣ ବ୍ୟକ୍ତିର ବାସ୍ତବ ଜଗତରେ ନାନା ବାଧାବିଘ୍ନ ଭିତରେ ବ୍ୟକ୍ତିତ୍ୱ ବିକାଶ କରିବାର ଅକ୍ଲାନ୍ତ ଚେଷ୍ଟାର ଚିତ୍ର । ମୋର ବିଶ୍ୱାସ, ଅନେକ ଲୋକଙ୍କର ଜୀବନର ଉନ୍ନତି ପଥର ପ୍ରତିବନ୍ଧକସବୁ ଗୋପାଳଙ୍କ ଦୁଃଖ ସହିତ ସାଧାରଣ ଭାବରେ ଜଡ଼ିତ ହୋଇଥିବାରୁ ପୋଷ୍ୟପୁତ୍ର ସାହିତ୍ୟ ପ୍ରେମୀମାନଙ୍କୁ ଆନନ୍ଦ ଦବ ଓ ସେମାନଙ୍କର ସହାନୁଭୂତି ଲାଭ କରିବ । (ସୀତାଦେବୀ ଗ୍ରନ୍ଥାବଳୀ– ୧ ମ ଖଣ୍ଡ - ସୂଚନା, କଟକ ଷ୍ଟୁଡେଣ୍ଟ ଷ୍ଟୋର, ୧୯୭୮) । ଏହି ଉପନ୍ୟାସ ସମ୍ପର୍କରେ ମତାମତ ଦେଇ ପ୍ରତିଷ୍ଠିତ କଥାକାର ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା କହିଛନ୍ତି–ସୁଲେଖିକା ଶ୍ରୀମତୀ ସୀତାଦେବୀ ଖାଡ଼ଙ୍ଗାଙ୍କର ପୋଷ୍ୟପୁତ୍ରର ନାଟକାବସ୍ଥାର ପାଣ୍ଡୁଲିପିଟି ପଢ଼ିବାର ସୁଯୋଗ ପାଇଥିଲି । ସୁତରାଂ ତା’ର କଳେବର ବର୍ତ୍ତମାନ ପରିବର୍ତ୍ତିତ ଆକାର ଧାରଣ କରିଥିଲେ ସୁଦ୍ଧା ତା’ର ଆତ୍ମା ନିଶ୍ଚୟ ଅବିକୃତ ଅଛି ବୋଲି ମୋର ମନେହୁଏ । ଲେଖାଟିରେ ଆଧୁନିକ-ଯୁଗସୁଲଭ ଦୈହିକ ପ୍ରେମପ୍ରୀତିର ନଗ୍ନଚିତ୍ର ନାହିଁ, ଅଛି ବର୍ତ୍ତମାନ ସମାଜର ଏକ ବାସ୍ତବିକ ନିଖୁଣ ଛବି । ଲେଖିକା ଦେଖାଇ ଦେଇଛନ୍ତି ଯେ, ଆମ ଦେଶରେ ବର୍ତ୍ତମାନ ସମାଜର ଗୋଟିଏ ପାଖ ଆଲୋକପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅପର ପାଖଟି ଏକବାରେ ଗାଢ଼ ଅନ୍ଧକାରାଚ୍ଛନ୍ନ ଥିବା ହେତୁ କିପରି ଆଦର୍ଶର ଭୀଷଣ ସଂଘର୍ଷ ଘଟୁଛି–ଫଳରେ ଏକ ଦିଗର ଶିକ୍ଷା, କୃଷି ଓ ସଂସ୍କାର ପ୍ରଚେଷ୍ଟା ଅପର ଦିଗର କୁସଂସ୍କାରାଚ୍ଛନ୍ନ କଠିନ ନୀରସ ଶିଳା ପ୍ରାଚୀରରେ ପଦେ ପଦେ ବାଧାପ୍ରାପ୍ତ ହୋଇ ବ୍ୟର୍ଥତାର ହାହାକାରରେ ମିଳାଇଯାଇଛି । ସେଇ ହାହାକାରର ମର୍ମର ଲେଖିକାଙ୍କର ସହାନୁଭୂତିପ୍ରବଣ ପ୍ରାଣରେ ଜଣାଇଛି ଏକ କରୁଣ ପ୍ରତିଧ୍ୱନି । ମୋର ଦୃଢ଼ ବିଶ୍ୱାସ ସେଇ କରୁଣ ପ୍ରତିଧ୍ୱନି ଅଧୁନାତନ ସମାଜର ପାଠକ-ପାଠିକାମାନଙ୍କର ପ୍ରାଣରେ ନିଶ୍ଚୟ ଏକ ସମବେଦନାର ସ୍ପର୍ଶ ଜଣାଇ ପାରିବ ।

 

ଏହି ଉପନ୍ୟାସରେ ଆମ ସମାଜର ଦୁଇଟି ଦିଗ ନିର୍ଦ୍ଦେଶିତ । ଗୋଟିଏ ପାର୍ଶ୍ୱରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧାର ବିମଳ ଫଲ୍‌ଗୁ, ଅପର ପାର୍ଶ୍ୱରେ ସ୍ୱାର୍ଥ, ଅହଂ, ଅନ୍ଧବିଶ୍ୱାସ ଓ କୁସଂସ୍କାରର ବ୍ୟାଧି । ଏହି ଦୁଇ ପରସ୍ପର-ବିରୋଧୀ ଦିଗ ମଧ୍ୟରେ ପଥଭ୍ରଷ୍ଟ ମଣିଷ ନିଜର ସାମାଜିକ ଦାୟିତ୍ୱକୁ ବିସ୍ମୃତ ହୋଇ କେବଳ ମାନସିକ ପୀଡ଼ନରେ ସନ୍ତୁଳିତ ହୁଏ ନାହିଁ, ବରଂ ତା’ର ଚୈତନ୍ୟୋଦୟ ବେଳକୁ ତାର ଅବଶିଷ୍ଟ କିଛି ନଥାଏ।

 

ପୋଷ୍ୟପୁତ୍ରର ମୁଖ୍ୟ ଚରିତ୍ର ଗୋପାଳ ଦାସ ଜଣେ ସରଳ, ଶିକ୍ଷିତ, ସଂସ୍କାରବାଦୀ, ସାହିତ୍ୟରେ ରୁଚି ରଖିଥିବା ଆଦର୍ଶ ବ୍ୟକ୍ତିତ୍ୱ । ବିଧବା ବିବାହ, ଅସ୍ପୃଶ୍ୟତା ନିବାରଣ, ନିରକ୍ଷରତା ଦୂରୀକରଣ, ବାଲ୍ୟ ବିଧବା ଆଦିର ବିରୋଧ କରୁଥିବାରୁ ସେ ଉଭୟ ନିନ୍ଦା-ପ୍ରଶଂସାର ଅଧିକାରୀ-। ପତ୍ନୀ ଚିନ୍ତାଦେବୀ ଅଶିକ୍ଷିତା। ଗୋପାଳବାବୁ ଶତଚେଷ୍ଟା କରି ମଧ୍ୟ ତାଙ୍କୁ ଶିକ୍ଷିତା କରିପାରିନାହାନ୍ତି; ବରଂ ସ୍ୱେଚ୍ଛାଚାରିଣୀ ଭାବେ ପ୍ରତିକ୍ଷେତ୍ରରେ ସ୍ୱାମୀଙ୍କର ସମସ୍ତ ସୁଉଦ୍ୟମ ଓ ସୁକର୍ମର ବିରୋଧ କରିଛନ୍ତି । ଗୋପାଳବାବୁ ସାବତ ଭାଇକୁ ପୁତ୍ରବତ୍‌ ସ୍ନେହ କରୁଥିଲେହେଁ ଚିନ୍ତାଦେବୀ ତାକୁ ପାଠ ପଢ଼ାଇବାର ସୁଯୋଗ ନଦେଇ ଅଶିକ୍ଷିତ କରିବା ସହିତ ଭିନେ କରାଇଦେଇଛନ୍ତି । ଗୋପାଳବାବୁଙ୍କ ଅନିଚ୍ଛା ସତ୍ତ୍ୱେ ଝିଅ ଅନସୂୟାର ପୁତ୍ର କୋକକୁ ପୋଷ୍ୟପୁତ୍ର କରିଛନ୍ତି । ଅବସର ପରେ ଗୋପାଳବାବୁ ପତ୍ନୀଙ୍କର ସ୍ୱୈରାଚାରର ଶିକାର ହୋଇ ଗ୍ରାମର ଉନ୍ନତି କାର୍ଯ୍ୟ ତଥା ସଂସ୍କାର କାର୍ଯ୍ୟ କରିପାରିନାହାନ୍ତି । ଆର୍ଥିକ ଦୁର୍ଗତିର ଶିକାର ହୋଇ ପତ୍ରପତ୍ରିକାକୁ ଚାନ୍ଦା ଦେବା, ପତ୍ରପତ୍ରିକା କିଣିବା, ଆଶ୍ରମ ଖୋଲିବା ଆଦି କାର୍ଯ୍ୟ ଆଶାନୁରୂପ କରିପାରିନାହାନ୍ତି । ଏକମାତ୍ର ସୁଖ ଦୁଃଖ ଓ ତାଙ୍କ ସାହିତ୍ୟର ଅନୁରାଗୀ କାର୍ତ୍ତିକକୁ ଶିରିଆ ମା’ ପ୍ରରୋଚନାରେ ଚିନ୍ତାମଣି ଘରୁ ବାହାର କରି ଦେଇଛନ୍ତି । ଗୋପାଳବାବୁଙ୍କ ଜୀବନ ନିଃସଙ୍ଗତା ଓ ଅସହାୟତାରେ ହାହାକାର କରିଛି ।

 

କୋକର ଅନିଚ୍ଛା ସତ୍ତ୍ୱେ ଚିନ୍ତାମଣି ପିଲାକନିଆଟି ସହିତ ତା’ର ବିବାହ ଦେଇଛନ୍ତି । କୁସଙ୍ଗରେ ପଡ଼ି ଏବଂ ନିଜ ଆଈର ଅତ୍ୟଧିକ ସ୍ନେହମମତା ପାଇ ତା’ର ଅଧୋପତନ ଘଟିଛି । ବିଳାସବ୍ୟସନରେ ଜୀବନ ଅତିବାହିତ କରିଛି । ଚିନ୍ତାମଣି ନିଜ କନ୍ୟାର ଜିଦ୍‌ଯୋଗୁଁ ନାତି ନାମରେ ସମସ୍ତ ସମ୍ପତ୍ତି କରାଇଦେଇଛନ୍ତି । ଆଈକୁ ମଟର ବ୍ୟବସାୟ କରିବ କହି ଟଙ୍କା ପଇସା ନେଇ ସାଙ୍ଗମାନଙ୍କ ସହିତ ବ୍ରହ୍ମପୁରରେ ମଉଜ ମଜଲିସ୍‌ କରିଛି । ସହରୀ ଗଣିକା ସୁପ୍ରସନ୍ନା ପାଲରେ ପଡ଼ି ଅର୍ଥ ବରବାଦ୍‌ କରିବାରୁ ଶଙ୍କରନ୍‌ କଂପାନୀ ଗାଡ଼ି ନେଇଯାଇଛି । ସୁପ୍ରସନ୍ନାକୁ ହାର ଗଢ଼େଇଦେବା ପାଇଁ ଚୋର ଭୟ ଦେଖାଇ ବୋହୂପିଲାର ସୁନାଗହଣା ସିନ୍ଦୂକରେ ରଖିଛି । କୋକର ରିଷ୍ଟ ଖଣ୍ଡନ ପାଇ ଆଈ ଶୀତଳେଇ ଠାକୁରାଣୀଙ୍କ ନିକଟକୁ ଯିବା ଅବସରରେ ଦୂତୀ ହାତରେ ସମସ୍ତ ଗହଣା ପଠାଇଦେଇଛି । ପରେ ବ୍ରହ୍ମପୁରକୁ ଯାଇ ଦେଖେ ବନ୍ଧୁ ବିଶ୍ୱାସଘାତକତା କରି ସମସ୍ତ ଗହଣା ନେଇ କଲିକତା ଚାଲିଯାଇଛି । ପରେ ପରେ ଆଈର ସମସ୍ତ ଟଙ୍କା ନେଇ କୋକ ବ୍ରହ୍ମପୁରକୁ ପଳାଇଯାଇଛି । ଦୁଶ୍ଚିନ୍ତାରେ ଗୋପାଳବାବୁ ଅସୁସ୍ଥ ହୋଇପଡ଼ିଥିଲେ ହେଁ ପତ୍ନୀ ଚିନ୍ତାମଣିଙ୍କର ତାଙ୍କ ପ୍ରତି ନିଘା ନାହିଁ । ବରଂ ପ୍ରତି କଥାରେ ଅପମାନ ଦେବା, ରୋଗାକ୍ରାନ୍ତ ଶରୀର ପାଇଁ ଖାଦ୍ୟ ନଦେବା ଦୈନନ୍ଦିନ ରୁଟିନ୍‌ରେ ପରିଣତ ହୋଇଛି, କୋକ ସିନ୍ଦୂକରୁ ସମସ୍ତ ଅର୍ଥ ନେଇ ଯାଇଥିବା ଜାଣିବା ପରେ ଚିନ୍ତାମଣି ସ୍ତମ୍ଭୀଭୂତ ହୋଇ ପଡ଼ିଛନ୍ତି । ଏହି ସମୟରେ ଚାକର ବିଶୁ ଗୋପାଳବାବୁଙ୍କ ମୃତ୍ୟୁ ସମ୍ବାଦ ଦେଇଛି । କୋକର ବିଶ୍ୱାସଘାତକତା ଓ ପତିଙ୍କର ମୃତ୍ୟୁ ତାଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲିଦେଇଛି । ସ୍ୱାମୀ ବିରହରେ ଖୁବ୍‌ କାନ୍ଦିଛନ୍ତି । ଲୋକଲଜ୍ଜାକୁ ଡରି ପୁଣି କୋକକୁ ବାଟକୁ ଆଣିବାକୁ ଚେଷ୍ଟା କରିଛନ୍ତି । ପଥ ହୁଡ଼ିଥିବା କୋକ ଆଈକୁ ବେଖାତିର କରିବା ସଙ୍ଗେ ସଙ୍ଗେ ଜମିବାଡ଼ି ବନ୍ଧା ପକାଇ ଟଙ୍କା ଆଣି ଖର୍ଚ୍ଚ କରିଛି । ବୋହୂକୁ ତା’ ମା’ ଘରେ ଛାଡ଼ିଦେଇ ସୁଲେଇ ନାମରେ ବେଶ୍ୟାଟିକୁ ଆଣି ଘରେ ରଖିଛି । ଟଙ୍କା ଶୁଝିନପାରିବାରୁ ଜମିବାଡ଼ି ନିଲାମ ହୋଇଯାଇଛି । ଘର ବନ୍ଧକ ଟଙ୍କା ସୁଲେଇ ନେଇ ରାତିପାହାନ୍ତାରୁ ଉଭାନ୍‌ ହୋଇଯାଇଛି-। କୋକ ଆଈ ଉପରେ ମଧ୍ୟ ହାତ ଉଠାଇବାକୁ ପଛାଇନାହିଁ । ଯେଉଁ ସାବତ ଦିଅରକୁ ହତାଦର କରୁଥିଲା, ଘୃଣା କରୁଥିଲା, ଭିନ୍ନେ କରିଦେଇଥିଲା, ତା’ର ଅସହାୟ ଅବସ୍ଥାରେ ସେହି ଦିଅର ଅନନ୍ତ ତାକୁ ଆଶ୍ରୟ ଦେଇଛି ।

 

ସୀତାଦେବୀଙ୍କ ଦ୍ୱିତୀୟ ମୌଳିକ ଉପନ୍ୟାସ ‘ଅଗ୍ରଜ’ (୧୯୬୭) ପ୍ରଥମ ଉପନ୍ୟାସ ରଚନାର କୋଡ଼ିଏ ବର୍ଷ ପରେ ରଚିତ । ସମସାମୟିକ ରାଜନୀତିକ ଚିନ୍ତାଧାରା ଓ ରାଜନେତା ଚରିତ୍ରମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଏଥିରେ ରୂପାୟିତ କରାଯିବା ସଙ୍ଗେ ସଙ୍ଗେ ସ୍ୱାଧୀନତୋତ୍ତର ଭାରତୀୟ ରାଜନୀତିର ନୈତିକ ଅବକ୍ଷୟକୁ ପ୍ରଦର୍ଶିତ କରାଯାଇଛି । ଏହି ଉପନ୍ୟାସ ସମ୍ପର୍କରେ ସୂଚନା ଦେଇ ଔପନ୍ୟାସିକା ଅବତରଣିକାରେ ଲେଖିଛନ୍ତି–‘‘ଭାରତ ସ୍ୱାଧୀନ ହେବାପରେ ଆସେତୁହିମାଚଳ ରାଜନୈତିକ କ୍ଷେତ୍ରରେ ଯେଉଁ ବିଶୃଙ୍ଖଳା ଦେଖାଦେଇଛି, ତା’ର ଅସ୍ପଷ୍ଟ ଛାପ ‘ଅଗ୍ରଜ’ ଉପରେ ପଡ଼ିଥିଲେହେଁ ଆଖ୍ୟାୟିକାର ସବୁଗୁଡ଼ିକ ଚରିତ୍ର ନିଜ ମନର । ଏଗୁଡ଼ିକୁ ଆପଣା ଅନ୍ତଃକରଣର ଭାବ ଏବଂ ଭାଷା ଦେଇ ତିଆରି କରାଯାଇଛି । ଉପନ୍ୟାସର ଚରିତ୍ରଗତ ରୂପ, ଗୁଣ ସହିତ ସମାଜ ଭିତରେ ଏପରିକି ନିଜ ପରିବାର ଭିତରେ ସଂସାରଯାତ୍ରା ନିର୍ବାହ କରୁଥିବା ଜୀବନ୍ତ ମନୁଷ୍ୟ ସହିତ ସାମଞ୍ଜସ୍ୟ ରହିବା ସ୍ୱାଭାବିକ । ‘ଅଗ୍ରଜ’ ଉପରେ ସେଇପରି ବାସ୍ତବ ଜଗତର କିଛି ପ୍ରଭାବ ପଡ଼ିଥାଇପାରେ ।’’ ଏହି ସ୍ୱୀକାରୋକ୍ତିରୁ ଔପନ୍ୟାସିକା ସୀତାଦେବୀଙ୍କ ରାଜନୀତିକ ସଚେତନତା ବାରିହୋଇପଡ଼େ । ସୀତାଦେବୀ ସ୍ୱୟଂ ଜିଲ୍ଲାବୋର୍ଡ଼ର ଦୁଇ ଦୁଇଥର ସଦସ୍ୟାରୂପେ ନିର୍ବାଚିତା ହୋଇଛନ୍ତି । ବିଭିନ୍ନ ସ୍ଥାନ ଓ ଗାଁ ଗାଁ ବୁଲି କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି । ରାଜନୀତି ସହିତ ଓତପ୍ରୋତ ଜଡ଼ିତ ଥିବାରୁ ତାଙ୍କ ମଧ୍ୟରେ ରାଜନୀତିକ ଚେତନା ସ୍ୱତଃ ଜାଗ୍ରତ ହୋଇଛି ।

 

ସ୍ୱାଧୀନତା ପାଇଁ ଏ ଦେଶର ଜନସାଧାରଣ ଓ ନେତା ଯେଉଁ କୃଚ୍ଛ୍ର ସାଧନା କରିଥିଲେ, ସ୍ୱାଧୀନତା ପ୍ରାପ୍ତି ପରେ ସେହି ଉଦ୍ଦୀପନା ଓ ସ୍ୱାର୍ଥହୀନତା ହଠାତ୍‌ କେଉଁଆଡ଼େ ଉଭାଇଗଲା । ସବୁଆଡ଼େ ବିଶୃଙ୍ଖଳା, ସ୍ୱାର୍ଥପରତା ଛାଇହୋଇଯିବାକୁ ଲାଗିଲା । ପରାଧୀନତାର ଶୃଙ୍ଖଳ ଛିନ୍ନ ହେଲା, ମାତ୍ର ବିଶୃଙ୍ଖଳା ବଢ଼ିଚାଲିଲା । କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ସ୍ୱାଧୀନତା ନାମରେ ସ୍ୱେଚ୍ଛାଚାରିତା ବଢ଼ି ବଢ଼ି ଚାଲିଲା । ଭାରତୀୟ ମୂଲ୍ୟବୋଧ, ନୈତିକ ଆଦର୍ଶ ବିପନ୍ନ ହୋଇପଡ଼ିଲା । ଦଳୀୟ ଶୃଙ୍ଖଳା ଓ ଆଦର୍ଶ ତାସ୍‌ଘର ପରି ଭୁଷୁଡ଼ିପଡ଼ିଲା । ରାଜନୀତିକ କ୍ଷମତାଲାଭ କରି ନିଜର ସ୍ୱାର୍ଥ ପାଇଁ ସମସ୍ତ ଦଳୀୟ ଆଦର୍ଶ ଜଳାଞ୍ଜଳି ଦେଇ ବ୍ୟକ୍ତି ପ୍ରତିଦ୍ୱନ୍ଦିତା କରିବାକୁ ଲାଗିଲା । ଦଳ ମଧ୍ୟରେ ରହିଆସିଥିବା ସୌହାର୍ଦ୍ଦ୍ୟ ଓ ବନ୍ଧନ ଶିଥିଳ ହୋଇପଡ଼ିଲା । ପୂର୍ବରୁ ଜନସେବା, ଦେଶସେବା ଥିଲା ନେତାମାନଙ୍କର ଆଦର୍ଶ । ସ୍ୱାଧୀନତାର ପରେ ନିଜ ସେବା ହୋଇଉଠିଲା ମୁଖ୍ୟ । ଯେଉଁମାନେ ସ୍ୱାଧୀନତାର ବିରୋଧୀ ଥିଲେ, ସେମାନେ ମଧ୍ୟ ଭେକ ବଦଳାଇ ରାଜନୀତିକ ନେତା ପାଲଟିଗଲେ । ସାତପୁରୁଷ ପାଇଁ ସମ୍ପତ୍ତି ଠୁଳ କରିବାକୁ ଲାଗିଲେ । ମାଦକ ଦ୍ରବ୍ୟ ସେବନକୁ ଗାନ୍ଧିଜୀ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ, ମଣିଷର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଉଥିଲେ । ସ୍ୱାଧୀନତା ପରେ ରାଜନୀତିକ ନେତାଗଣ ସୁରା ଓ ସାକୀ ମଧ୍ୟରେ ଜୀବନର ସାର୍ଥକତା ଖୋଜିଲେ । ସ୍ୱାଧୀନତା ସଂଗ୍ରାମର ଆଦର୍ଶ ନ୍ୟସ୍ତସ୍ୱାର୍ଥ ପାଇଁ ଭୂଲୁଣ୍ଠିତ ହୋଇପଡ଼ିଲା । ସରକାର ବା ସମୂହ ଖଜଣାଖାନାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ନିଜର ବ୍ୟକ୍ତିଗତ ସମ୍ପତ୍ତି ପରି ବ୍ୟବହାର କରିବାକୁ ଲାଗିଲେ । ସାଧାରଣ ଜନତା ସ୍ୱପ୍ନଭଙ୍ଗ ଭିତରେ ଜଡ଼ସଡ଼ ହୋଇପଡ଼ିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା ସ୍ୱାଧୀନତୋତ୍ତର ଭାରତରେ । ଭାରତୀୟ ରାଜନୀତିର ଏହି ବାସ୍ତବ ଚିତ୍ରଟି ପ୍ରତିଫଳିତ ହୋଇଛି ସୀତାଦେବୀଙ୍କ ‘ଅଗ୍ରଜ’ ଉପନ୍ୟାସରେ ।

 

ଉପନ୍ୟାସର ଦୁଇ ମୁଖ୍ୟ ଚରିତ୍ର ପ୍ରାଣନାଥ ଓ ଗଣନାଥ ଦୁଇଭାଇ । ଉଭୟ ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ପରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ବଳି ଦିଆଯାଇଥିବାରୁ ପ୍ରାଣନାଥ ପ୍ରତିବାଦସ୍ୱରୂପ ବ୍ୟବସ୍ଥାସଭାର ସଭ୍ୟପଦ ତ୍ୟାଗ କରି ନିଜ ଗ୍ରାମରେ ସାରସ୍ୱତ ସାଧନାରେ ନିମଗ୍ନ ରହିଛନ୍ତି । ଦେଶର ରାଜନୀତିକ ଦୋଷତ୍ରୁଟି ଓ ଆଦର୍ଶହୀନତାକୁ କଠୋର ଭାବରେ ସମାଲୋଚନା କରିଛନ୍ତି । ଲବଣ ସତ୍ୟାଗ୍ରହ ସମୟରେ ତାଙ୍କ ନିକଟରେ ସହବନ୍ଦୀ ରହିଥିବା ଅଜୟଙ୍କ ସାନଭଉଣୀ ଅମଳାକୁ ପରବର୍ତ୍ତୀ ସମୟରେ ବିବାହ କରି ସରଳ ଜୀବନଯାପନ କରିଛନ୍ତି-

 

ସାନଭାଇ ଗଣନାଥ ଡେରାଡୁନ ସୈନିକ ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ନେତାଜୀ ସୁଭାଷ ବୋଷ୍‌ଙ୍କ ଜାତୀୟ ଚିନ୍ତାଧାରାଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଜାତୀୟ ବାହିନୀରେ ଯୋଗ ଦିଅନ୍ତି ଓ ପରେ ପରେ କଂଗ୍ରେସରେ ସାମିଲ୍‌ ହୁଅନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶା ବ୍ୟବସ୍ଥାସଭାର ସଦସ୍ୟ ଏବଂ ମନ୍ତ୍ରୀ ହୁଅନ୍ତି । ମନ୍ତ୍ରୀ ହେବା ପରେ ନିଜର ଆଦର୍ଶ ଭୁଲି ବ୍ୟକ୍ତିଗତ ସ୍ୱାର୍ଥ ଉପରେ ଗୁରୁତ୍ୱ ଦିଅନ୍ତି । ନେପାଳ ଭ୍ରମଣରେ ଯାଇଥିବା ସମୟରେ ବୌଦ୍ଧ ପୁରୋହିତ ଆନନ୍ଦ ରୂପଙ୍କ କନିଷ୍ଠ କନ୍ୟା ଶୈଳେନ୍ଦ୍ର ନନ୍ଦିନୀ ଓ ତାଙ୍କ ମାଆକୁ ଭୁଲାଇ ଓଡ଼ିଶା ନେଇ ଆସନ୍ତି । କିଛିଦିନ ପରେ ସେ ଗଣନାଥଙ୍କର ହତାଦର ପାଆନ୍ତି । ଭଗ୍ନୀ ରେଖାଦେବୀ ଓ ଭଗ୍ନୀପତି ଯଦୁନାଥଙ୍କ ପ୍ରରୋଚନାରେ ମୋଟା ଅଙ୍କର ଯୌତୁକ ସହିତ ଗଣନାଥଙ୍କ ଅନ୍ୟତ୍ର ବିବାହ ବ୍ୟବସ୍ଥା ହୋଇଛି । ବିଦ୍ୟାଧର ଗଣନାଥଙ୍କ ବ୍ୟକ୍ତିଗତ ସଚିବ ଏବଂ ସୁଭାଷୀ ତାଙ୍କ ପତ୍ନୀ । ପୂର୍ବରୁ ସୁଭାଷୀଙ୍କ ପିତା ଥିଲେ ବ୍ରିଟିଶ ସରକାରଙ୍କ ସପକ୍ଷବାଦୀ । ସ୍ୱାଧୀନତା ପରେ ସେ ନିଜର ସ୍ୱର ବଦଳାଇ କଂଗ୍ରେସର କାର୍ପଟଦାର ସାଜିଛନ୍ତି କେବଳ ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦେଶ୍ୟରେ । ଏହି ଚରିତ୍ରମାନଙ୍କର ଚାରିତ୍ରିକ ଦୁର୍ବଳତାକୁ ସୀତାଦେବୀ ଉକ୍ତ ଉପନ୍ୟାସରେ ଚମତ୍କାର ଚିତ୍ରଣ କରିଛନ୍ତି-। ସୁଭାଷୀ ମନ୍ତ୍ରୀ ଗଣନାଥଙ୍କ ବାସଭବନର ପରିଚାଳିକା ଭାବରେ ଅତିଥିମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରି ଅର୍ଥ ଆଦାୟର ସୁବନ୍ଦୋବସ୍ତ କରିଛି । କାଗଜ କଲମରେ କାର୍ଯ୍ୟ ହେବାର ଦେଖାଇ ପ୍ରଚୁର ଅର୍ଥ ରୋଜଗାର କରିଛି । ମାତ୍ର ଏହି କାର୍ଯ୍ୟରେ ତା’ ଚରିତ୍ରର ପବିତ୍ରତା ନଷ୍ଟ ହେବାରୁ ସ୍ୱାମୀ ବିଦ୍ୟାଧର ଏବଂ ମନ୍ତ୍ରୀ ଗଣନାଥଙ୍କର ବିଶ୍ୱାସ ହରାଇ ଆତ୍ମହତ୍ୟା କରିଛି । ବିଦ୍ୟାଧର ପାଗଳ ହୋଇଯାଇଛି । ଗଣନାଥ ନିଜର ମନୁଷ୍ୟତ୍ୱ ହରାଇ ପତ୍ନୀ ଓ ଶାଶୁଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଘରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୈଳ ମା ପାଗଳିନୀ ହୋଇ ମୃତ୍ୟୁବରଣ କରିଛି । ଗଣନାଥ ଟୁର୍‌ରେ ଯାଇଥିବା ସମୟରେ ଅନ୍ତଃସତ୍ତ୍ଵା ଶୈଳ ରାମ ମାଳୀ ପାଖରେ ଆଶ୍ରୟ ନେଇଛି । ସୁଭାଷୀର ମୃତ୍ୟୁ ପାଇଁ ଗଣନାଥ ଦାୟୀ ବୋଲି ଅପପ୍ରଚାର କରି ବିଦ୍ୟାଧର ଅନେକ ଟଙ୍କା ନେଇଛି । ଭଗ୍ନୀପତି ଯଦୁନାଥ ମଧ୍ୟ ସୁଯୋଗର ସତ୍‌ ବ୍ୟବହାର କରି ଗଣନାଥଙ୍କ ଆଲମାରିରୁ ଅନେକ ଟଙ୍କା ନେଇଯିବାକୁ ସମର୍ଥ ହୋଇଛି । ଗଣନାଥ ବିଶ୍ୱାସଘାତକତାର ଶିକାର ହୋଇ ମାନସିକ ପୀଡ଼ାରେ ଜର୍ଜରିତ ହୋଇପଡ଼ିଛନ୍ତି । ଶୈଳ ପ୍ରାଣନାଥଙ୍କ ଘରେ ଆଶ୍ରୟ ନେଇଥିବା ସମୟରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ମାତ୍ର ସେ ବିଦେଶିନୀ ହୋଇଥିବାରୁ ବଡ଼ ଯାଆର ହତାଦରର ଶିକାର ହୋଇଛନ୍ତି ।

 

ଥରେ ଗଣନାଥ ଓ ବିଦ୍ୟାଧର ମଧ୍ୟରେ ଯୁକ୍ତିତର୍କ ହେଉ ହେଉ ମାରଧର ହେବା ପର୍ଯ୍ୟନ୍ତ ଚାଲିଯିବା ସମୟରେ ପ୍ରାଣନାଥ ସେଠାରେ ପହଞ୍ଚିଯାଇଛନ୍ତି । ତାଙ୍କ ଅନୁରୋଧରେ ବିଦ୍ୟାଧର ସେଠାରୁ ଚାଲିଯିବା ପରେ ଗଣନାଥ ଭାଇଙ୍କର ଦୁଇଆଣ୍ଠୁ ମଧ୍ୟରେ ମୁଣ୍ଡ ରଖି କାନ୍ଦିଉଠିଛନ୍ତି । ସାନଭାଇ ନିଜକର୍ମ ପାଇଁ ଅନୁତପ୍ତ ହୋଇଥିବା ଜାଣି ପ୍ରାଣନାଥ ପଙ୍କିଳ ରାଜନୀତିରୁ ତାକୁ ମୁକ୍ତ କରି ନୀତିଶିକ୍ଷା ଦେବା ଉଦ୍ଦେଶ୍ୟରେ ନିଜ ଗ୍ରାମକୁ ଫେରାଇନେଇଛନ୍ତି । ପ୍ରାଣନାଥ ଅମଳାଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ସକାଶେ ତୀର୍ଥ ସ୍ଥାନ ପର୍ଯ୍ୟଟନରେ ବାହାରି ଯାଇଛନ୍ତି । ଅମଳା ଓ ପ୍ରାଣନାଥ ଯିବା ପୂର୍ବରୁ ଶୈଳକୁ ଆଶୀର୍ବାଦ କରିଛନ୍ତି । ଗଣନାଥ ନିଜର ତ୍ରୁଟି ପାଇଁ ଶୈଳ ପାଖରେ ଦୁଃଖ ପ୍ରକାଶ କରିଛନ୍ତି । ଏକ ମଧୁର ମିଳନ ପର୍ଯ୍ୟାୟରେ ଉପନ୍ୟାସଟିର ପରିସମାପ୍ତି ଘଟିଛି । ସହରୀ ସଭ୍ୟତାର ଆକର୍ଷଣ ତ୍ୟାଗ କରି ଉପନ୍ୟାସର ନାରାୟଣ, କନକ, ନରାୟଣ ମା’, ବିଶୁପତି ଆଚାର୍ଯ୍ୟଙ୍କ ପତ୍ନୀ ଅପର୍ଣ୍ଣା ଦେବୀ ଓ ନିଜେ ଆଚାର୍ଯ୍ୟ ଗ୍ରାମର ଶାନ୍ତ ପରିବେଶକୁ ଫେରିଆସି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ସହରର କୁଟିଳ ପରିବେଶରେ ନୁହେଁ, ଗ୍ରାମର ସରଳ ଜୀବନଯାପନରେ ଶାନ୍ତି ରହିଛି ବୋଲି ଉପନ୍ୟାସରେ ପ୍ରମାଣିତ ହୋଇଛି । ପୁଣି ବହୁ କଷ୍ଟଲବ୍‌ଧ ସ୍ୱାଧୀନତାର ସୁରକ୍ଷା କିପରି କରାଯାଇପାରିବ, ସେ ସମ୍ପର୍କରେ ସୀତାଦେବୀ ଦେଶର ନାଗରିକମାନଙ୍କୁ ସତ୍‌ ଉପଦେଶ ଦେଇ ସଚେତନ କରାଇଦେଇଛନ୍ତି ।
 

‘ଅଗ୍ରଜ’ ଉପନ୍ୟାସର ସଫଳତା ସୀତାଦେବୀଙ୍କୁ ଆନନ୍ଦ ଦେଇଛି । ମାତ୍ର ଏହି ସମୟରେ ରବୀନ୍ଦ୍ରନାଥଙ୍କ ଉପନ୍ୟାସ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ତେଣୁ ୧୯୬୮ ମସିହାରେ ସେ ରବୀନ୍ଦ୍ରନାଥଙ୍କ ‘ଘର ବାହିରେ’ ଉପନ୍ୟାସଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଏହାପରେ ତାଙ୍କର ଶେଷ ମୌଳିକ ଉପନ୍ୟାସ ‘ପ୍ରତ୍ୟାବର୍ତ୍ତନ’ ରଚିତ ହୁଏ ୧୯୬୯ ମସିହାରେ । ଯେଉଁମାନେ ସୀତାଦେବୀଙ୍କ ‘ମୋର ଜୀବନ ସ୍ମୃତି’ ପାଠ କରିଥିବେ, ସେମାନେ ଠିକ୍‌ ଅନୁମାନ କରିନେବେ ଯେ, ଉପନ୍ୟାସଟି ଆଦୌ କାଳ୍ପନିକ ନୁହେଁ । ବରଂ ତାଙ୍କ ଜୀବନର ବାସ୍ତବ ସତ୍ୟଗୁଡ଼ିକ କଳାତ୍ମକ ରୂପ ପାଇଛି ଏହି ଉପନ୍ୟାସଟିରେ । ଅନ୍ୟ ଭାବରେ କହିଲେ ଏହା ହେଉଛି ସୀତାଦେବୀଙ୍କ ଜୀବନ-ଚରିତମୂଳକ ଉପନ୍ୟାସ । ତାଙ୍କର ନିଜସ୍ୱ ଅନୁଭବ, ଜୀବନରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀକୁ ବିଭିନ୍ନ ଚରିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇଛି । ଏହି କାରଣରୁ ଉପନ୍ୟାସଟି ସର୍ବଦା ବାସ୍ତବତାକୁ ଅପେକ୍ଷା ରଖେ ।

 

‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସର ବିଷୟବସ୍ତୁ ହେଉଛି ଏହିପରି–ଅତୀତର ସ୍ମୃତିରୁ ଉପନ୍ୟାସର କଥାରମ୍ଭ ଗଣେଶ ଚତୁର୍ଥୀ ପରି ଏକ ସାତ୍ତ୍ୱିକ ଦିବସରୁ । ସ୍ୱର୍ଣ୍ଣ ଉପନ୍ୟାସର ମୁଖ୍ୟ ଚରିତ୍ର । ତା’ର ଜୀବନ କାହାଣୀ ହିଁ ଉପନ୍ୟାସର ବିଷୟବସ୍ତୁ । ସ୍ୱାମୀ ପରମାନନ୍ଦ ଯିଏ ସ୍ୱର୍ଣ୍ଣଙ୍କୁ ବୁଝିବାରେ କେବେ ଅବହେଳା କରିନାହାନ୍ତି । ବାସ୍ତବ ଜୀବନରେ ଠିକ୍‌ ସୀତାଦେବୀ ଓ ବାଞ୍ଛାନିଧିଙ୍କ ପରି । ସ୍ୱର୍ଣ୍ଣଙ୍କର ଏକମାତ୍ର ପୁତ୍ର ସଂସ୍କୃତ ଟୋଲରେ ଶିକ୍ଷକତା କରୁଥିବା ଶୁକ ଉଚ୍ଚଶିକ୍ଷା ଲାଭ ଉଦ୍ଦେଶ୍ୟରେ ବାରଣାସୀ ଯାତ୍ରା କରିଛି । ପୁତ୍ର ବିଚ୍ଛେଦରେ ସ୍ୱର୍ଣ୍ଣ ମାର୍କଣ୍ଡ ଦାସଙ୍କ ପରି କବିତା ଲେଖନ୍ତି । ସେଦିନ ସୀତାଦେବୀ ମଧ୍ୟ କନ୍ୟା କମଳାକୁ କଟକରେ ଅଧ୍ୟୟନ ସକାଶେ ଛାଡ଼ିଆସିବା ପରେ କନ୍ୟା ବିଚ୍ଛେଦରେ କେଶବ କୋଇଲି ଅନୁସରଣରେ ବର୍ଷଣ ମୁଖର ରାତିରେ ରଚନା କରିଥିଲେ ‘ବିରହ କୋଇଲି’ । ସ୍ୱର୍ଣ୍ଣ ନିଜ ପୁଅ ପାଖକୁ ଯେଉଁ ଚିଠି ଲେଖିଥିଲେ ସେଥିରେ ମଧ୍ୟ ରହିଥିଲା ବର୍ଷା ବର୍ଣ୍ଣନା । ମାଆଙ୍କ ପ୍ରତିଭା ଦେଖି ପୁତ୍ର କେବଳ ଚମତ୍କୃତ ହୋଇନାହିଁ, ବରଂ ତାହା ଜାରି ରଖିବାକୁ ଅନୁରୋଧ କରିଛି ।

 

ସ୍ୱର୍ଣ୍ଣଙ୍କ ପ୍ରତିଭା ସ୍ଫୁରଣର ମୂଳଉତ୍ସ ହେଉଛନ୍ତି ତାଙ୍କ ଶ୍ୱଶୁର ସ୍ୱର୍ଗତଃ ମାଧବ ମିଶ୍ର । ସ୍ୱର୍ଣ୍ଣଙ୍କ ଅତୀତ ଜୀବନ ଥିଲା ଦୁଃଖର ପାହାଡ଼ଟିଏ । ବାପା-ମା’ଛେଉଣ୍ଡ ସ୍ୱର୍ଣ୍ଣ ମାଇଁଙ୍କ ଅନୁଦାର ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିଲେ । ବିଧବା ଆଈ ତାଙ୍କୁ ନେଇ ପୁରୀ ଚାଲିଯାଇଥିବାବେଳେ ମୁମୂର୍ଷୁ ଅବସ୍ଥାରେ ସାକ୍ଷାତ୍ ହୁଏ ତାଙ୍କର ସମ୍ପର୍କୀୟ ଭାଇ ମାଧବ ମିଶ୍ରଙ୍କ ସହିତ । ଅରୁନ୍ଧତୀଙ୍କ ନିକଟରୁ ସ୍ୱର୍ଣ୍ଣଙ୍କ ବିଷୟରେ ସବୁକିଛି ଜାଣିବା ପରେ ସେ ତାକୁ ପୁତ୍ରବଧୂ ରୂପେ ଗ୍ରହଣ କରିବାର କେବଳ ପ୍ରତିଶ୍ରୁତି ଦେଇନାହାନ୍ତି, ପୁତ୍ର ପରମାନନ୍ଦ ସହିତ ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି । ମାଧବ ମିଶ୍ରଙ୍କ ପତ୍ନୀ ବିମଳା ଅଧିକ ଯୌତୁକ ସହିତ ବୋହୂ ଆଣିବାର ସ୍ୱପ୍ନ ଦେଖିଥିବାରୁ ସେ ସ୍ୱର୍ଣ୍ଣକୁ ଗ୍ରହଣ କରିପାରିନାହାନ୍ତି । ମାତ୍ର ସ୍ୱର୍ଣ୍ଣର ଶାନ୍ତ, ସରଳ ସ୍ୱଭାବ ଓ ସେବାପରାୟଣ ଗୁଣ ଯୋଗୁଁ ତାଙ୍କୁ ଆଦରିନେଇଛନ୍ତି ।

 

ସ୍ୱର୍ଣ୍ଣଙ୍କ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ଶ୍ୱଶୁର ଘରେ । ଥରେ ଶ୍ୱଶୁର ତାଙ୍କୁ ମହାଭାରତ ପଢ଼ିବାକୁ କୁହନ୍ତେ ସ୍ୱର୍ଣ୍ଣଙ୍କ ଚକ୍ଷୁ ଲୋତକାର୍ଦ୍ର ହୋଇପଡ଼ିଲା । ଶ୍ୱଶୁର ନିଜର ଭୁଲ୍‌ ବୁଝିପାରି ତାକୁ ପାଠ ପଢ଼ାଇଲେ ଓ ସେ ମାତ୍ର ସାତଦିନ ମଧ୍ୟରେ ଅକ୍ଷର ଶିକ୍ଷା ସହିତ ଗୋପୀଭାଷା, କେଶବ କୋଇଲି, ଗୁଣସାଗର ଇତ୍ୟାଦି ପଢ଼ିପାରିଲେ । ଏହା ସହିତ ସଂସ୍କୃତ, ବଙ୍ଗଳା ଓ ଓଡ଼ିଆ ଭାଷାର କିଛି ପୁସ୍ତକ ପଢ଼ିବାକୁ ସମର୍ଥା ହେଲେ । ସୀତାଦେବୀ ଆନୁଷ୍ଠାନିକ ଶିକ୍ଷାଲାଭରୁ ବଞ୍ଚିତା ହୋଇଥିବାରୁ ତାଙ୍କ ମା’ଙ୍କ ମାଧ୍ୟମରେ ଅକ୍ଷର ଶିକ୍ଷା କରିବା ସହିତ ଗୋପୀଭାଷା, ଗୁଣସାଗର ଆଦି ପଢ଼ିଥିବା ବିଷୟ ତାଙ୍କ ଆତ୍ମଜୀବନୀରୁ ଜଣାଯାଏ । ଏହି କାରଣରୁ ‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସର ଉତ୍ସର୍ଗପତ୍ରରେ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି–‘‘ମା’ ମୋର, ତୋର ପରମ ପବିତ୍ର ହସ୍ତରେ ମତେ ଯେଉଁ କେତୋଟି ଅକ୍ଷର ଶିଖାଇଦେଇଥିଲୁ, ସେହିତକ ଆଜି ସୁବର୍ଣ୍ଣ ଛବିରେ ଏହି ଉପନ୍ୟାସଟିରେ ସମୁଜ୍ଜ୍ୱଳ । ତୁ ଦେଇଥିବା ଶକ୍ତି ଓ ସାହସର ପରିଣାମ ହେଉଛି ଏହି ଉପନ୍ୟାସ । ମୋ ଜୀବନର ସବୁ କଥା ଏଥିରେ ନିହିତ । ତୋ’ଠୁ ଯାହା ପାଇଥିଲି ତାହା ତୋ ହାତରେ ଅର୍ପଣ କରିଦେଉଛି ।’’ କେବଳ ସେତିକି ନୁହେଁ, ସୀତାଦେବୀଙ୍କ ଶ୍ୱଶୁର ଘରର ଅନୁକୂଳ ପରିବେଶ ତାଙ୍କ ସାହିତ୍ୟ ସାଧନା ପାଇଁ ବହୁ ପରିମାଣରେ ଦାୟୀ । ନିଜ ଆତ୍ମଜୀବନୀରେ ସେ ଏକଥା ସ୍ୱୀକାର କରି ଲେଖିଛନ୍ତି–‘‘ଶାଶୁଙ୍କ ଘରକୁ ଯାଇ ସବୁ ଦୁଃଖ ବିଷାଦ ଭୁଲିଗଲି । x x ସେଘରେ ଶିକ୍ଷା-ସଂସ୍କୃତିମୂଳକ ଚିନ୍ତାଧାରା କଳ କଳ ଧ୍ୱନି କରି ବହିଯାଉଥିଲା ପରି ମୋର ମନେହୁଏ ।’’ ତେଣୁ ସୀତାଦେବୀ ନିଜ ଜୀବନର ଅନୁଭୂତିକୁ ସ୍ୱର୍ଣ୍ଣ ମାଧ୍ୟମରେ ପ୍ରକାଶ କରିଥିବାର ଭୂରି ଭୂରି ଦୃଷ୍ଟାନ୍ତ ମିଳିଥାଏ । ସ୍ୱର୍ଣ୍ଣର ଶ୍ୱଶୁର ଏକାଧାରରେ ଥିଲେ ତାଙ୍କର ଗୁରୁ, ପରମ ହିତୈଷୀ, ସାରସ୍ୱତ ସାଧନାର ମୂଳଉତ୍ସ । ସୀତାଦେବୀଙ୍କ ଆବଶ୍ୟକତାକୁ ମେଣ୍ଟାଇବାକୁ, ତାଙ୍କର ସାଧନାକୁ ଅଧିକ ଚଳଚଞ୍ଚଳ ଓ ଗତିମୁଖର କରାଇବାକୁ ଯେପରି ସ୍ୱାମୀ ବାଞ୍ଛାନିଧି ତତ୍ପର ଥିଲେ, ଅନୁରୂପ ଭାବରେ ସ୍ୱର୍ଣ୍ଣଙ୍କ ସର୍ଜନଶୀଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାମୀ ପରମାନନ୍ଦ ବାଦ୍ୟକାର ଓ ସୁରମାଷ୍ଟ୍ରଙ୍କୁ ଡାକିଆଣିଥିଲେ । ସେମାନଙ୍କ ସହଯୋଗରେ ତାଙ୍କ ନାଟକଗୁଡ଼ିକର ଦୋଷତ୍ରୁଟି ଆଲୋଚନା ହୋଇ ସଂଶୋଧନ ହେଲା । ସ୍ୱର୍ଣ୍ଣଙ୍କ ଲିଖିତ ନାଟକର ସଙ୍ଗୀତଟିଏ ସୁରମାଷ୍ଟ୍ରଙ୍କ କଣ୍ଠରେ ଏପରି ସୁନ୍ଦର ଶୁଭିଲା, ଯେଉଁଥିରେ ସେ ଆତ୍ମହରା ହୋଇପଡ଼ିଲେ । ସୁରମାଷ୍ଟ୍ରେ ଅନ୍ୟ କେତୋଟି କଳାକାର ଆଣି ସ୍ୱର୍ଣ୍ଣଦେବୀଙ୍କ ନାଟକ ମଞ୍ଚସ୍ଥ କରାଇବାକୁ ଉଦ୍ୟମ କଲେ । ଏଥିପାଇଁ ତାଙ୍କ ଘର ଅଗଣାରେ ରିହର୍ସାଲ ହେଲା । ଚାକର ବିଶୁ ସେମାନଙ୍କର ଖାଇବା ପିଇବା ବୁଝାବୁଝି କରିବାକୁ ଲାଗିଲା । ଏହାପରେ ତିଆରି ହେଲା ରଙ୍ଗମଞ୍ଚ । ସ୍ୱର୍ଣ୍ଣ ୩୦୦ ଟଙ୍କା ଦେଇ ସିନ୍‌-ସିନେରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ କଲେ । ଏଥିପାଇଁ ସ୍ୱର୍ଣ୍ଣଙ୍କୁ କମ୍‌ ନିନ୍ଦା ସହ୍ୟ କରିବାକୁ ପଡ଼ିନାହିଁ । ଯେଉଁ ସ୍ୱର୍ଣ୍ଣ ପଲାସପୁର ଗାଁରେ ଦିନେ ହେଲେ ବାଟ ଚାଲିନାହିଁ, ସେ ନାଟକ ଲେଖି ମଞ୍ଚସ୍ଥ କରାଇବା କମ୍‌ ଆଶ୍ଚର୍ଯ୍ୟର କଥା ନୁହେଁ । ସୀତାଦେବୀଙ୍କ ଆତ୍ମଜୀବନୀ ପାଠ କଲେ, ପ୍ରତ୍ୟାବର୍ତ୍ତନ ଉପନ୍ୟାସର ବହୁ ଘଟଣା ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଛି । ସୀତାଦେବୀ ଯେଉଁ ନାଟକଗୁଡ଼ିକ ରଚନା କରୁଥିଲେ, ତାହାକୁ ସେ ନିଜ ଘରେ ରିହର୍ସାଲ କରାଉଥିଲେ, ନିଜେ ନିର୍ଦ୍ଦେଶନା ଦେଉଥିଲେ । ଅଭିନେତାମାନଙ୍କର ଖାଇବା ପିଇବା ବ୍ୟବସ୍ଥା ନିଜ ଘରେ କରୁଥିଲେ । ସେମାନଙ୍କୁ ପାରିଶ୍ରମିକ ଦେଉଥିଲେ । ଚିତ୍ରଶିଳ୍ପୀମାନଙ୍କୁ ଘରେ ରଖି ସ୍କ୍ରିନ୍‌-ସିନେରୀମାନ ତିଆରି କରାଉଥିଲେ-। ସୋରଡ଼ାରେ ନାଟକ ମଞ୍ଚସ୍ଥ କରାଇବା ବେଳର ଅନୁଭୂତି ପ୍ରକାଶ କରି ସୀତାଦେବୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି–‘‘ମୁଁ ସେଇ ସୋରଡ଼ା ନିକଟବର୍ତ୍ତୀ ଗୋପାଳପୁର ଶାସନର ବୋହୂ । ଯେଉଁ ବୋହୂର ଗତିପଥର ଛାୟାଟି ମଧ୍ୟ କେହି ଦେଖିନଥିଲେ, ସେଠି ରୋଷେଇଘରଠାରୁ ଶୋଇବାଘର ପର୍ଯ୍ୟନ୍ତ ମୋର ଚଳପ୍ରଚଳ । ନାଟକ ଲେଖି, ଦଳେ ଅଭିନେତାଙ୍କୁ ଧରି ନିର୍ଦ୍ଦେଶନା ଦେବା ସେମାନଙ୍କ ଦୃଷ୍ଟିରେ ଅଦ୍ଭୁତ କାର୍ଯ୍ୟ ।’’

 

‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସରେ ଷ୍ଟେଜ ରିହର୍ସାଲ ଦିନ ତାପସ ବେଶରେ ବିଦ୍ୟାଧର ଏବଂ ଭୁବନେଶ୍ୱର–ସ୍ୱର୍ଣ୍ଣ ଓ ପରମାନନ୍ଦଙ୍କ ଗଳାରେ ଫୁଲହାର ଲମ୍ବାଇ ଦେଇ ଯେଉଁ ସ୍ୱାଗତ ଗୀତିକା ଗାଇଥିଲେ, ସେ ସ୍ୱର ଶୁଣି ସେ ବିସ୍ମୟବିହ୍ୱଳିତ ହୋଇପଡ଼ିଥିଲେ । ନାଟକ ଘରେ ଗ୍ୟାସ୍ ଲାଇଟ ଓ ବାଦ୍ୟ ବାଜୁଥିବା ଦେଖି ଅନେକ ଲୋକ ଉପସ୍ଥିତ ହୋଇଥିଲେ । ବାଦ୍ୟକାରଙ୍କ ଅନୁରୋଧରେ ଭୟାତୁରା ସ୍ୱର୍ଣ୍ଣ ନିର୍ଭୟରେ ସୁନ୍ଦର ଭାଷଣଟିଏ ଦେଇଥିଲେ ଦର୍ଶକଙ୍କ ଉଦ୍ଦେଶ୍ୟରେ । ସୀତାଦେବୀ ଭଞ୍ଜନଗର (ରସୁଲକୋଣ୍ଡା)ରେ ନାଟକ ମଞ୍ଚସ୍ଥ କରାଉଥିବା ସମୟରେ ସେଠାକାର ଭଦ୍ରବ୍ୟକ୍ତିମାନେ ସଭା କରି ତାଙ୍କୁ ଏକ ସୁନ୍ଦର ଅଭିନନ୍ଦନପତ୍ର ଦେଇଥିଲେ । ଏହି ଅଭିନନ୍ଦନର ଉତ୍ତର ସୀତାଦେବୀ ବେଶ୍‌ ସୁନ୍ଦର ଭାବରେ ଦେଇଥିଲେ । ତେଣୁ ପ୍ରତ୍ୟାବର୍ତ୍ତନର ନାୟିକା ସ୍ୱର୍ଣ୍ଣ ସୀତାଦେବୀଙ୍କର ପ୍ରତିଛାୟା ବ୍ୟତୀତ ଅନ୍ୟକିଛି ନୁହେଁ । ସୀତାଦେବୀ ନାଟକ ରଚନା କରି ମଞ୍ଚସ୍ଥ କରାଉଥିବାରୁ କେତେଜଣ ଅସହିଷ୍ଣୁ ଲୋକ ତାଙ୍କୁ ଯେପରି ସମାଲୋଚନା କରୁଥିଲେ, ପ୍ରତ୍ୟାବର୍ତ୍ତନ ଉପନ୍ୟାସରେ ସ୍ୱର୍ଣ୍ଣଙ୍କୁ ମଧ୍ୟ ମଦନ ମହାପାତ୍ରଙ୍କ ପରି ବ୍ୟକ୍ତି ସମାଲୋଚନା କରି କହିଥିଲେ–‘‘ବର୍ଷକୁ ଗୋଟିଏ ଜନ୍ମ କରିଥିଲେ ୨୦ଟା ପିଲାର ମା’ ହୋଇ ବସିଥାନ୍ତା, ହାଣ୍ଡିଶାଳରୁ ବାହାରି କେତେ କଥା କହୁଛି ।’’ (ସୀତାଦେବୀ ଗ୍ରନ୍ଥାବଳୀ–ପୃ. ୩୯୭) । ଲୋକନାଥ ଗୋସ୍ୱାମୀ ମଧ୍ୟ ବ୍ୟଙ୍ଗ କରି କହିଥିଲେ, ‘‘ଆମେ ଏଆଡ଼େ ମରୁଚୁ; ହାତ ଖରଚକୁ ପଇସାଟିଏ ମିଳିବାକୁ ନାହିଁ-। ଆଙ୍କେ ନାଟକ କରୁଛନ୍ତି । କଅଣଗୁଡ଼େ ଭଟର ଭଟର ହେଇ କହିଯାଉଚି । କିଏ ବୁଝିପାରୁଚ ? କଥାର ଆଦ୍ୟ ନାହିଁ ନା ପ୍ରାନ୍ତ ନାହିଁ । ପିଲା ପାଞ୍ଚୁଟା ଧରି ଘର କରିବା ମାଇକିନା ମଣିଷୁଟେ, ଆସିଚି ନାଟକ କଥା କହି, ନାଟକ ?’’ (ଗ୍ରନ୍ଥାବଳୀ–ପୃ.୩୯୮) ଏପରି ପ୍ରତିକୂଳ ସମାଲୋଚନାରେ ମଧ୍ୟ ନାଟକ ମଞ୍ଚସ୍ଥ ହେଲା । ନିଷ୍ପତ୍ତି ନାଟକ ଅଭିନୟ ପରେ ଗୁଣୀଲୋକମାନେ ପ୍ରଶଂସା କଲେ । ସେତେବେଳକୁ ସ୍ୱର୍ଣ୍ଣଙ୍କ ହାତରେ ପଇସା ନାହିଁ । ଅନେକ ଧାର ଉଧାର ହୋଇଗଲାଣି । ବାଜି ପାତ୍ରର ଧାର ଦିଆଯାଇନଥିବାରୁ ସେ ଆଉ କୌଣସି ଧାର ଦେବାକୁ ରାଜି ନୁହନ୍ତି । ସ୍ୱର୍ଣ୍ଣ ଏହା ମଧ୍ୟରେ ୮/୧୦ ଖଣ୍ଡ ନାଟକ ଲେଖିସାରି ପ୍ରତ୍ୟାବର୍ତ୍ତନ ଲେଖୁଛନ୍ତି । ନିଜ ଘର ଗାଈ ବିକ୍ରି ସରିଛି । ଘରର ମୁଗ ବିରି ସରିଯାଇଛି । ଶେଷରେ ଶାଶୁଙ୍କର ସ୍ମୃତି ଧାନୁଆଁ ଆଉ ପତ୍ରିମାଳି ଏବଂ ଶ୍ୱଶୁରଙ୍କ ମୁଦି ବିକ୍ରି କରିଦେଲେ । ବାଜି ପାତ୍ରକୁ ଘରର କଂସା ପିତଳ ଏବଂ ବଡ଼ ବଡ଼ ଦୁଇଟି ସିନ୍ଦୁକ ବିକ୍ରି କରିଦେଇ କରଜ ଶୁଝିଲେ । ନିଷ୍ପତ୍ତି ନାଟକ ମଞ୍ଚସ୍ଥ ହେବାବେଳେ ମଧ୍ୟ ତାଙ୍କୁ କିଛି ବ୍ୟକ୍ତିଙ୍କ ବ୍ୟଙ୍ଗର ଶରବ୍ୟ ହେବାକୁ ପଡ଼ିଲା; ମାତ୍ର ତରୁଣ ଦଳ ପ୍ରଶଂସା କଲେ । ଏହାପରେ ଅଭିନୀତ ହେବ ନଳ ଦମୟନ୍ତୀ ନାଟକ । ନିଜର ନୋଳି, ମୁଦି ଓ ଆଉ ଗୋଟିଏ ଗାଈ ବିକ୍ରୟ ହୋଇଗଲା । ବାଦ୍ୟକାରକୁ ସେହି ଟଙ୍କା ସ୍ୱର୍ଣ୍ଣ ଦେବାବେଳେ ବାଦ୍ୟକାର ଓ ସୁରମାଷ୍ଟ୍ରେ ତାଙ୍କର ଆର୍ଥିକ ଦୁରବସ୍ଥା ସମ୍ପର୍କରେ ଜାଣିଥିଲେ । ତେଣୁ ସେମାନେ ସ୍ଥିର କରିଛନ୍ତି ନଳ ଦମୟନ୍ତୀ ପରେ ସ୍ୱର୍ଣ୍ଣଙ୍କୁ ବୁଝାଇ ଚାଲିଯିବେ । ସୀତାଦେବୀ ଏହି ନାଟକ ମଞ୍ଚସ୍ଥ କରିବା ସମୟରେ ଆର୍ଥିକ ଦୁରବସ୍ଥାର ଶିକାର ହୋଇଥିଲେ । ଏହା ତାଙ୍କର କଳାକାରମାନେ ଜାଣିଥିଲେ । ମାତ୍ର ଅନ୍ୟମାନେ ଭାବୁଥିଲେ ସୀତାଦେବୀ ଏଥିରୁ ପ୍ରଚୁର ଅର୍ଥ ଲାଭ କରୁଛନ୍ତି ବୋଲି ।

 

ସୀତାଦେବୀ ଏ ସମ୍ପର୍କରେ ଲେଖିଛନ୍ତି–‘‘ମୋର ନାଟକ ସହିତ ଯେଉଁମାନେ ସମ୍ପୃକ୍ତ ଥିଲେ, ସେମାନେ ସେଥିରେ ଅଭାବ ଅସୁବିଧା କଥା ବୁଝିପାରୁଥିଲେ; କିନ୍ତୁ ବାହାରର କେତେକ ବ୍ୟକ୍ତି ନାଟକରୁ ମୁଁ ପଇସା ସଂଗ୍ରହ କରୁଥିବି ବୋଲି ଆଲୋଚନା କରୁଥିଲେ; କିନ୍ତୁ ସେ କଥା ଆଡ଼କୁ ମୁଁ ଆଦୌ କାନ ଦେଉନଥିଲି ।’’ (ପୃ–୫୮, ସୀତାଦେବୀ ଗ୍ରନ୍ଥାବଳୀ)

 

ନାଟକ ଦେଖିବାକୁ ଆସୁଥିବା ସ୍ୱଚ୍ଛଳ ପରିବାର ଲୋକେ ମଧ୍ୟ ଟିକଟ ନକାଟି ନାଟକ ଦେଖିବାକୁ ଆସନ୍ତି; ଅଥଚ ସେମାନଙ୍କୁ ଏ ସମ୍ପର୍କରେ ପଚାରିଲେ ସେମାନେ କ୍ଷୁବ୍‌ଧ ହୁଅନ୍ତି, ପାଟିଗୋଳ କରନ୍ତି; ନାଟକ ନ ଦେଖି ବ୍ୟଙ୍ଗକରି ଚାଲିଯାଆନ୍ତି । ନଳ ଦମୟନ୍ତୀ ନାଟକ ଅଭିନୟ ସମୟରେ ସ୍ୱର୍ଣ୍ଣ ଏହିପରି ପ୍ରତିକୂଳ ପରିବେଶର ଶିକାର ହୋଇ ମାନସିକ ସନ୍ତୁଳନ ରକ୍ଷା କରିନପାରି ପଡ଼ିଯାଇଛନ୍ତି । ତାଙ୍କର ଭୀଷଣ ଅସୁସ୍ଥ ଖବର ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରିଛି । ସ୍ୱାମୀ ପରମାନନ୍ଦ ତାଙ୍କ ଚିନ୍ତାରେ ଖାଦ୍ୟ ଛାଡ଼ିଦେଇଛନ୍ତି । ସୁରମାଷ୍ଟ୍ର ଓ ବାଦ୍ୟକାର କାନ୍ଦି କାନ୍ଦି ରେଙ୍ଗୁନ୍‌ ଚାଲିଯାଇଛନ୍ତି । ନାଟକର ଜିନିଷପତ୍ର ବିକ୍ରି କରି ପରମାନନ୍ଦ ସମସ୍ତ ଧାର ଉଧାର ଶୁଝିଦେଇଛନ୍ତି । ସ୍ୱର୍ଣ୍ଣଙ୍କର ସନ୍ନିପାତ ବଢ଼ିଚାଲିଛି । ମାତାଙ୍କ ଅସୁସ୍ଥତା ଖବର ପାଇ ଶୁକ ଘରକୁ ଆସିଛନ୍ତି । ସ୍ୱର୍ଣ୍ଣଙ୍କର ଜୀବନ ପ୍ରଦୀପ ଲିଭିଯାଇଛି । ପରମାନନ୍ଦ ପତ୍ନୀଙ୍କ ବିଚ୍ଛେଦ ସହିନପାରି ମୃତ୍ୟୁବରଣ କରିଛନ୍ତି । ଏକ କରୁଣାନ୍ତକ ପରିବେଶରେ ଉପନ୍ୟାସର ପରିସମାପ୍ତି ଘଟିଛି । ସୀତାଦେବୀଙ୍କ ଜୀବନର ବହୁ ଘଟଣା ଏହି ଉପନ୍ୟାସରେ ରୂପ ପାଇଛି ।

 

ସୀତାଦେବୀଙ୍କ ଅନୁଦିତ ଉପନ୍ୟାସ

 

ସୀତାଦେବୀଙ୍କର ରବୀନ୍ଦ୍ରନାଥଙ୍କ ସାହିତ୍ୟ ପ୍ରତି ଗଭୀର ଶ୍ରଦ୍ଧା, ସମ୍ମାନ ରହିଥିଲା । ସୀତାଦେବୀଙ୍କ ଜୀବନକୁ ଏହା ଗଭୀର ଭାବରେ ପ୍ରଭାବିତ କରିଥିଲା । ୧୯୬୧ ମସିହାରେ ରବୀନ୍ଦ୍ରନାଥଙ୍କ ଜନ୍ମ ଶତବାର୍ଷିକୀ ଭାରତ ଓ ଭାରତ ବାହାରେ ଆଡ଼ମ୍ବର ସହିତ ପାଳନ କରାଯିବା ଅବକାଶରେ ତାଙ୍କ ସୃଷ୍ଟିକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ପାଇଁ ଭାରତ ସରକାର ଓ ବଙ୍ଗ ସରକାର ବହୁ ପରିମାଣରେ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । ତେଣୁ ସେଥିପାଇଁ ରବୀନ୍ଦ୍ରଙ୍କ ସୃଷ୍ଟି ବିଭିନ୍ନ ଭାଷାରେ ଅନୂଦିତ ହେଲା । ମାତ୍ର ସୀତାଦେବୀ ସ୍ୱତଃପ୍ରବୃତ୍ତ ଭାବରେ ସେହି ଦାୟିତ୍ୱଟି ଗ୍ରହଣ କରିଥିଲେ । ଏହାଛଡ଼ା ଅନୁବାଦର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ଏହା ଆଞ୍ଚଳିକ ସଂହତି ରକ୍ଷା କରେ, ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନରେ ସହାୟତା କରେ-। ବିଭିନ୍ନ ସଂସ୍କୃତି ଓ ସମାଜ ମଧ୍ୟରେ ରହିଥିବା ଭିନ୍ନତା ଓ ଏକତାକୁ ଗୋଟିଏ ଜାତୀୟ ଡୋରିରେ ବାନ୍ଧିରଖିଥାଏ । ପରସ୍ପରର ସଭ୍ୟତା ଓ ସଂସ୍କୃତି ମଧ୍ୟରେ ଗୋଟିଏ ଜାତୀୟ ଭାବନାର ସୂତ୍ରପାତ କରେ । ଭିନ୍ନ ଭାଷାଭାଷୀଙ୍କୁ ଚିହ୍ନିବାରେ, ବୁଝିବାରେ ପଥ ପ୍ରଶସ୍ତ କରିଥାଏ । ସୀତାଦେବୀ ଏହି ଅନୁବାଦର ମହତ୍ତ୍ୱ ବୁଝିଥିଲେ । ପୁଣି ରବୀନ୍ଦ୍ରନାଥଙ୍କ ପ୍ରତି ଗଭୀର ସମ୍ମାନ ଥିବାରୁ ସେ ରବୀନ୍ଦ୍ରନାଥଙ୍କ ଦୁଇଟି ଉପନ୍ୟାସ ‘ଘର ବାହିରେ’ ଓ ‘ଶେଷେର କବିତା’ ଉପନ୍ୟାସ ଦ୍ୱୟକୁ ଅନୁବାଦ କରିବା ନିମିତ୍ତ ସିଦ୍ଧାନ୍ତ ନେଇଥିଲେ ।

 

‘ଘରେ ବାହିରେ’ ଉପନ୍ୟାସଟି ସୀତାଦେବୀଙ୍କୁ ସବୁବେଳେ ଗୋଟିଏ ନୂଆ ଅନୁଭୂତି ଓ ଆସ୍ୱାଦନ ଦେଇଥାଏ ବୋଲି ଔପନ୍ୟାସିକ ନିଜେ ଏହାର ମୁଖବନ୍ଧରେ ସ୍ୱୀକାର କରିଛନ୍ତି । ରବୀନ୍ଦ୍ରନାଥଙ୍କ ସୃଷ୍ଟିର ପାରମ୍ପରିକ ଦିଗକୁ ବଦଳାଇ ‘ଘର ବାହିରେ’ ଏକ ନୂତନ ଆଙ୍ଗିକର ସୂଚନା ଦେଇଥିଲା । ରବୀନ୍ଦ୍ରନାଥଙ୍କ ପ୍ରତିଟି ଉପନ୍ୟାସରେ ଗୋଟିଏ ଗୋଟିଏ ସମସ୍ୟା ରହିଥାଏ । ଏଥିରେ ମଧ୍ୟ ଦାମ୍ପତ୍ୟ ଜୀବନର ଏକ ପ୍ରମୁଖ ସମସ୍ୟାକୁ ଦେଖାଇଦିଆଯାଇଛି । ପରୋକ୍ଷରେ ନାୟକ ନିଖିଳେଶ ମଧ୍ୟରେ ରବୀନ୍ଦ୍ରନାଥଙ୍କ ସତ୍ତା ଓ ଉପସ୍ଥିତିକୁ ଲକ୍ଷ୍ୟ କରିହୁଏ । ନାୟକର ଜୀବନଦର୍ଶନ ପ୍ରକୃତରେ ଔପନ୍ୟାସିକଙ୍କର ଜୀବନଦର୍ଶନ । ଭାରତୀୟ ସମାଜ ପରିପ୍ରେକ୍ଷୀରେ ପତି-ପତ୍ନୀର ସମ୍ପର୍କକୁ ଦେଖାଇଦିଆଯିବା ସହିତ ନାରୀଟିକୁ ବାହ୍ୟଜଗତ ସହ ସମ୍ପର୍କ ସ୍ଥାପନ କରି ତା’ର ପ୍ରଣୟର ପରୀକ୍ଷା ପାଇଁ ସୁଯୋଗ ଦିଆଯାଇଛି । ନିଖିଳେଶର ଉଦାର ଓ ସହନଶୀଳ ମନୋବୃତ୍ତି, ସନ୍ଦୀପର ସ୍ୱାର୍ଥପ୍ରଣୋଦିତ ସମାଜ-ବିରୋଧୀ ଚିନ୍ତାଧାରା ଏବଂ ବିମଳାଙ୍କ ମୋହାନ୍ଧ ଦୃଷ୍ଟିକୁ ଚମତ୍କାର ଭାବରେ ପ୍ରକାଶ କରି ଚରିତ୍ରମାନଙ୍କର ସୁନ୍ଦର ମନୋବିଶ୍ଲେଷଣ କରିପାରିଛନ୍ତି ଔପନ୍ୟାସିକ ରବୀନ୍ଦ୍ରନାଥ । ସୀତାଦେବୀ ଏହି ଉପନ୍ୟାସ ମଧ୍ୟରେ ନିଜ ଜୀବନର ପ୍ରତିଛବି ଲକ୍ଷ୍ୟ କରି ଏପରି ଉଦ୍‌ବୁଦ୍ଧ ହୋଇଛନ୍ତି ଯେ, ତାର ଅନୁବାଦ କରିବାର ପ୍ରବଣତାକୁ ରୋକିପାରିନାହାନ୍ତି ।

 

‘ଶେଷେର କବିତା’ (୧୯୨୯) ରବୀନ୍ଦ୍ରନାଥଙ୍କ ଅନ୍ୟତମ ଚମତ୍କାର ପ୍ରଣୟ-ପ୍ରଧାନ ଉପନ୍ୟାସ । ଉପରୋକ୍ତ ଉପନ୍ୟାସ ପରି ଏଥିରେ ମଧ୍ୟ ଅମିତ୍‌, ଲାବଣ୍ୟ ଓ କେଟି–ଏହି ତିନୋଟି ଚରିତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଉପନ୍ୟାସରେ ରବୀନ୍ଦ୍ରନାଥ ପ୍ରେମର ଚିରନ୍ତନ ରହସ୍ୟଟିକୁ ଉଦ୍‌ଘାଟନ କରିବାକୁ ଚେଷ୍ଟା କରିଛନ୍ତି । ଚରିତ୍ରମାନଙ୍କ ମାନସିକ ବିଶ୍ଲେଷଣରେ ଔପନ୍ୟାସିକଙ୍କର ସିଦ୍ଧହସ୍ତତା ପ୍ରତିପାଦିତ । ଲାବଣ୍ୟ ଓ ଅମିତ୍‌ର ପ୍ରେମ ମଧ୍ୟରେ ଏକ ଶାଶ୍ୱତ, ଅପାର୍ଥିବ ପ୍ରେମର ମହତ୍ତ୍ୱ ପ୍ରକାଶିତ । ସମାଜ ଉପରେ ଏପରି ପ୍ରେମର ଗଭୀର ପ୍ରଭାବ ରହିଥିବାର ଏବଂ ସେପରି ପ୍ରେମର ଆବଶ୍ୟକତାକୁ ଅନୁଭବ କରି ସୀତାଦେବୀ ଏହି ଉପନ୍ୟାସଟିକୁ ଅନୁବାଦ କରିଛନ୍ତି । ସୀତାଦେବୀ ଓ ବାଞ୍ଛାନିଧିବାବୁଙ୍କ ମଧ୍ୟରେ ରହିଥିବା ପ୍ରେମ ଏହି ସ୍ତରର । ସମସ୍ତ ପ୍ରତିକୂଳ ପ୍ରଭାବ ଏବଂ ବିରୋଧିତା ମଧ୍ୟରେ ସେମାନେ କେବେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇନାହାନ୍ତି କିମ୍ବା ସାମାନ୍ୟ ମାତ୍ର ସନ୍ଦେହର ବିଷ ସେମାନଙ୍କ ଜୀବନକୁ କେବେ ଆକ୍ରାନ୍ତ କରିନାହିଁ । ଜୀବନର ଶେଷ ପର୍ଯ୍ୟନ୍ତ ସେମାନେ ଥିଲେ ସତେ ଯେପରି ଗୋଟିଏ ବୀଜର ଦୁଇଟି ପତ୍ର । ଏହି ଦୃଷ୍ଟିରୁ ରବୀନ୍ଦ୍ରନାଥଙ୍କ ଅନେକ ଉପନ୍ୟାସ ମଧ୍ୟରୁ ‘ଘରେ ବାହିରେ’ ଏବଂ ‘ଶେଷେର କବିତା’ ଉପନ୍ୟାସଦ୍ୱୟ ପ୍ରତି ଅଧିକ ଆକୃଷ୍ଟ ହୋଇ ତା’ର ଅନୁବାଦ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

 

ଆଗରୁ ସୂଚନା ଦିଆଯାଇଛି ଯେ, ସୀତାଦେବୀ କୌଣସି ପ୍ରଲୋଭନ ବା ଆର୍ଥିକ ଲାଭ ଉଦ୍ଦେଶ୍ୟରେ ରବୀନ୍ଦ୍ରନାଥଙ୍କ ସୃଷ୍ଟିର ଅନୁବାଦ କରିନାହାନ୍ତି । ତାଙ୍କ ପ୍ରତି ରହିଥିବା ଗଭୀର ଶ୍ରଦ୍ଧା ଓ ସମ୍ମାନ ଯୋଗୁଁ ସେ ଏହାର ଅନୁବାଦ ପାଇଁ ଆଗ୍ରହୀ ହୋଇଛନ୍ତି । କବିଗୁରୁ ରବୀନ୍ଦ୍ରଙ୍କୁ ସେ ଈଶ୍ୱରଙ୍କ ପରି ଭକ୍ତି ପ୍ରଦର୍ଶନ କରୁଥିଲେ । ତାଙ୍କର ପ୍ରତିଟି ସୃଷ୍ଟି ସୀତାଦେବୀଙ୍କ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାରଣରୁ ନିଜର ଫଟୋଚିତ୍ରର ଗୋଟିଏ ପାର୍ଶ୍ୱରେ ବାଞ୍ଛାନିଧିବାବୁ ଓ ଅପରପାର୍ଶ୍ୱରେ ରବୀନ୍ଦ୍ରନାଥ ଶୋଭା ପାଉଥିଲେ । ଏକଥା ଅବଶ୍ୟ ସତ୍ୟ ଯେ, ସୀତାଦେବୀ ତାଙ୍କ ଅନୁବାଦରେ ବିଶେଷ କିଛି ଚମତ୍କାରିତା ଦେଖାଇପାରିନାହାନ୍ତି । ଅନେକତ୍ର ଏହି ଅନୁବାଦ ମୂଳ ଉପନ୍ୟାସର ଭାବକୁ ଅକ୍ଷତ ରଖିପାରିନାହିଁ । କେତେକ କ୍ଷେତ୍ରରେ ଅନୁବାଦ ସମ୍ପୂର୍ଣ୍ଣ ଆକ୍ଷରିକ ହୋଇଥିବାରୁ ପାଠକକୁ ଆକର୍ଷଣ କରିପାରେ ନାହିଁ । ରବୀନ୍ଦ୍ରନାଥଙ୍କ ଶବ୍ଦ ଚାତୁର୍ଯ୍ୟ, ଲାଳିତ୍ୟ ଓ ଭାବକୁ ସୀତାଦେବୀ ଅକ୍ଷୁର୍ଣ୍ଣ ରଖିପାରି ନାହାନ୍ତି । ଅବଶ୍ୟ ସୀତାଦେବୀ ନିଜର ଅସମର୍ଥତା ପ୍ରକାଶ କରି ତାଙ୍କ ଉଦାର ମନୋବୃତ୍ତିର ପରିଚୟ ଦେଇଛନ୍ତି । ଏହା ସତ୍ତ୍ୱେ ଏହି ଅନୁବାଦ ଉପନ୍ୟାସଦ୍ୱୟର ଗୁରୁତ୍ୱ ନିଶ୍ଚିତ ଭାବରେ ସ୍ୱୀକାର୍ଯ୍ୟ ।

 

ସୀତାଦେବୀଙ୍କ ଉପନ୍ୟାସର କଳାତ୍ମକ ଦିଗ

 

ସୀତାଦେବୀ କୌଣସି ବାଧ୍ୟବାଧକତାରେ ସୃଜନଶୀଳ କର୍ମରେ ହାତ ଦେଇନଥିଲେ । ଏହା ଥିଲା ତାଙ୍କ ହୃଦୟର ପ୍ରେରଣା । ଅବଶ୍ୟ ଏ କ୍ଷେତ୍ରରେ ସ୍ୱାମୀ ବାଞ୍ଛାନିଧିବାବୁଙ୍କର ବଡ଼ ସହଯୋଗ ରହିଛି । ମାତ୍ର ସୀତାଦେବୀଙ୍କ ପ୍ରତିଭା ଥିଲା ଦୈବୀପ୍ରଦତ୍ତ । ନଚେତ୍‌ ଯେଉଁ ନାରୀଟିଏ ଆନୁଷ୍ଠାନିକ ଶିକ୍ଷା ପାଇବାର କୌଣସି ସୁଯୋଗ ପାଇନାହାନ୍ତି, ନିଜ ଅଧ୍ୟବସାୟରେ କବିତା, ନାଟକ ଗଳ୍ପ, ଉପନ୍ୟାସ ଆଦି ରଚନା କରିବା ଆଦୌ ସମ୍ଭବ ନୁହେଁ । ଏହି କାରଣରୁ ତାଙ୍କ ଚରିତ୍ରରେ ଅବାସ୍ତବତା କିମ୍ବା ଭାଷା ଶୈଳୀରେ କୃତ୍ରିମତା ଲକ୍ଷ୍ୟ କରାଯାଇନଥାଏ । ଏଠାରେ ସୀତାଦେବୀଙ୍କ ଉପନ୍ୟାସର କେତୋଟି ଦିଗ ସମ୍ପର୍କରେ ଆଲୋଚନା କରାଯାଇପାରେ–

 

ଭାଷା ଓ ଶୈଳୀ

 

ଭାବ ପ୍ରକାଶର ମୁଖ୍ୟ ମାଧ୍ୟମ ହେଉଛି ଭାଷା ଏବଂ ଶୈଳୀ ହେଉଛି ସ୍ରଷ୍ଟା ବ୍ୟକ୍ତିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତାଙ୍କ ଉପନ୍ୟାସରେ ବେଳେବେଳେ ଆଞ୍ଚଳିକ ଭାଷାର ପ୍ରୟୋଗ ହୋଇଥିଲେହେଁ କୌଣସି କ୍ଷେତ୍ରରେ ତାହା ଉପନ୍ୟାସର କ୍ଷତି ଘଟାଇନାହିଁ । ଚରିତ୍ର-ଉପଯୋଗୀ ଭାଷା ବ୍ୟବହାର କରି ସୀତାଦେବୀ ଭାଷାଗତ କୃତ୍ରିମତା ପରିହାର କରିଛନ୍ତି । ଗାଉଁଲୀ ନାରୀମାନଙ୍କ ମୁଖର ଭାଷାକୁ ସେ ଏଥିରେ ଚମତ୍କାର ଭାବରେ ପ୍ରକାଶ କରିପାରିଛନ୍ତି । କେତେକ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲୋକକଥିତ ଭାଷା ଚରିତ୍ରମାନଙ୍କୁ ଜୀବନ୍ତ କରିପାରିଛି ।

 

ଯେକୌଣସି ଉପନ୍ୟାସରେ ସ୍ରଷ୍ଟାର ଭାବ ହିଁ ଗୁରୁତ୍ୱପୂର୍ଣ୍ଣ । ସେ ତାଙ୍କର ଭାବକୁ ପ୍ରକାଶ କରିବା ପାଇଁ ସୃଷ୍ଟି କରିଥାନ୍ତି ଚରିତ୍ର ଓ ଚରିତ୍ରାନୁଯାୟୀ ଭାଷାର ବ୍ୟବହାର କରିଥାନ୍ତି, ଯେଉଁ ଭାଷା ମଧ୍ୟରେ ସ୍ରଷ୍ଟା ପରୋକ୍ଷରେ ଆତ୍ମପ୍ରକାଶ କରିଯାଇଥାଏ । ସୀତାଦେବୀ ଜାଣନ୍ତି କଠିନ ବା ତତ୍‌ସମ ଶବ୍ଦାବଳୀ ସାମାଜିକ ଉପନ୍ୟାସର ଭାବକୁ ସ୍ୱଚ୍ଛନ୍ଦରେ ପ୍ରକାଶ କରିବାରେ ଅସମର୍ଥ । ବିଭିନ୍ନ ସ୍ଥାନରେ ଛଟା, ଢଗଢମାଳି ଓ ପ୍ରବାଦ ପ୍ରବଚନର ବ୍ୟବହାର ଉପନ୍ୟାସଗୁଡ଼ିକର ସୌକୁମାର୍ଯ୍ୟ ବୃଦ୍ଧିରେ ସହାୟତା କରିପାରିଛି । ଗାଉଁଲୀ ନାରୀ ମୁଖର ଭାଷାକୁ କେତେ ସୁନ୍ଦର ଭାବରେ ସୀତାଦେବୀ ପ୍ରକାଶ କରିବାରେ ସମର୍ଥା, ତା’ର ଗୋଟିଏ ଉଦାହରଣ ଏଠାରେ ଦିଆଯାଇପାରେ । ‘ପୋଷ୍ୟପୁତ୍ର’ ଉପନ୍ୟାସରେ ଚିନ୍ତାମଣି ନିଜ ଝିଅ ଅନୁର ପୁଅ କୋକକୁ ଦତ୍ତପୁତ୍ର ଭାବରେ ଗ୍ରହଣ କରିଛନ୍ତି । ଅନୁ ଚାହୁଁଥିଲା ପିତାମାତାଙ୍କର ସମସ୍ତ ସମ୍ପତ୍ତି ନିଜ ପୁଅ ନାମରେ ଯେତେ ଶୀଘ୍ର କରିଦେବେ, ସେତେ ମଙ୍ଗଳ । ତେଣୁ ସେ ଅଭିମାନରେ ପୁଅ ନାମରେ ଏ ପର୍ଯ୍ୟନ୍ତ ସମ୍ପତ୍ତି କରାଯାଇନଥିବାରୁ ନିଜ ମା’କୁ କହନ୍ତି–‘‘କିସ ହବ । ନାଇଁ ମୋ ପିଲାକୁ ଆଣିଲୁ ଯଦି ତା’ ନାଁରେ ଲେଖି ଦୋଉନୁ ? ନଦୀରେ ସିଦ୍ଧ ମା’ କହୁଥିଲା, ସୁନାପଦରେ ଥିବା ଘର ଖଣ୍ଡିକ ତା’ ଜୋଇଁ କିଣିଲା ହଜାରେ ପାଁଶକୁ । ଭୂଇଁ ଖଣ୍ଡିକ ଜବାବ ହୋଇଯାଇଛି । ବାପା ତ ତାଙ୍କର ସେଆଡ଼ୁ ସେଆଡ଼ୁ ସବୁ ଖରଚ କରି ଦୋଉଚନ୍ତି, ମୋ ନାଁରେ ଅଛିଲୋ ଝିଅ, ମୋ ନାଁରେ ଅଛି ଲୋ ଝିଅ ବୋଲି ତୋର ତୁ କହି ହେଉଥା । ତମେ ତ ସବୁ ସାରିଦେବ, ମୋ ପିଲାକୁ କାହିଁକି ଆଣିଥିଲୁ ?’’ (ପୃ.–୧୨୬, ସୀତାଦେବୀ ଗ୍ରନ୍ଥାବଳୀ)

 

ସୀତାଦେବୀ ଯେଉଁଠାରେ ହାସ୍ୟରସ ସୃଷ୍ଟି କରିବାକୁ ଚାହିଁଛନ୍ତି, ସେଠାରେ ହାସ୍ୟ-ଅନୁକୂଳ ଚମତ୍କାର ଶବ୍ଦବିନ୍ୟାସ କରିବାରେ ତ୍ରୁଟି କରିନାହାନ୍ତି । କୋକର ବିଡ଼ିଖିଆ ଘଟଣାକୁ ନେଇ ଚମତ୍କାର ହାସ୍ୟରସ ସୃଷ୍ଟି ହୋଇଛି । ‘‘କୋକ ଆଉ ଗୋଟିଏ ବିଡ଼ି ଧରେଇ ଧୂଆଁ ଛାଡ଼ି କହିଲା, ‘‘ବୋଉ ଆସିଚି ତ ମୁଁ କ’ଣ କରିବି ?’’ ଚିନ୍ତାଦେବୀ ଆସ୍ତେ ଆସ୍ତେ ଭିତରକୁ ଯାଇ କହିଲେ, ‘‘ହଇରେ କୋକ, ଏ ଧୂଆଁଗୁଡ଼ାକ କେଣେ ଏତେ ଖାଉଛୁରେ ?’’ ଚିନ୍ତାଙ୍କ ବିନୟମିଶା କଥା ଶୁଣି ଦୂତୀକୃଷ୍ଣ ମୁରବୀ ଭଳିଆ କହିଲା, ‘‘ହଁ ହେ ଆଈ ! ମୁଁ ଏ ଟୋକାକୁ କେବେଠୁ କହିଲିଣି, ବିଡ଼ି ଖା’ନା ଦିହ ଶୁଖେଇ ଦେବ । ସିଗ୍ରେଟ ବୋଲି ଗୋଟେ ଜିନିଷ ମିଳୁଚି । ବାସ୍‌, ଆଉ ଜାଣିଲ କି ? ସେ ସିଗ୍ରେଟ ଖାଇଲେ ପାଠ ଯିମିତି ହବ, ବଳ ସିମିତି ହବ । ଖାଲି ହାଉଁ ହାଉଁ ଭୋକ ହବ ତ ।’’ ରାଜୀବ କହିଲା, ‘‘ଜାଣିଲ ଆଈ ! ମୁଁ ତ ବିଡ଼ି ଶଳାଗୁଡ଼ାକୁ କେବେ ଛୁଉଁନାଇଁ ! କୋକ କହୁଛି ମୋ ଆଈ ପଇସା ଦବନି ।’’ ଚିନ୍ତାଦେବୀ ହସିପକେଇ କହିଲେ, ‘‘ହଇରେ ଓଲା ! କୋଉ ଦିନ ତତେ ପଇସା ଦେଇ ନଥିଲି ?’’ (ପୃ.–୧୧୯, ସୀତାଦେବୀ ଗ୍ରନ୍ଥାବଳୀ)

 

‘ଅଗ୍ରଜ’ ଉପନ୍ୟାସରେ ଗଣନାଥ ନିକଟରୁ ଜଣେ ଜଣେ ନିଜର ସ୍ୱାର୍ଥ ହାସଲ କରି ଚାଲିଯାଇଛନ୍ତି । ପତ୍ନୀ ଶୈଳକୁ ସେ ଦୂରେଇଦେଇଛନ୍ତି । ଗଣନାଥ ଟୁର୍‌ରୁ ଫେରି ଦେଖନ୍ତି ଘର ଶୂନ୍ୟ । କେହି ନାହାନ୍ତି । ଟଙ୍କାପଇସା ଘରୁ ଅପହରଣ ହୋଇଯାଇଛି । ଗଣନାଥ ମାନସିକ ଦ୍ୱନ୍ଦକୁ ରୂପଦେବାକୁ ଯାଇ ଔପନ୍ୟାସିକା ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ସେଥିରେ ଦାର୍ଶନିକତା ସହିତ ମଣିଷର ମନସ୍ତତ୍ତ୍ୱର ଚମତ୍କାର ପରିପ୍ରକାଶ ଘଟିଛି । ଉଦାହରଣଟିଏ ଦେଖନ୍ତୁ–‘‘ସୃଷ୍ଟିରେ ପ୍ରତ୍ୟେକ କଥାଟି ନୟମାନୁବର୍ତ୍ତୀ ହୋଇ ଚାଲିଆସିଛି । ସଂସାରରେ ସୃଷ୍ଟି ମଧ୍ୟ ସେଇ ନିୟମ ବଳୟରେ ଆବଦ୍ଧ । ମନୁଷ୍ୟ କିଛି ନଜାଣି ନିଜ ଜୀବନରେ ଅନିୟମ ସୃଷ୍ଟି କଲେ, ସୀମା ଲଙ୍ଘନ କରି ସେ ନିୟମ ବଳୟ ଭିତରୁ ବିହର୍ଗତ ହୋଇ ଚାଲିଲେ, ସେଠୁ ତାକୁ ଆଉ ଗୋଟିଏ ବିସ୍ତୃତ କ୍ଷେତ୍ରର ସୀମା ପ୍ରସ୍ତୁତ କରିବାକୁ ପଡ଼େ । x x ଗଣନାଥ ଜୀବନଯାତ୍ରା ପଥର ସୀମା ଲଙ୍ଘନ କରି ସମ୍ମୁଖର ଲୌହ ପ୍ରାଚୀର ଆଡ଼କୁ ଦୃଷ୍ଟି ନଦେଇ ଦାରୁଣ ଆଘାତ ପାଇଛନ୍ତି । ବର୍ତ୍ତମାନ ତାଙ୍କର ଭାବିବା ସମୟ ଆସିଛି । ପ୍ରକୃତି ତାଙ୍କୁ ବାଧ୍ୟ କରି ଭାବିତ କରାଉଛି । ତୀବ୍ର ଅଭାବବୋଧ ଯେତେବେଳେ ମନୁଷ୍ୟ ମନରେ ଜାଗ୍ରତ ହୁଏ, ସେତେବେଳେ ସେ ଭାବନା କରେ ।’’ (ପୃ.–୨୮୬–୮୭ ସୀତାଦେବୀ ଗ୍ରନ୍ଥାବଳୀ) ଗଣନାଥଙ୍କ ଅଗ୍ରଜ ପ୍ରାଣନାଥ ଥିଲେ ଗାନ୍ଧିବାଦୀ । ଗାନ୍ଧିବାଦର ଆଦର୍ଶରେ କେବଳ ନିଜକୁ ଗଢ଼ିନଥିଲେ, ସେହି ଆଦର୍ଶକୁ ଜୀବନସାରା ପାଳନ କରିବାକୁ ଶପଥ ନେଇଥିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ଆଦର୍ଶର ଅବକ୍ଷୟ ଦେଖି ସେ ବ୍ୟଥା ପାଇଛନ୍ତି । ଗାନ୍ଧିଜୀଙ୍କର ଆଦର୍ଶ ଓ ସାଂପ୍ରତିକ ସମାଜର ଅବକ୍ଷୟ ତାଙ୍କ ଚିନ୍ତାଧାରାରେ କିପରି ରୂପ ପାଇଛି, ତା’ର ଏକ ଉଦାହରଣ ଏଠାରେ ଦିଆଯାଇପାରେ–ପ୍ରାଣନାଥଙ୍କ ବକ୍ଷଭେଦ କରି ବହିଗଲା ଗୋଟାଏ ଦୀର୍ଘଶ୍ୱାସ । ସେ ସ୍ୱଗତୋକ୍ତି କଲାପରି କହିଲେ, ମହାତ୍ମାଜୀ ତପସ୍ୟା କରି, ତ୍ୟାଗ ବ୍ରତ ପାଳି ଭାରତ ସ୍ୱାଧୀନ କରିଥିଲେ । ଭାରତର ସ୍ୱାଧୀନତା ସମର ନାଟକ ଆରମ୍ଭ ହୋଇଥିଲା ତପସ୍ୱୀଙ୍କ ଅହିଂସା ମନ୍ତ୍ର ପଠନରେ, ସେ ନାଟକର ପଞ୍ଚମ ଅଙ୍କ ଶେଷ ହେବ ଧନ-ଦାନବର ମଦିରୋନ୍ମତ୍ତ ନୃତ୍ୟରେ । (ପୃ. ୨୨୭, ସୀତାଦେବୀ ଗ୍ରନ୍ଥାବଳୀ) ‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସରେ ଦାର୍ଶନିକ ଭାବ ବ୍ୟକ୍ତବେଳେ ସେହି ଭାବର ଉପଯୁକ୍ତ ଶବ୍ଦ ବ୍ୟବହାର କରି ସୀତାଦେବୀ କିପରି ତାହାକୁ ଶକ୍ତିଶାଳୀ କରିପାରିଛନ୍ତି ତାର ସୂଚନା ଏଠାରେ ଦିଆଯାଇପାରେ–ସ୍ୱର୍ଣ୍ଣକୁ ଶୁକ ବୁଝାଇ ଲେଖିଛି ‘‘ଆମେ କେହିତ ମୂର୍ତ୍ତିପୂଜାର ବିରୋଧୀ ନୋହୁଁ । କେଉଁ ଅନନ୍ତ କାଳରୁ ଏହି ପୂଜାର ବିଭୂତି ଅବଶ୍ୟ ପରିଲକ୍ଷିତ । ଏହାରି ମାଧ୍ୟମରେ ମନୁଷ୍ୟ ବିରାଟ ପରଂବ୍ରହ୍ମଙ୍କର ବାସ୍ତବ ସତ୍ତାଟିକୁ ହୃଦୟ ମନ୍ଦିରରେ ସ୍ଥାପନ କରିବାର ସୁଯୋଗ ପାଏ । କ୍ରମେ ସେଇ ସାକାର ଭାବନାର ବଳିଷ୍ଠ ସତ୍ତା ତା’ ଅନ୍ତରରେ ନିରାକାର ନିରଞ୍ଜନଙ୍କର ମହନୀୟ ସତ୍ତାକୁ, ଆକୀଟବ୍ରହ୍ମ ବିଶ୍ୱବ୍ୟାପୀ ହିରଣ୍ମୟ ବିଭୁଙ୍କର ବାସ୍ତବ ଉପଲବ୍‌ଧିକୁ ପରିବେଷଣ କରିବାରେ ସକ୍ଷମ ହୁଏ । ରୋଗରୁ ହିଁ ଯୋଗ ସାଧନାର ଆକାଂକ୍ଷା, ସଗୁଣରୁ ହିଁ ନିର୍ଗୁଣ ଭାବନାର ଜାଗ୍ରତ ହୁଏ । ଅତଏବ ଆମେ ସମସ୍ତେ, ଅର୍ଥାତ୍‌ ଚିନ୍ତାଶୀଳ ବ୍ୟକ୍ତିମାତ୍ରେ ହିଁ ମୂର୍ତ୍ତିପୂଜାର ମର୍ମ ଅନୁଭବ ଏବଂ ସମର୍ଥନ କରୁ ।’’

 

ଏତଦ୍‌ବ୍ୟତୀତ ବିଭିନ୍ନ ଢଗ-ଢମାଳୀ, ପ୍ରବାଦ–ପ୍ରବଚନ ଓ ଲୋକଭାଷାର ପ୍ରୟୋଗଦ୍ୱାରା ସୀତାଦେବୀଙ୍କ ଉପନ୍ୟାସର ମହତ୍ତ୍ଵ ବୃଦ୍ଧି ପାଇଛି । ଏହାଦ୍ଵାରା ଭାବର ସ୍ୱଚ୍ଛନ୍ଦ ପରିପ୍ରକାଶ ସହିତ ପ୍ରସଙ୍ଗର ଗୁରୁତ୍ୱ ବୃଦ୍ଧି ପାଇଛି । ଯଥା–‘‘ଭାତ ଫିଙ୍ଗିଲେ କାଉର ଅଭାବ ହେବ ନାହିଁ, ଘୋଟଣା ଭାତ, ଆପଣା କୋଡ଼ିଆ , ହାତରେ ନଥାଏ ଧନ ପୁଅ ବାହାଘର ମନ, ନେଇ ଆଣିଲେ ଚୋରୀ ବିଦ୍ୟା ଭଲ, ମାଗି ଆଣିବା ତିଅଣ ସୋଡ଼କାଏ, ବିନାଶ କାଳେ ବିପରୀତ ବୁଦ୍ଧି; ପୁଣି ଭାଗବତ ବାଣୀ–ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ, ଏ ମନ ଭାବୁ ଥାଇ ଯାହା କାଳେ ପ୍ରାପତ ହୁଏ ତାହା, ବିଶ୍ୱାସ ବିନା କଥା ଯେତେ ଫଳ ନଫଳେ କଦାଚିତେ ।’’ ଉପରୋକ୍ତ ଉଦାହରଣମାନଙ୍କରୁ ସୀତାଦେବୀଙ୍କ ଭାଷାର ସୁନ୍ଦର ପ୍ରୟୋଗ ତାଙ୍କ ଉପନ୍ୟାସଗୁଡ଼ିକର ମହତ୍ତ୍ୱ ବୃଦ୍ଧିରେ ସହାୟକ ହୋଇପାରିଛି ।

 

ସୀତାଦେବୀଙ୍କ ଉପନ୍ୟାସର ରଚନାଶୈଳୀ ସ୍ୱାଭାବିକ ଓ ପ୍ରାକୃତିକ । ସେ ନିଜର ସାଧନାଦ୍ୱାରା ଏପରି ରଚନା ଶୈଳୀର ଅଧିକାରିଣୀ ହୋଇପାରିଥିଲେ । ସୀତାଦେବୀ ସର୍ବଦା ତାଙ୍କ ଉପନ୍ୟାସରେ ବର୍ଣ୍ଣନାତ୍ମକ ଶୈଳୀକୁ ଗ୍ରହଣ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ବର୍ଣ୍ଣନା ମାଧ୍ୟମରେ ପାଠକକୁ ଉପନ୍ୟାସ-ବର୍ଣ୍ଣିତ ଘଟଣା ସହିତ ସମ୍ପୂର୍ଣ୍ଣ ଭାବରେ ପରିଚିତ କରାଇବା । ତାଙ୍କ ବର୍ଣ୍ଣନାରେ ସର୍ବଦା ସ୍ୱାଭାବିକତା ପରିଲକ୍ଷିତ ହୋଇଥାଏ । ଫକୀରମୋହନ ଯେପରି ଗାଁ ପୋଖରୀର ଗାଧୁଆ ତୁଠକୁ ଗାଁର ପାର୍ଲିଆମେଣ୍ଟ ବୋଲି କହିଛନ୍ତି ଏବଂ ଗ୍ରାମର ସବୁ ଖବର ସ୍ତ୍ରୀମାନଙ୍କଠାରୁ ମିଳିଥାଏ ବୋଲି ବାସ୍ତବ ବ୍ୟଙ୍ଗୋକ୍ତି କରିଥାନ୍ତି, ସୀତାଦେବୀ ଅନୁରୂପ ଗାଧୁଆ ତୁଠରୁ ନାରୀମାନଙ୍କ ମାଧ୍ୟମରେ ଗ୍ରାମର ଖବର କିପରି ପ୍ରଚାରିତ ହୋଇଥାଏ, ତାର ଉଦାହରଣ ଦେଇ ଏହାର ବାସ୍ତବତା ସମ୍ବନ୍ଧରେ ଆଲୋକପାତ କରିଛନ୍ତି । ଗୋଟିଏ ଉଦାହରଣ ଦେଲେ ଏହା ସ୍ପଷ୍ଟ ହୋଇପାରିବ । ‘ପୋଷ୍ୟପୁତ୍ର’ ଉପନ୍ୟାସରେ ନାରୀମାନଙ୍କର ଗାଧୁଆ ତୁଠରେ ଚାଲିଛି ଆଲୋଚନା–‘‘ଗାଧୁଆ ତୋଠରେ, ତୁଳସୀ ମା’ ଘଷାଘଷି ହେଉ ହେଉ ରାଧି ବୋଉକୁ କହିଲା, ହଇ ହେ ବଉଳ, ବଉଳ, ଦାସିଆଣୀର ନାତି ମୋଟର ବେପାର କରୁଥିଲା । ମଦ ଖାଇ କୋଠେ କାହାକୁ ରଖି, ନାନା ଅନୀତି କରି ସବୁ ଟଙ୍କା ଉଡ଼େଇ ବୁଡ଼େଇ ଦେଇ, ପଳେଇଆସିଲା ବୋଲି ନିତେଇ ମା’ କାଲି କହୁଥିଲା ଯେ, ସତ କି ମିଛ କେଜାଣି ? ନିମବୋଉ ସେ ପାଖରେ ଦାନ୍ତ ଘଷୁଥିଲା । ସେ ଚଞ୍ଚଳ ଜିଭଟାକୁ ଛେଲି ପକେଇ, ରାଧାବୋଉ ଜବାବ ଦେବା ଆଗରୁ କହିଲା, କେଜାଣି ତା ନନା କହୁଥିଲେ । ବୁଢ଼ାଟାକୁ ଯୋଉ ହୀନକରି ଘରେ ରଖିଚି । ନାତିଟା ନାଁରେ ସବୁ ଲେଖିଦେଲାଣି । ରାଧିବୋଉ ଟିକିଏ ନିରୀହ । ସେ ପଣତ ବୁଲେଇ ଆଣି ଖୋଲାପିଠି ଘଷୁ ଘଷୁ କହିଲା, ନାହିଁ ଲୋ ମା, କାହା ଘରେ କିଏ କାହା ପୁଅ ପତି ପାଖରେ କିମିତି ବେଭାର କରୁଚି । ଆମର ସେ କଥା ଉପରେ ଦୋହରେଇ ଦେବାକୁ କି ଦରକାର ଅଛି ।’’ (ପୃ. ୧୩୯, ସୀତାଦେବୀ ଗ୍ରନ୍ଥାବଳୀ)

 

‘ଅଗ୍ରଜ’ ଉପନ୍ୟାସରେ ପ୍ରାଣନାଥ ସ୍ୱାଧୀନତା-ପରବର୍ତ୍ତୀ ଭାରତର କୁଟିଳ ଓ ଅନୈତିକ ରାଜନୀତିରୁ ନିଜକୁ ଦୂରେଇ ଆଣି ଗ୍ରାମରେ ସାହିତ୍ୟ ସାଧନାରେ ବ୍ୟସ୍ତ । ଚୈତ୍ର ସନ୍ଧ୍ୟାର ଦୃଶ୍ୟଟି ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ଏହି ବର୍ଣ୍ଣନାଟି ଦେବା ସମୟରେ ସୀତାଦେବୀ କିପରି କବିତ୍ୱପୂର୍ଣ୍ଣ ବର୍ଣ୍ଣନାଶୈଳୀକୁ ଗ୍ରହଣ କରିଛନ୍ତି, ଦେଖନ୍ତୁ–‘‘ଚୈତ୍ର ଶୁକ୍ଳ ଦଶମୀର ଚନ୍ଦ୍ର ମାଆ କୋଳର ଶିଶୁପୁତ୍ର ପରି କଳହାସ୍ୟ କରି କରି ଉପରକୁ ଉଠିଆସୁଛି । ଚୈତ୍ର ସନ୍ଧ୍ୟାର ବ୍ୟାକୁଳ ପବନ ବହି ଆସୁଛି ଦୂର ପ୍ରାନ୍ତରୁ । ପ୍ରାଣନାଥଙ୍କ ମନେହେଲା ଧରା ବକ୍ଷରୁ ଧ୍ୱନିତ ହୋଇଉଠୁଛି ସେଇ ସୃଷ୍ଟି ଆଦ୍ୟର ସଙ୍ଗୀତ, ଯେଉଁ ସ୍ୱରରେ ଶତ ଶତ କବି ମୁଗ୍‌ଧ ହୋଇ କାନଡେରି ଶୁଣି ଶୁଣି ପୁଣି ଶୁଣାଇ ଆସିଛନ୍ତି ଜଗତବାସୀଙ୍କୁ । ବାଲ୍ମୀକିଙ୍କ ବ୍ୟାକୁଳ ଉକ୍ତି ବାରବାର କରି ନିତ୍ୟ ନବୀନ ସ୍ୱରରେ ଗାଇଯାଉଛି ଏହି ମାଟିର ମନୁଷ୍ୟ । ପ୍ରାଣନାଥ ଭାବିଲେ, ଏଇତ ମୁହୂର୍ତ୍ତକ ଆଗରେ ଶୁଣିଲା ପରି ଲାଗୁଛି, ଭକ୍ତକବି ଜଗନ୍ନାଥ ଦାସ ବୃନ୍ଦାବନର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ପ୍ରେମ ପ୍ରବଣ ହୋଇଉଠିଥିଲେ ।’’ (ପୃ.୧୮୬, ସୀତାଦେବୀ ଗ୍ରନ୍ଥାବଳୀ)

 

ସୀତାଦେବୀଙ୍କ ରଚନାଶୈଳୀର ଅନ୍ୟତମ ବିଶେଷତ୍ୱ ହେଉଛି ସଙ୍ଗୀତର ବହୁଳ ବ୍ୟବହାର । ଉପନ୍ୟାସକୁ ଆକର୍ଷଣୀୟ ଓ କବିତ୍ୱପୂର୍ଣ୍ଣ କରିବା ପାଇଁ ପ୍ରାସଙ୍ଗିକ ଭାବରେ ସେ ଅନେକ ସଙ୍ଗୀତ ରଚନା କରିଯାଇଛନ୍ତି । ନିଜେ ଜଣେ କବି ଥିବାରୁ ସଙ୍ଗୀତର ପ୍ରଲୋଭନରୁ ନିଜକୁ ଦୂରେଇ ନେଇପାରିନାହାନ୍ତି । ‘ଅଗ୍ରଜ’ରେ ୩ଟି କବିତା ଓ ‘ପ୍ରତ୍ୟାବର୍ତ୍ତନ’ରେ ପ୍ରାୟ ଛୋଟ ବଡ଼ ୨୧ଟି କବିତା ସ୍ଥାନ ପାଇଛି । ଉପନ୍ୟାସର କଥାବସ୍ତୁ ସହିତ ଏହି କବିତାଗୁଡ଼ିକର ନିଗୂଢ଼ ସମ୍ବନ୍ଧ ବିଦ୍ୟମାନ । ସୀତାଦେବୀ ତାଙ୍କ ଉପନ୍ୟାସକୁ ନାଟକୀୟତା ପ୍ରଦାନ କରିବାକୁ ଯାଇ ବହୁ ସଂଳାପର ବ୍ୟବହାର କରିଛନ୍ତି । ଏଣୁ ସଂଳାପଧର୍ମିତାକୁ ସୀତାଦେବୀଙ୍କ ରଚନାଶୈଳୀର ଅନ୍ୟତମ ବିଶେଷତ୍ୱରୂପେ ଗ୍ରହଣ କରାଯାଇପାରେ । ନାଟକ ରଚନା ପ୍ରତି ବୋଧହୁଏ ଅତ୍ୟଧିକ ମୋହ ଯୋଗୁଁ ଏପରି ସଂଳାପ ବାହୁଲ୍ୟ ତାଙ୍କ ଉପନ୍ୟାସରେ ପରିଲକ୍ଷିତ ହୋଇଥାଏ । ଅବଶ୍ୟ ପାଠକର ଉତ୍କଣ୍ଠା ସୃଷ୍ଟି କରିବା କ୍ଷେତ୍ରରେ ଏହାର ଅବଦାନକୁ ଅସ୍ୱୀକାର କରାଯାଇନପାରେ ।

 

ଚାରିତ୍ରିକ ବିଶେଷତ୍ୱ

 

ଯେକୌଣସି ଉପନ୍ୟାସର ଚରିତ୍ର ଏକ ବିଶେଷ ବିଭବ । ଏହି ଚରିତ୍ରମାନଙ୍କ ମାଧ୍ୟମରେ ଉପନ୍ୟାସର କଥାବସ୍ତୁ ଗତିଶୀଳ ହୋଇଥାଏ । ଏଣୁ ଚରିତ୍ରମାନଙ୍କର ଉପଯୁକ୍ତ ଚାରିତ୍ରିକ ବିକାଶ ହୋଇନପାରିଲେ ଉପନ୍ୟାସଟିଏ ସଫଳ ହେବା ସମ୍ଭବ ନୁହେଁ । ସୀତାଦେବୀଙ୍କ ଉପନ୍ୟାସରେ ବହୁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି । ଉଭୟ ଗତିଶୀଳ ଓ ସ୍ଥିତିଶୀଳ ଚରିତ୍ରମାନଙ୍କର ଚିତ୍ରଶାଳା ହୋଇଛି ତାଙ୍କର ଉପନ୍ୟାସଗୁଡ଼ିକ । ଅଧିକାଂଶ ଚରିତ୍ର ସହିତ ସୀତାଦେବୀଙ୍କର ବାସ୍ତବ ଜୀବନରେ ପରିଚୟ ରହିଛି । ତାଙ୍କ ଚାରିପାଖରେ ଯେଉଁ ବିଚିତ୍ର ଚରିତ୍ରମାନେ ଘୂରି ବୁଲିଥାନ୍ତି, ସେହିମାନଙ୍କୁ ସେ ସ୍ଥାନ ଦେଇଛନ୍ତି ତାଙ୍କ କଥା ସାହିତ୍ୟରେ । ଏଣୁ କୌଣସି ଚରିତ୍ର ଅବାସ୍ତବ ବା କାଳ୍ପନିକ ଜଣାପଡ଼ିନଥାନ୍ତି । ଏହି ଚରିତ୍ରମାନଙ୍କ ମଧ୍ୟରେ ଅଛନ୍ତି ସାଧୁ, ଦେବପ୍ରତିମ, ଖଳ, ଗୃହିଣୀ, ବାରାଙ୍ଗନା, ପତିବ୍ରତା, ସଧବା, ବିଧବା, ଆଦର୍ଶବାନ, ଦେଶସେବୀ, କଳାକାର, ରାଜନୀତିକ ବ୍ୟକ୍ତିବିଶେଷ, ଦଲାଲ, ବ୍ୟବସାୟୀ, ଏମିତି ଅନେକ କିଛି । ସୀତାଦେବୀ ଉଭୟ ମୁଖ୍ୟ ଓ ଗୌଣ– କୌଣସି ଚରିତ୍ରକୁ ଅବହେଳା କରିନାହାନ୍ତି । ଯଥାସାଧ୍ୟ ଚେଷ୍ଟା କରିଛନ୍ତି ସେମାନଙ୍କ ଚାରିତ୍ରିକ ମହତ୍ତ୍ୱ ପ୍ରକାଶ ପାଇଁ । କୌଣସି ଚରିତ୍ର କୃତ୍ରିମ ଜଣାପଡ଼ନ୍ତି ନାହିଁ । ଆମର ଦୈନନ୍ଦିନ ଜୀବନରେ ଆମେ ଏହି ଚରିତ୍ରମାନଙ୍କୁ ବାରମ୍ବାର ଭେଟୁ, ସେମାନଙ୍କ ସହିତ ଆଳାପ କରୁ ।

 

ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସାଧୁ ଓ ଖଳ ଚରିତ୍ର ନିର୍ବିଶେଷରେ ସୀତାଦେବୀଙ୍କର ପ୍ରତ୍ୟେକ ଚରିତ୍ର ପ୍ରତି ସମ୍ବେଦନା ରହିଛି । ନଚେତ୍‌ ଏହି ଚରିତ୍ରଗୁଡ଼ିକ ଏପରି ବାସ୍ତବ ଓ ସଜୀବ ମନେହୋଇନଥାନ୍ତେ । ପୁଣି ଅଧିକାଂଶ ଚରିତ୍ର ମଧ୍ୟରେ ସୀତାଦେବୀଙ୍କର ବହୁ ସମ୍ପର୍କୀୟ ଓ କେତେକରେ ତାଙ୍କ ନିଜର ଆବିର୍ଭାବ ଘଟିଥିବାର ଦେଖିବାକୁ ମିଳେ । ପ୍ରତ୍ୟାବର୍ତ୍ତନ ଉପନ୍ୟାସର ଅଧିକାଂଶ ଚରିତ୍ରକୁ ପାଠକ ଦେଖିବାକୁ ପାଇଥାଏ ତାଙ୍କ ଆତ୍ମଜୀବନୀରେ । ପ୍ରତ୍ୟାବର୍ତ୍ତନର ମୁଖ୍ୟ ଚରିତ୍ର ସ୍ୱର୍ଣ୍ଣ ସୀତାଦେବୀଙ୍କ ବ୍ୟତୀତ ଅନ୍ୟ କେହି ହୋଇନପାରନ୍ତି । ସେହିପରି ସ୍ୱର୍ଣ୍ଣଙ୍କ ସ୍ୱାମୀ ପରମାନନ୍ଦ ବାଞ୍ଛାନିଧିଙ୍କର ଅବିକଳ ପ୍ରତିମୂର୍ତ୍ତି, ସ୍ୱର୍ଣ୍ଣଙ୍କ ଆଈ ଅରୁନ୍ଧତୀ, ସୀତାଦେବୀଙ୍କ ପିଉସୀଙ୍କର ଅବିକଳ ରୂପ । ସ୍ୱର୍ଣ୍ଣଙ୍କ ଜୀବନରେ ତାଙ୍କ ଆଈଙ୍କର ଭୂମିକା ଯାହା, ସୀତାଦେବୀଙ୍କ କ୍ଷେତ୍ରରେ ତାଙ୍କ ପିଉସୀଙ୍କର ଭୂମିକା ଠିକ୍‌ ସେଇଆ । ଏହି ଉପନ୍ୟାସର ଯେଉଁ ଚରିତ୍ରଗଣ ସ୍ୱର୍ଣ୍ଣଙ୍କର ନାଟ୍ୟ ପ୍ରତିଭାକୁ ବ୍ୟଙ୍ଗୋକ୍ତି କରିଛନ୍ତି, ସେହି ଚରିତ୍ରଗୁଡ଼ିକ ହେଉଛନ୍ତି ବାସ୍ତବ ଜୀବନରେ ସୀତାଦେବୀଙ୍କୁ ସମାଲୋଚନା କରିଥିବା ତାଙ୍କ ଆଖପାଖର ଚରିତ୍ର । ତାଙ୍କ ଆତ୍ମଜୀବନୀରେ ଏହି ଚରିତ୍ରମାନଙ୍କ ସମ୍ପର୍କରେ ରହିଛି ରୋଚକ ବର୍ଣ୍ଣନା ।

 

‘ପୋଷ୍ୟପୁତ୍ର’ର ବୀର ବାରିକ ଗୌଣ ଚରିତ୍ର ହୋଇଥିଲେହେଁ ଉପନ୍ୟାସର ଗତି ପରିବର୍ତ୍ତନରେ ଏହାର ଭୂମିକା କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଦତ୍ତପୁତ୍ର କରିଥିବା କୋକର ଅମାନୁଷିକ ଆକ୍ରମଣରୁ ସେହିଁ ଚିନ୍ତାଦେବୀଙ୍କୁ ରକ୍ଷା କରିଛି । ଅନୁ ତାଙ୍କର କନ୍ୟା ହେଲେହେଁ ସ୍ୱାର୍ଥପର । ପିତାମାତାଙ୍କ ପ୍ରତି ସାମାନ୍ୟ ଅନୁରାଗ ନାହିଁ । ଗୋପାଳବାବୁ ସଚ୍ଚରିତ୍ର, ଆଦର୍ଶବାଦୀ ବ୍ୟକ୍ତିତ୍ୱ, ସର୍ଜନଶୀଳ ପ୍ରତିଭାର ଅଧିକାରୀ ଏବଂ ସାହାଯ୍ୟ ପ୍ରିୟ । କୋକ ଚରିତ୍ର ମଧ୍ୟରେ ଆମ ସମାଜର ଯେକୌଣସି ଫାଡ଼ା, ଚରିତ୍ରହୀନକୁ ଲକ୍ଷ୍ୟ କରାଯାଇପାରେ । ତା’ର ବନ୍ଧୁମାନେ ମଧ୍ୟ ସେହି ପର୍ଯ୍ୟାୟର ଚରିତ୍ର । ପୋଷ୍ୟପୁତ୍ରର କାର୍ତ୍ତିକ, ପ୍ରତ୍ୟାବର୍ତ୍ତନର ବିଶୁ ଚାକର ହେଲେହେଁ ମହତ୍ତର ଗୁଣର ଅଧିକାରୀ । ନିଜ ମାଲିକମାନଙ୍କ ପାଇଁ ଏମାନେ ଯେକୌଣସି କାର୍ଯ୍ୟ କରିପାରନ୍ତି, ସେମାନଙ୍କ ସୁଖ ଓ ଆନନ୍ଦ ପାଇଁ ସର୍ବଦା ଧ୍ୟାନଶୀଳ । ଅଗ୍ରଜ ଉପନ୍ୟାସର ପ୍ରାଣନାଥ ଜଣେ ଆଦର୍ଶ ଗାନ୍ଧିବାଦୀ ଚରିତ୍ର । ଅନ୍ୟର ସେବା ପାଇଁ ଉତ୍ସର୍ଗୀକୃତ । ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ଭାଗନେଇ କାରାଗାର ବରଣ କରିଛନ୍ତି । ରାଜନୀତିରେ କଳୁଷତା ଅନୁଭବ କରି ନିଜକୁ ସେଥିରୁ ଦୂରେଇନେଇଛନ୍ତି । ମାତ୍ର ତାଙ୍କର ଅନୁଜ ଗଣନାଥ ପଥଭ୍ରଷ୍ଟ ହୋଇଛି । ଦେଶସେବା ପରିବର୍ତ୍ତେ ଆତ୍ମସେବା ପାଇଁ ଲାଳାୟିତ ହୋଇଛି । ଚରିତ୍ରଗତ ଦୁର୍ବଳତା ଅନେକ । ଗୋବର୍ଦ୍ଧନ ସ୍ୱାର୍ଥପର ବ୍ୟବସାୟୀ । ବିଦ୍ୟାଧର, ଗୋବର୍ଦ୍ଧନ, ଯଦୁନାଥ ଆଦି ସ୍ୱାର୍ଥପର, ଧନପିପାସୁ ଚରିତ୍ର । ନିଜ ସ୍ୱାର୍ଥ ପାଇଁ ଏମାନେ ଅନେକ କିଛି କରିପାରନ୍ତି ।

 

ନାରୀ ଚରିତ୍ର ଭାବରେ ସ୍ୱର୍ଣ୍ଣ, ଅରୁନ୍ଧତୀ, ଅପର୍ଣ୍ଣା ଆଦି ଆଦର୍ଶ ଓ ଶ୍ରଦ୍ଧାଶୀଳ ଚରିତ୍ର । ମାତ୍ର ତାରିଣୀ, କୁସୁମ ମା’, କନକ, ସୁଭାଷୀ, ଅନସୂୟା, ଚିନ୍ତାଦେବୀ ଆଦି ଚରିତ୍ରଗଣ ବିପରୀତ ଧର୍ମୀ । ସମାଜର ଗୋଟିଏ ଗୋଟିଏ କଳଙ୍କ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ବ୍ୟତୀତ ଅନ୍ୟ କିଛି ଦେଖିପାରନ୍ତି ନାହିଁ । ଅବଶ୍ୟ ଏମାନଙ୍କ ମଧ୍ୟରୁ ଅନେକ ଶେଷ ବେଳକୁ ନିଜର ଭୁଲ୍‌ ବୁଝିପାରି ଅନୁତପ୍ତା ହୋଇଛନ୍ତି ।

 

ସୀତାଦେବୀ ବିଭିନ୍ନ ରୂପ, ଭେକ ଓ ଗୁଣର ଚରିତ୍ରମାନଙ୍କୁ ସମାବେଶ କରାଇଛନ୍ତି । ଗୌଣ ଚରିତ୍ରମାନଙ୍କୁ ମଧ୍ୟ ସେମାନଙ୍କର ବିଶେଷତ୍ୱ ପ୍ରତିପାଦନ ନିମିତ୍ତ ସୁଯୋଗ ଦିଆଯାଇଛି । ପାଠକମାନଙ୍କ ସହିତ ସେମାନେ ଚମତ୍କାର ଯୋଗସୂତ୍ର ରକ୍ଷା କରିଥାନ୍ତି । ବାସ୍ତବ ଜୀବନ ଓ ବାସ୍ତବ ମଣିଷ ସହିତ ପରିଚୟ କରାଇଦେବାର ସୁଯୋଗ ସୃଷ୍ଟି କରନ୍ତି । ସୀତାଦେବୀଙ୍କ ଉପନ୍ୟାସରେ ପୁରୁଷ ଚରିତ୍ରମାନଙ୍କ ଅପେକ୍ଷା ନାରୀ ଚରିତ୍ରମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହୋଇଥାଏ । ସେ ଯାହା ହେଉନା କାହିଁକି ସୀତାଦେବୀ ତାଙ୍କ ଉପନ୍ୟାସର ଚରିତ୍ରମାନଙ୍କ ଚାରିତ୍ରିକ ବିକାଶ ପ୍ରତି ବିଶେଷ ଧ୍ୟାନଦେଇ ସେମାନଙ୍କୁ ଜୀବନ୍ତ କରିପାରିଛନ୍ତି । ସେହି କାରଣରୁ ତାଙ୍କ ଚରିତ୍ର ଗୁଡ଼ିକ ପାଠକମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନରେ ସମର୍ଥ ହୋଇଛନ୍ତି ।

 

ସାମାଜିକତାର ସ୍ୱରୂପ

 

ସୀତାଦେବୀ ଥିଲେ ଜଣେ ସମାଜସଚେତନ ଶିଳ୍ପୀ । ସାମାଜିକ ସ୍ରୋତ ସହିତ ସେ ନିଜକୁ ଏକାକାର କରାଇଦେଇଥିଲେ । ସମସାମୟିକ ସମାଜର ଅନ୍ଧ ବିଚାର, ବିଚାରବୋଧ, ରାଜନୀତିକ ଘଟଣାବଳୀ, ଲୋକବିଶ୍ୱାସ ଆଦିକୁ ପରୋକ୍ଷରେ ଚମତ୍କାରଭାବେ ପ୍ରଦର୍ଶନ କରିଛନ୍ତି ତାଙ୍କ ସୃଷ୍ଟିସମୂହରେ । ତାଙ୍କର ବ୍ୟାପକ ଅନୁଭୂତି, ବିଭିନ୍ନ କ୍ଷେତ୍ରରେ ସମାଜଜୀବନ ସହିତ ନିବିଡ଼ ସମ୍ପୃକ୍ତି ତାଙ୍କୁ ଜଣେ ସମାଜସଚେତନ ଶିଳ୍ପୀରେ ପରିଣତ କରିଛି । କବିତା, ଗଳ୍ପ ଓ ନାଟକ ଅପେକ୍ଷା ଉପନ୍ୟାସର ବିସ୍ତୃତି ଅଧିକ। ସେହି କାରଣରୁ ସୀତାଦେବୀ ସମାଜସମ୍ପର୍କୀୟ ତାଙ୍କର ଦୃଷ୍ଟିଭଙ୍ଗୀକୁ ଉପନ୍ୟାସରେ ପ୍ରତିଫଳିତ କରିବାକୁ ପ୍ରଚେଷ୍ଟା କରିଛନ୍ତି ।

 

ସୀତାଦେବୀ ତାଙ୍କ ବାଲ୍ୟ ବୟସରୁ ସମାଜରେ ନାରୀର ସ୍ଥିତି ସମ୍ପର୍କରେ ଅବହିତ ଥିଲେ । ନିଜ ଘରେ ପିଉସୀଙ୍କର ଅସହାୟତା ଲକ୍ଷ୍ୟ କରି ଅନେକ ସମୟରେ ବ୍ୟଥିତ ହୋଇପଡ଼ୁଥିଲେ । ତାଙ୍କ ପିତା ଜଣେ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେହେଁ, ନିଜର କନ୍ୟାର ଅଧ୍ୟୟନ ପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ । ପିଉସୀମାନେ ବାଲ୍ୟବିବାହ କରି ବିଧବା ହେବା ପରେ ହନ୍ତସନ୍ତ ଜୀବନଯାପନ କରୁଥିଲେ । ଘରେ କିମ୍ବା ସମାଜରେ ଏହି ବିଧବାମାନଙ୍କ ପ୍ରତି କେହି ସମ୍ବେଦନଶୀଳ ନଥିଲେ । ଅଥଚ ସେତେବେଳେ ସର୍ବଭାରତୀୟ ସ୍ତରରେ ବିଧବା ବିବାହ ପ୍ରତି ସମ୍ବେଦନଶୀଳତା ଓ ବାଲ୍ୟବିବାହ-ବିରୋଧୀ ଚିନ୍ତାଧାରା ପ୍ରବଳ ହୋଇଉଠିଥିଲା । ରାଜା ରାମମୋହନ ରାୟ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଥିଲେ ଏହି ଚିନ୍ତାଧାରାର ପଥ ପ୍ରଦର୍ଶକ । ସୀତାଦେବୀଙ୍କ ପିତୃବ୍ୟ ଶ୍ରୀବତ୍ସ ପଣ୍ଡା ମଧ୍ୟ ଥିଲେ ସଂସ୍କାରବାଦୀ । ସେ ନାରୀଶିକ୍ଷା, ବିଧବା ବିବାହ ଆଦିକୁ ଯେପରି ସମର୍ଥନ କରୁଥିଲେ, ବିଧବା ବିବାହକୁ ସେହିପରି ବିରୋଧ କରୁଥିଲେ । ଏଥିପାଇଁ ତାଙ୍କୁ ଅନେକ ସମୟରେ ସାମାଜିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସୀତାଦେବୀଙ୍ ପିତୃବ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ଏହି ପ୍ରଗତିବାଦୀ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ । ସୀତାଦେବୀ ତାଙ୍କ ଉପନ୍ୟାସରେ ବିଧବାମାନଙ୍କର କରୁଣ ଜୀବନ-ଚିତ୍ର ପ୍ରଦର୍ଶନ କରିବା ସହିତ ବିଧବା ବିବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ ସମାଜର କିଛି ରୂଢ଼ିବାଦୀ ବ୍ୟକ୍ତିଙ୍କର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ପୋଷ୍ୟପୁତ୍ର ଉପନ୍ୟାସରେ ଗୋପାଳବାବୁ ହେଉଛନ୍ତି ଏହିପରି ଏକ ସଂସ୍କାରବାଦୀ ଚରିତ୍ର । ବିଧବା ବିବାହ ପ୍ରତି ତାଙ୍କ ହୃଦୟରେ ସମ୍ବେଦନା ଭରପୂର ହୋଇ ରହିଥିଲା । ଶିରିଆ ମା’ ନିଜର ନଅ ବର୍ଷର ଝିଅ ଶିରିଆକୁ ଷାଠିଏ ବର୍ଷର ବୁଢ଼ା ସପନ ଶତପଥୀଙ୍କ ସହିତ ଅର୍ଥଲୋଭରେ ବିବାହ ଦେଇଥିଲା । ଶିରିଆ ଯୌବନରେ ପାଦ ଦେବାବେଳକୁ ଶତପଥୀ ତିନି ଦିନ ବାତ ଜ୍ୱରରେ ପଡ଼ି ପ୍ରାଣ ହରାଇଲେ । ପଚିଶ ବର୍ଷର ଯୌବନକୁ ନେଇ ପ୍ରତି ମୁହୂର୍ତ୍ତରେ ତିଳ ତିଳ ହତ୍ୟା ହୋଇଚାଲିଛି ଶିରିଆ । ତା’ ପ୍ରତି କାର୍ତ୍ତିକ ସମ୍ବେଦନପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ ସହାୟତାର ହାତ ବଢ଼ାଇ ନିଜର ଚାକିରୀ ହରାଇଛି । ଗୋପାଳବାବୁ କାର୍ତ୍ତିକକୁ ସାହସପୁର ପଠାଇଛନ୍ତି ବାଲ୍ୟବିବାହ ବିରୋଧରେ ଏକ ସଭାଟିଏ କରିବା ପାଇଁ ଏବଂ ଏ ସମ୍ପର୍କରେ ଦୀନବନ୍ଧୁଙ୍କୁ ଖବର ଦେବା ପାଇଁ । ବାଲ୍ୟବିବାହ ବିରୋଧରେ ଲୋକମାନଙ୍କ ମଧ୍ୟରେ କି ପ୍ରତିକ୍ରିୟା ସୃଷ୍ଟି ହୋଇଛି ସେ ସମ୍ପର୍କରେ କାର୍ତ୍ତିକ ତା’ର ଅନୁଭୂତିକୁ ଗୋପାଳବାବୁଙ୍କ ନିକଟରେ ପ୍ରକାଶ କରି କହିଛି–‘‘ଆପଣ ମୋତେ ପଠାଇଲେ ସାହସପୁର, ଦୀନବନ୍ଧୁକୁ ସଭା କରିବା ଖବର ଦେଇ ଆସିବାକୁ । ମୁଁ ଯିମିତି ଯାଇ ପହଞ୍ଚିଛି, ପଳାଇଆସିଲା ପାକୁଆ ପାଟିଆ ସାରଥି ମିଶ୍ର । x x ପଇତା ପୋଛି ପୋଛି କୁଣ୍ଡଳ ଦୋହଲାଇ କହିଗଲା ଅନର୍ଗଳ କଥା । ବୁଢ଼ା କହିଲା ସଭା କରିବ, କିଏ ସେ କି ସଭା କରିବରେ ? କ’ଣ ନା ବାଲ୍ୟବିବାହ ନିରୋଧ କରିବାକୁ କରିବ ସଭା । ନିଜ ବେଳକୁ ଏ ବୁଦ୍ଧିଟା କୁଆଡ଼େ ଯାଇଥିଲା ହୋ ? ରାଜ୍ୟ ଯାକରେ ଧେଣ୍ଡୁରା ଦେଇ କହୁଛନ୍ତି ବାଲ୍ୟବିବାହ ବିରୋଧ । ନିଜର ଝିଅକୁ ତ ବିବାହ କରାଇଥିଲେ, ଏବେ ପନ୍ଦର ବର୍ଷର ନାତି ପାଇଁ କନ୍ୟା ପ୍ରସ୍ତାବ ଆଣି ସାରିଲେଣି ପିତେଇ ପାତ୍ର ଘରୁ । ଆଉ କ’ଣ ନା ପ୍ରଚାର କରିବେ ବିଧବା ବିବାହ–ପାଞ୍ଚ ପିଲାର ମା’ ପାଚଲା ବାଳରେ ସୁନ୍ଦୂର ପିନ୍ଧି, ବୋହୂ ହୋଇ ଚୁ ମାରିବେ ।’’ (ପୃ. ୧୧୬–୧୭, ସୀତାଦେବୀ ଗ୍ରନ୍ଥାବଳୀ) ତେଣୁ ବାଲ୍ୟବିବାହ ଓ ବିଧବା ବିବାହ ସମ୍ପର୍କରେ ତତ୍‌କାଳୀନ ସମାଜର ରହିଥିବା ଦୃଷ୍ଟିଭଙ୍ଗୀ ଏଥିରୁ ସ୍ପଷ୍ଟ ।

 

‘ପ୍ରତ୍ୟାବର୍ତ୍ତନ’ ଉପନ୍ୟାସରେ ବିଧବା କନ୍ୟାଟି ପ୍ରତି ପରିବାର କିପରି ନିଷ୍ପୃହ, ତାର ସୁନ୍ଦର ଉଦାହରଣଟିଏ ମିଳେ ଶତପଥି ପରିବାରର ଜୀବନଚର୍ଯ୍ୟାରୁ । ଘରେ କୋଡ଼ିଏ ବାଇଶି ବର୍ଷର ବିଧବା ଝିଅଟିଏ ଥିଲେହେଁ ଘରେ କାହାରି ମନରେ ସାମାନ୍ୟ ମାତ୍ର ଚିନ୍ତା ବା ଅବଶୋଷ ନାହିଁ । ତାରିଣୀ ବୋଉ ସକାଳୁ ସ୍ନାନ କରି ପଖାଳ ଗ୍ରାସେ ଚଢ଼ାଇ ଆରାମରେ ଶୋଇପଡ଼େ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ (ଶତପଥି ଓ ତାରିଣୀ ବୋଉ) ପ୍ରତିଦିନ ଘରେ ଝଗଡ଼ା ହୁଏ । ଘରେ ଅଶାନ୍ତି ଲାଗିରହିଥାଏ । ବିଚରା ବିଧବା ଝିଅଟିଏ ସନ୍ତୁଳିତ ହୋଇ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରିଚାଲିଥାଏ । ତା’ ପାଇଁ ନା ଥାଏ ପରିବାରର ସମ୍ବେଦନା ନା ସମାଜର ।

 

ଶିକ୍ଷାର ଅଭାବ, କୁସଂସ୍କାର ଯୋଗୁଁ ତତ୍‌କାଳୀନ ସାମାଜିକ ବ୍ୟବସ୍ଥା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା, ତା’ର ବହୁ ଉଦାହରଣ ସୀତାଦେବୀ ତାଙ୍କ ଉପନ୍ୟାସମାନଙ୍କରେ ପ୍ରଦତ୍ତ କରିଛନ୍ତି-। ଗୋପାଳବାବୁ ସମାଜ ସଂସ୍କାର ଉଦ୍ଦେଶ୍ୟରେ ବିଧବା ବିବାହକୁ ସମର୍ଥନ କରୁଥିଲେ । ସେଥିପାଇଁ ବିଧବା କୌତୁକୀକୁ ନରିଆ ପଣ୍ଡା ସହିତ ବିବାହ କରାଇଦେଇଥିଲେ । ମାତ୍ର ଏହି ସଂସ୍କାରର ପରିଣାମ ଥିଲା ସୁଦୂରପ୍ରସାରୀ । ନରିଆକୁ ସମାଜ ବାସନ୍ଦ କଲା । କୌତୁକୀର ବାପା ପଦିଆ ଦାସ ଝିଅକୁ ଘରେ ପୂରାଇଦେଲା ନାହିଁ । ନରିଆ ବାସନ୍ଦ ହେବା ପରେ ଘର ଛାଡ଼ି କଲିକତା ପଳାଇଗଲା । ଗାଁକୁ ଆଉ ନଫେରିବାକୁ ଖବର ପଠାଇଲା । ଘରେ ଦୁଇବର୍ଷର ଛୁଆଟିଏ ମରି ପଡ଼ିଥିଲେ ବି ବାସନ୍ଦ ଯୋଗୁଁ ତା’ ଘର କେହି ମାଡ଼ିଲେ ନାହିଁ । ଶେଷରେ ବଡ଼ ଅସହାୟ ଅବସ୍ଥାରେ କୌତୁକୀର ପ୍ରାଣ ମଧ୍ୟ ଉଡ଼ିଗଲା । ଗାଁରେ କୌଣସି ଲୋକ ଅଜାତି ମଢ଼କୁ ଛୁଇଁବେ ନାହିଁ ବୋଲି ପଣ କରିଥିଲେ । ଏଥିରୁ ତତ୍କାଳୀନ ସମାଜରେ କିପରି ଅନ୍ଧବିଶ୍ୱାସ ଓ କୁସଂସ୍କାର ପରିପୂର୍ଣ୍ଣ ହୋଇ ରହିଥିଲା, ତା’ର ପ୍ରମାଣ ମିଳିଥାଏ । ଗୋପାଳବାବୁ ବାଲ୍ୟବିବାହ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେହେଁ, ତାଙ୍କ ପତ୍ନୀକୁ ସେ ଶତଚେଷ୍ଟା କରି ମଧ୍ୟ ବୁଝାଇପାରିନାହାନ୍ତି । କୋକକୁ ୧୫ ବର୍ଷ ପୂରଣ ହେଉ ହେଉ ତାକୁ ଗୋଟିଏ ବାଲ୍ୟକନ୍ୟା ସହିତ ଚିନ୍ତାଦେବୀ ବିବାହ କରାଇଦେଇଛନ୍ତି ।

 

‘ଅଗ୍ରଜ’ ଉପନ୍ୟାସରେ ତତ୍କାଳୀନ ସମାଜର ସାମାଜିକ ଚିତ୍ର ଅପେକ୍ଷା ସମସାମୟିକ ଭାରତ ଓ ଓଡ଼ିଶାର ରାଜନୀତିକ ଚିତ୍ର ଅଧିକ ପୁଷ୍କଳ । ସ୍ୱାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧୀଙ୍କ କୃଚ୍ଛ୍ର ସାଧନା ସ୍ୱାଧୀନତୋତ୍ତର ଭାରତ ବର୍ଷରେ କିପରି ବିଡ଼ମ୍ବିତ ହୋଇଚାଲିଛି, ରାଜନୀତିକ ନେତାଗଣ ଦେଶ ଓ ଦଶର ସେବା ପରିବର୍ତ୍ତେ କିପରି ଆତ୍ମସ୍ୱାର୍ଥରେ ମଜ୍ଜି ଆଦର୍ଶ ଓ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇଚାଲିଛନ୍ତି, ତା’ର ବାସ୍ତବ ଚିତ୍ରଟି ଏଥିରେ ଉପଲବ୍‌ଧ । ମହାତ୍ମାଗାନ୍ଧୀ ଦେଶବାସୀଙ୍କୁ ଶିଖାଇଥିଲେ ତ୍ୟାଗର ମନ୍ତ୍ର । ଐଶ୍ୱର୍ଯ୍ୟ ଓ ଭୋଗବିଳାସଠାରୁ ନେତାମାନଙ୍କୁ ଦୂରରେ ରହିବାକୁ ପରାମର୍ଶ ଦେଉଥିଲେ । ସ୍ୱାଧୀନତା ପରେ ଏହି ନେତାଗଣ ଗାନ୍ଧିଜୀଙ୍କ ଉପଦେଶ ଓ ଆଦର୍ଶକୁ ଭୁଲିଗଲେ । ପ୍ରାଣନାଥଙ୍କ ପରି କିଛି ନେତା, ଯେଉଁମାନେ ତଥାପି ଗାନ୍ଧିଜୀଙ୍କ ଆଦର୍ଶକୁ ଜୀବନର ଧ୍ୟେୟ ଭାବରେ ଗ୍ରହଣ କରିନେଇଥିଲେ, ସେମାନେ ପଙ୍କିଳ ରାଜନୀତିରୁ ଯଥାସମ୍ଭବ ଦୂରେଇ ରହିବାକୁ ଶ୍ରେୟସ୍କର ମନେକଲେ । ଯେଉଁମାନେ ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ ନକରି ଇଂରେଜ ଶାସନର ଜୟଗାନ କରୁଥିଲେ, ସେମାନେ ସ୍ୱାଧୀନତା ପରେ ଭେକ ବଦଳାଇ ଦେଶସେବକ ବୋଲାଇଲେ, କ୍ଷମତାର ଅଳିନ୍ଦ ମଧ୍ୟରେ ରହି ବିଳାସ ଓ ପ୍ରାଚୁର୍ଯ୍ୟକୁ ଜୀବନର ପ୍ରକୃତ ଲକ୍ଷ୍ୟ ଭାବରେ ଗ୍ରହଣ କଲେ । ଗଣନାଥଙ୍କ ପରି ବ୍ୟକ୍ତି ସୁଭାଷ ବୋଷ୍‌ଙ୍କ ଆଦର୍ଶ ଭୁଲିଗଲେ । ସ୍ୱାଧୀନତା ସଂଗ୍ରାମର ଉଦ୍ଦେଶ୍ୟକୁ ସ୍ୱପ୍ନ ପରି ବିସ୍ମୃତ ହୋଇ ବିଳାସ, ଦୁର୍ନୀତି ଓ ଉପଭୋଗ ମଧ୍ୟରେ ବାନ୍ଧିହୋଇପଡ଼ିଲେ । ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ବାସ୍ତବ ଅନୁଭୂତି ଅଗ୍ରଜ ଉପନ୍ୟାସରେ ପ୍ରତିଫଳିତ

 

ପ୍ରତ୍ୟାବର୍ତ୍ତନ ଉପନ୍ୟାସଟି ମୁଖ୍ୟତଃ ସୀତାଦେବୀଙ୍କ ଅନୁଭୂତି ଉପରେ ଆଧାରିତ ହୋଇଥିବାରୁ ଏଥିରେ ତାଙ୍କ ଜୀବନ-ଚିତ୍ରହିଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସମାଜରେ ନାରୀମାନଙ୍କ ପ୍ରତି ଯେଉଁ ଦୃଷ୍ଟିଭଙ୍ଗୀ ରହିଥିଲା, ତାହା ସେ ମର୍ମେ ମର୍ମେ ଉପଲବ୍‌ଧି କରିଥିଲେ ଓ ପରବର୍ତ୍ତୀ ସମୟରେ ସେହି ଅନୁଭବର କଳାତ୍ମକ ପରିପ୍ରକାଶ ଅଧିକ ଗୁରୁତ୍ୱଲାଭ କରିଥିବାର ପରିଲକ୍ଷିତ ହୋଇଥାଏ ।

 

ଉପସଂହାର

 

ସୀତାଦେବୀଙ୍କ ଉପନ୍ୟାସ ପରିମାଣାତ୍ମକ ଦୃଷ୍ଟିକୋଣରୁ ଅଧିକ ନୁହେଁ । ତିନୋଟି ମୌଳିକ ଉପନ୍ୟାସ ଓ ଦୁଇଟି ଅନୂଦିତ ଉପନ୍ୟାସ ମଧ୍ୟରେ ସୀମିତ ତାଙ୍କର ଉପନ୍ୟାସ ଜଗତ । ମାତ୍ର ତାଙ୍କର ପ୍ରତିଟି ମୌଳିକ ଉପନ୍ୟାସରେ ନିଜ ଜୀବନର ବାସ୍ତବ ଅନୁଭୂତି ଚମତ୍କାର ଢଙ୍ଗରେ ପରିବେଷିତ ହୋଇଛି । ସୀତାଦେବୀ ତାଙ୍କର କର୍ମମୁଖର ଜୀବନରେ ବିଭିନ୍ନ କ୍ଷେତ୍ରରେ ଜଡ଼ିତ ହୋଇପଡ଼ିଥିଲେ । ସମାଜସେବାଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେ ସଫଳତାର ସ୍ୱାଦ ଆସ୍ୱାଦନ କରିଥିଲେ ନିଜର ଦୃଢ଼ ମନୋବଳ ଯୋଗୁଁ । ଅନେକ ସମୟରେ ସେ ଯେ ସାମାଜିକ ବ୍ୟଙ୍ଗ ବିଦ୍ରୂପର ଶିକାର ନହୋଇଛନ୍ତି, ତାହା ନୁହେଁ । ମାତ୍ର ତାଙ୍କ କର୍ମମୁଖର ଜୀବନରେ ସେ ତାହାକୁ ଗୁରୁତ୍ୱ ଦେଇନାହାନ୍ତି । ପୁରୁଷପ୍ରଧାନ ସମାଜରେ ନାରୀର ଅବହେଳିତ ଜୀବନକୁ ସେ ଯେପରି ପ୍ରତ୍ୟକ୍ଷ କରିଥିଲେ, ନିଜର ସମାଜ ଓ ପରିବେଶକୁ ଯେପରି ଚିହ୍ନିଥିଲେ, ତାହାକୁ ସେ ରୂପାୟିତ କରିଛନ୍ତି ତାଙ୍କର ତିନୋଟି ମୌଳିକ ଉପନ୍ୟାସ ମଧ୍ୟରେ । ଏହି ଦୃଷ୍ଟିରୁ ତାଙ୍କର ଉପନ୍ୟାସଗୁଡ଼ିକ କଳ୍ପନାର ପରିଧି ତ୍ୟାଗ କରି ବାସ୍ତବତାର ଅଙ୍ଗନରେ ପରିଭ୍ରମଣ କରିଛି-। ସବୁ କ୍ଷେତ୍ରରେ କେବଳ ଜୀବନର କଥାହିଁ କହିଛି, ଯେଉଁ ଜୀବନକୁ ମଣିଷ ବାରମ୍ବାର ସାମ୍‌ନା କରିଥାଏ ବାସ୍ତବ ଦୁନିଆଁରେ ।

Image

 

ଷଷ୍ଠ ପରିଚ୍ଛେଦ

 

ସୀତାଦେବୀଙ୍କ ଅନ୍ୟାନ୍ୟ କୃତି ଓ କୃତିତ୍ୱ

 

ସୀତାଦେବୀ କବିତା, ଗଳ୍ପ, ନାଟକ ଓ ଉପନ୍ୟାସ ରଚନାରେ ଯେପରି କୃତିତ୍ୱ ଅର୍ଜନ କରିଥିଲେ, ସେହିପରି ଆତ୍ମଜୀବନୀ, ଏକାଙ୍କିକା, ପ୍ରବନ୍ଧ ଆଦି ରଚନାରେ ମଧ୍ୟ ସଫଳତା ଅର୍ଜନ କରିଥିଲେ । ଏତଦ୍‌ବ୍ୟତୀତ ତାଙ୍କର ଅଭିଭାଷଣ ଓ ବିଭିନ୍ନ ସମୟରେ ଲେଖିଥିବା ପତ୍ରଗୁଡ଼ିକର ଗୁଣାତ୍ମକ ମାନ ମଧ୍ୟ ଉଚ୍ଚକୋଟିର । ତାଙ୍କର ସାମଗ୍ରିକ କୃତିଗୁଡ଼ିକର ଆଲୋଚନା ସମୟରେ ଉପରୋକ୍ତ ବିଭାବଗୁଡ଼ିକ ସମ୍ପର୍କରେ ସୂଚନା ନଦେଲେ ସୀତାଦେବୀଙ୍କ ସୃଷ୍ଟି ବିଚାର ଅପୂର୍ଣ୍ଣାଙ୍ଗ ରହିଯିବାର ଆଶଙ୍କା ଦେଖାଯାଏ । ତେଣୁ ଏହି ପରିଚ୍ଛେଦରେ ସେହି ଅନାଲୋଚିତ ବିଭାଗଗୁଡ଼ିକ ସମ୍ପର୍କରେ ସାମାନ୍ୟ ଆଲୋକପାତ କରାଗଲା ।

 

ଆତ୍ମଜୀବନୀ

 

ସୀତାଦେବୀ ଜୀବନର ଅପରାହ୍‌ଣରେ ନିଜର ଆତ୍ମଜୀବନୀ ରଚନା କରିବାକୁ ମନସ୍ଥ କରିଥିଲେ । ଆତ୍ମଜୀବନୀଟି ରଚନା ପରେ ତା’ର ନାମକରଣ କରିଥିଲେ ‘ମୋ ଜୀବନ ସ୍ମୃତି’ । ସୀତାଦେବୀ ସଂକୁଚିତ ମନେକରିଛନ୍ତି ପ୍ରଥମେ ଆତ୍ମଜୀବନୀ ଲେଖିବାକୁ । ସେ ନିଜକୁ ସବୁବେଳେ ଜଣେ ଅକିଞ୍ଚନ ବ୍ୟକ୍ତି ମନେକରିଛନ୍ତି । ତେଣୁ ସନ୍ଦେହ କରିଛନ୍ତି ତାଙ୍କ ଆତ୍ମଜୀବନୀ କାହା କାର୍ଯ୍ୟରେ କ’ଣ ଆସିବ ! ଏହା ସତ୍ତ୍ୱେ ତାଙ୍କ ଆତ୍ମଜୀବନୀ କିଛି ଲୋକଙ୍କର କାର୍ଯ୍ୟରେ ଆସିପାରିବ ବୋଲି ତାଙ୍କର ଧାରଣା ହୋଇଛି ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଆତ୍ମଜୀବନୀ ଜାତିର ଅମୂଲ୍ୟ ସମ୍ପଦ । ଏହା ସମସାମୟିକ ଓ ପୂର୍ବ ବଂଶଧରମାନଙ୍କୁ ପ୍ରେରଣା ଯୋଗାଇଥାଏ । ସମାଜ ପାଇଁ ଆଦର୍ଶଟିଏ ପ୍ରତିଷ୍ଠା କରିଥାଏ । କିନ୍ତୁ ଆତ୍ମଜୀବନୀକାର ଛଳନାର ଆଶ୍ରୟ ନନେଇ ସଚ୍ଚୋଟ ଭାବରେ ଅତ୍ୟନ୍ତ ବିଶ୍ୱସ୍ତତାର ସହିତ ନିଜକୁ ପ୍ରକାଶ କରିବା ଉଚିତ । ପ୍ରତାରଣା ପୂର୍ଣ୍ଣ ମିଥ୍ୟା ଆତ୍ମଜୀବନୀ ଜାତିର କେବଳ କ୍ଷତି କରିନଥାଏ, ଜାତୀୟ ଜୀବନକୁ ମଧ୍ୟ ପ୍ରତାରିତ କରିଥାଏ । ଅବଶ୍ୟ ବହୁ ବିଦ୍ୱାନ ଆତ୍ମଜୀବନୀରେ ପ୍ରଦତ୍ତ ତଥ୍ୟ ଉପରେ ବିଶ୍ୱାସ କରିନଥାନ୍ତି। କାରଣ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜକୁ ଅନ୍ୟମାନଙ୍କ ନିକଟରେ ଉଚ୍ଚ ଦେଖାଇହେବାକୁ ଚାହିଁଥାଏ । ଏହା ମଣିଷର ଏକ ସ୍ୱାଭାବିକ ଦୁର୍ବଳତା । ଏହା ସତ୍ତ୍ୱେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ବା ଜାତିକୁ ପ୍ରତାରିତ କରିବାକୁ ଚାହିଁନଥାନ୍ତି । ତେଣୁ ସେମାନେ ନିଜ ଜୀବନକୁ, ବାସ୍ତବ ଅନୁଭୂତିକୁ ଖୋଲିଦେଇଥାନ୍ତି ସମାଜ ଆଗରେ । ସେମାନଙ୍କର ଆଦର୍ଶ, ନୈତିକ ମୂଲ୍ୟବୋଧ, ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ, କର୍ମମୟ ଜୀବନ ପ୍ରେରଣା ଦେଇଥାଏ ଅନ୍ୟମାନଙ୍କୁ । ସୀତାଦେବୀଙ୍କ ବ୍ୟକ୍ତିଗତ ଜୀବନ, ସାମାଜିକ ଜୀବନ, ରାଜନୀତିକ ଜୀବନ, ସର୍ବୋପରି ସାହିତ୍ୟିକ ବିଚାରଧାରା ବହୁ ବ୍ୟକ୍ତିଙ୍କୁ ଅନୁପ୍ରେରିତ କରିଛି ନିଜ ଜୀବନ ଗଠନ କରିବାରେ ।

 

ଓଡ଼ିଆ ସାହିତ୍ୟରେ ଫକୀରମୋହନ ଆତ୍ମଜୀବନୀ ରଚନା କରିବାର ଯେଉଁ ପରମ୍ପରା ସୃଷ୍ଟି କରିଥିଲେ, ପରବର୍ତ୍ତୀ ସମୟରେ ବହୁ କୃତବିଦ୍ୟ ବିଶିଷ୍ଟ ବ୍ୟକ୍ତି ଏହି ପରମ୍ପରାକୁ ସମୃଦ୍ଧ ଓ ପରିପୁଷ୍ଟ କରିଯାଇଛନ୍ତି । ମାତ୍ର ଅଧିକାଂଶ ଆତ୍ମଜୀବନୀର ଲେଖକ ହେଉଛନ୍ତି ପୁରୁଷ । ନାରୀମାନଙ୍କଦ୍ୱାରା ଓଡ଼ିଆରେ ଖୁବ୍‌ କମ୍‌ ଆତ୍ମଜୀବନୀ ଲେଖାଯାଇଛି । ବୋଧହୁଏ ଏ କ୍ଷେତ୍ରରେ ପ୍ରଥମ ଉଦ୍ୟମ କରିଛନ୍ତି ସୀତାଦେବୀ ଖାଡ଼ଙ୍ଗା । ଏଥିପାଇଁ ଓଡ଼ିଆ ଆତ୍ମଜୀବନୀ ଇତିହାସରେ ନିଶ୍ଚୟ ସ୍ମରଣୀୟ ରହିବେ ।

 

ଜଣେ ଉଚ୍ଚମାନର ସଚେତନ ଆତ୍ମଜୀବନୀକାରଙ୍କ ଆତ୍ମଜୀବନୀରୁ ଜାତି ଓ ଦେଶର ପରିବର୍ତ୍ତିତ ଇତିହାସ ସୁଲଭ୍ୟ ହୋଇଥାଏ । ମଣିଷ ତା’ର ଘଟଣାବହୁଳ ଜୀବନରୁ ଯେଉଁ ଘଟଣାଗୁଡ଼ିକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରିଥାଏ, ତାହାକୁ ସେ ତା’ର ଆତ୍ମଜୀବନୀରେ ସ୍ଥାନ ଦେଇଥାଏ । ତେଣୁ ଜଣେ ସଚେତନ ସ୍ରଷ୍ଟାର ଆତ୍ମଜୀବନୀରୁ ସମସାମୟିକ ସମାଜର ଏକ ପୁଷ୍କଳ ଚିତ୍ର ଉପଲବ୍‌ଧ ହୋଇଥାଏ । ଅନେକ ସାମାଜିକ, ରାଜନୀତିକ, ସାଂସ୍କୃତିକ, ଆର୍ଥନୀତିକ ଘଟଣାବଳୀର ପରିଚୟ ଏଥିରୁ ମିଳିଥାଏ । ନିରପେକ୍ଷ ଦୃଷ୍ଟିଭଙ୍ଗୀ ଆତ୍ମଜୀବନୀର ମହତ୍ତ୍ୱ ବୃଦ୍ଧି କରିଥାଏ । ସେହି ଆତ୍ମଜୀବନୀ ବ୍ୟକ୍ତିର ହୋଇ ମଧ୍ୟ ହୋଇଥାଏ ଜାତିର ସମ୍ପତ୍ତି । ଏହି ଦୃଷ୍ଟିରୁ ବିଚାର କଲେ ସୀତାଦେବୀଙ୍କ ଆତ୍ମଜୀବନୀ ‘ମୋ ଜୀବନ ସ୍ମୃତି’ ଆମ ସାହିତ୍ୟର ଏକ ମୂଲ୍ୟବାନ ସମ୍ପତ୍ତି, ଉଚ୍ଚମାନର ଶିକ୍ଷାପ୍ରଦ ଗ୍ରନ୍ଥ ।

 

ଏଠାରେ ଅନ୍ୟ ଏକ କଥା ସ୍ମରଣ କରାଇଦିଆଯାଇପାରେ । ଆତ୍ମଜୀବନୀକାର ଜୀବନର ଶେଷ ମୁହୂର୍ତ୍ତରେ ଆତ୍ମଜୀବନୀ ରଚନା କରିଥିବାରୁ, ସେ ଅନେକତ୍ର ନିର୍ଭର କରିଥାଏ ତାର ସ୍ମୃତି ଉପରେ । ତେଣୁ ଅତୀତର ବହୁ ଘଟଣା ତା’ର ସ୍ମୃତିପଟରୁ ଲିଭିଯାଇଥିବା ଅସମ୍ଭବ ନୁହେଁ । ତା’ ସ୍ମୃତିପଟରୁ ସେ ଯେତିକି ସାଉଁଟି ଆଣିପାରେ, ତାହାକୁ ଅବଲମ୍ବନ କରି ସେ ଲେଖିଥାଏ ତା’ର ଜୀବନ ବୃତ୍ତ । ତେଣୁ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏଥିରୁ ବାଦ୍‌ ପଡ଼ିଯିବା ଅସମ୍ଭବ ନୁହେଁ । ପୁଣି ଆତ୍ମଜୀବନୀକାର ତା’ର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା ଏଥିରେ ଲିପିବଦ୍ଧ କରିପାରିନଥାଏ । ତା’ ଜୀବନର କିଛି ଅଂଶ ତଥାପି ବାକି ରହିଯାଇଥାଏ ଲେଖିବା ପାଇଁ । ଏହି ଦୃଷ୍ଟିରୁ କୌଣସି ଆତ୍ମଜୀବନୀ ସ୍ୱୟଂସମ୍ପୂର୍ଣ୍ଣ ନୁହେଁ କିମ୍ବା ହେବା ମଧ୍ୟ ସମ୍ଭବ ନୁହେଁ ।

 

ସୀତାଦେବୀଙ୍କ ଆତ୍ମଜୀବନୀ ରଚନା ଆରମ୍ଭ ହୋଇଛି ଦୀର୍ଘ ଦେଢ଼ମାସ ଧରି ପୀଡ଼ିତ ହୋଇଥିବା ପକ୍ଷାଘାତ ରୋଗରୁ ମୁକ୍ତିପରେ । ଏହି ଦେଢ଼ମାସ ମଧ୍ୟରେ ତାଙ୍କ ସ୍ମୃତିପଟରେ ଅତୀତ ଜୀବନ ପାଇଛି ଓ ରୋଗରୁ ମୁକ୍ତି ପରେ ସେ ତାଙ୍କ ଜୀବନ ଇତିହାସର କିଛି ଅଧ୍ୟାୟ ଲିପିବଦ୍ଧ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କର ଜନ୍ମ, ବାଲ୍ୟ ଜୀବନଠାରୁ ଆରମ୍ଭ କରି ରୋଗଗ୍ରସ୍ତ ହେବା ପର୍ଯ୍ୟନ୍ତ ବହୁ ଘଟଣା ଏଥିରେ ଲିପିବଦ୍ଧ ହୋଇଛି । ସୀତାଦେବୀ ନିଜେ ନିଜକୁହିଁ ତିଆରି କରିଥିଲେ, ଯାହାକୁ କୁହନ୍ତି ‘ସେଲ୍‍ଫମେଡ଼’ । ଅବଶ୍ୟ ଏ କ୍ଷେତ୍ରରେ ସ୍ୱାମୀ ବାଞ୍ଛାନିଧିବାବୁଙ୍କର ଭୂମିକାକୁ ଅସ୍ୱୀକାର କରାଯାଇନପାରେ । ଗୋଟିଏ ଶିକ୍ଷିତ, କୁଳୀନ ପରିବାରରେ ଜନ୍ମ ହୋଇଥିଲେହେଁ, ଶିକ୍ଷା ଲାଭରୁ ଥିଲେ ବଞ୍ଚିତା । ଏହାଠାରୁ ବଡ଼ ବିଡ଼ମ୍ବନାର ଘଟଣା କ’ଣ ହୋଇପାରେ ? ବାଲ୍ୟ ବୟସରୁ ପ୍ରତିକୂଳ ପରିବେଶ ମଧ୍ୟରେ ଜୀବନ ଅତିବାହିତ କରିବାକୁ ପଡ଼ିଥିଲା । ସେ ଏପରି ଏକ ପରିବାରରେ ଜନ୍ମ ହୋଇଥିଲେ ଯେଉଁଠାରେ କନ୍ୟା-ସନ୍ତାନମାନଙ୍କର ଆଦୌ ସ୍ୱାଧୀନତା ନଥିଲା । କେବଳ ତାଙ୍କ ପରିବାରରେ ନୁହେଁ, ସମଗ୍ର ଓଡ଼ିଶାରେ ଏହାହିଁ ଥିଲା କନ୍ୟା-ସନ୍ତାନମାନଙ୍କର ସ୍ଥିତି । ତାଙ୍କ ଆତ୍ମଜୀବନୀରେ ସମାଜରେ ନାରୀର ସ୍ଥିତି, ସେମାନଙ୍କ ବିଡ଼ମ୍ବିତ ଜୀବନର ଅଶ୍ରୁଳ କାହାଣୀ ବେଶ୍‌ ସମ୍ବେଦନଶୀଳତାର ସହିତ ବର୍ଣ୍ଣନା କରାଯାଇଛି ।

 

ସ୍ୱାମୀ ବାଞ୍ଛାନିଧିବାବୁଙ୍କ ପ୍ରେରଣା ଓ ଉତ୍ସାହ ଥିଲା ସୀତାଦେବୀଙ୍କ ସାରସ୍ୱତ ସାଧନାର ପ୍ରଧାନ ପାଥେୟ । ତାଙ୍କର ପ୍ରତି କଥା ଓ କାର୍ଯ୍ୟରେ ସ୍ୱାମୀଙ୍କର ଅଯାଚିତ ସହାୟତା ଜୀବନର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ମାତ୍ର ସ୍ୱାମୀ ଅସୁସ୍ଥ ହୋଇପଡ଼ି ପାଞ୍ଚର୍ଷ ପର୍ଯ୍ୟନ୍ତ ମୁକ ହୋଇଯିବାରୁ ସୀତାଦେବୀଙ୍କ ସାରସ୍ୱତ ସାଧନା ସମ୍ପୂର୍ଣ୍ଣ ଧିମେଇଯାଇଥିଲା ଏବଂ ବାଞ୍ଛାନିଧିବାବୁଙ୍କର ମୃତ୍ୟୁ ପରେ ତାହା ସମ୍ପୂର୍ଣ୍ଣ ଭାବରେ ନୀରବ ହୋଇଗଲା । ସୀତାଦେବୀଙ୍କ ମଧୁର ଦାମ୍ପତ୍ୟ ଜୀବନ, ପରସ୍ପର ମଧ୍ୟରେ ସହଯୋଗ ମନୋବୃତ୍ତି ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ । ‘ମୋ ଜୀବନ ସ୍ମୃତି’ ଗ୍ରନ୍ଥରେ ଏ ସମ୍ପର୍କରେ ବହୁ ରୋଚକ ବର୍ଣ୍ଣନା ପରିଲକ୍ଷିତ ହୋଇଥାଏ ।

 

ସୀତାଦେବୀ ନିଜ ଅନୁଭବରେ ନାରୀ ଜୀବନର ଯେଉଁ ଅନ୍ଧକାରକୁ ଭେଟିଥିଲେ, ଶେଷ ପର୍ଯ୍ୟନ୍ତ ସେ ଅବିରତ ଚେଷ୍ଟା ଚଳାଇଥିଲେ ନାରୀ ଜୀବନର ସମସ୍ୟା ସମାଧାନ ନିମିତ୍ତ । କୁସଂସ୍କାର, ଅନ୍ଧବିଶ୍ୱାସରୂପକ ବ୍ୟାଧିରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସମୟରେ ସେ ଆପ୍ରାଣ ଉଦ୍ୟମ କରିଥିଲେ ଏହି ଅନ୍ଧପ୍ରଥା ବିରୋଧରେ ସଂଗ୍ରାମ କରିବା ପାଇଁ । ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଜୀବନର ବହୁ ଘଟଣା ‘ମୋ ଜୀବନ ସ୍ମୃତି’ରେ ବେଶ୍‌ ଅନ୍ତରଙ୍ଗତା ସହିତ ବର୍ଣ୍ଣିତ ହୋଇଛି । ଶ୍ୱଶୁରଙ୍କ ଘରର ବ୍ୟାପକ ଦୃଷ୍ଟିଭଙ୍ଗୀ ଏବଂ ସମ୍ବେଦନଶୀଳ ମନୋବୃତ୍ତି ତାଙ୍କ ଜୀବନ ପଥକୁ କିପରି କୁସୁମିତ କରିଥିଲା, ତା’ର ସୁନ୍ଦର ବର୍ଣ୍ଣନା ଏଥିରେ ଦେଖିବାକୁ ମିଳିଥାଏ ।

 

ଓଡ଼ିଶାର ନାଟ୍ୟ ପରମ୍ପରା ଓ ସାହିତ୍ୟିକ ପରିବେଶ ବିଷୟରେ ବହୁ ସୂଚନା ଏଥିରୁ ଉପଲବ୍‌ଧ ହୋଇଥାଏ । ସୀତାଦେବୀ ଯେପରି ନିଜ ପରିବାର ସଦସ୍ୟଙ୍କ ଚାରିତ୍ରିକ ଗୁଣ ସମ୍ପର୍କରେ ବାସ୍ତବ ବର୍ଣ୍ଣନା ଦେଇଛନ୍ତି, ସେଥିରୁ ତାଙ୍କ ସାହସିକତାର ଭୂରି ଭୂରି ନିଦର୍ଶନ ମିଳିଥାଏ-। ଏପରିକି ନିଜର ପାରିବାରିକ ଜୀବନ କାହାଣୀକୁ ବିନା ସଂକୋଚରେ ଖୋଲିଦେଇଛନ୍ତି ଜଗତ ସମ୍ମୁଖରେ । ଆସିକାର ରଙ୍ଗମଞ୍ଚ ଓ ସାହିତ୍ୟ ପରିଷଦର ସ୍ଥାୟୀ ଗୃହ ନିମନ୍ତେ ଜଣେ ନାରୀ ହୋଇ ଯେଉଁ ସାହସିକତା, ଧୈର୍ଯ୍ୟ ଓ ଚତୁର ବୁଦ୍ଧିମତ୍ତାର ପରିଚୟ ଦେଇଛନ୍ତି, ତା’ର ତୁଳନା ନାହିଁ-

ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷରେ ରାଜନୀତିରେ ଯେଉଁ ମୂଲ୍ୟବୋଧର ସଙ୍କଟ ଓ ନୀତିହୀନତା ପରିଲକ୍ଷିତ ହୋଇଥିଲା, ତା’ର ବାସ୍ତବ ପରିଚୟ ଦେଇଛନ୍ତି । ସେ ନିଜେ କଂଗ୍ରେସ ଦଳର ଥିଲେ ଜଣେ ସକ୍ରିୟ ସଦସ୍ୟା । ଦୁଇ ଦୁଇ ଥର ଜିଲ୍ଲା ବୋର୍ଡ଼ର ସଦସ୍ୟାରୂପେ ନିର୍ବାଚିତ ହୋଇଥିଲେ । ଗ୍ରାମ ଗ୍ରାମ ବୁଲି କଂଗ୍ରେସ ପାଇଁ ପ୍ରଚାର କରୁଥିଲେ । ସବୁପ୍ରକାର ବ୍ୟଙ୍ଗ ଓ ବିଦ୍ରୂପରୂପ ବିଷକୁ ଶିବଙ୍କ ପରି ପାନ କରିଥିଲେ । ତାଙ୍କ ନିଜ ଜୀବନରେ ପିତୃବ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ଆଦର୍ଶଦ୍ୱାରା ପ୍ରଭାବିତ ହୋଇ ସମାଜ ସଂସ୍କାର ନିମିତ୍ତ ପ୍ରୟାସୀ ହୋଇଥିଲେ । ଗାନ୍ଧିଜୀଙ୍କ ପ୍ରତି ତାଙ୍କ ଅନ୍ତରରେ ଗଭୀର ସମ୍ମାନବୋଧ ରହିଥିଲା । ତାଙ୍କ ଜୀବନରେ ଆଉ ଜଣଙ୍କର ପ୍ରଭାବ ବିଶେଷ ଭାବରେ ରହିଥିଲା । ସେ ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ନିଜର ସାରସ୍ୱତ ଜୀବନରେ ରବୀନ୍ଦ୍ରନାଥହିଁ ଥିଲେ ତାଙ୍କର ଆଦର୍ଶ । ଏ ବିଷୟରେ ‘ମୋ ଜୀବନ ସ୍ମୃତି’ରେ ଚମତ୍କାର ବର୍ଣ୍ଣନା ରହିଛି । ସୀତାଦେବୀଙ୍କର ବ୍ୟାପକ ଅଧ୍ୟୟନ ରହିଥିଲା । ମୃତ୍ୟୁ ପର୍ଯ୍ୟନ୍ତ ଏହି ଅଧ୍ୟୟନ ପିପାସା ରହିଥିଲା ଅନାହତ । ବଙ୍ଗଳା, ହିନ୍ଦୀ ଆଦି ଭାଷାରେ ମଧ୍ୟ ସେ ନିପୁଣା ଥିଲେ । ତେଣୁ ତାଙ୍କ ଆତ୍ମଜୀବନୀରେ ଅଧ୍ୟୟନ ସମ୍ପର୍କରେ ବିସ୍ତାରିତ ବର୍ଣ୍ଣନା ରହିଛି ।

ବିଭିନ୍ନ ଲୋକ ଚରିତ୍ର ସମ୍ପର୍କରେ ସେ ତାଙ୍କ ଉପନ୍ୟାସ ବା ଗଳ୍ପମାନଙ୍କରେ ଯେଉଁ ବିସ୍ତାରିତ ବର୍ଣ୍ଣନା ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ଅନୁଭୂତିପ୍ରସୂତ । ସତ୍ୟ କହିବାକୁ ସେ ଆଦୌ ପଛଘୁଞ୍ଚା ଦେଇନାହାନ୍ତି । ଏପରିକି ପିତା ହରିହରଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେବାକୁ ଆଦୌ କୁଣ୍ଠିତ ହୋଇନାହାନ୍ତି । ନିରପେକ୍ଷ ଆତ୍ମପ୍ରକାଶ ସୀତାଦେବୀଙ୍କ ଆତ୍ମଜୀବନୀର ଅନ୍ୟତମ ବିଶେଷତ୍ୱ ।

ମୋଟାମୋଟି ଭାବରେ କହିଲେ ସୀତାଦେବୀଙ୍କ ଆତ୍ମଜୀବନୀ ନିଶ୍ଚିତ ଭାବରେ ଏକ ଚମତ୍କାର ସୃଷ୍ଟି । ସମଗ୍ର ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡ଼ିଶାର ସମାଜ, ସଂସ୍କୃତି, ରାଜନୀତି, ଅର୍ଥନୀତି ସମ୍ବନ୍ଧରେ ବ୍ୟାପକ ସୂଚନା ଏଥିରେ ରହିଛି । ଭାଷା ସରଳ, ଭାବ କୃତ୍ରିମତାହୀନ । ତେଣୁ ବିଭିନ୍ନ ଦୃଷ୍ଟିରୁ ବିଚାର କଲେ ଯେଉଁ ଅଳ୍ପ କେତୋଟି ଆତ୍ମଜୀବନୀ ପ୍ରସିଦ୍ଧି ଲାଭ କରିଅଛି, ତନ୍ମଧ୍ୟରୁ ସୀତାଦେବୀଙ୍କ ‘ମୋ ଜୀବନ ସ୍ମୃତି’ ଅନ୍ୟତମ ।

ଏକାଙ୍କିକା

ଏକ ପ୍ରତିକୂଳ ପରିବେଶ ମଧ୍ୟରେ ସୀତାଦେବୀ ଦୁଃଖର ସହିତ ନାଟକ ରଚନାରୁ ନିଜକୁ ଦୂରେଇ ନେଇଥିଲେ । ନାଟ୍ୟାନୁଷ୍ଠାନ ଭାଙ୍ଗିଗଲା । ଏହି ନାଟ୍ୟଦଳକୁ ବଞ୍ଚାଇବାକୁ ଯାଇ ସେ ହାତରୁ ଅନେକ ପଇସା ଖର୍ଚ୍ଚ କରିଥିଲେ । ତେଣୁ ନିଜ ଅନୁଷ୍ଠାନର ଅକାଳ ବିପର୍ଯ୍ୟୟ ତାଙ୍କୁ ବ୍ୟଥିତ କରିଥିଲା । ଏହି କାରଣରୁ ସେ କେତେଦିନ ନିରବତାକୁ ଆଶ୍ରୟ କରିନେଇଥିଲେ । ମାତ୍ର ଆଲୋକର ସଂପାଦକ ଶ୍ରୀ ନାରାୟଣ ସାମଲଙ୍କ ଅନୁରୋଧକ୍ରମେ ସେ ଏକାଙ୍କିକା ରଚନା କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ନାଟକର ସଫଳତା ଏବଂ ନାଟକର ବିଭିନ୍ନ ଅଙ୍ଗ ସମ୍ପର୍କରେ ସ୍ପଷ୍ଟଧାରଣା ଏକାଙ୍କିକା ରଚନାରେ ସହାୟତା କରିଥିଲା ।

ସୀତାଦେବୀଙ୍କର ଗୋଟିଏ ମାତ୍ର ଏକାଙ୍କିକା ‘ଏଇତ ସଂସାର’ ସମ୍ପର୍କରେ ଆଲୋଚନା କରାଯାଇପାରେ । ‘ବ୍ୟବଧାନ’ ଏକାଙ୍କିକାଟିର ଅନେକ ପୃଷ୍ଠା ହଜିଯାଇଥିବାରୁ ଏ ସମ୍ପର୍କରେ ମତାମତ ଦେବା ନିରାପଦ ନୁହେଁ । ସୀତାଦେବୀଙ୍କ ପ୍ରତ୍ୟେକ ସୃଷ୍ଟିରେ ତାଙ୍କ ଜୀବନାନୁଭୂତି ସମ୍ବଳିତ । ‘ଏଇତ ସଂସାର’ ଏକାଙ୍କିକା ସେଥିରୁ ବାଦ୍‌ ପଡ଼ିନାହିଁ । ସୀତାଦେବୀଙ୍କ ଏହି ଏକାଙ୍କିକା ସହିତ ତାଙ୍କ ଜୀବନର କେତେକ ଘଟଣା ଓତପ୍ରୋତ ଜଡ଼ିତ । ଅବଶ୍ୟ ଏକାଙ୍କିକାର ସୀମିତ କଳେବର ମଧ୍ୟରେ ଲେଖିକାଙ୍କର ସାମଗ୍ରିକ ଜୀବନ-ଚିତ୍ର ଅନୁସନ୍ଧାନ କରିବା ସମ୍ଭବ ନୁହେଁ, ଯେପରି ଘଟିଛି ତାଙ୍କ ଉପନ୍ୟାସମାନଙ୍କରେ । ନିଜର କନ୍ୟା କମଳା ଓ ପୁତ୍ର ମଧୁସୂଦନଙ୍କ ଜନ୍ମ ସମୟରେ ସୀତାଦେବୀ ପୀଡ଼ିତ ହୋଇପଡ଼ିଥିଲେ । ଏହି ସମୟରେ ସ୍ୱାମୀ ବାଞ୍ଛାନିଧିଙ୍କ ସେବାଯତ୍ନ ଥିଲା ଅତୁଳନୀୟ । ତାଙ୍କର ସେବାଯତ୍ନଦ୍ୱାରା ସୀତାଦେବୀ ସୁସ୍ଥ ହୋଇଉଠିଥିଲେ । ତାଙ୍କ ପ୍ରତି ସ୍ୱାମୀଙ୍କର ଏହି ଭଲପାଇବା ଓ ଶ୍ରଦ୍ଧାକୁ ଜୀବନର ଶେଷ ପର୍ଯ୍ୟନ୍ତ ଭୁଲିପାରିନଥିଲେ । ‘ଏଇତ ସଂସାର’ ଏକାଙ୍କିକାରେ ଅତୀତର ଏହି ସ୍ମୃତିଟି ସତେ ଯେପରି ନୂଆ ଜୀବନ ଲାଭ କରିଛି ।

‘ଏକାଙ୍କିକା’ର ମୁଖ୍ୟ ଚରିତ୍ର ଲାବଣ୍ୟ ଓ ମନୋହରବାବୁ (ପରୋକ୍ଷରେ ସୀତାଦେବୀ ଓ ବାଞ୍ଛାନିଧିବାବୁ) । ଅତୀତରେ ଲାବଣ୍ୟ ରୋଗାକ୍ରାନ୍ତ ହୋଇପଡ଼ିଥିବା ସମୟରେ ମନୋହରବାବୁ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଧାର ଉଧାର କରି ପତ୍ନୀଙ୍କର ସେବା କରିଛନ୍ତି । ସେମାନଙ୍କର ଜୀବନ ଆରମ୍ଭ ହୋଇଥିଲା ଏକ ସାଧାରଣ ସ୍ତରରୁ । ଦୁଃଖକଷ୍ଟ ମଧ୍ୟଦେଇ ତାଙ୍କର ଜୀବନ ନୌକା ଭାସିଚାଲିଥିଲା । ଆଜି ମନୋହରବାବୁ ଡେପୁଟି । ଆର୍ଥିକ ଅସୁବିଧା ନାହିଁ । ସ୍ୱଚ୍ଛଳ ଜୀବନ ଅତିବାହିତ କରୁଛନ୍ତି । ସୁନ୍ଦର ଘର ମଧ୍ୟ କରିଛନ୍ତି । ସୀତାଦେବୀ ଏବଂ ବାଞ୍ଛାନିଧିବାବୁଙ୍କ ଜୀବନ ଏହିପରି ଅଭାବ ଅସୁବିଧା ମଧ୍ୟରେ ଅତିବାହିତ ହୋଇଥିଲା । ସେମାନେ ମଧ୍ୟ ନିଜର ସୀମିତ ଆୟ ମଧ୍ୟରେ ପରିବାର ପ୍ରତିପୋଷଣ କରୁଥିଲେ । ପରବର୍ତ୍ତୀ ସମୟରେ ଅବଶ୍ୟ ସେମାନେ ଅର୍ଥସମ୍ପଦର ପ୍ରାଚୁର୍ଯ୍ୟ ଲାଭ କରିଥିଲେ । ତେବେ ସେ ଯାହା ହେଉନା କାହିଁକି ଲାବଣ୍ୟ ଆରୋଗ୍ୟ ହେବା ପରେ ମନୋହରବାବୁ ଖୁସିରେ ତାଙ୍କର ଆତ୍ମୀୟ ଓ ସାଥୀମାନଙ୍କୁ ନେଇ ଭୋଜିର ଆୟୋଜନ କରିଛନ୍ତି । ସୀତାଦେବୀଙ୍କ ବ୍ୟକ୍ତିଗତ ଜୀବନରେ ଯେପରି କିଛି ବ୍ୟକ୍ତି ତାଙ୍କୁ ସହ୍ୟ କରିପାରୁନଥିଲେ, ଏକାଙ୍କିକାର ମୁଖ୍ୟ ଚରିତ୍ର ଲାବଣ୍ୟ କ୍ଷେତ୍ରରେ ମଧ୍ୟ ଠିକ୍‌ ତାହାହିଁ ଘଟିଛି । ହାରା ଲାବଣ୍ୟଙ୍କର ବାନ୍ଧବୀ । ମାତ୍ର ଏପରି ଖର୍ଚ୍ଚବହୁଳ ଉତ୍ସବ ତାଙ୍କ ମନରେ ଈର୍ଷା ସୃଷ୍ଟି କରିଛି । ଅନେକ ସ୍ତ୍ରୀ ପିଲା ଜନ୍ମ କରୁଛନ୍ତି, ରୋଗରେ ମଧ୍ୟ ପଡ଼ୁଛନ୍ତି ଓ ଆରୋଗ୍ୟ ହେଉଛନ୍ତି । ସେଥିପାଇଁ ଏପରି ଉତ୍ସବ ଆୟୋଜନ କରିବାର ଆବଶ୍ୟକତାକୁ ସେ ଅନୁଭବ କରିନାହାନ୍ତି । ପରୋକ୍ଷରେ ଲାବଣ୍ୟ ଓ ମନୋହରବାବୁଙ୍କ ଆନନ୍ଦମୟ ଦାମ୍ପତ୍ୟ ଜୀବନ ଓ ପରସ୍ପର ପ୍ରତି ଗଭୀର ଭଲପାଇବା ହାରାକୁ ଈର୍ଷାପରାୟଣ କରିଛି । ମଣିଷ ଚିରତ୍ରର ଏହି ଦିଗଟିକୁ ସୀତାଦେବୀ ସୁନ୍ଦର ଭାବରେ ରୂପ ଦେଇଛନ୍ତି ତାଙ୍କ ଏକାଙ୍କିକାରେ ।

 

ଘଟଣାଚକ୍ରରେ ସମୟ ବଦଳିଯାଇଛି । ପନ୍ଦର ବର୍ଷ ପରେ ମନୋହରବାବୁ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଭଗ୍ନ ସ୍ୱାସ୍ଥ୍ୟ । ଉନ୍ନତିର ଲକ୍ଷଣ ଦେଖାଯାଉନାହିଁ । ଦୀର୍ଘ ୬ ମାସ ଧରି ସେ ପୀଡ଼ିତ । (ବାସ୍ତବ ଜୀବନରେ ବାଞ୍ଛାନିଧିବାବୁ ରୋଗଶଯ୍ୟାରେ ଦୀର୍ଘଦିନ ହେବ ଶାୟିତ ହୋଇ ରହିଥିଲେ ଏବଂ ଶେଷରେ ପ୍ରାଣତ୍ୟାଗ କରିଥିଲେ । ସେତେବେଳେ ସୀତାଦେବୀ ଛାଇପରି ତାଙ୍କ ନିକଟରେ ଜଗିରହିଥିଲେ । ବାଞ୍ଛାନିଧିବାବୁଙ୍କର ରୋଗଶଯ୍ୟା ନିକଟରେ କେବଳ ଅଶ୍ରୁବର୍ଷଣ କରିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଚାରା ନଥିଲା ।) ସ୍ୱାସ୍ଥ୍ୟ ଦିନକୁ ଦିନ ଅଧିକ ଖରାପ ହୋଇଚାଲିଛି । ପାଖରେ ପ୍ରିୟତମା ପତ୍ନୀ ଲାବଣ୍ୟ । ନିଜର ମୃତ୍ୟୁ ସନ୍ନିକଟ ଜାଣି ମନୋହରବାବୁ ରୋଗଶଯ୍ୟାରେ ପତ୍ନୀ ଲାବଣ୍ୟକୁ ଘରଦ୍ୱାର, ପିଲାମାନଙ୍କ ସମ୍ପର୍କରେ ଅନେକ କଥା ବୁଝାଇ କହିଛନ୍ତି । ନିଜ କନ୍ୟା ଇନ୍ଦୁର ବିଭାଘର ନିମିତ୍ତ ଜୀବନବୀମା ଟଙ୍କା ଖର୍ଚ୍ଚ କରିବାର ପରାମର୍ଶ ଦେଇଛନ୍ତି । ନିଜର ଘରବାଡ଼ି ତାଙ୍କ ନାମରେ ଉଇଲ କରିଦେଇଥିବାର ସୂଚନା ଦେଇଛନ୍ତି ଏବଂ ଶେଷରେ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗୋଟିଏ ସରଳ କାହାଣୀ ବା ଅନ୍ୟ ଭାବରେ କହିଲେ ପାରିବାରିକ କାହାଣୀଟିକୁ ନେଇ ‘ଏଇତ ସଂସାର’ ଏକାଙ୍କିକାଟି ରଚିତ । ଏକାଙ୍କିକାର ପରିଣତି କରୁଣାନ୍ତକ । ପାରିବାରିକ ଆଦର୍ଶ ଓ ସ୍ୱାମୀ-ସ୍ତ୍ରୀର ଚିରନ୍ତନ ସମ୍ପର୍କ ଉପରେ ଗଢ଼ିଉଠିଛି ଏହି ଏକାଙ୍କିକା । ଏହାମଧ୍ୟରେ ଯେକୌଣସି ଓଡ଼ିଆ ପରିବାରର ମଧୁର ସମ୍ପର୍କକୁ ଅନୁସନ୍ଧାନ କରାଯାଇପାରେ । ଶେଷ ସମୟରେ ସୀତାଦେବୀ ଆଉ ବେଶି ଏକାଙ୍କିକା ରଚନା କରିପାରିନାହାନ୍ତି ।

 

ପ୍ରବନ୍ଧ

 

ସୀତାଦେବୀ ପ୍ରାବନ୍ଧିକା ନଥିଲେ । କିନ୍ତୁ ସମାଜ ଓ ସାହିତ୍ୟ ସହ ଏପରି ନିବିଡ଼ ଭାବରେ ଜଡ଼ିତ ହୋଇପଡ଼ିଥିଲେ ଯେ କୌଣସି ସାମାଜିକ ସମସ୍ୟାକୁ ସେ ମୁହଁ ଏଡ଼ାଇଦେଇ ଯାଇପାରୁନଥିଲେ । ଯେକୌଣସି ସମସ୍ୟା ଆସିଲେ ତା’ର କିପରି ନରାକରଣ କରାଯାଇପାରିବ, ସେ ସମ୍ପର୍କରେ ଗଭୀର ଭାବରେ ଚିନ୍ତା କରି ଉଚିତ ପରାମର୍ଶ ଦେବାକୁ ଭୁଲୁନଥିଲେ । ୧୯୪୩ ମସିହାରେ ଏହିପରି ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲା ଭାରତ । ଏହିବର୍ଷ ଏକ ପ୍ରଳୟଙ୍କର ଦୁର୍ଭିକ୍ଷ ବଙ୍ଗଳାରେ ଦେଖାଦେଇଥିଲା । ଏହା ନିଶ୍ଚିତ ଭାବରେ ଥିଲା ଗୋଟିଏ ଜାତୀୟ ସମସ୍ୟା । ସୀତାଦେବୀ ‘ଭିକ୍ଷୁକ ସମସ୍ୟା’ ଶିରୋନାମାରେ ତା ୧୧/୧/୧୯୪୪ ରେ ପ୍ରବନ୍ଧଟିଏ ପ୍ରକାଶ କରିଥିଲେ ‘ନବୀନ’ରେ । ଦୁର୍ଭିକ୍ଷ ଯୋଗୁଁ ଅନେକ ଲୋକ କ୍ଷୁଧା ନିବାରଣ ପାଇଁ ଭିଖକୁ ବୃତ୍ତିରୂପେ ଅବଲମ୍ବନ କରିନେଇଥିଲେ । ତେଣୁ ଦୁର୍ଭିକ୍ଷ ସମସ୍ୟା ଅପେକ୍ଷା ଭିକ୍ଷୁକ ସମସ୍ୟା ଅଧିକ ବଢ଼ିଯାଇଥିଲା । ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ, ସେ ସମ୍ପର୍କରେ ସୁଚିନ୍ତିତ ପରାମର୍ଶଟିଏ ଏଥିରେ ରହିଛି ।

 

ବଙ୍ଗଳାରେ ଦେଖାଦେଇଥିବା ଦୁର୍ଭିକ୍ଷଦ୍ୱାରା ଓଡ଼ିଶା ମଧ୍ୟ ବହୁପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଏହାଦ୍ୱାରା ଖାଦ୍ୟ ସମସ୍ୟା ଏକ ବିରାଟ ସମସ୍ୟାରୂପେ ଦେଖାଦେଇଛି । ଗଞ୍ଜାମ ଅଞ୍ଚଳର ବହୁ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଏବଂ ମୂଲିଆ ଶ୍ରେଣୀର ଲୋକମାନେ କର୍ମ ନପାଇ ଭିକ୍ଷା ବୃତ୍ତିକୁ ଅବଲମ୍ବନ କରିଛନ୍ତି । ସରକାରଙ୍କଦ୍ୱାରା କେତେକ ସ୍ଥାନରେ ଅନ୍ନଛତ୍ର ଖୋଲାଯାଇଛି-। ମାତ୍ର ସୀତାଦେବୀ ସମ୍ପୂର୍ଣ୍ଣ ଭାବରେ ସଚେତନ ଥିଲେ ଯେ, ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ସମାଧାନ ହୋଇପାରିବ ନାହିଁ । ବରଂ କିଛି କର୍ମକ୍ଷମ ଲୋକେ ଅକର୍ମା ହୋଇପଡ଼ିବେ । ମାଗଣାରେ ଖାଦ୍ୟ ମିଳୁଥିବାରୁ ସେମାନଙ୍କର କର୍ମ ପ୍ରବୃତ୍ତି ମରି ମରି ଯିବ । ଭିକ୍ଷୁକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ମାଗଣା ଖାଦ୍ୟ ପାଇଁ ଭୋକିଲା ଲୋକେ ଆକଣ୍ଠ ଭୋଜନ କରି ହଇଜା, କଲେରା ଆଦି ରୋଗରେ ଆକ୍ରାନ୍ତ ହୋଇପଡ଼ିବେ । ସେମାନଙ୍କର ନିଜ ଉପରୁ ବିଶ୍ୱାସ ତୁଟିଯିବ, ଅନ୍ୟ ଉପରେ ନିର୍ଭର କରି ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ଚେଷ୍ଟିତ ହେବେ । ତେଣୁ ଏହା ଯେ ଏକ ସମାଧାନ ନୁହେଁ, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ସଚେତନ ଥିଲେ ।

 

ସୀତାଦେବୀଙ୍କର କହିବାର କଥା ପ୍ରଥମେ ଦୁର୍ଭିକ୍ଷ ହେବାର କାରଣ ଅନୁସନ୍ଧାନ କରାଯିବା ଉଚିତ । ଦୁର୍ଭିକ୍ଷର ଯେତେଗୋଟି କାରଣ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ତନ୍ମଧ୍ୟରୁ ମୁଖ୍ୟ ହେଉଛି ଅନାବୃଷ୍ଟି ବା ଜଳର ଅଭାବ, ଖାଦ୍ୟର ଅଭାବ ଏବଂ ଯୋଗାଯୋଗ ବ୍ୟବସ୍ଥାର ଅବନତି । ସୀତାଦେବୀଙ୍କ ମତରେ ପ୍ରଥମେ ଖାଦ୍ୟ କ୍ଷେତ୍ରରେ ଆମକୁ ସ୍ୱାବଲମ୍ବନଶୀଳ ହେବାକୁ ପଡ଼ିବ । ତେଣୁ ପ୍ରଥମେ ଆମକୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ । ଆମ ଦେଶର କୃଷକ ମୁଖ୍ୟତଃ କୃଷିକାର୍ଯ୍ୟ ନିମିତ୍ତ ବର୍ଷାଜଳ ଉପରେ ନିର୍ଭର କରନ୍ତି । ବର୍ଷା ସମୟରେ ଚାଷୀ ନିଜ ଚାଷ ଜମିରେ କିପରି ଜଳ ସଞ୍ଚୟ କରିବାକୁ ପଡ଼ିବ, ସେ ସମ୍ପର୍କରେ ଜ୍ଞାନଲାଭ କରିବା ଆବଶ୍ୟକ; ଏଣୁ ବର୍ଷାଦିନେ ବିଭିନ୍ନ ସ୍ଥାନରେ ଘାଇ କରି ବା ଭୂମି ଅଧିକାରୀଙ୍କ ଜମି ଖୋଳାଇ ଜଳକୁ ସଞ୍ଚୟ କରି ରଖିବାକୁ ପଡ଼ିବ । ବର୍ଷା ଅଭାବରେ ଏଥିରୁ ଜଳ ନେଇ ଚାଷୀ ନିଜର କୃଷିକାର୍ଯ୍ୟ କରିପାରିବ ଏବଂ କିଛି ଲୋକ ମଧ୍ୟ ଏଥିଯୋଗୁଁ କାମ ପାଇପାରିବେ । ଯୋଗାଯୋଗ ବ୍ୟବସ୍ଥାର ଅବନତି ଯୋଗୁଁ ଅର୍ଥାତ୍‌ ରାସ୍ତାଘାଟର ଅଭାବ ତଥା ରାସ୍ତାମାନଙ୍କର ଖରାପ ଅବସ୍ଥା ଯୋଗୁଁ ପଲ୍ଲୀ ସହିତ ସହରର ଉଚିତ ଯୋଗାଯୋଗ ରକ୍ଷା କରାଯାଇପାରୁନାହିଁ । ଯୋଗାଯୋଗର ସୁବିଧା ଥିଲେ କୃଷିଜାତ ପଦାର୍ଥର କ୍ରୟ-ବିକ୍ରୟ ସହିତ ଚାଷୀମାନେ ଆଧୁନିକ କୃଷିପ୍ରଣାଳୀ ସମ୍ପର୍କରେ ଜ୍ଞାନଲାଭ କରିପାରିବେ । ଏହାଦ୍ୱାରା କର୍ମ ସଂସ୍ଥାନ ମଧ୍ୟ ଖୋଲିଯିବ । ଯୁଗାନୁଯାୟୀ କୃଷି ନୀତିରେ ପରିବର୍ତ୍ତନ ତଥା କର୍ମାଭିମୁଖୀ କାର୍ଯ୍ୟପ୍ରଣାଳୀ ମଣିଷର ଆବଶ୍ୟକତାକୁ ପୂରଣ କରିପାରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟ ବିଲୋପରେ ସହାୟକ ହୋଇପାରିବ ବୋଲି ସୀତାଦେବୀ ବିଶ୍ୱାସ କରିଛନ୍ତି । ତେଣୁ ଏହି ପ୍ରବନ୍ଧଟିର ଯୁଗୋପଯୋଗିତା ସ୍ୱୀକାର୍ଯ୍ୟ ।

 

ସୀତାଦେବୀଙ୍କ ‘ଆଦିକବି’ ଶୀର୍ଷକ କବିତା ସାପ୍ତାହିକୀ ‘ନବୀନ’ରେ ପ୍ରକାଶ ପାଇବା ପରେ ଶ୍ରୀ ଦୀନବନ୍ଧୁ ଦାଶ, ଏମ୍‌.ଏ. ରାଜନୀତିକ ଓ ବ୍ୟକ୍ତିଗତ ଘଟଣାକୁ କେନ୍ଦ୍ରକରି ଈର୍ଷାତୁର ହୋଇପଡ଼ିଥିଲେ । ତେଣୁ ସୀତାଦେବୀଙ୍କ କବିତାକୁ ଆକ୍ରୋଶମୂଳକ ଭାବରେ ସମାଲୋଚନା କରି ସେହି ଆଦିକବି ଶିରୋନାମାରେ ସମାଲୋଚନାଟିଏ ନଭେମ୍ବର ୨ ତାରିଖ ୧୯୪୮ ମସିହାରେ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟୁତ୍ତର ଦେବାକୁ ସୀତାଦେବୀ ସେହି ‘ନବୀନ’ରେ ନଭେମ୍ବର ୧୬ ତାରିଖ ୧୯୪୮ ମସିହାରେ ସମାଲୋଚନା ଶୀର୍ଷକରେ ପ୍ରବନ୍ଧଟିଏ ପ୍ରକାଶ କରି ଶ୍ରୀ ଦାଶଙ୍କ ସମାଲୋଚନାର ଉପଯୁକ୍ତ ଉତ୍ତର ଦେଇଥିଲେ । ମାତ୍ର ସୀତାଦେବୀଙ୍କୁ ଏହି ଘଟଣାଟି ବ୍ୟଥା ଦେଇଥିଲା । ଏହି ଦୁଇଟି ପ୍ରବନ୍ଧ ବ୍ୟତୀତ ସୀତାଦେବୀଙ୍କ ନାମରେ ବିଶେଷ କିଛି ପ୍ରବନ୍ଧ ଦେଖିବାକୁ ମିଳେ ନାହିଁ ।

 

ଅଭିଭାଷଣ ଓ ପତ୍ରାବଳୀ

 

ସୀତାଦେବୀ ତାଙ୍କ କାର୍ଯ୍ୟବହୁଳ ଜୀବନରେ ଅନେକ ସଭାସମିତିରେ ଅଭିଭାଷଣ ପ୍ରଦାନ କରିବାକୁ ନିମନ୍ତ୍ରିତ ହୋଇଥାନ୍ତି । ଜଣେ ଅନୁଭୂତିସଂପନ୍ନା ନାରୀ ହୋଇଥିବାରୁ ବିଭିନ୍ନ ସାମାଜିକ କାର୍ଯ୍ୟାବଳୀ ଓ ସାହିତ୍ୟ ଅନୁଷ୍ଠାନମାନଙ୍କରେ ତାଙ୍କ ଅଭିଭାଷଣର ଗୁରୁତ୍ୱ ସମସ୍ତେ ଅନୁଭବ କରିଥାନ୍ତି । ସେହିପରି ଏକ ବିଶିଷ୍ଟ ଅଭିଭାଷଣ ସେ ପ୍ରଦାନ କରିଥିଲେ ୧୯୬୭ ମସିହାରେ ଗଞ୍ଜାମ ସାହିତ୍ୟ ସମ୍ମେଳନରେ । ବିଷୟ ଥିଲା ‘ଲେଖିକା ସମସ୍ୟା’ । ଏହି ଅମୂଲ୍ୟ ଅଭିଭାଷଣଟିର ସାରାଂଶ ପରବର୍ତ୍ତୀ ସମୟରେ ‘ଆଲୋକ’ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

 

ଭାଷଣଟି ଥିଲା ଅତ୍ୟନ୍ତ ଉଚ୍ଚକୋଟୀର । ଏହି ସମ୍ମେଳନରେ ସୀତାଦେବୀଙ୍କୁ ମୁଖ୍ୟବକ୍ତାରୂପେ ଭାଷଣ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା । ସମ୍ମେଳନ କାର୍ଯ୍ୟକର୍ତ୍ତାଙ୍କ ବ୍ୟବହାର ଓ ଆତିଥ୍ୟଦ୍ୱାରା ସେ ମୁଗ୍‌ଧ ହୋଇଥିଲେ । ସୁଦୂର ପାଟନାରୁ ସେ ଆସିଥିଲେ ଏଥିରେ ଭାଗନେବା ପାଇଁ । ତାଙ୍କ ଅଭିଭାଷଣରେ କେବଳ ନାରୀ ନୁହେଁ ପୁରୁଷଙ୍କର ମଧ୍ୟ ସମସ୍ୟା ରହିଛି ବୋଲି କହିଥିଲେ । ପ୍ରକୃତରେ ମହତ୍‌ କାର୍ଯ୍ୟରେ କେହି ବାଧା ଦେଇପାରନ୍ତି ନାହିଁ ବୋଲି ସେ ଯାହା କହିଥିଲେ, ତାହା ବାସ୍ତବରେ ସତ୍ୟ । ପୁରୁଷ ପରିବାର ପ୍ରତିପୋଷଣ ଦାୟିତ୍ୱ ବହନ କରିଥିବା ସମୟରେ, ନାରୀ ଗୃହକର୍ମରେ ବ୍ୟସ୍ତ ରହିଥାଏ । ସୃଷ୍ଟିକର୍ମରେ ବ୍ୟାପୃତ ରହିବାକୁ ସେ ପରିବାର ସଦସ୍ୟଙ୍କଠାରୁ ଉତ୍ସାହ ପାଇନଥାଏ । ଏହି ପାର୍ଥିବ ସହଜ ପନ୍ଥାଟି ଗ୍ରହଣ କରି ଅନେକ ସମୟରେ ସେ ସନ୍ତୁଷ୍ଟ ରହିଥାଏ । ଗୃହ କର୍ମରେ ବ୍ୟସ୍ତ ରହି ସେ ମୂଲ୍ୟବାନ ସମୟକୁ ମଧ୍ୟ ଅପବ୍ୟୟ କରିଥାଏ । ତାଙ୍କ ମତରେ ନାରୀ ନିଃସ୍ୱାର୍ଥପର ନୁହେଁ, ବରଂ ଏହା ପଛରେ ରହିଛି ତା’ର ଏକ ବଡ଼ ସ୍ୱାର୍ଥ । ନିଜ କର୍ମରେ ପତିକୁ ବଶୀଭୂତ କରି ଅନ୍ୟମାନଙ୍କଠାରୁ ତାଙ୍କୁ ଦୂରେଇନେଇ ନିଜର ସ୍ୱାର୍ଥସାଧନ କରିଥାଏ । ପରିବାର ପାଇଁ ଦେବତାଙ୍କୁ ଆରାଧନା କରୁଥିଲେହେଁ ଆତ୍ମାର ଆନନ୍ଦ ପାଇଁ ସେ କୌଣସି କାର୍ଯ୍ୟ କରିନଥାଏ । ତାଙ୍କ ମତରେ ନାରୀର ଆତ୍ମ-ଅବମାନନା ପାଇଁ କେବଳ ନାରୀହିଁ ଦାୟୀ । ବସ୍ତୁବାଦ ଭିତରେ ବୁଡ଼ିରହି ଜୀବନର ଉନ୍ନତି ମାର୍ଗକୁ ସେ ନିଜେହିଁ ବନ୍ଦ କରିଦେଇଥାଏ । ନିଜର ଆତ୍ମଶକ୍ତିର ବିକାଶ ପାଇଁ କିଛି କରିବାର ଉତ୍ସାହ ତା’ର ନାହିଁ । ବିଭିନ୍ନ କ୍ଷେତ୍ରରେ ନାରୀର ଉନ୍ନତି ଘଟିଥିଲେହେଁ, ସାରସ୍ୱତ ସାଧନା କ୍ଷେତ୍ରରେ ଏବେ ବି ସେ ପଛରେ ପଡ଼ିରହିଛି । ଯଦିଓ ସୃଷ୍ଟି କାର୍ଯ୍ୟରେ ବ୍ୟାପୃତ ହେବା କ୍ଷେତ୍ରରେ ନାରୀର ବହୁ ବାଧା ରହିଛି, ତନ୍ମଧ୍ୟରୁ ପ୍ରଥମ ବାଧା ହେଉଛି ନିଜର ଉଦ୍ୟମ ଓ ଉତ୍ସାହହୀନତା । ନାରୀ ଚାହିଁଲେ ଏହି ବାଧାବିଘ୍ନକୁ ସେ ଅଚିରେ ଦୂରୀଭୂତ କରିପାରନ୍ତା । ନାରୀସମାଜ ପ୍ରତି ସୀତାଦେବୀଙ୍କର ଏହି ଉପଦେଶର ପ୍ରାସଙ୍ଗିକତା ଓ ବାସ୍ତବତା ଏବେ ମଧ୍ୟ ଉପଲବ୍‌ଧ ହୋଇଥାଏ ।

 

ପତ୍ର ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ନୂଆ ନୁହେଁ । ରାଧାନାଥ, ଗଙ୍ଗାଧର, କାଳିନ୍ଦୀଚରଣ, ମାୟାଧର ମାନସିଂହ, ଚିତ୍ତରଞ୍ଜନ ଦାସ, କୁନ୍ତଳା କୁମାରୀ ସାବତ, ନନ୍ଦକିଶୋର, ଫକୀରମୋହନ, କାହ୍ନୁଚରଣ ଆଦି ବିଶିଷ୍ଟ ସ୍ରଷ୍ଟାଗଣ ସେମାନଙ୍କର ହିତାକାଂକ୍ଷୀ, ଗୁଣଗ୍ରାହୀ ବ୍ୟକ୍ତିମାନଙ୍କ ନିକଟକୁ ଯେଉଁ ପତ୍ର ଦେଇଛନ୍ତି, ସେଥିରୁ ସେମାନଙ୍କର ଦୃଷ୍ଟିଭଙ୍ଗୀ ସହିତ ସାହିତ୍ୟ ପ୍ରତି ରହିଥିବା ଉଦାର ଦୃଷ୍ଟିକୋଣ ବେଶ୍‌ ସ୍ପଷ୍ଟ । ଏହି ପତ୍ର ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସେମାନଙ୍କର ସାରସ୍ୱତ ସାଧନାକୁ ପୁଷ୍ଟ ଓ ବିକାଶ କରାଇଛି । ସୀତାଦେବୀ ବିଭିନ୍ନ ସମୟରେ ଯେଉଁ ପତ୍ରାବଳୀ ଦେଇଛନ୍ତି, ସେଥିରୁ ତାଙ୍କ ସାହିତ୍ୟପ୍ରାଣତା ଓ ଜୀବନପ୍ରତି ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ଶାଣିତ । ଶ୍ରୀ ଦେବରାଜ ପାଠୀଙ୍କ ନିକଟରେ ସୀତାଦେବୀଙ୍କ ଅନେକ ପତ୍ର ରହିଥିଲା ଯାହାକୁ ଗବେଷିକା ସନ୍ଧ୍ୟାରାଣୀ ପଟ୍ଟନାୟକ ପାଠ କରି ତାଙ୍କ ସାରସ୍ୱତ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅଧ୍ୟାପକ ଶିବରାମ ପାତ୍ରଙ୍କ ନିକଟରେ ଥିବା ପତ୍ରଗୁଡ଼ିକରୁ ମଧ୍ୟ ସୀତାଦେବୀଙ୍କ ଉଚ୍ଚ ମାନସିକତା ତଥା ସାଧନା ସମ୍ପର୍କରେ ସୂଚନା ମିଳିଥାଏ ।

 

ଉପସଂହାର

 

ସୀତାଦେବୀଙ୍କ ବହୁମୁଖୀ ପ୍ରତିଭାର ତୁଳନା ନାହିଁ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟରେ ସାରସ୍ୱତ ସାଧନାର ମୁଦ୍ରାଙ୍କ ସ୍ପଷ୍ଟ । ପ୍ରବନ୍ଧ, ଏକାଙ୍କିକା କ୍ଷେତ୍ରରେ ସେ ବିଶେଷ କିଛି ଚମତ୍କାରିତା ପ୍ରଦର୍ଶନ କରିପାରିନଥିଲେହେଁ ଯେଉଁ ଅଳ୍ପ କେତୋଟି ସୃଷ୍ଟି ଏ ସମ୍ପର୍କରେ ଓଡ଼ିଆ ସାହିତ୍ୟକୁ ପ୍ରଦାନ କରିଯାଇଛନ୍ତି, ତା’ର ଗୁଣାତ୍ମକ ମାନ ନିଶ୍ଚିତ ଭାବରେ ଆଶ୍ୱାସନାପ୍ରଦ । ତାଙ୍କର ପତ୍ରାବଳୀ ଓ ବିଭିନ୍ନ ସମୟରେ ପ୍ରଦତ୍ତ କରିଥିବା ଅଭିଭାଷଣଗୁଡ଼ିକରୁ ସୀତାଦେବୀଙ୍କ ସାହିତ୍ୟପ୍ରାଣତା ବେଶ୍‌ ବାରି ହୋଇପଡ଼େ । ସେ ସାରସ୍ୱତ ସାଧନା ପାଇଁ ଏକାନ୍ତ ଭାବରେ ଥିଲେ ଉତ୍ସର୍ଗୀକୃତା । ଯେତେବେଳେ ଓଡ଼ିଆ ସାହିତ୍ୟରେ ନାରୀ ପ୍ରତିଭାମାନଙ୍କର ବିଶେଷ ପରିଚିତି ନଥିଲା, ସେତେବେଳେ ସୀତାଦେବୀଙ୍କ ଆବିର୍ଭାବ ନିଶ୍ଚିତ ଭାବରେ ଉତ୍ସାହପ୍ରଦ । ଓଡ଼ିଆ ସାହିତ୍ୟକୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ସେ ଯେପରି ସମୃଦ୍ଧ କରିଯାଇଛନ୍ତି, ତାର ପଟାନ୍ତର ନାହିଁ ।

 

ଉପସଂହାର

 

ଓଡ଼ିଆ ସାହିତ୍ୟରେ ବିଂଶ ଶତକର ଆଦ୍ୟଭାଗରେ ଯେଉଁ ମୁଷ୍ଟିମେୟ କେତେଜଣ ନାରୀ ପ୍ରତିଭା ସାରସ୍ୱତ ସାଧନା କ୍ଷେତ୍ରରେ ନିଜର ସ୍ପଷ୍ଟ ପଦଚିହ୍ନ ଛାଡ଼ିଯାଇଛନ୍ତି, ସେମାନଙ୍କ ମଧ୍ୟରେ ସୀତାଦେବୀ ଖାଡ଼ଙ୍ଗା ଅନ୍ୟତମ । ଜଣେ ସାଧାରଣ ନାରୀ, ପୁଣି ପ୍ରତିକୂଳ ପରିବେଶରେ ଜୀବନଯାତ୍ରା, ଆରମ୍ଭ କରି ନିଜର ସାଧନାଦ୍ୱାରା ଓଡ଼ିଆ ସାରସ୍ୱତ ଜଗତକୁ ଯାହା ଦାନ କରିଯାଇଛନ୍ତି, ବାସ୍ତବରେ ତାହା ଅତୁଳନୀୟ । ଏକ ସମ୍ଭ୍ରାନ୍ତ, ଉଚ୍ଚଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେହେଁ ଆନୁଷ୍ଠାନିକ ଶିକ୍ଷାଲାଭର କୌଣସି ସୁଯୋଗ ତାଙ୍କୁ ମିଳିନାହିଁ । ଶିକ୍ଷିତ ପିତାଙ୍କ ୠଢ଼ିବାଦୀ ଚିନ୍ତାଧାରା ଓ ନାରୀସମାଜ ପ୍ରତି ସମାଜର ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ ସୀତାଦେବୀଙ୍କ ଅଧ୍ୟୟନ କ୍ଷେତ୍ରରେ ଥିଲା ପ୍ରଥମ ଅନ୍ତରାୟ । ମା’ଙ୍କ ଆଶୀର୍ବାଦରୁ ସେ ଯାହା ଘର ଭିତରେ ଶିକ୍ଷା କରିଥିଲେ, ପରବର୍ତ୍ତୀ ସମୟରେ ତାହାକୁ ଆଧାର କରି ସେ ସୃଷ୍ଟି କରିଥିଲେ କବିତା, ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା, ଆତ୍ମଜୀବନୀ ଇତ୍ୟାଦି ।

 

ସୀତାଦେବୀଙ୍କ ସମଗ୍ର ଜୀବନକାଳକୁ ଦୁଇଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ । ପ୍ରଥମ ଭାଗଟି ହେଉଛି ତାଙ୍କର ଅବିବାହିତା ଜୀବନ ଓ ଦ୍ୱିତୀୟ ଭାଗଟି ହେଉଛି ବିବାହିତ ଜୀବନ । ସେ ତାଙ୍କ ଅବିବାହିତ ଜୀବନରେ ସମାଜର ୠଢ଼ିବାଦୀ ଚିନ୍ତାଧାରାର ଶିକାର ହୋଇଥିଲେ । ଏହି କାରଣରୁ ପ୍ରତିଭା ଥିଲେହେଁ ତାହା ବିକାଶ ହେବାର ସୁଯୋଗ ପାଇନଥିଲା । ଆମେ ବର୍ତ୍ତମାନ ଯେଉଁ ସୀତାଦେବୀଙ୍କୁ ଜାଣିଛୁ, ତାହା ହେଉଛି ପ୍ରକୃତରେ ବିବାହ ପରର ସୀତାଦେବୀ । ଗୁଣୀ ଚିହ୍ନେ ଗୁଣିଆ ନ୍ୟାୟରେ ସ୍ୱାମୀ ବାଞ୍ଛାନିଧିବାବୁ ସୀତାଦେବୀଙ୍କ ସୁପ୍ତ ପ୍ରତିଭାର ପରିଚୟ ପାଇବା ପରେ ତାର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ । ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିଥିଲେ ପ୍ରତିଷ୍ଠିତ କଥାକାର ଅନନ୍ତ ପ୍ରସାଦ ପଣ୍ଡା । ସୀତାଦେବୀଙ୍କ ଆଦ୍ୟ ସୃଷ୍ଟି ସମୂହକୁ ନବୀନ, ସହକାର ତଥା ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ କରିବାର ପ୍ରଥମ ଦାୟିତ୍ୱ, ସ୍ୱତଃପ୍ରବୃତ୍ତ ଭାବରେ ସେ ଗ୍ରହଣ କରିଥିଲେ । ବାଞ୍ଛାନିଧିବାବୁ ଏବଂ ଅନନ୍ତବାବୁଙ୍କ ଉତ୍ସାହ ଓ ପ୍ରେରଣା ଲାଭ କରି ସୀତାଦେବୀ ସାରସ୍ୱତ ସାଧନାରେ ମନୋନିବେଶ କରିଥିଲେ । କାର୍ଯ୍ୟୋପଲକ୍ଷେ ଅନନ୍ତବାବୁଙ୍କ ସ୍ଥାନାନ୍ତର କିଛିଦିନ ପାଇଁ ସୀତାଦେବୀଙ୍କ ସୃଷ୍ଟିରେ ବାଧା ସୃଷ୍ଟି କରିଥିଲା । ମାତ୍ର ସ୍ୱାମୀଙ୍କର ପ୍ରେରଣା ଲାଭ କରି ନବ ଉଦ୍ମାଦନାରେ ସୃଜନଶୀଳ କର୍ମରେ ପୁଣି ବ୍ୟାପୃତ ହୋଇଯାଇଥିଲେ ।

 

ସୀତାଦେବୀ କେବଳ ଜଣେ ଉଚ୍ଚମାନର ସାରସ୍ୱତ ସାଧିକା ନଥିଲେ, ଥିଲେ ମଧ୍ୟ ଉତ୍ତମ ସଂଗଠିକାଟିଏ । ସେ ତାଙ୍କର ନାଟ୍ୟଦଳକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭିନୟ କରି ଅଶେଷ ଖ୍ୟାତି, ସମ୍ମାନ, ମାନପତ୍ର ଲାଭ କରିଥିଲେ । କିଛି ବିରୋଧୀଙ୍କ ସମାଲୋଚନା ସତ୍ତ୍ୱେ ସୃଷ୍ଟି କାର୍ଯ୍ୟରେ ଆଦୌ ପଛଘୁଞ୍ଚା ଦେଇନଥିଲେ । ନାଟ୍ୟ ମଞ୍ଚ ନିର୍ମାଣ, ସାହିତ୍ୟ ଅନୁଷ୍ଠାନ ଗଠନ ଓ ଏଥିପାଇଁ ବିଶିଷ୍ଟ ବ୍ୟକ୍ତି ତଥା ରାଜାମାନଙ୍କ ନିକଟରେ ପହଞ୍ଚି ଅର୍ଥ ସଂଗ୍ରହ ତାଙ୍କୁ ଜଣେ ବିଶିଷ୍ଟ ସଂଗଠିକା ଆସନ ପ୍ରଦାନ କରିଛି । ପାରିବାରିକ ଓ ସାହିତ୍ୟିକ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରି ନିଜର ଲକ୍ଷ୍ୟ ପଥରେ ଆଗେଇଯାଇଛନ୍ତି । ସମାଜର ବ୍ୟଙ୍ଗ, ବିଦ୍ରୂପକୁ ଖାତିର କରିନାହାନ୍ତି । ପ୍ରତିଭାଧାରୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଛନ୍ତି । ବୟସରେ ତାଙ୍କଠାରୁ ଛୋଟ ହେଲେହେଁ ଯାହା ନିକଟରେ ସେ ପ୍ରତିଭାର ସନ୍ଧାନ ପାଇଛନ୍ତି ତାକୁ ଅଯାଚିତ ଭାବରେ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନ ଯାଚିଦେଇଛନ୍ତି ।

 

ସୀତାଦେବୀଙ୍କ ସାରସ୍ୱତ ଜଗତ ବହୁବର୍ଣ୍ଣା । ପ୍ରତିକ୍ଷେତ୍ରରେ ତାଙ୍କ ପ୍ରତିଭାର ଦିବ୍ୟସ୍ପର୍ଶ ସୃଷ୍ଟିକୁ କରିଛି ମହାନ୍‌ । ସେ ତାଙ୍କ ଜୀବନରେ ଯେଉଁ ବିପୁଳ ଅନୁଭୂତି ଲାଭ କରିଥିଲେ ତାକୁହିଁ ପୁଞ୍ଜି କରି ସାରସ୍ୱତ ସାଧନା କ୍ଷେତ୍ରରେ ପ୍ରବେଶ କରିଥିଲେ । ତେଣୁ ତାଙ୍କ ସୃଷ୍ଟିରେ କାଳ୍ପନିକତା ଅପେକ୍ଷା ବାସ୍ତବତା ଅଧିକ । ପୁଣି ତାଙ୍କର ଅଧିକାଂଶ ସୃଷ୍ଟି ନିଜର ଅନୁଭୂତିଦ୍ୱାରା ରସାଣିତ ହୋଇଥିବାରୁ ଅନେକତ୍ର ସୀତାଦେବୀ ସ୍ପଷ୍ଟ ବାରିହୋଇପଡ଼ନ୍ତି । ଗଳ୍ପ, ଉପନ୍ୟାସ, କବିତା, ନାଟକାଦିରେ ସୀତାଦେବୀଙ୍କ ଜୀବନର ବହୁଭାଗ ଆପେ ଆପେ ପ୍ରକାଶ ଲାଭ କରିଯାଇଛି । ଜୀବନ ଓ ଜଗତ ପ୍ରତି ରହିଥିବା ନିବିଡ଼ ସମ୍ପର୍କବୋଧକୁ ସେ ତାଙ୍କ ସୃଷ୍ଟି ମାଧ୍ୟମରେ ପ୍ରକାଶ କରାଇ ପ୍ରିୟ ପାଠକମାନଙ୍କ ସମ୍ମୁଖରେ ବାସ୍ତବତାର ପୃଥିବୀଟିଏ ଠିଆ କରାଇଦେଇଛନ୍ତି ।

 

ସୀତାଦେବୀଙ୍କ ଅଧିକାଂଶ ସୃଷ୍ଟି ମାନବିକ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ । ତାଙ୍କ ସୃଷ୍ଟିର ଚରିତ୍ରସମୂହ ଆମ ଚତୁର୍ଦ୍ଦିଗରେ ଆତଯାତ ହେଉଥିବା ଆପଣାର ମଣିଷ । ସେଥିପାଇଁ ଘଟଣା ବା ଚରିତ୍ର ଖୋଜିବାକୁ ସେ ବେଶି ଦୂର ଯାଇନାହାନ୍ତି । ସାମାଜିକ ସଂସ୍କାର, ଦଳିତ ମଣିଷ ପ୍ରତି ସହାନୁଭୂତି, ଶୂଦ୍ଧପୂତ ପ୍ରେମ, ସବୁ ମଣିଷଙ୍କ ପ୍ରତି ସମ୍ବେଦନଶୀଳ ମନୋବୃତ୍ତି ତାଙ୍କ ସୃଷ୍ଟିକୁ ମହୀୟାନ୍‍ କରିପାରିଛି । ପିତୃବ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ଆଦର୍ଶାନୁସରଣରେ ସମାଜରେ ପରିପୂରିତ ଅନ୍ଧବିଶ୍ୱାସ ଓ ସାମାଜିକ କୁସଂସ୍କାରକୁ ଦୂରୀଭୂତ କରିବା ନିମିତ୍ତ ତାଙ୍କ ସୃଷ୍ଟିସମୂହରେ ରହିଛି ଆଶାନ୍ୱିତ ଆହ୍ୱାନ । କୌଣସି କ୍ଷେତ୍ରରେ ସେ ଶୃଙ୍ଖଳାର ଲକ୍ଷ୍ମଣଗାର ଅତିକ୍ରମ କରିନାହାନ୍ତି । ବରଂ ସାମାଜିକ ନୀତିନିୟମ ମଧ୍ୟରେ ଥାଇ ସମାଜ ସଂସ୍କାର ନିମିତ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପ୍ରଭାବ ତାଙ୍କ ସୃଷ୍ଟିକୁ ଦେଇଛି ମହାନ୍‌ ଭାବାନୁଭୂତି । ଏହି କାରଣରୁ ରବୀନ୍ଦ୍ରଙ୍କ ସମସ୍ତ ରଚନାବଳୀ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କର ଦୁଇଟି ଉପନ୍ୟାସକୁ ମଧ୍ୟ ଅନୁବାଦ କରିଛନ୍ତି । ନିଜ ଚେଷ୍ଟାରେ ବିଭିନ୍ନ ଭାଷା ଅଧ୍ୟୟନ କରି ଦୃଷ୍ଟିଭଙ୍ଗୀକୁ ପ୍ରସାରିତ କରିଛନ୍ତି-। ସମୟ ସହିତ ପାଦ ମିଳାଇ ନିଜପାଇଁ ସ୍ୱତନ୍ତ୍ର ଆସନଟିଏ ସଂରକ୍ଷିତ କରିପାରିଛନ୍ତି ।

 

କେବଳ ସାହିତ୍ୟ ସାଧନା କ୍ଷେତ୍ରରେ ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ସୀତାଦେବୀଙ୍କ ଅବଦାନ ଅତୁଳନୀୟ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଦୁଇ ଦୁଇ ଥର ଜିଲ୍ଲା ବୋର୍ଡ଼ର ସଦସ୍ୟଭାବେ ନିର୍ବାଚିତ ହୋଇ ଅନେକ କିଛି କାର୍ଯ୍ୟ କରିଛନ୍ତି । ଗ୍ରାମ ଗ୍ରାମ ବୁଲି କଂଗ୍ରେସ ପାଇଁ ଭୋଟ ପ୍ରଚାର କରିଛନ୍ତି । ରାଜନୀତି ତାଙ୍କର ପେଷା ନଥିଲା, ସମାଜସେବା ପାଇଁ ଥିଲା ଏକ ମାଧ୍ୟମ । ମାତ୍ର ସ୍ୱାଧୀନତା ପରବର୍ତ୍ତୀ ସମୟରେ କଳୁଷିତ ରାଜନୀତି ତାଙ୍କୁ ଭୀଷଣ ଭାବରେ ବ୍ୟଥା ଦେଇଥିଲା । ଏଣୁ ରାଜନୀତି ପ୍ରତି ସେ ପରାଙ୍‌ମୁଖ ହୋଇପଡ଼ିଥିଲେ । ଏହା ସତ୍ତ୍ୱେ ଯେତିକି ଦିନ ସେ ରାଜନୀତିରେ ଥିଲେ, ଦେଶସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ ।

 

ସୀତାଦେବୀଙ୍କ ଶେଷ ସମୟ ପାଟନାରେ କନ୍ୟା କମଳାଙ୍କ ନିକଟରେ ଅତିବାହିତ ହୋଇଥିଲେହେଁ ତାଙ୍କ ମନ ବନ୍ଧା ରହିଯାଇଥିଲା ଓଡ଼ିଶାର ମାଟି, ପାଣି, ପବନ ଓ ମଣିଷଙ୍କ ନିକଟରେ । ତେଣୁ ସେ ଯେତେବେଳେ ସାମାନ୍ୟ ସୁଯୋଗ ପାଉଥିଲେ, ଧାଇଁଆସୁଥିଲେ ଓଡ଼ିଶା । ଶେଷ ପର୍ଯ୍ୟନ୍ତ ସେ ଥିଲେ ଚଳଚଞ୍ଚଳ । ସ୍ୱାମୀ ବାଞ୍ଛାନିଧିବାବୁଙ୍କ ମହାପ୍ରୟାଣ ତାଙ୍କୁ ଗଭୀର ଆଘାତ ଦେଇଥିଲା । ତାଙ୍କ ସାଧନାର ଉତ୍ସଙ୍କ ଅବର୍ତ୍ତମାନରେ ସୃଷ୍ଟିର ପ୍ରେରଣା ଯେପରି ଶୁଷ୍କ ହୋଇପଡ଼ିଥିଲା । ସାରସ୍ୱତ ସୃଷ୍ଟି କ୍ଷେତ୍ରରେ ସେ ଆଉ ମନୋନିବେଶ କରିପାରିନଥିଲେ । ଆଜି ସୀତାଦେବୀ ନାହାନ୍ତି, ମାତ୍ର ତାଙ୍କର ସାରସ୍ୱତ ସୃଷ୍ଟି ତାଙ୍କୁ ଅମର କରି ରଖିଛି ଓଡ଼ିଆ ସାହିତ୍ୟରେ-। ଦୁଃଖର ବିଷୟ, ସୀତାଦେବୀଙ୍କର ଅନେକ ସୃଷ୍ଟି ଏ ପର୍ଯ୍ୟନ୍ତ ଅପ୍ରକାଶିତ । କୀଟଦ୍ରଷ୍ଟ ହୋଇ ଧୀରେ ଧୀରେ ପାଣ୍ଡୁଲିପିଗୁଡ଼ିକ ନଷ୍ଟ ହୋଇଯାଉଛି । ହୁଏତ ଆଉ ଅଳ୍ପ କେତେଦିନ ମଧ୍ୟରେ ସେଗୁଡ଼ିକ ସବୁଦିନ ପାଇଁ ହଜିଯିବ । ତେଣୁ ତାଙ୍କର ଅପ୍ରକାଶିତ ସୃଷ୍ଟିସମୂହକୁ ସଂଗ୍ରହ କରି ବର୍ତ୍ତମାନ ପ୍ରକାଶ କରିବା ହେଉଛି ଆମର ଜାତୀୟ କର୍ତ୍ତବ୍ୟ । ସୀତାଦେବୀଙ୍କ ସୃଷ୍ଟି ଜାତିର ସମ୍ପତ୍ତି-। ଏ କ୍ଷେତ୍ରରେ ସରକାର, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସକ୍ରିୟ ଭୂମିକା ଗ୍ରହଣ କରି ତାଙ୍କ ସୃଷ୍ଟିସମୂହର ପ୍ରକାଶ କରିପାରିଲେ, ସୀତାଦେବୀଙ୍କ ପ୍ରତି ଏହି ଜାତିର ହେବ ଶ୍ରେଷ୍ଠ ସମ୍ମାନ ।

Image